ପାଠ ୨୩
ସେମାନେ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କଲେ
ମିଶରରୁ ବାହାରିବାର ପ୍ରାୟ ଦୁଇ ମାସ ପରେ ଇସ୍ରାଏଲୀୟମାନେ ସୀନୟ ପାହାଡ଼ ପାଖକୁ ପହଞ୍ଚିଲେ ଏବଂ ସେଠାରେ ସେମାନେ ତମ୍ବୁ ପକାଇଲେ । ଯିହୋବା ମୋଶାଙ୍କୁ ଡାକିଲେ ଏବଂ ସେ ପାହାଡ଼ ଉପରକୁ ଗଲେ । ଯିହୋବା ତାଙ୍କୁ କହିଲେ, ‘ମୁଁ ଇସ୍ରାଏଲୀୟଙ୍କୁ ରକ୍ଷା କରିଛି । ଯଦି ସେମାନେ ମୋ କଥା ମାନିବେ ଏବଂ ମୋ ନିୟମ ଅନୁସାରେ ଚାଲିବେ ତେବେ ସେମାନେ ମୋ ବିଶେଷ ଲୋକ ହେବେ ।’ ମୋଶା ପାହାଡ଼ରୁ ତଳକୁ ଆସି ଇସ୍ରାଏଲୀୟମାନଙ୍କୁ ଜଣାଇଲେ ଯେ ଯିହୋବା କʼଣ କହିଲେ । ତେବେ ସେମାନେ କହିଲେ, ‘ଯିହୋବା ଆମକୁ ଯେଉଁ କଥା କହିଅଛନ୍ତି, ଆମେ ସେସବୁ କରିବା ।’
ମୋଶା ପୁଣି ପାହାଡ଼ ଉପରକୁ ଗଲେ । ସେଠାରେ ଯିହୋବା ତାଙ୍କୁ କହିଲେ, ‘ମୁଁ ତୃତୀୟ ଦିନ ତମମାନଙ୍କ ସହ କଥା ହେବି । ଲୋକମାନଙ୍କୁ କୁହ ଯେ ସେମାନେ ସୀନୟ ପାହାଡ଼ ଉପରେ ଚଢ଼ିବା ପାଇଁ ଚେଷ୍ଟା କରିବେ ନାହିଁ ।’ ମୋଶା ତଳକୁ ଆସି ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ଯିହୋବାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାʼନ୍ତୁ ।
ତୃତୀୟ ଦିନ ଇସ୍ରାଏଲୀୟମାନେ ଦେଖିଲେ ଯେ ପାହାଡ଼ ଉପରେ କଳା ମେଘ ମାଡ଼ି ଆସିଛି ଏବଂ ବିଜୁଳି ଚମକୁଛି । ସେମାନେ ଜୋର୍ ଗର୍ଜନର ଏବଂ ତୂରୀ ନାମକ ଗୋଟିଏ ବାଦ୍ୟଯନ୍ତ୍ରର ଶବ୍ଦ ମଧ୍ୟ ଶୁଣିଲେ । ତାʼପରେ ଯିହୋବା ନିଆଁରେ ପାହାଡ଼ ଉପରକୁ ଓହ୍ଲାଇଲେ । ଇସ୍ରାଏଲୀୟ ଏତେ ଡରି ଯାଇଥିଲେ ଯେ ସେମାନେ ଥରିବାକୁ ଲାଗିଲେ । ପୂରା ପାହାଡ଼ ହଲିବାକୁ ଲାଗିଲା ଏବଂ ଧୂଆଁରେ ବିଛେଇ ହୋଇଗଲା । ତୂରୀର ଶବ୍ଦ ଧିରେ ଧିରେ ଜୋର୍ ହେବାକୁ ଲାଗିଲା । ତାʼପରେ ଈଶ୍ୱର କହିଲେ, ‘ମୁଁ ଯିହୋବା । ତମେ ମୋ ଛଡ଼ା ଆଉ କୌଣସି ଈଶ୍ୱରଙ୍କ ଉପାସନା କରିବ ନାହିଁ ।’
ମୋଶା ପୁଣି ପାହାଡ଼ ଉପରକୁ ଗଲେ । ସେସମୟରେ ଯିହୋବା ଏବିଷୟରେ ତାଙ୍କୁ ନିୟମ ଦେଲେ ଯେ ଲୋକମାନଙ୍କୁ ତାଙ୍କ ଉପାସନା କିପରି କରିବା ଉଚିତ୍ ଏବଂ ସେମାନଙ୍କୁ କʼଣ କରିବା ଉଚିତ୍ ଏବଂ କʼଣ ନୁହେଁ । ମୋଶା ଏହି ସବୁ ନିୟମ ଲେଖିଲେ ଏବଂ ଇସ୍ରାଏଲୀୟମାନଙ୍କୁ ପଢ଼ି ଶୁଣାଇଲେ । ସେମାନେ ପ୍ରତିଜ୍ଞା କଲେ, ‘ଯିହୋବା ଯେଉଁ କଥା କହିଅଛନ୍ତି, ଆମେ ସେସବୁ କରିବା ।’ କିନ୍ତୁ କʼଣ ସେମାନେ ଏହି ପ୍ରତିଜ୍ଞା ପୂରା କଲେ ?
‘ତୁମ୍ଭେ ଆପଣାର ସମସ୍ତ ଅନଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ଯିହୋବା ଈଶ୍ୱରଙ୍କୁ ପ୍ରେମ କର ।’—ମାଥିଉ ୨୨:୩୭