इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୧୧

ଆମେ ବଡ଼ ସମ୍ମିଳନୀଗୁଡ଼ିକରେ କାହିଁକି ଉପସ୍ଥିତ ହେଉ ?

ଆମେ ବଡ଼ ସମ୍ମିଳନୀଗୁଡ଼ିକରେ କାହିଁକି ଉପସ୍ଥିତ ହେଉ ?

ମେକ୍ସିକୋ

ଜର୍ମାନୀ

ବୋଟ୍‌ସୱାନା

ନିକାରାଗୁଆ

ଇଟାଲୀ

ଏହି ଲୋକମାନଙ୍କ ଚେହେରାରେ ଏତେ ଖୁସି କାହିଁକି ? କାରଣ ସେମାନେ ଆମ ସମ୍ମିଳନୀରେ ଉପସ୍ଥିତ ହୋଇଛନ୍ତି । ପ୍ରାଚୀନ ସମୟରେ ଈଶ୍ୱର ନିଜ ଲୋକମାନଙ୍କୁ ବର୍ଷରେ ତିନିଥର ବଡ଼ ସଭାଗୁଡ଼ିକରେ ଉପସ୍ଥିତ ହେବା ପାଇଁ ଆଜ୍ଞା ଦେଇଥିଲେ । (ଦ୍ୱିତୀୟ ବିବରଣ ୧୬:୧୬) ସେମାନଙ୍କ ପରି ଆମେ ମଧ୍ୟ ଆଜି ବଡ଼ ସମୂହରେ ଏକାଠି ହେବାକୁ ଉତ୍ସାହର ସହିତ ଅପେକ୍ଷା କରୁ । ପ୍ରତିବର୍ଷ ଆମକୁ ତିନିଥର ଏହି ସୁଯୋଗ ମିଳେ: ଏକଦିନିଆର ଦୁଇଟି ସର୍କିଟ ସମ୍ମିଳନୀ ଏବଂ ତିନିଦିନିଆର ଗୋଟିଏ ଆଞ୍ଚଳିକ ଅଧିବେଶନ । ଏହି ସଭାଗୁଡ଼ିକରୁ ଆମକୁ କʼଣ ଲାଭ ହୁଏ ?

ଏହା ଆମ ଖ୍ରୀଷ୍ଟିୟାନ ଭ୍ରାତୃଭାବକୁ ଆହୁରି ମଜବୁତ୍‌ କରେ । ଯେପରି ଇସ୍ରାଏଲୀୟମାନଙ୍କୁ “ସଭାରେ” ଏକାଠି ହୋଇ ଯିହୋବାଙ୍କୁ ମହିମା କରିବା ଦ୍ୱାରା ଖୁସି ମିଳୁଥିଲା, ଠିକ୍‌ ସେହିପରି ଆମକୁ ମଧ୍ୟ ବିଶେଷ ଅବସରଗୁଡ଼ିକରେ ନିଜ ଭାଇଭଉଣୀଙ୍କ ସହିତ ଈଶ୍ୱରଙ୍କ ଉପାସନା କରିବାରେ ବହୁତ ଖୁସି ମିଳେ । (ଗୀତସଂହିତା ୨୬:୧୨; ୧୧୧:୧) ଏହି ସମ୍ମିଳନୀଗୁଡ଼ିକରେ ଆମକୁ ଅନ୍ୟ ମଣ୍ଡଳୀ, ଏପରିକି ଅନ୍ୟ ଦେଶରୁ ଆସିଥିବା ସାକ୍ଷୀମାନଙ୍କ ସହିତ ଭେଟ ହେବା ଏବଂ ତାଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ସୁଯୋଗ ମିଳେ । ଏହା ସହିତ, ଯେତେବେଳେ ଆମେ ସମ୍ମିଳନୀ ଜାଗାରେ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରୁ, ସେତେବେଳେ ମଧ୍ୟ ସେମାନଙ୍କ ସହିତ ମିତ୍ରତା କରିପାରୁ । (ପ୍ରେରିତ ୨:୪୨) ଏହି ସମ୍ମିଳନୀଗୁଡ଼ିକରେ ଆମେ ନିଜେ ସେହି ପ୍ରେମ ଅନୁଭବ କରୁ, ଯାହା ସାରା ଦୁନିଆରେ “ପରମେଶ୍ୱରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ” ଏକତାରେ ବାନ୍ଧି ରଖିଛି ।—୧ ପିତର ୨:୧୭, ଇଜି-ଟୁ-ରିଡ ଭର୍ସନ ।

ଏହା ଆମକୁ ନିଜ ଖ୍ରୀଷ୍ଟିୟାନ ଜୀବନରେ ଉନ୍ନତି କରିବା ପାଇଁ ସାହାଯ୍ୟ କରେ । ଇସ୍ରାଏଲୀୟମାନେ ବଡ଼ ସଭାରେ ଏକାଠି ହେବା ଦ୍ୱାରା ଶାସ୍ତ୍ରରେ ଥିବା ‘ବାକ୍ୟସବୁ ବୁଝିପାରିଲେ’ ଏବଂ ଲାଭ ପାଇଲେ, କାରଣ ସେଠାରେ ସେମାନଙ୍କୁ ଭଲ ଭାବେ ତାହାର ଅର୍ଥ ବୁଝାଇ ଦିଆଯାଉଥିଲା । (ନିହିମୀୟା ୮:୮, ୧୨) ଆଜି ଆମକୁ ମଧ୍ୟ ସମ୍ମିଳନୀଗୁଡ଼ିକରେ ବାଇବଲର ଶିକ୍ଷା ଭଲ ଭାବରେ ବୁଝାଇ ଦିଆଯାଏ । ପ୍ରତ୍ୟେକ କାର୍ଯ୍ୟକ୍ରମର ବିଷୟ ବାଇବଲ ପଦ ଉପରେ ଆଧାରିତ ହୋଇଥାଏ । କାର୍ଯ୍ୟକ୍ରମରେ ଆକର୍ଷଣୀୟ ଭାଷଣ ଏବଂ ପରିଚର୍ଚ୍ଚା ପ୍ରସ୍ତୁତ କରାଯାଏ । ଏହା ସହିତ, ଦୈନନ୍ଦିନ ଜୀବନର ବିଭିନ୍ନ ପରିସ୍ଥିତି ଉପରେ ପ୍ରଦର୍ଶନ ଦେଖାଯାଏ । ସେଗୁଡ଼ିକରୁ ଆମେ ଶିଖୁ ଯେ ନିଜ ଜୀବନରେ କେମିତି ଈଶ୍ୱରଙ୍କ ଇଚ୍ଛା ପୂରଣ କରିପାରିବା । ଯେଉଁମାନେ ଆଜି ଏହି କଠିନ ସମୟରେ ସମସ୍ୟାର ସମ୍ମୁଖୀନ ହୋଇ ଖ୍ରୀଷ୍ଟିୟାନ ସ୍ତର ଅନୁସାରେ ଚାଲୁଛନ୍ତି, ସେମାନଙ୍କ ଅନୁଭବ ଶୁଣିବା ଦ୍ୱାରା ଆମର ମଧ୍ୟ ସାହସ ବଢ଼ିଥାଏ । ଆଞ୍ଚଳିକ ଅଧିବେଶନରେ ପ୍ରଦର୍ଶନ କରାଯାଉଥିବା ନାଟକ ବାଇବଲରେ ଥିବା ଘଟଣାଗୁଡ଼ିକୁ ଆମ ପାଇଁ ଆହୁରି ଜୀବନ୍ତ କରିଦିଏ ଏବଂ ସେଥିରୁ ଆମକୁ ଅନେକ ବ୍ୟବହାରିକ ଶିକ୍ଷା ମିଳେ । ଯେଉଁମାନେ ସମସ୍ତଙ୍କ ଆଗରେ ଈଶ୍ୱରଙ୍କୁ କରିଥିବା ସମର୍ପଣର ପ୍ରମାଣ ଦେବାକୁ ଚାହାନ୍ତି, ପ୍ରତ୍ୟେକ ସମ୍ମିଳନୀରେ ସେମାନଙ୍କ ପାଇଁ ବାପ୍ତିସ୍ମର ଆୟୋଜନ ମଧ୍ୟ କରାଯାଏ ।

  • ସମ୍ମିଳନୀ କାହିଁକି ଆମ ପାଇଁ ଖୁସିର ଅବସର ଅଟେ ?

  • ସମ୍ମିଳନୀରେ ଉପସ୍ଥିତ ହେବା ଦ୍ୱାରା ଆପଣଙ୍କୁ କʼଣ ଲାଭ ମିଳିପାରେ ?