ପାଠ ୪୨
ଯୋନାଥନ—ଜଣେ ସାହସୀ ଓ ବିଶ୍ୱସ୍ତ ବ୍ୟକ୍ତି
ରାଜା ଶାଉଲଙ୍କ ସବୁଠୁ ବଡ଼ ପୁଅ ଯୋନାଥନ ଜଣେ ସାହସୀ ସୈନିକ ଥିଲେ । ଦାଉଦ କହିଥିଲେ ଯେ ଯୋନାଥନ ଉତ୍କ୍ରୋଶ ପକ୍ଷୀଠାରୁ ମଧ୍ୟ ବେଗବାନ ଓ ସିଂହଠାରୁ ବି ବଳବାନ ଅଟନ୍ତି । ଦିନେ ଯୋନାଥନ ଗୋଟିଏ ପାହାଡ଼ ଉପରେ କିଛି ପଲେଷ୍ଟୀୟ ସୈନିକଙ୍କୁ ଦେଖିଲେ । ସେ ନିଜ ଅସ୍ତ୍ରବାହକକୁ କହିଲେ, ‘ଆମେ ତାଙ୍କ ଉପରେ ତେବେ ଆକ୍ରମଣ କରିବା ଯେବେ ଯିହୋବା ଆମକୁ ଏକ ଚିହ୍ନ ଦେବେ । ଯଦି ପଲେଷ୍ଟୀୟ ଆମକୁ ଉପରକୁ ଆସିବା ପାଇଁ କହିବେ ତେବେ ଏହା ତାଙ୍କ ଉପରେ ଆକ୍ରମଣ କରିବାର ଚିହ୍ନ ହେବ ।’ ପଲେଷ୍ଟୀୟ ସେମାନଙ୍କୁ ଦେଖି ଜୋର୍ରେ କହିଲେ, ‘ଉପରକୁ ଆସ ଆଉ ଆମ ସହ ଲଢ଼େଇ କର ।’ ତେବେ ସେମାନେ ଦୁହେଁ ପାହାଡ଼ ଉପରେ ଚଢ଼ିଗଲେ ଏବଂ ୨୦ ଜଣ ସୈନିକଙ୍କୁ ମାରିଦେଲେ ।
ଶାଉଲଙ୍କ ବଡ଼ ପୁଅ ହେବା ଯୋଗୁଁ ଯୋନାଥନଙ୍କୁ ଇସ୍ରାଏଲର ପରବର୍ତ୍ତୀ ରାଜା ହେବାର ଥିଲା । କିନ୍ତୁ ଯୋନାଥନ ଜାଣିଥିଲେ ଯେ ଯିହୋବା ଦାଉଦଙ୍କୁ ପରବର୍ତ୍ତୀ ରାଜା ନିଯୁକ୍ତ କରିଛନ୍ତି । ତଥାପି ସେ ଈର୍ଷା କଲେ ନାହିଁ । ଯୋନାଥନ ଓ ଦାଉଦ ଭଲ ସାଙ୍ଗ ହୋଇଗଲେ । ସେମାନେ ପ୍ରତିଜ୍ଞା କଲେ ଯେ ସେମାନେ
ପରସ୍ପରକୁ ସହଯୋଗ କରିବେ ଏବଂ ପରସ୍ପରର ରକ୍ଷା କରିବେ । ଯୋନାଥନ ନିଜ ମିତ୍ରତାର ଚିହ୍ନ ଭାବେ ଦାଉଦଙ୍କୁ ନିଜ କପଡ଼ା, ଖଡ଼୍ଗ, ଧନୁ ଓ କଟିବନ୍ଧନ ଦେଲେ ।ଯେବେ ଦାଉଦ ଶାଉଲଙ୍କଠୁ ଜୀବନ ରକ୍ଷା କରି ପଳାଉଥିଲେ ତେବେ ଯୋନାଥନ ତାଙ୍କ ପାଖକୁ ଯାଇ କହିଲେ, ‘ଡର ନାହିଁ ସାହସ ରଖ । ଯିହୋବା ତମକୁ ହିଁ ରାଜା ବାଛିଛନ୍ତି । ମୋ ବାପା ମଧ୍ୟ ଏ କଥା ଜାଣନ୍ତି ।’ କʼଣ ଆପଣ ଯୋନାଥନ ଭଳି ଜଣେ ଭଲ ସାଙ୍ଗ ଚାହାନ୍ତି ?
ଯୋନାଥନ ଅନେକ ଥର ନିଜ ସାଙ୍ଗର ସାହାଯ୍ୟ କରିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଲେ । ସେ ଜାଣିଥିଲେ ଯେ ରାଜା ଶାଉଲ ଦାଉଦଙ୍କୁ ମାରିବା ପାଇଁ ଚାହାନ୍ତି । ତେଣୁ ସେ ନିଜ ବାପାଙ୍କୁ କହିଲେ, ‘ଦାଉଦ କିଛି ଭୁଲ କରି ନାହାନ୍ତି । ତେଣୁ ତାଙ୍କୁ ମାରିବା ପାପ ହେବ ।’ ଶାଉଲ ଯୋନାଥନ ଉପରେ ବହୁତ ରାଗିଗଲେ । କିଛି ବର୍ଷ ପରେ ଗୋଟିଏ ଯୁଦ୍ଧରେ ହିଁ ଶାଉଲ ଓ ଯୋନାଥନଙ୍କ ହତ୍ୟା କରି ଦିଆଗଲା ।
ଯୋନାଥନଙ୍କ ମୃତ୍ୟୁ ପରେ ଦାଉଦ ତାଙ୍କ ପୁଅ ମଫୀବୋଶତ୍ଙ୍କ ବିଷୟରେ ଖୋଜାଖୋଜି କଲେ । ଯେବେ ସେ ମଫୀବୋଶତ୍ଙ୍କୁ ପାଇଲେ ସେ ତାଙ୍କୁ କହିଲେ, ‘ତୁମ ବାପା ମୋର ଭଲ ସାଙ୍ଗ ଥିଲେ, ତେଣୁ ମୁଁ ସବୁବେଳେ ତମ ଯତ୍ନ ନେବି । ତମେ ମୋ ମହଲରେ ରହିବ ଏବଂ ମୋ ମେଜରୁ ଖାଇବ ।’ ଦାଉଦ ନିଜ ସାଙ୍ଗ ଯୋନାଥନଙ୍କୁ କେବେ ବି ଭୁଲିଲେ ନାହିଁ ।
‘ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ ।’—ଯୋହନ ୧୫:୧୨, ୧୩