इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପନ୍ଦର ଅଧ୍ୟାୟ

ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି

ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି

୧. ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି ବିଷୟରେ କିଏ ଆମକୁ କହିପାରିବ ?

 ଅଧିକାଂଶ ଧର୍ମ ଦାବି କରେ ଯେ ସେଗୁଡ଼ିକ ଈଶ୍ୱରଙ୍କ ବିଷୟରେ ସତ୍ୟ ଶିଖାଇଥାଏ । କିନ୍ତୁ ଏହା କେବେ ମଧ୍ୟ ସମ୍ଭବ ନୁହେଁ । କାରଣ ଈଶ୍ୱର କିଏ ଅଟନ୍ତି ଏବଂ ତାହାଙ୍କ ଉପାସନା କିପରି କରାଯିବା ଉଚିତ୍‌, ଏବିଷୟରେ ସବୁ ଧର୍ମ ଭିନ୍ନ ଭିନ୍ନ ଶିକ୍ଷା ଦେଇଥାଏ । ତେବେ ଆମେ କିପରି ଜାଣିପାରିବା ଯେ ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି କʼଣ ଅଟେ ? କେବଳ ଯିହୋବା ହିଁ ଆମକୁ କହିପାରିବେ ଯେ ତାହାଙ୍କର ଉପାସନା କିପରି କରାଯିବା ଉଚିତ୍‌ ।

୨. ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି ବିଷୟରେ ଆପଣ କିପରି ଜାଣିପାରିବେ ?

ଯିହୋବା ବାଇବଲରେ କହିଛନ୍ତି ଯେ ତାହାଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି କʼଣ ଅଟେ । ତେଣୁ ବାଇବଲର ଅଧ୍ୟୟନ କରନ୍ତୁ ଏବଂ ଯିହୋବା ଆପଣଙ୍କୁ ଏପରି ଶିକ୍ଷା ଦେବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ, କାରଣ ସେ ଆପଣଙ୍କ ନିମନ୍ତେ ଚିନ୍ତା କରନ୍ତି ।— ଯିଶାଇୟ ୪୮:୧୭.

୩. ଈଶ୍ୱର ଆମଠାରୁ କʼଣ ଚାହାନ୍ତି ?

କେତେକ ଲୋକ କହନ୍ତି ଯେ ଈଶ୍ୱର ସବୁ ଧର୍ମକୁ ସ୍ୱୀକାର କରନ୍ତି । କିନ୍ତୁ ଯୀଶୁ ଖ୍ରୀଷ୍ଟ ଏପରି ଶିଖାଇ ନ ଥିଲେ । ସେ କହିଥିଲେ, ଯେଉଁମାନେ “ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।” ତେଣୁ ଈଶ୍ୱରଙ୍କ ଇଚ୍ଛା ଜାଣିବା ଏବଂ ତାʼ ଅନୁଯାୟୀ କାମ କରିବା ଆମ ପାଇଁ ଅତି ଜରୁରୀ ଅଟେ । ଏହା ଏକ ଗମ୍ଭୀର ବିଷୟ ଅଟେ, କାରଣ ଯୀଶୁ କହିଥିଲେ ଯେ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ, ସେମାନେ “ଅଧର୍ମାଚାରୀ” ଅଟନ୍ତି ।— ମାଥିଉ ୭:୨୧-୨୩.

୪. ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ବିଷୟରେ ଯୀଶୁ କʼଣ କହିଥିଲେ ?

ଯୀଶୁ ସତର୍କ କରାଇଥିଲେ ଯେ ଯେତେବେଳେ ଆମେ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା, ଆମ ଜୀବନରେ ସମସ୍ୟା ଆସିବ । ସେ କହିଲେ: “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର; କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ । ଆଉ, ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ ।” (ମାଥିଉ ୭:୧୩, ୧୪) ଦୁର୍ଗମ ପଥରେ ଚାଲିବାର ଅର୍ଥ ହେଉଛି, ସଠିକ୍‌ ପଦ୍ଧତିରେ ଈଶ୍ୱରଙ୍କ ଉପାସନା କରିବା, ଯାହା ଅନନ୍ତ ଜୀବନ ଆଡ଼କୁ ନେଇଯାଏ । ପ୍ରଶସ୍ତ ପଥରେ ଚାଲିବାର ଅର୍ଥ ହେଉଛି, ଭୁଲ୍‌ ପଦ୍ଧତିରେ ଈଶ୍ୱରଙ୍କ ଉପାସନା କରିବା, ଯାହା ମୃତ୍ୟୁ ଆଡ଼କୁ ନେଇଯାଏ । କିନ୍ତୁ ଯିହୋବା ଚାହାନ୍ତି ନାହିଁ ଯେ କାହାରି ମଧ୍ୟ ମୃତ୍ୟୁ ହେଉ । ତେଣୁ ସେ ସମସ୍ତଙ୍କୁ ତାହାଙ୍କ ବିଷୟରେ ଶିଖିବାକୁ ସୁଯୋଗ ଦେଉଛନ୍ତି ।— ୨ ପିତର ୩:୯.

ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି

୫. ଯେଉଁମାନେ ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତି, ସେମାନଙ୍କୁ ଆପଣ କିପରି ଚିହ୍ନିପାରିବେ ?

ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ଯେଉଁ ଲୋକମାନେ ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତି, ସେମାନଙ୍କୁ ଆମେ ଚିହ୍ନିପାରିବା । କିପରି ? ସେମାନଙ୍କ କାମ ଓ ସେମାନଙ୍କ ଶିକ୍ଷାଗୁଡ଼ିକର ଯାଞ୍ଚ କରିବା ଦ୍ୱାରା । ଯୀଶୁ କହିଥିଲେ, “ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ ।” ସେ ଏହା ମଧ୍ୟ କହିଥିଲେ, “ସବୁ ଭଲ ଗଛ ଭଲ ଫଳ ଫଳେ ।” (ମାଥିଉ ୭:୧୬, ୧୭) ଏହାର ଅର୍ଥ ନୁହଁ ଯେ ଈଶ୍ୱରଙ୍କ ଉପାସନା କରୁଥିବା ଲୋକଙ୍କ ଦ୍ୱାରା କୌଣସି ପାପ କିମ୍ବା ଭୁଲ୍‌ ହୋଇ ନ ଥାଏ । କିନ୍ତୁ ସେମାନେ ସର୍ବଦା ଉଚିତ୍‌ କାମ କରିବା ପାଇଁ ଚେଷ୍ଟା କରିଥାʼନ୍ତି । ବର୍ତ୍ତମାନ ଆମେ ଦେଖିବା ଯେ ଈଶ୍ୱରଙ୍କ ସତ୍ୟ ଉପାସକମାନଙ୍କର କାମ ଓ ଶିକ୍ଷାଗୁଡ଼ିକ କʼଣ ଅଟେ ।

୬, ୭. ସତ୍ୟ ଉପାସକମାନଙ୍କ ଶିକ୍ଷାଗୁଡ଼ିକ କାହିଁକି ବାଇବଲରୁ ହେବା ଉଚିତ୍‌ ? ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

ସତ୍ୟ ଉପାସକମାନଙ୍କର ଶିକ୍ଷାଗୁଡ଼ିକ ବାଇବଲରୁ ହୋଇଥାଏ । ବାଇବଲ କହେ: “ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱସିତ [ଅନୁପ୍ରାଣିତ] ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ, ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ ।” (୨ ତୀମଥି ୩:୧୬, ୧୭) ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିଲେ, “ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ତାହା ମନୁଷ୍ୟର ବାକ୍ୟ ସ୍ୱରୂପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୂପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ ।” (୧ ଥେସଲନୀକୀୟ ୨:୧୩) ସତ୍ୟ ଉପାସନା ସମ୍ପୂର୍ଣ୍ଣ ଭାବେ ଈଶ୍ୱରଙ୍କ ବାକ୍ୟ ବାଇବଲ ଉପରେ ଆଧାରିତ ହୋଇଥାଏ । ଏହା କୌଣସି ମଣିଷର ଚିନ୍ତାଧାରା, ପରମ୍ପରା କିମ୍ବା କୌଣସି ବସ୍ତୁ ଉପରେ ଆଧାରିତ ହୋଇ ନ ଥାଏ ।

ଯୀଶୁ ଯାହା ମଧ୍ୟ ଶିଖାଇଥିଲେ, ସେସବୁ ଈଶ୍ୱରଙ୍କ ବାକ୍ୟ ଉପରେ ଆଧାରିତ ଥିଲା । (ଯୋହନ ୧୭:୧୭ ପଢ଼ନ୍ତୁ ।) ସେ ବାରମ୍ବାର ଶାସ୍ତ୍ରପଦଗୁଡ଼ିକୁ ଉଲ୍ଲେଖ କରୁଥିଲେ । (ମାଥିଉ ୪:୪, ୭, ୧୦) ଈଶ୍ୱରଙ୍କ ସତ୍ୟ ଉପାସକମାନେ ଯୀଶୁଙ୍କ ଉଦାହରଣକୁ ଅନୁକରଣ କରିଥାʼନ୍ତି ଏବଂ ସେମାନେ ଯାହା ମଧ୍ୟ ଶିଖାନ୍ତି, ସେସବୁ ବାଇବଲ ଉପରେ ଆଧାରିତ ହୋଇଥାଏ ।

୮. ଯିହୋବାଙ୍କୁ ଉପାସନା କରିବା ବିଷୟରେ ଯୀଶୁ କʼଣ ଶିଖାଇଥିଲେ ?

ସେମାନେ କେବଳ ଯିହୋବାଙ୍କ ଉପାସନା କରନ୍ତି । ଗୀତସଂହିତା ୮୩:୧୮ ପଦ କହେ: ‘ସଦାପ୍ରଭୁ [ଯିହୋବା] ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ ।’ ଯୀଶୁ ଚାହୁଁଥିଲେ ଯେ ସତ୍ୟ ଈଶ୍ୱର ପ୍ରକୃତରେ କିଏ ଅଟନ୍ତି, ତାହା ଲୋକମାନେ ଜାଣନ୍ତୁ । ତେଣୁ ସେ ଈଶ୍ୱରଙ୍କ ନାମ ବିଷୟରେ ଲୋକମାନଙ୍କୁ ଶିଖାଇଲେ । (ଯୋହନ ୧୭:୬ ପଢ଼ନ୍ତୁ ।) ଯୀଶୁ କହିଥିଲେ, “ତୁମ୍ଭେ ପ୍ରଭୁ [ଯିହୋବା] ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ ।” (ମାଥିଉ ୪:୧୦) ତେଣୁ ଈଶ୍ୱରଙ୍କ ସେବକମାନେ ଯୀଶୁଙ୍କ ଉଦାହରଣକୁ ଅନୁକରଣ କରିଥାʼନ୍ତି । ସେମାନେ କେବଳ ଯିହୋବାଙ୍କ ଉପାସନା କରିଥାʼନ୍ତି ଏବଂ ତାହାଙ୍କ ନାମ ବ୍ୟବହାର କରିଥାʼନ୍ତି । ସେମାନେ ଅନ୍ୟମାନଙ୍କୁ ମଧ୍ୟ ଶିଖାନ୍ତି ଯେ ଈଶ୍ୱରଙ୍କ ନାମ କʼଣ ଅଟେ ଏବଂ ସେ ଆମ ପାଇଁ କʼଣ କରିବାକୁ ଯାଉଛନ୍ତି ।

୯, ୧୦. ସତ୍ୟ ଉପାସକମାନେ କିପରି ଦେଖାନ୍ତି ଯେ ସେମାନେ ପରସ୍ପରକୁ ପ୍ରେମ କରନ୍ତି ?

ସେମାନେ ପରସ୍ପରକୁ ପ୍ରକୃତ ପ୍ରେମ କରନ୍ତି । ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିଖାଇଲେ ଯେ ସେମାନେ ପରସ୍ପରକୁ ପ୍ରେମ କରନ୍ତୁ । (ଯୋହନ ୧୩:୩୫ ପଢ଼ନ୍ତୁ ।) ସତ୍ୟ ଉପାସକମାନେ ଯେକୌଣସି ଜାଗା କିମ୍ବା ସଂସ୍କୃତିର ହୋଇଥାʼନ୍ତୁ ନା କାହିଁକି, ଧନୀ ହୁଅନ୍ତୁ ଅବା ଗରିବ, ସେସବୁକୁ ସେମାନେ କେବେ ମଧ୍ୟ ପ୍ରାଧାନ୍ୟ ଦିଅନ୍ତି ନାହିଁ । ସେମାନଙ୍କ ମଧ୍ୟରେ ଏପରି ପ୍ରେମ ରହିଥାଏ, ଠିକ୍‌ ଯେପରି ଭାଇଭଉଣୀଙ୍କ ମଧ୍ୟରେ ଦେଖାଯାଏ । ଏହି ପ୍ରେମ ସେମାନଙ୍କୁ ଏକତାର ଦୃଢ଼ ବନ୍ଧନରେ ବାନ୍ଧି ରଖେ । (କଲସୀୟ ୩:୧୪) ତେଣୁ ସେମାନେ ଯୁଦ୍ଧରେ ଭାଗ ନିଅନ୍ତି ନାହିଁ ଏବଂ ଲୋକଙ୍କ ଜୀବନ ନିଅନ୍ତି ନାହିଁ । ବାଇବଲ କହେ: “ଏଥିରେ କିଏ ଈଶ୍ୱରଙ୍କ ସନ୍ତାନ ଓ କିଏ ଶୟତାନର ସନ୍ତାନ, ଏହା ପ୍ରକାଶିତ ହୁଏ; ଯେକେହି ଧର୍ମାଚରଣ କରେ ନାହିଁ, କିଅବା ଆପଣା ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କଠାରୁ ଜାତ ନୁହେଁ ।” ବାଇବଲ ଏହା ମଧ୍ୟ କହେ, ‘ପରସ୍ପରକୁ ପ୍ରେମ କରିବା ତୁମ୍ଭମାନଙ୍କର କର୍ତ୍ତବ୍ୟ; ପାପାତ୍ମାର [ଶୟତାନର] ସନ୍ତାନ କୟିନ ପରି ହୁଅ ନାହିଁ, ଯେ ଆପଣା ଭାଇକୁ ବଧ କଲା ।’— ୧ ଯୋହନ ୩:୧୦-୧୨; ୪:୨୦, ୨୧.

୧୦ ସତ୍ୟ ଉପାସକମାନେ ଅନ୍ୟକୁ ସାହାଯ୍ୟ କରିବାରେ ଏବଂ ସେମାନଙ୍କ ଉତ୍ସାହ ବଢ଼ାଇବାରେ ନିଜ ସମୟ, ସାମର୍ଥ୍ୟ ଓ ସମ୍ପତ୍ତି ଲଗାଇ ଦିଅନ୍ତି । (ଏବ୍ରୀ ୧୦:୨୪, ୨୫) ସେମାନେ “ସମସ୍ତଙ୍କର ମଙ୍ଗଳ” କରିଥାʼନ୍ତି ।— ଗାଲାତୀୟ ୬:୧୦.

୧୧. ସତ୍ୟ ଉପାସକମାନେ କାହିଁକି ବିଶ୍ୱାସ କରନ୍ତି ଯେ ଯୀଶୁଙ୍କ ଜରିଆରେ ହିଁ ଆମକୁ ଉଦ୍ଧାର ମିଳିବ ?

୧୧ ସେମାନେ ଯୀଶୁଙ୍କ ଆଜ୍ଞା ପାଳନ କରନ୍ତି, କାରଣ ତାହାଙ୍କ ଜରିଆରେ ହିଁ ଉଦ୍ଧାର ମିଳିବ । ବାଇବଲ କହେ: “ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ [ଉଦ୍ଧାର] ନାହିଁ; କାରଣ ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ ।” (ପ୍ରେରିତ ୪:୧୨) ଏହି ବହିର ୫ ଅଧ୍ୟାୟରେ ଆମେ ଶିଖିଲୁ ଯେ ଯିହୋବା ଯୀଶୁଙ୍କୁ ପୃଥିବୀକୁ ପଠାଇଲେ, କାରଣ ସେ ଆଜ୍ଞା ପାଳନ କରୁଥିବା ଲୋକମାନଙ୍କ ପାଇଁ ନିଜ ଜୀବନକୁ ମୁକ୍ତିର ମୂଲ୍ୟ ରୂପେ ଦେଇଥାʼନ୍ତେ । (ମାଥିଉ ୨୦:୨୮) ଯିହୋବା ଯୀଶୁଙ୍କୁ ପୃଥିବୀ ଉପରେ ଶାସନ କରିବା ପାଇଁ ନିଯୁକ୍ତ କରିଛନ୍ତି । ତେଣୁ ବାଇବଲ କହେ ଯେ ଯଦି ଆମେ ଅନନ୍ତ ଜୀବନ ପାଇବାକୁ ଚାହୁଁ, ତେବେ ଆମକୁ ଯୀଶୁଙ୍କ ଆଜ୍ଞା ପାଳନ କରିବାକୁ ହେବ ।— ଯୋହନ ୩:୩୬ ପଢ଼ନ୍ତୁ ।

୧୨. ଈଶ୍ୱରଙ୍କ ସତ୍ୟ ଉପାସକମାନେ କାହିଁକି ରାଜନୀତିରେ ଭାଗ ନିଅନ୍ତି ନାହିଁ ?

୧୨ ସେମାନେ ରାଜନୀତିରେ କୌଣସି ଭାଗ ନିଅନ୍ତି ନାହିଁ । ଯୀଶୁ ରାଜନୀତିରେ କେବେ ମଧ୍ୟ ଭାଗ ନେଇ ନ ଥିଲେ । ଯେତେବେଳେ ତାହାଙ୍କୁ ରୋମୀୟ ରାଜ୍ୟପାଳ ପୀଲାତଙ୍କ ସମ୍ମୁଖକୁ ଅଣାଗଲା, ସେତେବେଳେ ସେ କହିଲେ, “ମୋହର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।” (ଯୋହନ ୧୮:୩୬ ପଢ଼ନ୍ତୁ ।) ସତ୍ୟ ଉପାସକମାନେ ଯୀଶୁଙ୍କ ଭଳି ଈଶ୍ୱରଙ୍କ ରାଜ୍ୟର ବିଶ୍ୱସ୍ତ ରହିଥାʼନ୍ତି । ତେଣୁ ସେମାନେ ଯେଉଁଠାରେ ମଧ୍ୟ ରହନ୍ତୁ ନା କାହିଁକି, ସେଠାକାର ରାଜନୀତିରେ ସେମାନେ କୌଣସି ଭାଗ ନିଅନ୍ତି ନାହିଁ । କିନ୍ତୁ ଠିକ୍‌ ଯେପରି ବାଇବଲରେ ଆଜ୍ଞା ଦିଆଯାଇଛି, ସେମାନେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଅର୍ଥାତ୍‌ ସରକାରଙ୍କ ଆଜ୍ଞା ପାଳନ କରନ୍ତି । (ରୋମୀୟ ୧୩:୧) ସେମାନେ ଯେଉଁ ଦେଶରେ ରହନ୍ତି, ସେହି ଦେଶର ନିୟମଗୁଡ଼ିକୁ ପାଳନ କରିଥାʼନ୍ତି । କିନ୍ତୁ, ଯେତେବେଳେ କୌଣସି ନିୟମ ଈଶ୍ୱରଙ୍କ ଆଜ୍ଞା ବିରୁଦ୍ଧରେ ହୋଇଥାଏ, ସେତେବେଳେ ସେମାନେ ଯୀଶୁଙ୍କ ଶିଷ୍ୟମାନଙ୍କର ଉଦାହରଣକୁ ଅନୁକରଣ କରନ୍ତି, ଯେଉଁମାନେ କହିଥିଲେ, ‘ମନୁଷ୍ୟମାନଙ୍କ ଆଜ୍ଞା ଅପେକ୍ଷା ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଆମର କର୍ତ୍ତବ୍ୟ ।’— ପ୍ରେରିତ ୫:୨୯; ମାର୍କ ୧୨:୧୭.

୧୩. ସତ୍ୟ ଉପାସକମାନେ ଈଶ୍ୱରଙ୍କ ରାଜ୍ୟ ବିଷୟରେ କʼଣ ପ୍ରଚାର କରିଥାʼନ୍ତି ?

୧୩ ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଜଗତର ସମସ୍ୟାଗୁଡ଼ିକର ସମାଧାନ କରିପାରିବ । ଯୀଶୁ କହିଥିଲେ ଯେ ‘ରାଜ୍ୟର ସୁମସାଚାର’ ସାରା ପୃଥିବୀରେ ପ୍ରଚାର କରାଯିବ । (ମାଥିଉ ୨୪:୧୪ ପଢ଼ନ୍ତୁ ।) ଈଶ୍ୱରଙ୍କ ରାଜ୍ୟ ଆମ ପାଇଁ ଯାହା କରିବ, ସେସବୁ କୌଣସି ମାନବୀୟ ସରକାର କେବେ ମଧ୍ୟ କରିପାରିବ ନାହିଁ । (ଗୀତସଂହିତା ୧୪୬:୩) ଯୀଶୁ ଆମକୁ ଈଶ୍ୱରଙ୍କ ରାଜ୍ୟ ପାଇଁ ଏପରି ପ୍ରାର୍ଥନା କରିବାକୁ ଶିଖାଇଥିଲେ, “ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।” (ମାଥିଉ ୬:୧୦) ବାଇବଲ ଆମକୁ କହେ ଯେ ଈଶ୍ୱରଙ୍କ ରାଜ୍ୟ ସମସ୍ତ ମାନବୀୟ ସରକାରଗୁଡ଼ିକୁ ବିନାଶ କରିବ ଏବଂ “ଆପେ ଚିରସ୍ଥାୟୀ ହେବ ।”— ଦାନିୟେଲ ୨:୪୪.

୧୪. ଆପଣଙ୍କ ମତରେ କେଉଁମାନେ ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତି ?

୧୪ ସତ୍ୟ ଉପାସକମାନଙ୍କ ଏଭଳି କାମ ଓ ଶିକ୍ଷାଗୁଡ଼ିକ ପ୍ରତି ଧ୍ୟାନ ଦେବା ପରେ ନିଜକୁ ପଚାରନ୍ତୁ: ‘କେଉଁମାନଙ୍କ ଶିକ୍ଷା ବାଇବଲ ଆଧାରିତ ହୋଇଥାଏ ? କେଉଁମାନେ ଅନ୍ୟମାନଙ୍କୁ ଈଶ୍ୱରଙ୍କ ନାମ ବିଷୟରେ କହିଥାʼନ୍ତି ? କେଉଁମାନେ ପରସ୍ପରକୁ ପ୍ରକୃତ ପ୍ରେମ କରିଥାʼନ୍ତି ? କେଉଁମାନେ ବିଶ୍ୱାସ କରନ୍ତି ଯେ ଈଶ୍ୱର ଆମର ଉଦ୍ଧାର ପାଇଁ ଯୀଶୁଙ୍କୁ ପଠାଇଥିଲେ ? କେଉଁମାନେ ରାଜନୀତିରେ କୌଣସି ଭାଗ ନେଇ ନ ଥାʼନ୍ତି ? କେଉଁମାନେ ପ୍ରଚାର କରନ୍ତି ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଆମର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ?’ କେବଳ ଯିହୋବାଙ୍କ ସାକ୍ଷୀମାନେ ଏପରି କରିଥାʼନ୍ତି ।— ଯିଶାଇୟ ୪୩:୧୦-୧୨.

ଆପଣ କʼଣ କରିବେ ?

୧୫. ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ଉପାସନାକୁ ସ୍ୱୀକାର କରନ୍ତୁ, ତେବେ ଆମକୁ କʼଣ କରିବାକୁ ହେବ ?

୧୫ କେବଳ ଏହା ବିଶ୍ୱାସ କରିବା ଯଥେଷ୍ଟ ନୁହଁ ଯେ ଈଶ୍ୱର ପ୍ରକୃତରେ ଅଛନ୍ତି । ଏପରିକି ଦୁଷ୍ଟ ସ୍ୱର୍ଗଦୂତମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଈଶ୍ୱର ଅଛନ୍ତି, କିନ୍ତୁ ସେମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି ନାହିଁ । (ଯାକୁବ ୨:୧୯) ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ଉପାସନାକୁ ସ୍ୱୀକାର କରନ୍ତୁ, ତେବେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା ସହିତ ଆମକୁ ଏପରି କାମଗୁଡ଼ିକୁ ମଧ୍ୟ କରିବାକୁ ହେବ, ଯାହା ସେ ଆମକୁ କରିବା ପାଇଁ କହିଥାʼନ୍ତି ।

୧୬. ଆମକୁ ମିଥ୍ୟା ଧର୍ମରୁ କାହିଁକି ବାହାରି ଆସିବାକୁ ହେବ ?

୧୬ ଯଦି ଆମେ ଚାହୁଁ ଯେ ଈଶ୍ୱର ଆମ ଉପାସନାକୁ ସ୍ୱୀକାର କରନ୍ତୁ, ତେବେ ଆମକୁ ମିଥ୍ୟା ଧର୍ମରୁ ସମ୍ପୂର୍ଣ୍ଣ ରୂପେ ବାହାରି ଆସିବାକୁ ହେବ । ଭବିଷ୍ୟଦ୍‌ବକ୍ତା ଯିଶାଇୟ ଲେଖିଥିଲେ, “ତୁମ୍ଭେମାନେ ତାହାର ମଧ୍ୟରୁ ବାହାରି ଯାଅ; ହେ ସଦାପ୍ରଭୁଙ୍କର ପାତ୍ରବାହକଗଣ [ଯାଜକଗଣ], ତୁମ୍ଭେମାନେ ଶୁଚି ହୁଅ ।” (ଯିଶାଇୟ ୫୨:୧୧; ୨ କରିନ୍ଥୀୟ ୬:୧୭) ଆମକୁ ମିଥ୍ୟା ଉପାସନା ସହ ଜଡ଼ିତ ପ୍ରତ୍ୟେକ ଜିନିଷଠାରୁ ଦୂରେଇ ରହିବାକୁ ହେବ ।

୧୭, ୧୮. (କ) “ମହାନଗରୀ ବାବିଲ” କʼଣ ଅଟେ ? (ଖ) ମିଥ୍ୟା ଧର୍ମରୁ ବାହାରି ଆସିବା କାହିଁକି ଅତି ଜରୁରୀ ଅଟେ ?

୧୭ ଯଦି କୌଣସି ଧର୍ମ ଈଶ୍ୱରଙ୍କ ଉପାସନାର ଏପରି ପଦ୍ଧତି ଶିଖାଏ ଯାହା ବାଇବଲ ବିରୁଦ୍ଧରେ ହୋଇଥାଏ, ତେବେ ତାହା ମିଥ୍ୟା ଧର୍ମ ଅଟେ । ଏଭଳି ସମସ୍ତ ଧର୍ମଗୁଡ଼ିକୁ ବାଇବଲରେ “ମହାନଗରୀ ବାବିଲ” ବୋଲି କୁହାଯାଇଛି । (ପ୍ରକାଶିତ ବାକ୍ୟ ୧୭:୫) କାହିଁକି ? କାରଣ ନୋହଙ୍କ ସମୟରେ ଆସିଥିବା ଜଳପ୍ଳାବନ ପରେ ବାବିଲ ସହରରେ ଅନେକ ମିଥ୍ୟା ଶିକ୍ଷାଗୁଡ଼ିକର ଆରମ୍ଭ ହୋଇଥିଲା । ସମୟକ୍ରମେ ଏହି ଶିକ୍ଷାଗୁଡ଼ିକ ସାରା ପୃଥିବୀରେ ବ୍ୟାପିଗଲା । ଉଦାହରଣସ୍ୱରୂପ, ବାବିଲ ସହରର ଲୋକମାନେ ତିନୋଟି ଦେବାଦେବୀମାନଙ୍କର ସମୂହଗୁଡ଼ିକୁ ପୂଜା କରୁଥିଲେ । ଆଜି ମଧ୍ୟ ଅନେକ ଧର୍ମଗୁଡ଼ିକରେ ଶିକ୍ଷା ଦିଆଯାଏ ଯେ ଈଶ୍ୱର ‘ତ୍ରିଏକ’ ଅଟନ୍ତି । କିନ୍ତୁ ବାଇବଲ ସ୍ପଷ୍ଟ ଭାବେ ଶିଖାଏ ଯେ ସତ୍ୟ ଈଶ୍ୱର କେବଳ ଜଣେ ଅଛନ୍ତି ଏବଂ ସେ ହେଉଛନ୍ତି, ଯିହୋବା । ଯୀଶୁ ତାହାଙ୍କର ପୁତ୍ର ଅଟନ୍ତି । (ଯୋହନ ୧୭:୩) ବାବିଲର ଲୋକେ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଜଣେ ମଣିଷର ମୃତ୍ୟୁ ପରେ ତାʼର ଆତ୍ମା ଜୀବିତ ରହେ ଏବଂ ଯଦି ସେ ଦୁଷ୍ଟ ହୋଇଥାଏ, ତେବେ ତାʼର ଆତ୍ମାକୁ ନର୍କରେ ଦଣ୍ଡ ଦିଆଯାଏ । କିନ୍ତୁ ଏହି ଶିକ୍ଷା ସତ ନୁହେଁ ।— ଅଧିକ ବିବରଣୀ-୧୪, ୧୭ ଏବଂ ୧୮ ଦେଖନ୍ତୁ ।

୧୮ ଈଶ୍ୱର ଭବିଷ୍ୟତବାଣୀ କରିଛନ୍ତି ଯେ ଖୁବ୍‌ ଶୀଘ୍ର ସମସ୍ତ ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରି ଦିଆଯିବ । (ପ୍ରକାଶିତ ବାକ୍ୟ ୧୮:୮) ତେଣୁ ଆପଣ ନିଶ୍ଚୟ ବୁଝିପାରୁଥିବେ ଯେ ମିଥ୍ୟା ଧର୍ମରୁ ବାହାରି ଆସିବା ଆପଣଙ୍କ ପାଇଁ କେତେ ଜରୁରୀ ଅଟେ । ଯିହୋବା ଚାହାନ୍ତି ଯେ ଆପଣ ତିଳେମାତ୍ର ବିଳମ୍ବ ନ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ ।— ପ୍ରକାଶିତ ବାକ୍ୟ ୧୮:୪.

ଯଦି ଆପଣ ଯିହୋବାଙ୍କ ଲୋକମାନଙ୍କ ସହିତ ମିଶି ତାହାଙ୍କ ସେବା କରିବେ, ତେବେ ଆପଣ ତାହାଙ୍କ ବିଶ୍ୱବ୍ୟାପୀ ପରିବାରର ଭାଗ ହୋଇଯିବେ

୧୯. ଯେତେବେଳେ ଆପଣ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେବେ, ସେ କିପରି ଆପଣଙ୍କ ଯତ୍ନ ନେବେ ?

୧୯ ଯେତେବେଳେ ଆପଣ ମିଥ୍ୟା ଧର୍ମକୁ ଛାଡ଼ି ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେବେ, ହୁଏତ ଆପଣଙ୍କ ପରିବାର ସଦସ୍ୟ ଓ ସାଙ୍ଗସାଥୀ ଆପଣଙ୍କ ଏହି ନିଷ୍ପତ୍ତିକୁ ବୁଝି ନ ପାରନ୍ତି । ସେମାନେ ହୁଏତ ଆପଣଙ୍କୁ ବିରୋଧ କରିପାରନ୍ତି, ଆପଣଙ୍କୁ ଲଜ୍ଜିତ କରିପାରନ୍ତି, କିମ୍ବା ଆପଣଙ୍କ ସହିତ ସଙ୍ଗତି କରିବାକୁ ମନା କରିପାରନ୍ତି । କିନ୍ତୁ ମନେ ରଖନ୍ତୁ, ଯିହୋବା ଆପଣଙ୍କୁ କେବେ ମଧ୍ୟ ଏକାକୀ ଛାଡ଼ିବେ ନାହିଁ । ଆପଣ ଏପରି ଏକ ବିଶ୍ୱବ୍ୟାପୀ ପରିବାରର ଭାଗ ହେବେ, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଏବଂ ଯେଉଁମାନଙ୍କ ମଧ୍ୟରେ ପ୍ରକୃତ ପ୍ରେମ ରହିଛି । କେବଳ ସେତିକି ନୁହଁ, ଆପଣ ଈଶ୍ୱରଙ୍କ ନୂତନ ପୃଥିବୀରେ ଚିରଦିନ ଜୀବିତ ରହିବାର ଆଶା ମଧ୍ୟ ପାଇପାରିବେ । (ମାର୍କ ୧୦:୨୮-୩୦) ହଁ, ଏପରି ମଧ୍ୟ ହୋଇପାରେ ଯେ ଯେଉଁମାନେ ଆଜି ଆପଣଙ୍କୁ ବିରୋଧ କରୁଛନ୍ତି, ସେମାନଙ୍କ ମଧ୍ୟରୁ କିଛି ହୁଏତ ଆଗକୁ ବାଇବଲ ଅଧ୍ୟୟନ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।

୨୦. ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରିବା କାହିଁକି ଜରୁରୀ ଅଟେ ?

୨୦ ଈଶ୍ୱର ଖୁବ୍‌ ଶୀଘ୍ର ସମସ୍ତ ଦୁଷ୍ଟତାକୁ ସମାପ୍ତ କରିଦେବେ ଏବଂ ତାହାଙ୍କ ରାଜ୍ୟ ସମଗ୍ର ପୃଥିବୀ ଉପରେ ଶାସନ କରିବ । (୨ ପିତର ୩:୯, ୧୩) କେତେ ଖୁସିର ସମୟ ହେବ ! ସମସ୍ତେ ଯିହୋବାଙ୍କ ଉପାସନା ଏପରି ପଦ୍ଧତିରେ କରିବେ, ଯେପରି ସେ ଚାହାନ୍ତି । ତେଣୁ ଏହା ଜରୁରୀ ଅଟେ ଯେ ଆପଣ ବର୍ତ୍ତମାନ ପଦକ୍ଷେପ ନିଅନ୍ତୁ ଏବଂ ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତୁ ।