ଭାଗ ୮
ଯେତେବେଳେ ହଠାତ୍ କୌଣସି ବିପତ୍ତି ଆସେ
“ତୁମ୍ଭେମାନେ ଉଲ୍ଲାସ କରୁଅଛ, ଯଦ୍ୟପି ବର୍ତ୍ତମାନ ଅଳ୍ପ ସମୟ ପାଇଁ ନାନା ପରୀକ୍ଷା ଦ୍ୱାରା ଦୁଃଖଭୋଗ କରିବା ତୁମ୍ଭମାନଙ୍କ ପକ୍ଷରେ ଆବଶ୍ୟକ ହୁଏ ।”—୧ ପିତର ୧:୬
ଆପଣ ନିଜ ବୈବାହିକ ଜୀବନ ଓ ନିଜ ପରିବାରକୁ ଯେତେ ମଧ୍ୟ ସୁଖୀ କରିବାକୁ ଚେଷ୍ଟା କରନ୍ତୁ ନା କାହିଁକି, ହଠାତ୍ ଆପଣଙ୍କ ପରିବାରରେ ଏପରି କୌଣସି ଅଘଟଣ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଖୁସି ଚାଲିଯାଇପାରେ । (ଉପଦେଶକ ୯:୧୧) ଯେତେବେଳେ ଆମେ ଏପରି ସମସ୍ୟାଗୁଡ଼ିକର ସାମନା କରୁ, ଈଶ୍ୱର ଆମକୁ ପ୍ରେମର ସହିତ ସାହାଯ୍ୟ କରିଥାʼନ୍ତି । ଯଦି ଆପଣ ଆଗକୁ ଦିଆଯାଇଥିବା ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବେ, ତେବେ ଆପଣ ନିଜ ପରିବାର ସହିତ ମିଶି ଅତ୍ୟନ୍ତ ଖରାପ ପରିସ୍ଥିତିଗୁଡ଼ିକର ମଧ୍ୟ ସାମନା କରିପାରିବେ ।
୧ ଯିହୋବାଙ୍କ ଉପରେ ଭରସା କରନ୍ତୁ
ବାଇବଲ କʼଣ କହେ: “ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।” (୧ ପିତର ୫:୭) ସର୍ବଦା ମନେରଖନ୍ତୁ ଯେ ଆପଣଙ୍କ ସମସ୍ୟାଗୁଡ଼ିକ ପାଇଁ ଈଶ୍ୱର ଦାୟୀ ନୁହନ୍ତି । (ଯାକୁବ ୧:୧୩) ଯେପରି ଆପଣ ଧୀରେ ଧୀରେ ତାହାଙ୍କ ନିକଟବର୍ତ୍ତୀ ହେବେ, ସେ ଆପଣଙ୍କୁ ସବୁଠାରୁ ଉତ୍ତମ ଉପାୟରେ ସାହାଯ୍ୟ କରିବେ । (ଯିଶାଇୟ ୪୧:୧୦) ‘ତାହାଙ୍କୁ ମନର ସବୁ କଥା ଖୋଲି କୁହନ୍ତୁ ।’—ଗୀତସଂହିତା ୬୨:୮.
ଆପଣ ପ୍ରତିଦିନ ବାଇବଲ ପଢ଼ିବା ଏବଂ ଏହାର ଅଧ୍ୟୟନ କରିବା ଦ୍ୱାରା ମଧ୍ୟ ସାନ୍ତ୍ୱନା ପାଇବେ । ଫଳସ୍ୱରୂପ, ଆପଣ ଅନୁଭବ କରିପାରିବେ ଯେ ଯିହୋବା କିପରି “ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି ।” (୨ କରିନ୍ଥୀୟ ୧:୩, ୪; ରୋମୀୟ ୧୫:୪) ସେ ପ୍ରତିଜ୍ଞା କରନ୍ତି ଯେ ସେ ଆପଣଙ୍କୁ ‘ଐଶ୍ୱରିକ ଶାନ୍ତି ଦେବେ, ଯାହା ସମସ୍ତ ବୋଧର ଅଗମ୍ୟ ଅଟେ,’ ଅର୍ଥାତ୍ ଯାହା ସମସ୍ତ ବୁଝିବା ଶକ୍ତିର ବାହାରେ ଅଟେ ।—ଫିଲିପ୍ପୀୟ ୪:୬, ୭, ୧୩.
ଆପଣ କʼଣ କରିପାରିବେ:
-
ଶାନ୍ତ ରହିବା ପାଇଁ ଏବଂ ସଠିକ୍ ଭାବରେ ଚିନ୍ତା କରିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ
-
ଆପଣଙ୍କ ପାଖରେ କʼଣ କʼଣ ଉପାୟଗୁଡ଼ିକ ରହିଛି, ସେଗୁଡ଼ିକ ଉପରେ ବିଚାର କରନ୍ତୁ ଏବଂ ସବୁଠାରୁ ଉତ୍ତମ ଉପାୟକୁ ବାଛନ୍ତୁ
୨ ନିଜର ଓ ନିଜ ପରିବାରର ଯତ୍ନ ନିଅନ୍ତୁ
ବାଇବଲ କʼଣ କହେ: “ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜ୍ଜନ କରେ; ପୁଣି, ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ ।” (ହିତୋପଦେଶ ୧୮:୧୫) ଏପରି ସମସ୍ତ ତଥ୍ୟ ସଂଗ୍ରହ କରନ୍ତୁ ଯେଉଁଥିରୁ ପରିବାରର ସଦସ୍ୟମାନଙ୍କୁ ପରିସ୍ଥିତିକୁ ସାମନା କରିବାରେ ସାହାଯ୍ୟ ମିଳିବ । ପ୍ରତ୍ୟେକ ସଦସ୍ୟମାନଙ୍କ କʼଣ ଆବଶ୍ୟକତା ରହିଛି, ଜାଣିବାକୁ ଚେଷ୍ଟା କରନ୍ତୁ । ସେମାନଙ୍କ ସହିତ କଥା ହୁଅନ୍ତୁ ଏବଂ ସେମାନଙ୍କର କଥା ଶୁଣନ୍ତୁ ।—ହିତୋପଦେଶ ୨୦:୫.
କିନ୍ତୁ ଯଦି ଆପଣଙ୍କ କୌଣସି ଆତ୍ମୀୟଙ୍କ ମୃତ୍ୟୁ ହୋଇଯାଏ, ତେବେ ଆପଣ କʼଣ କରିବେ ? ନିଜ ଭାବନାଗୁଡ଼ିକୁ ପ୍ରକାଶ କରିବାକୁ ସଂକୋଚ କରନ୍ତୁ ନାହିଁ । ମନେପକାନ୍ତୁ ଯେ ଏପରିକି ଯୀଶୁ ଖ୍ରୀଷ୍ଟ ନିଜେ ମଧ୍ୟ ଥରେ “କାନ୍ଦିଲେ ।” (ଯୋହନ ୧୧:୩୫; ଉପଦେଶକ ୩:୪) ଏପରି ସମୟରେ ଶରୀରକୁ ଯଥେଷ୍ଟ ବିଶ୍ରାମ ଓ ନିଦ ମଧ୍ୟ ବହୁତ ଜରୁରୀ ଅଟେ । (ମାର୍କ ୬:୩୧) ଏହା ଆପଣଙ୍କୁ କଠିନ ପରିସ୍ଥିତିକୁ ସାହସର ସହିତ ସାମନା କରିବା ପାଇଁ ସାହାଯ୍ୟ କରିବ ।
ଆପଣ କʼଣ କରିପାରିବେ:
-
ବିପତ୍ତି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, ପୂର୍ବରୁ ନିଜ ପରିବାର ସହିତ କଥାବାର୍ତ୍ତା କରିବାର ଏକ ଅଭ୍ୟାସ ରଖନ୍ତୁ । ଫଳସ୍ୱରୂପ, ଯେତେବେଳେ ବିପତ୍ତି ଆସିବ, ସେମାନେ ଆପଣଙ୍କ ସହିତ କଥା ହେବା ପାଇଁ ସଂକୋଚ କରିବେ ନାହିଁ
-
ଏପରି ଲୋକମାନଙ୍କ ସହିତ କଥା ହୁଅନ୍ତୁ, ଯେଉଁମାନେ ହୁଏତ ଆପଣଙ୍କ ଭଳି ସମାନ ପରିସ୍ଥିତିକୁ ସାମନା କରିଛନ୍ତି
୩ ଆବଶ୍ୟକ ସାହାଯ୍ୟ ନିଅନ୍ତୁ
ବାଇବଲ କʼଣ କହେ: “ବନ୍ଧୁ ସବୁ ସମୟରେ ପ୍ରେମ କରେ ଏବଂ ବିପତ୍ତି ସମୟରେ ଭାଇ ହୋଇଯାଏ ।” (ହିତୋପଦେଶ ୧୭:୧୭, NW) ଆପଣଙ୍କ ମିତ୍ରମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ହୁଏତ ସେମାନେ ଏହା କିପରି କରିବେ ତାହା ଜାଣି ନ ଥାʼନ୍ତି । ସେମାନଙ୍କୁ ମନଖୋଲି କହନ୍ତୁ ଯେ ଆପଣଙ୍କୁ କେଉଁ ପ୍ରକାର ସାହାଯ୍ୟ ଦରକାର । (ହିତୋପଦେଶ ୧୨:୨୫) ଏହା ସହିତ, ଏପରି ପରିସ୍ଥିତିରେ ଆପଣ ବାଇବଲର ସିଦ୍ଧାନ୍ତଗୁଡ଼ିକୁ କିପରି ଲାଗୁ କରିପାରିବେ, ତାହା ଜାଣିବା ପାଇଁ ଏପରି ଲୋକମାନଙ୍କ ସାହାଯ୍ୟ ନିଅନ୍ତୁ, ଯେଉଁମାନେ ବାଇବଲକୁ ଭଲଭାବେ ବୁଝନ୍ତି । ସେମାନେ ବାଇବଲରୁ ଯେଉଁ ମାର୍ଗଦର୍ଶନ ଦେବେ, ସେଥିରୁ ଆପଣଙ୍କୁ ସାହାଯ୍ୟ ମିଳିବ ।—ଯାକୁବ ୫:୧୪.
ଯଦି ଆପଣ ଈଶ୍ୱରଙ୍କୁ ପ୍ରକୃତରେ ବିଶ୍ୱାସ କରୁଥିବା ଏବଂ ତାହାଙ୍କ ପ୍ରତିଶ୍ରୁତିଗୁଡ଼ିକ ଉପରେ ଭରସା କରୁଥିବା ଲୋକମାନଙ୍କ ସହିତ ନିୟମିତ ସଙ୍ଗତି କରିବେ, ତେବେ ଆପଣଙ୍କୁ ଯେଉଁ ସାହାଯ୍ୟ ଦରକାର, ତାହା ଆପଣ ପାଇବେ । ଏହା ସହିତ, ଯେଉଁମାନଙ୍କୁ ଉତ୍ସାହ ଦରକାର, ଯଦି ଆପଣ ସେମାନଙ୍କୁ ସାହାଯ୍ୟ କରିବେ, ତେବେ ମଧ୍ୟ ଆପଣଙ୍କୁ ଖୁବ୍ ସାନ୍ତ୍ୱନା ମିଳିବ । ସେମାନଙ୍କୁ ଯିହୋବା ଏବଂ ତାହାଙ୍କ ପ୍ରତିଶ୍ରୁତିଗୁଡ଼ିକ ବିଷୟରେ କହନ୍ତୁ । ଯେଉଁମାନଙ୍କୁ ସାହାଯ୍ୟ ଦରକାର, ସେମାନଙ୍କୁ ସାହାଯ୍ୟ କରିବାରେ ନିଜକୁ ବ୍ୟସ୍ତ ରଖନ୍ତୁ । ତାʼ ଛଡ଼ା, ଯେଉଁମାନେ ଆପଣଙ୍କୁ ଭଲ ପାʼନ୍ତି ଏବଂ ଆପଣଙ୍କ ବିଷୟରେ ଚିନ୍ତା କରନ୍ତି, ସେମାନଙ୍କଠାରୁ ନିଜକୁ ଅଲଗା କରନ୍ତୁ ନାହିଁ ।—ହିତୋପଦେଶ ୧୮:୧; ୧ କରିନ୍ଥୀୟ ୧୫:୫୮.
ଆପଣ କʼଣ କରିପାରିବେ:
-
ଜଣେ ଘନିଷ୍ଠ ମିତ୍ରଙ୍କ ସହିତ କଥା ହୁଅନ୍ତୁ ଏବଂ ତାଙ୍କ ସାହାଯ୍ୟକୁ ସ୍ୱୀକାର କରନ୍ତୁ
-
ନିଜ ଆବଶ୍ୟକତାଗୁଡ଼ିକ ବିଷୟରେ ତାଙ୍କୁ ସ୍ପଷ୍ଟ ଭାବରେ ଓ ମନଖୋଲି କହନ୍ତୁ