इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ତିନି ଅଧ୍ୟାୟ

ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

୧. ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

 ମାନବଜାତି ପାଇଁ ଈଶ୍ୱରଙ୍କ ଏକ ମହାନ ଉଦ୍ଦେଶ୍ୟ ରହିଛି । ସେ ପ୍ରଥମ ପୁରୁଷ-ସ୍ତ୍ରୀ ଆଦମ ଓ ହବାକୁ ଏକ ସୁନ୍ଦର ଉଦ୍ୟାନରେ ବାସ କରିବା ପାଇଁ ସୃଷ୍ଟି କରିଥିଲେ । ଈଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା ଯେ ସେମାନେ ନିଜ ସନ୍ତାନମାନଙ୍କ ଦ୍ୱାରା ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ, ସମଗ୍ର ପୃଥିବୀକୁ ଏକ ପାରଦୀଶ ଅର୍ଥାତ୍‌ ସୁନ୍ଦର ଉଦ୍ୟାନରେ ପରିଣତ କରନ୍ତୁ ଏବଂ ପଶୁପକ୍ଷୀମାନଙ୍କର ଯତ୍ନ ନିଅନ୍ତୁ ।— ଆଦି ପୁସ୍ତକ ୧:୨୮; ୨:୮, ୯, ୧୫; ଅଧିକ ବିବରଣୀ-୬ ଦେଖନ୍ତୁ ।

୨. (କ) ଆମେ କିପରି ଜାଣୁ ଯେ ଈଶ୍ୱର ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି, ତାହା ସେ ନିଶ୍ଚୟ ପୂରଣ କରିବେ ? (ଖ) କେଉଁ ପ୍ରକାର ଲୋକମାନେ ଏହି ପୃଥିବୀରେ ବାସ କରନ୍ତୁ ବୋଲି ଈଶ୍ୱର ଚାହାନ୍ତି ? ଆଉ କେତେ ଦିନ ପର୍ଯ୍ୟନ୍ତ ?

କʼଣ ଆପଣ ଭାବନ୍ତି ଯେ ଏହି ପୃଥିବୀ ଦିନେ ପାରଦୀଶରେ ପରିଣତ ହେବ ଏବଂ ଆମେ ସେଠାରେ ବାସ କରିବା ? ଯିହୋବା ଆମକୁ କହନ୍ତି: “ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା ।” (ଯିଶାଇୟ ୪୬:୯-୧୧; ୫୫:୧୧) ହଁ, ସେ ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି, ତାହା ସେ ନିଶ୍ଚୟ ପୂରଣ କରିବେ ଏବଂ ତାହାଙ୍କୁ କୌଣସି ଶକ୍ତି ରୋକିପାରିବ ନାହିଁ । ଯିହୋବା କହନ୍ତି ଯେ ପୃଥିବୀକୁ ସୃଷ୍ଟି କରିବା ପଛରେ ଏକ କାରଣ ରହିଛି । ସେ ଏହାକୁ ‘ଶୂନ୍ୟ ରହିବା ପାଇଁ ସୃଷ୍ଟି କରି ନ ଥିଲେ ।’ (ଯିଶାଇୟ ୪୫:୧୮) ସେ ଚାହାନ୍ତି ଯେ ଲୋକମାନେ ସାରା ପୃଥିବୀରେ ବାସ କରନ୍ତୁ । ତେବେ କେଉଁ ପ୍ରକାର ଲୋକମାନେ ଏହି ପୃଥିବୀରେ ବାସ କରନ୍ତୁ ବୋଲି ଈଶ୍ୱର ଚାହାନ୍ତି ? ଆଉ କେତେ ଦିନ ପର୍ଯ୍ୟନ୍ତ ? ବାଇବଲ କହେ: “ଧାର୍ମିକ [ଅର୍ଥାତ୍‌ ଈଶ୍ୱରଙ୍କ ଆଜ୍ଞାକାରୀ] ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”ଗୀତସଂହିତା ୩୭:୨୯; ପ୍ରକାଶିତ ବାକ୍ୟ ୨୧:୩, ୪.

୩. ଜଗତର ପରିସ୍ଥିତି ଦେଖି ଆପଣଙ୍କ ମନରେ କେଉଁ ପ୍ରଶ୍ନ ଉଠେ ?

କିନ୍ତୁ ଆଜି ଲୋକେ ରୋଗରେ ପୀଡ଼ିତ ହୁଅନ୍ତି ଏବଂ ମରିଯାʼନ୍ତି । ଅନେକ ସ୍ଥାନରେ ଲୋକେ ପରସ୍ପର ମଧ୍ୟରେ ଲଢ଼େଇ କରି ଜଣେ ଅନ୍ୟକୁ ହତ୍ୟା କରନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଈଶ୍ୱରଙ୍କ ଉଦ୍ଦେଶ୍ୟ କେବେ ମଧ୍ୟ ଏପରି ନ ଥିଲା । ତେବେ କʼଣ ହେଲା ଏବଂ କାହିଁକି ଏପରି ହେଲା ? କେବଳ ବାଇବଲ ଏହାର ଉତ୍ତର ଦିଏ ।

ଈଶ୍ୱରଙ୍କ ଏକ ଶତ୍ରୁ

୪, ୫. (କ) ଏଦନ ଉଦ୍ୟାନରେ କିଏ ସାପ ମାଧ୍ୟମରେ ହବା ସହିତ କଥା ହେଲା ? (ଖ) ଜଣେ ସଚ୍ଚୋଟ ବ୍ୟକ୍ତି କିପରି ଏକ ଚୋର ପାଲଟିଯାଏ ?

ବାଇବଲ ଆମକୁ କହେ ଯେ ଈଶ୍ୱରଙ୍କ ଏକ ଶତ୍ରୁ ଅଛି, ଯିଏ ‘ଦିଆବଳ ଓ ଶୟତାନ ନାମରେ ପରିଚିତ’ ଅଟେ । ଏଦନ ଉଦ୍ୟାନରେ ଶୟତାନ ଏକ ସାପ ମାଧ୍ୟମରେ ହବା ସହିତ କଥା ହେଲା । (ପ୍ରକାଶିତ ବାକ୍ୟ ୧୨:୯; ଆଦି ପୁସ୍ତକ ୩:୧) କିନ୍ତୁ ହବାକୁ ଲାଗିଲା ଯେ ସାପଟି ହିଁ ତାʼ ସହିତ କଥା ହେଉଥିଲା ।— ଅଧିକ ବିବରଣୀ-୭ ଦେଖନ୍ତୁ ।

ତେବେ କʼଣ ଈଶ୍ୱର ଶୟତାନକୁ ସୃଷ୍ଟି କରିଥିଲେ ? ଆଦୌ ନୁହଁ । ଶୟତାନ ପ୍ରଥମେ ଏକ ସ୍ୱର୍ଗଦୂତ ଥିଲା, କିନ୍ତୁ ପରେ ତାʼର ମନ ପରିବର୍ତ୍ତନ ହୋଇଗଲା ଏବଂ ସେ ନିଜେ ଶୟତାନ ପାଲଟିଗଲା । ଯେତେବେଳେ ଈଶ୍ୱର ଆଦମ ଓ ହବାଙ୍କ ରହିବା ପାଇଁ ପୃଥିବୀକୁ ପ୍ରସ୍ତୁତ କରୁଥିଲେ, ସେସମୟରେ ସେ ସ୍ୱର୍ଗରେ ଥିଲା । (ଆୟୁବ ୩୮:୪,) କିନ୍ତୁ ଜଣେ ସ୍ୱର୍ଗଦୂତ ଶୟତାନ କିପରି ହୋଇପାରେ ? ତାହା ବୁଝିବା ପାଇଁ ଏକ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଜଣେ ସଚ୍ଚୋଟ ବ୍ୟକ୍ତି କିପରି ପରିବର୍ତ୍ତନ ହୋଇ ଏକ ଚୋର ପାଲଟିଯାଏ ? ସେ ଜନ୍ମରୁ ଚୋର ନ ଥାଏ । କିନ୍ତୁ ସେ ଏପରି କିଛି ପାଇବା ପାଇଁ ଇଚ୍ଛା କିମ୍ବା ଲୋଭ କରେ, ଯାହା ତାʼର ହୋଇ ନ ଥାଏ । ସେ ଏହା ବିଷୟରେ ସବୁବେଳେ ଭାବୁଥାଏ, ଏବଂ ତାʼର ଏହି ମନ୍ଦ ଇଚ୍ଛା ଧୀରେ ଧୀରେ ଆହୁରି ତୀବ୍ର ହୋଇଯାଏ । ତାʼପରେ, ଯେତେବେଳେ ତାକୁ ଏକ ସୁଯୋଗ ମିଳେ, ସେ ତାହା ଚୋରି କରିନିଏ । ଏହିପରି ଭାବେ ସେ ନିଜେ ନିଜକୁ ଏକ ଚୋରରେ ପରିଣତ କରିଥାଏ ।— ଯାକୁବ ୧:୧୩-୧୫ ପଢ଼ନ୍ତୁ; ଅଧିକ ବିବରଣୀ-୮ ଦେଖନ୍ତୁ ।

୬. ଜଣେ ସ୍ୱର୍ଗଦୂତ କିପରି ଈଶ୍ୱରଙ୍କ ଶତ୍ରୁରେ ପରିଣତ ହେଲା ?

ସେହି ସ୍ୱର୍ଗଦୂତ ସହିତ ଠିକ୍‌ ଏହିପରି ହେଲା । ଆଦମ ଓ ହବାକୁ ସୃଷ୍ଟି କଲା ପରେ ଯିହୋବା ସେମାନଙ୍କୁ ଆଶିଷ ଦେଇ କହିଲେ ଯେ ସେମାନେ ସନ୍ତାନ ଜନ୍ମ କରନ୍ତୁ ଏବଂ ‘ପୃଥିବୀକୁ ପରିପୂର୍ଣ୍ଣ କରନ୍ତୁ ।’ (ଆଦି ପୁସ୍ତକ ୧:୨୭, ୨୮) ଏହା ଦେଖି ସେହି ସ୍ୱର୍ଗଦୂତ ଭାବିଥିବ, ‘କେତେ ଭଲ ହୁଅନ୍ତା, ଯଦି ସବୁ ମଣିଷମାନେ ଯିହୋବାଙ୍କ ପରିବର୍ତ୍ତେ ମତେ ଉପାସନା କରନ୍ତେ !’ ଯିହୋବା ଯେଉଁ ଉପାସନାର ହକ୍‌ଦାର, ତାହା ପାଇବା ପାଇଁ ସେ ଲୋଭ କରିବାକୁ ଲାଗିଲା । ଯେତେ ଅଧିକ ସେ ଏହା ବିଷୟରେ ଭାବିଥିବ, ସେତେ ଅଧିକ ତାʼର ଏହି ଇଚ୍ଛା ତୀବ୍ର ହୋଇଥିବ । ଶେଷରେ ସେ ଚାହିଁଲା ଯେ ଲୋକେ ତାକୁ ଉପାସନା କରନ୍ତୁ । ତେଣୁ ସେ ସୁଯୋଗ ଦେଖି ହବାକୁ ମିଛ କହିଲା ଏବଂ ଭୁଲ୍‌ ବାଟରେ ନେଇଗଲା । (ଆଦି ପୁସ୍ତକ ୩:୧-୫ ପଢ଼ନ୍ତୁ ।) ଏପରି କରିବା ଦ୍ୱାରା ସେ ଈଶ୍ୱରଙ୍କ ଶତ୍ରୁ ଅର୍ଥାତ୍‌ ଶୟତାନରେ ପରିଣତ ହେଲା ।

୭. (କ) ଆଦମ ଓ ହବା କାହିଁକି ମରିଗଲେ ? (ଖ) ଆମେ କାହିଁକି ବୃଦ୍ଧାବସ୍ଥାର ସାମନା କରିଥାଉ ଏବଂ ଶେଷରେ ମରିଯାଉ ?

ଈଶ୍ୱର ଆଦମ ଓ ହବାକୁ ଉଦ୍ୟାନରେ ଥିବା ଏକ ନିର୍ଦ୍ଦିଷ୍ଟ ଫଳ ଖାଇବାକୁ ମନା କରିଥିଲେ । ସେ କହିଥିଲେ ଯେ ଯଦି ସେମାନେ ସେହି ଫଳ ଖାଇବେ, ତେବେ ସେମାନେ ନିଶ୍ଚୟ ମରିବେ । ଆଦମ ଓ ହବା ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କଲେ ଏବଂ ମନା କରାଯାଇଥିବା ଫଳକୁ ଖାଇଲେ । (ଆଦି ପୁସ୍ତକ ୨:୧୭; ୩:୬) ଏପରି କରିବା ଦ୍ୱାରା ସେମାନେ ଯିହୋବାଙ୍କ ବିରୁଦ୍ଧରେ ପାପ କଲେ ଏବଂ ଠିକ୍‌ ଯେପରି ଯିହୋବା କହିଥିଲେ ଯେ ସେମାନେ ନିଶ୍ଚୟ ମରିବେ, ସମୟକ୍ରମେ ସେମାନେ ମରିଗଲେ । (ଆଦି ପୁସ୍ତକ ୩:୧୭-୧୯) ଆଦମ ଓ ହବାଙ୍କର ଯେଉଁ ସନ୍ତାନମାନେ ହେଲେ, ସେମାନେ ଜନ୍ମରୁ ପାପୀ ଥିଲେ, ତେଣୁ ସେମାନେ ମଧ୍ୟ ମରିବାକୁ ଲାଗିଲେ । (ରୋମୀୟ ୫:୧୨ ପଢ଼ନ୍ତୁ ।) କିନ୍ତୁ ସେମାନଙ୍କ ସନ୍ତାନମାନେ କାହିଁକି ପାପୀ ହେଲେ ? ଏହା ବୁଝିବା ପାଇଁ ଏକ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । କଳ୍ପନା କରନ୍ତୁ ଯେ ଗୋଟିଏ ପାଉଁରୁଟିକୁ ଏପରି ଏକ ଛାଞ୍ଚରେ ତିଆରି କରାଯାଇଛି, ଯେଉଁଥିରେ ଟିକିଏ ଚେପା ଅଛି । ପାଉଁରୁଟିରେ ମଧ୍ୟ ଛାଞ୍ଚରେ ଥିବା ଚେପା ଭଳି ସମାନ ଚେପା ରହିଯିବ । ଠିକ୍‌ ସେହିପରି, ଯେତେବେଳେ ଆଦମ ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କଲା, ଆଦମ ପାପୀ ହେଲା । ଯେହେତୁ ଆମେ ଆଦମର ସନ୍ତାନ ଅଟୁ, ଆମେ ମଧ୍ୟ ସମସ୍ତେ ପାପୀ ଅଟୁ । ଅନ୍ୟ ଶବ୍ଦରେ, ଆମଠାରେ ମଧ୍ୟ ସେହି ସମାନ “ଚେପା” ରହିଛି, ଯାହା ଆଦମ ପାଖରେ ଥିଲା । ଅତଏବ, ଯେହେତୁ ଆମେ ସମସ୍ତେ ପାପୀ ଅଟୁ, ଆମେ ବୃଦ୍ଧାବସ୍ଥାର ସାମନା କରିଥାଉ ଏବଂ ଶେଷରେ ମରିଯାଉ ।— ରୋମୀୟ ୩:୨୩; ଅଧିକ ବିବରଣୀ-୯ ଦେଖନ୍ତୁ ।

୮, ୯. (କ) ଆଦମ ଓ ହବା କʼଣ ବିଶ୍ୱାସ କରନ୍ତୁ ବୋଲି ଶୟତାନ ଚାହୁଁଥିଲା ? (ଖ) ଯିହୋବା ସେହି ତିନି ଜଣଙ୍କୁ କାହିଁକି ତୁରନ୍ତ ବିନାଶ କଲେ ନାହିଁ ?

ଯେତେବେଳେ ଶୟତାନ ଯିହୋବାଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରିବା ପାଇଁ ଆଦମ ଓ ହବାଙ୍କୁ ପ୍ରଲୋଭିତ କଲା, ଏହା ଈଶ୍ୱରଙ୍କ ବିରୁଦ୍ଧରେ ଏକ ବିଦ୍ରୋହ ଥିଲା । ସେ ଚାହୁଁଥିଲା, ଆଦମ ଓ ହବା ବିଶ୍ୱାସ କରନ୍ତୁ ଯେ ଯିହୋବା ଜଣେ ମିଥ୍ୟାବାଦୀ ଓ ଦୁଷ୍ଟ ଶାସକ ଅଟନ୍ତି ଏବଂ ସେମାନଙ୍କୁ ଉତ୍ତମ ଜୀବନଠାରୁ ଦୂରେଇ ରଖନ୍ତି । ଶୟତାନ କହୁଥିଲା ଯେ ମଣିଷଜାତିକୁ ଈଶ୍ୱରଙ୍କ ମାର୍ଗଦର୍ଶନର କୌଣସି ଆବଶ୍ୟକତା ନାହିଁ ଏବଂ ଆଦମ ଓ ହବା ପାଇଁ କʼଣ ଠିକ୍‌ ଓ କʼଣ ଭୁଲ୍‌, ତାହା ସେ ନିଜେ ନିର୍ଣ୍ଣୟ କରିପାରିବ । ଆଦମ ଓ ହବା ଶୟତାନର ପ୍ରଲୋଭନରେ ପଡ଼ିଗଲେ । ଏପରି ସମୟରେ ଯିହୋବା କʼଣ କରିଥାʼନ୍ତେ ? ସେ ଶୟତାନ, ଆଦମ ଓ ହବାକୁ ସେହି ସମୟରେ ହିଁ ବିନାଶ କରିପାରିଥାʼନ୍ତେ । କିନ୍ତୁ ଏହାଦ୍ୱାରା କʼଣ ଶୟତାନ ମିଥ୍ୟାବାଦୀ ବୋଲି ପ୍ରମାଣିତ ହୋଇପାରିଥାʼନ୍ତା ? ନା !

ଅତଏବ, ଯିହୋବା ସେହି ବିଦ୍ରୋହୀମାନଙ୍କୁ ତୁରନ୍ତ ବିନାଶ କଲେ ନାହିଁ । ଏହା ପରିବର୍ତ୍ତେ, ସେ ମାନବଜାତିକୁ ନିଜ ଉପରେ ଶାସନ କରିବା ପାଇଁ ସମୟ ଦେଲେ । ଯେତେବେଳେ ଏହି ସମୟ ପୂରଣ ହେବ, ଏହା ପ୍ରମାଣିତ ହୋଇଯିବ ଯେ ଶୟତାନ ମିଥ୍ୟାବାଦୀ ଅଟେ ଏବଂ ମାନବଜାତି ପାଇଁ କʼଣ ଉତ୍ତମ ଅଟେ, ତାହା କେବଳ ଯିହୋବା ଜାଣନ୍ତି । ଏବିଷୟରେ ଆମେ ୧୧ ଅଧ୍ୟାୟରେ ଆହୁରି ଅଧିକ ଶିଖିପାରିବା । କିନ୍ତୁ ଆଦମ ଓ ହବା ଯେଉଁ ନିଷ୍ପତ୍ତି ନେଲେ, ସେବିଷୟରେ ଆପଣ କʼଣ ଭାବନ୍ତି ? ଶୟତାନକୁ ବିଶ୍ୱାସ କରିବା ଏବଂ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରିବା କʼଣ ସେମାନଙ୍କ ପାଇଁ ଉଚିତ୍‌ ଥିଲା ? ଆଦମ ଓ ହବା ପାଖରେ ଯାହା ଥିଲା, ସବୁକିଛି ଯିହୋବା ସେମାନଙ୍କୁ ଦେଇଥିଲେ । ସେମାନଙ୍କୁ ସେ ସିଦ୍ଧ ଜୀବନ ଦେଇଥିଲେ, ରହିବା ପାଇଁ ଏକ ସୁନ୍ଦର ଜାଗା ଦେଇଥିଲେ ଏବଂ ଏପରି କାମ ଦେଇଥିଲେ, ଯେଉଁଥିରୁ ସେମାନେ ଆନନ୍ଦ ପାଉଥିଲେ । କିନ୍ତୁ ଶୟତାନ ସେମାନଙ୍କ ପାଇଁ କେବେ ମଧ୍ୟ କୌଣସି ମଙ୍ଗଳ କାମ କରି ନ ଥିଲା । ଯଦି ଆପଣ ସେମାନଙ୍କ ଜାଗାରେ ଥାʼନ୍ତେ, ତେବେ ଆପଣ କʼଣ କରିଥାʼନ୍ତେ ?

୧୦. ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ଆଜି କେଉଁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ହେବ ?

୧୦ ଠିକ୍‌ ସେହିପରି, ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ଆଜି ଏକ ନିଷ୍ପତ୍ତି ନେବାକୁ ହେବ ଏବଂ ଆମ ଜୀବନ ସେହି ନିଷ୍ପତ୍ତି ଉପରେ ନିର୍ଭର କରେ । ଆମେ କାହାକୁ ନିଜ ଶାସନକର୍ତ୍ତା ଭାବେ ବାଛିବା— ଯିହୋବାଙ୍କୁ ନା ଶୟତାନକୁ । ଯଦି ଆମେ ଯିହୋବାଙ୍କୁ ନିଜ ଶାସନକର୍ତ୍ତା ଭାବେ ବାଛିବା, ତେବେ ଆମକୁ ତାହାଙ୍କ ଆଜ୍ଞା ପାଳନ କରିବାକୁ ହେବ । ଆଉ, ଏପରି କରିବା ଦ୍ୱାରା ଆମେ ଶୟତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରିବାରେ ଈଶ୍ୱରଙ୍କ ସପକ୍ଷରେ ହୋଇପାରିବା । (ଗୀତସଂହିତା ୭୩:୨୮; ହିତୋପଦେଶ ୨୭:୧୧ ପଢ଼ନ୍ତୁ ।) ଆଜି ଏହି ଜଗତରେ ଖୁବ୍‌ କମ୍‌ ଲୋକ ଯିହୋବାଙ୍କ ଆଜ୍ଞା ପାଳନ କରିଥାʼନ୍ତି । ପ୍ରକୃତରେ ଏହି ଜଗତକୁ ଯିହୋବା ଶାସନ କରୁ ନାହାନ୍ତି । ତେବେ ଜଗତକୁ କିଏ ଶାସନ କରୁଛି ?

ଏହି ଜଗତକୁ କିଏ ଶାସନ କରୁଛି ?

ଯଦି ଜଗତର ସମସ୍ତ ରାଜ୍ୟଗୁଡ଼ିକ ଶୟତାନର ହୋଇ ନ ଥାʼନ୍ତା, ତେବେ ସେ କʼଣ ଏସବୁ ଯୀଶୁଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିପାରିଥାʼନ୍ତା ?

୧୧, ୧୨. (କ) ଶୟତାନ ଯୀଶୁଙ୍କୁ ଯାହା ଦେବା ପାଇଁ ପ୍ରତିଜ୍ଞା କଲା, ସେଥିରୁ ଆମେ କʼଣ ଶିଖୁ ? (ଖ) କେଉଁ ପଦଗୁଡ଼ିକରୁ ଜଣାପଡ଼େ ଯେ ଶୟତାନ ଜଗତକୁ ଶାସନ କରୁଛି ?

୧୧ ଯୀଶୁ ଖ୍ରୀଷ୍ଟ ଜାଣିଥିଲେ ଯେ ଏହି ଜଗତକୁ ପ୍ରକୃତରେ କିଏ ଶାସନ କରୁଛି । ଥରେ ଶୟତାନ ଯୀଶୁଙ୍କୁ “ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ” ଦେଖାଇଲା । ତାʼପରେ ସେ ଯୀଶୁଙ୍କୁ ପ୍ରତିଜ୍ଞା କଲା: “ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବା ।” (ମାଥିଉ ୪:୮, ୯; ଲୂକ ୪:୫, ୬) ନିଜକୁ ପଚାରନ୍ତୁ, ‘ଯଦି ଶୟତାନ ଜଗତର ସମସ୍ତ ରାଜ୍ୟଗୁଡ଼ିକର ରାଜା ହୋଇ ନ ଥାʼନ୍ତା, ତେବେ ସେ କʼଣ ଏସବୁ ଯୀଶୁଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିପାରିଥାʼନ୍ତା ?’ ନା ! ଏହା ଦେଖାଏ ଯେ ଜଗତର ସମସ୍ତ ସରକାର ଶୟତାନର ଅଧୀନରେ ଅଛି ।

୧୨ ଆପଣ ହୁଏତ ଭାବିପାରନ୍ତି: ‘ଶୟତାନ ଏହି ଜଗତର ଶାସକ କିପରି ହୋଇପାରିବ ? କʼଣ ଯିହୋବା ସର୍ବଶକ୍ତିମାନ ଈଶ୍ୱର ନୁହନ୍ତି, ଯିଏ ସମଗ୍ର ବିଶ୍ୱକୁ ସୃଷ୍ଟି କରିଛନ୍ତି ?’ (ପ୍ରକାଶିତ ବାକ୍ୟ ୪:୧୧) ହଁ, ଯିହୋବା ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି । କିନ୍ତୁ ଯୀଶୁ ସ୍ପଷ୍ଟ ଭାବରେ ଶୟତାନକୁ “ଏହି ଜଗତର ଅଧିପତି” ବୋଲି କହିଥିଲେ । (ଯୋହନ ୧୨:୩୧; ୧୪:୩୦; ୧୬:୧୧) ପାଉଲ ମଧ୍ୟ ଶୟତାନକୁ “ଜଗତ୍‌ପତି” ବୋଲି କହିଥିଲେ । (୨ କରିନ୍ଥୀୟ ୪:୩, ୪) ଏହା ଛଡ଼ା, ଯୋହନ ଲେଖିଥିଲେ ଯେ “ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣରେ ଅଛି ।”— ୧ ଯୋହନ ୫:୧୯, ଇଜି-ଟୁ-ରିଡ୍‌ ଭର୍ସନ ।

ଶୟତାନର ଜଗତକୁ କିପରି ବିନାଶ କରାଯିବ ?

୧୩. ଆମକୁ ଏକ ନୂତନ ପୃଥିବୀ କାହିଁକି ଆବଶ୍ୟକ ଅଟେ ?

୧୩ ଏହି ଜଗତ ଦିନକୁ ଦିନ ଅଧିକରୁ ଅଧିକ ବିପଦପୂର୍ଣ୍ଣ ହୋଇଚାଲିଛି । ଆମ ଚାରିଆଡ଼େ ଯୁଦ୍ଧ, ଦୁର୍ନୀତି, କପଟତା ଓ ହିଂସା ବଢ଼ିଚାଲିଛି । ମାନବଜାତି ଯେତେ ମଧ୍ୟ ଚେଷ୍ଟା କରନ୍ତୁ ନା କାହିଁକି, ସେମାନେ ଏହି ସମସ୍ୟାଗୁଡ଼ିକୁ ଦୂର କରିପାରିବେ ନାହିଁ । କିନ୍ତୁ ଈଶ୍ୱର ଖୁବ୍‌ ଶୀଘ୍ର ଏହି ଦୁଷ୍ଟ ଜଗତକୁ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ବିନାଶ କରିବେ । ତାʼପରେ ଏହି ପୃଥିବୀକୁ ଏକ ପାରଦୀଶରେ ପରିଣତ କରିବେ, ଯେଉଁଠି ଧାର୍ମିକ ଓ ସଚ୍ଚୋଟ ଲୋକେ ବାସ କରିବେ ।— ପ୍ରକାଶିତ ବାକ୍ୟ ୧୬:୧୪-୧୬; ଅଧିକ ବିବରଣୀ-୧୦ ଦେଖନ୍ତୁ ।

୧୪. (କ) ଈଶ୍ୱର କାହାକୁ ନିଜ ରାଜ୍ୟର ରାଜା ହେବା ପାଇଁ ବାଛିଛନ୍ତି ? (ଖ) ବାଇବଲରେ ଯୀଶୁଙ୍କ ବିଷୟରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?

୧୪ ଈଶ୍ୱର କିପରି ଏହି ପୃଥିବୀକୁ ପାରଦୀଶରେ ପରିଣତ କରିବେ ? ତାହାଙ୍କ ସ୍ୱର୍ଗୀୟ ସରକାର ଜରିଆରେ । ଏହି ସରକାରକୁ ଈଶ୍ୱରଙ୍କ ରାଜ୍ୟ ବୋଲି କୁହାଯାଏ । ଯିହୋବା ଯୀଶୁ ଖ୍ରୀଷ୍ଟଙ୍କୁ ଏହି ରାଜ୍ୟର ରାଜା ହେବା ପାଇଁ ବାଛିଛନ୍ତି । ହଜାର ହଜାର ବର୍ଷ ପୂର୍ବରୁ ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଯୀଶୁ ଖ୍ରୀଷ୍ଟ “ଶାନ୍ତିର ରାଜକୁମାର” ଭାବରେ ଶାସନ କରିବେ ଏବଂ ତାହାଙ୍କ ସରକାର କେବେ ମଧ୍ୟ ସମାପ୍ତ ହେବ ନାହିଁ । (ଯିଶାଇୟ ୯:୬, ୭, ଇଜି-ଟୁ-ରିଡ୍‌ ଭର୍ସନ) ଏହି ସରକାର ପାଇଁ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ପାଇଁ କହିଥିଲେ । ସେ ଏପରି ପ୍ରାର୍ଥନା କରିବା ପାଇଁ ଶିଖାଇଥିଲେ: “ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।” (ମାଥିଉ ୬:୧୦) ଆମେ ୮ ଅଧ୍ୟାୟରେ ଶିଖିବା ଯେ ଈଶ୍ୱରଙ୍କ ରାଜ୍ୟ କିପରି ସମସ୍ତ ସରକାରଗୁଡ଼ିକୁ ହଟାଇ ଦେବ ଏବଂ ଏହା ସମଗ୍ର ପୃଥିବୀ ଉପରେ ଶାସନ କରିବ । (ଦାନିୟେଲ ୨:୪୪ ପଢ଼ନ୍ତୁ ।) ଆଉ, ଏହି ରାଜ୍ୟ ପୃଥିବୀକୁ ଏକ ସୁନ୍ଦର ପାରଦୀଶରେ ପରିଣତ କରିବ ।— ଅଧିକ ବିବରଣୀ-୧୧ ଦେଖନ୍ତୁ ।

ନୂତନ ପୃଥିବୀ ଶୀଘ୍ର ଆସୁଛି !

୧୫. “ନୂତନ ପୃଥିବୀ” କହିଲେ କʼଣ ବୁଝାଏ ?

୧୫ ବାଇବଲରେ ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ “ଆମ୍ଭେମାନେ . . . ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।” (୨ ପିତର ୩:୧୩; ଯିଶାଇୟ ୬୫:୧୭) ବେଳେ ବେଳେ ବାଇବଲରେ “ପୃଥିବୀ” ଶବ୍ଦକୁ ପୃଥିବୀରେ ରହୁଥିବା ଲୋକମାନଙ୍କ ବିଷୟରେ କହିବା ପାଇଁ ବ୍ୟବହାର କରାଯାଇଛି । (ଦ୍ୱିତୀୟ ବିବରଣ ୩୨:୧) ତେଣୁ ଧାର୍ମିକତାର ଏହି “ନୂତନ ପୃଥିବୀ” ଏପରି ସମସ୍ତ ଲୋକମାନଙ୍କୁ ବୁଝାଏ, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ତାହାଙ୍କ ଆଶିଷର ଅଧିକାରୀ ହୁଅନ୍ତି ।

୧୬. (କ) ଈଶ୍ୱର ନୂତନ ପୃଥିବୀରେ ଲୋକମାନଙ୍କୁ କେଉଁ ବହୁମୂଲ୍ୟ ଉପହାର ଦେବେ ? (ଖ) ଏହି ଉପହାର ପାଇବାକୁ ହେଲେ ଆମକୁ କʼଣ କରିବା ଅତି ଜରୁରୀ ଅଟେ ?

୧୬ ଯୀଶୁ ଖ୍ରୀଷ୍ଟ ପ୍ରତିଜ୍ଞା କରିଥିଲେ ଯେ ଯେଉଁମାନେ ଈଶ୍ୱରଙ୍କ ନୂତନ ପୃଥିବୀରେ ବାସ କରିବେ, ସେମାନେ “ଅନନ୍ତ ଜୀବନ” ପାଇବେ । (ମାର୍କ ୧୦:୩୦) ଏହି ବହୁମୂଲ୍ୟ ଉପହାର ପାଇବାକୁ ହେଲେ ଆମକୁ କʼଣ କରିବା ଅତି ଜରୁରୀ ଅଟେ ? ଏହାର ଉତ୍ତର ଜାଣିବା ପାଇଁ ଯୋହନ ୩:୧୬ ଏବଂ ୧୭:୩ ପଢ଼ନ୍ତୁ । ଆସନ୍ତୁ ବର୍ତ୍ତମାନ ଦେଖିବା ଯେ ପାରଦୀଶରେ ପରିଣତ ପୃଥିବୀରେ ଆମ ଜୀବନ କିପରି ହେବ ଏବଂ ଏବିଷୟରେ ବାଇବଲ କʼଣ କହେ ।

୧୭, ୧୮. ଆମେ କିପରି ଜାଣୁ ଯେ ନୂତନ ପୃଥିବୀରେ ଶାନ୍ତି ଓ ସୁରକ୍ଷା ରହିବ ?

୧୭ ଦୁଷ୍ଟତା, ଯୁଦ୍ଧ, ଅପରାଧ ଓ ହିଂସା ସମାପ୍ତ କରିଦିଆଯିବ । ସମଗ୍ର ପୃଥିବୀରେ ଜଣେ ମଧ୍ୟ ଦୁଷ୍ଟ ଲୋକ ରହିବ ନାହିଁ । (ଗୀତସଂହିତା ୩୭:୧୦, ୧୧) ଈଶ୍ୱର ‘ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ସମାପ୍ତ’ କରିବେ । (ଗୀତସଂହିତା ୪୬:୯; ଯିଶାଇୟ ୨:୪) ଏହି ପୃଥିବୀ ଏପରି ଲୋକମାନଙ୍କ ଦ୍ୱାରା ଭରିଯିବ, ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି ଏବଂ ତାହାଙ୍କ ଆଜ୍ଞା ପାଳନ କରନ୍ତି । ପୃଥିବୀରେ ଚିରଦିନ ପାଇଁ ଶାନ୍ତି ବଜାୟ ରହିବ ।— ଗୀତସଂହିତା ୭୨:୭.

୧୮ ଯିହୋବାଙ୍କ ଲୋକମାନେ ସୁରକ୍ଷିତ ରହିବେ । ପ୍ରାଚୀନ କାଳରେ ଯେତେବେଳେ ଇସ୍ରାଏଲୀୟମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କଲେ, ସେମାନେ ସୁରକ୍ଷିତ ରହିଲେ, କାରଣ ଈଶ୍ୱର ସେମାନଙ୍କୁ ସୁରକ୍ଷା ପ୍ରଦାନ କଲେ । (ଲେବୀ ପୁସ୍ତକ ୨୫:୧୮, ୧୯) ପାରଦୀଶରେ ଆମକୁ କୌଣସି ମଣିଷର କିମ୍ବା କୌଣସି ଅନ୍ୟ ଜିନିଷର ଭୟ ନ ଥିବ । ଆମେ ସର୍ବଦା ସୁରକ୍ଷିତ ଅନୁଭବ କରିବା !— ଯିଶାଇୟ ୩୨:୧୮; ମୀଖା ୪:୪ ପଢ଼ନ୍ତୁ ।

୧୯. ଆମେ କାହିଁକି ନିଶ୍ଚିତ ହୋଇପାରିବା ଯେ ଈଶ୍ୱରଙ୍କ ନୂତନ ପୃଥିବୀରେ ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବ ?

୧୯ ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବ । ପୃଥିବୀର “ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ ।” (ଗୀତସଂହିତା ୭୨:୧୬) ‘ଆମ୍ଭର ପରମେଶ୍ୱର [ଯିହୋବା] ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ’ ଏବଂ ‘ଭୂମି ତାʼର ଫସଲ ଦେବ ।’— ଗୀତସଂହିତା ୬୭:୬, ଇଜି-ଟୁ-ରିଡ୍‌ ଭର୍ସନ ।

୨୦. ଆମେ କିପରି ଜାଣୁ ଯେ ପୃଥିବୀ ଏକ ପାରଦୀଶରେ ପରିଣତ ହେବ ?

୨୦ ସାରା ପୃଥିବୀ ଏକ ପାରଦୀଶରେ ପରିଣତ ହେବ । ଲୋକମାନଙ୍କ ପାଖରେ ରହିବା ପାଇଁ ସୁନ୍ଦର ଘର ହେବ ଏବଂ ସେମାନଙ୍କ ନିଜର ବଗିଚା ରହିବ । (ଯିଶାଇୟ ୬୫:୨୧-୨୪; ପ୍ରକାଶିତ ବାକ୍ୟ ୧୧:୧୮ ପଢ଼ନ୍ତୁ ।) ସାରା ପୃଥିବୀକୁ ଏଦନ ଉଦ୍ୟାନ ଭଳି ସୁନ୍ଦର କରିଦିଆଯିବ । ଯିହୋବା ଆମକୁ ସବୁକିଛି ପ୍ରଦାନ କରିବେ ଏବଂ ଆମର କୌଣସି ଅଭାବ ରହିବ ନାହିଁ । ବାଇବଲ ତାହାଙ୍କ ବିଷୟରେ କହେ: “ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ ।”— ଗୀତସଂହିତା ୧୪୫:୧୬.

୨୧. ଆମେ କିପରି ଜାଣୁ ଯେ ପାରଦୀଶରେ ମଣିଷ ଓ ପଶୁମାନଙ୍କ ମଧ୍ୟରେ ପରସ୍ପର ପ୍ରତି କୌଣସି ଭୟ ନ ଥିବ ?

୨୧ ମଣିଷ ଓ ପଶୁମାନଙ୍କ ମଧ୍ୟରେ ପରସ୍ପର ପ୍ରତି କୌଣସି ଭୟ ନ ଥିବ । ମଣିଷ ଆଉ ପଶୁକୁ ଭୟ କରିବ ନାହିଁ । ଆଜି ଯେଉଁ ପଶୁମାନେ ଆମ ପାଇଁ ଅତି ହିଂସ୍ର ଅଟନ୍ତି, ସେତେବେଳେ ଛୋଟ ପିଲାମାନେ ସେମାନଙ୍କ ସହିତ ବିନା ଭୟରେ ଖେଳିବେ ।— ଯିଶାଇୟ ୧୧:୬-୯; ୬୫:୨୫ ପଢ଼ନ୍ତୁ ।

୨୨. ଯୀଶୁ ରୋଗୀମାନଙ୍କ ପାଇଁ କʼଣ କରିବେ ?

୨୨ କେହି ରୋଗରେ ପୀଡ଼ିତ ହେବେ ନାହିଁ । ଯେତେବେଳେ ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିଲେ, ସେ ଅନେକ ରୋଗୀମାନଙ୍କୁ ସୁସ୍ଥ କରିଥିଲେ । (ମାଥିଉ ୯:୩୫; ମାର୍କ ୧:୪୦-୪୨; ଯୋହନ ୫:୫-୯) ଆଜି ସେ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ଏବଂ ସେ ଖୁବ୍‌ ଶୀଘ୍ର ପୃଥିବୀର ପ୍ରତ୍ୟେକ ରୋଗୀକୁ ସୁସ୍ଥ କରିବେ । କେହି ମଧ୍ୟ ଆଉ କେବେ କହିବ ନାହିଁ: “ମୁଁ ପୀଡ଼ିତ ଅଛି ।”— ଯିଶାଇୟ ୩୩:୨୪; ୩୫:୫, ୬.

୨୩. ମରିଯାଇଥିବା ଲୋକମାନଙ୍କ ପାଇଁ ଈଶ୍ୱର କʼଣ ପ୍ରତିଜ୍ଞା କରିଛନ୍ତି ?

୨୩ ମରିଯାଇଥିବା ଲୋକମାନଙ୍କୁ ପୁଣିଥରେ ଜୀବିତ କରାଯିବ । ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ମରିଯାଇଥିବା ଲକ୍ଷ ଲକ୍ଷ ଲୋକଙ୍କର ସେ ପୁନରୁତ୍ଥାନ କରିବେ । “ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ।”— ଯୋହନ ୫:୨୮, ୨୯ ପଢ଼ନ୍ତୁ; ପ୍ରେରିତ ୨୪:୧୫.

୨୪. ପାରଦୀଶରେ ଚିରଦିନ ପାଇଁ ଜୀବିତ ରହିବା ବିଷୟରେ ଆପଣ କିପରି ଅନୁଭବ କରନ୍ତି ?

୨୪ ଅତଏବ, ଆମ ସମସ୍ତଙ୍କୁ ନିଷ୍ପତ୍ତି ନେବାକୁ ହେବ । ଆମେ ହୁଏତ ନିଷ୍ପତ୍ତି ନେଇପାରିବା ଯେ ଆମେ ଯିହୋବାଙ୍କ ବିଷୟରେ ଶିଖିବା ଏବଂ ସେ ଯାହା ଚାହାନ୍ତି ତାହା କରିବା, କିମ୍ବା ହୁଏତ ତାହାଙ୍କୁ ଖାତିର ନ କରି ଆମେ ଯାହା କରିବାକୁ ଚାହୁଁଛୁ, ତାହା କରିଚାଲିବା । ଯଦି ଆମେ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେବା, ତେବେ ଏକ ସୁନ୍ଦର ଭବିଷ୍ୟତ ପାଇପାରିବା । ଯେତେବେଳେ ଜଣେ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ଅନୁରୋଧ କଲା ଯେ ତାʼର ମୃତ୍ୟୁ ପରେ ସେ ତାକୁ ମନେ ରଖିବେ, ଯୀଶୁ ତାକୁ ପ୍ରତିଜ୍ଞା କଲେ: “ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।” (ଲୂକ ୨୩:୪୩) ଆସନ୍ତୁ ଆମେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଏବଂ ସେ କିପରି ଈଶ୍ୱରଙ୍କ ପ୍ରତ୍ୟେକ ପ୍ରତିଜ୍ଞାକୁ ବାସ୍ତବରେ ପରିଣତ କରିବେ, ସେବିଷୟରେ ଅଧିକ ଶିଖିବା ।