ପାଠ ୧୮
ଜ୍ୱଳନ୍ତା ବୁଦା
ମୋଶା ମିଦୀୟନରେ ୪୦ ବର୍ଷ ଯାଏ ରହିଲେ । ସେଠାରେ ସେ ବିବାହ କଲେ ଏବଂ ତାଙ୍କ ସନ୍ତାନ ହେଲେ । ଦିନେ ସେ ସୀନୟ ପାହାଡ଼ ପାଖରେ ନିଜ ମେଣ୍ଢାମାନଙ୍କୁ ଚରାଉଥିଲେ । ତେବେ ସେ ଗୋଟିଏ ଅଦ୍ଭୁତ ଜିନିଷ ଦେଖିଲେ । ସେ ଗୋଟିଏ ବୁଦାରେ ନିଆଁ ଲାଗିଥିବାର ଦେଖିଲେ, କିନ୍ତୁ ତାହା ଜଳି ପାଉଁଶ ହେଉ ନ ଥିଲା ! ଏପରି କାହିଁକି ହେଉଛି ତାହା ଦେଖିବା ପାଇଁ ମୋଶା ସେହି ବୁଦା ପାଖକୁ ଗଲେ । ତେବେ ବୁଦାରୁ ଗୋଟିଏ ଶବ୍ଦ ଶୁଣାଗଲା, ‘ମୋଶା ! ତମେ ଆଉ ପାଖକୁ ଆସ ନାହିଁ । ନିଜ ପାଦୁକା କାଢ଼ କାରଣ ତମେ ଯେଉଁ ଜାଗାରେ ଛିଡ଼ା ହୋଇଛ ତାହା ପବିତ୍ର ଭୂମି ।’ ଏହି ଶବ୍ଦ ଜଣେ ସ୍ୱର୍ଗଦୂତଙ୍କ ଥିଲା ଯିଏ ଯିହୋବାଙ୍କ ତରଫରୁ କଥା ହେଉଥିଲେ ।
ମୋଶା ଡରିଗଲେ ଏବଂ ନିଜ ମୁହଁ ଲୁଚାଇଲେ । ଯିହୋବା କହିଲେ, ‘ମୁଁ ଇସ୍ରାଏଲୀୟମାନଙ୍କ ଦୁଃଖ ଦେଖିଛି । ମୁଁ ସେମାନଙ୍କୁ ମିଶରୀୟ ଲୋକମାନଙ୍କ ହାତରୁ ଉଦ୍ଧାର କରିବି ଏବଂ ସେମାନଙ୍କୁ ଏକ ଉତ୍ତମ ଦେଶକୁ ନେବି । ତମେ ମୋ ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବ ।’ କʼଣ ଆପଣଙ୍କୁ ଲାଗେ ନାହିଁ, ଏହା ଶୁଣି ମୋଶା ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ?
ମୋଶା କହିଲେ, ‘ଯେବେ ଲୋକମାନେ ପଚାରିବେ ଯେ ମୋତେ କିଏ ପଠାଇଛି, ତେବେ ମୁଁ କʼଣ କହିବି ?’ ଈଶ୍ୱର କହିଲେ, ‘ତମେ ସେମାନଙ୍କୁ କହିବ, ଯେ ଯିହୋବା ମୋତେ ପଠାଇଛନ୍ତି ଯିଏ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି ।’ ତାʼପରେ ମୋଶା କହିଲେ, ‘କିନ୍ତୁ ଯଦି ସେମାନେ ମୋ କଥା ଶୁଣିବେ ନାହିଁ, ତେବେ ମୁଁ କʼଣ କରିବି ?’ ଯିହୋବା ମୋଶାଙ୍କୁ ପ୍ରମାଣ ଦେଇ ଭରସା ଦେଲେ ଯେ ସେ ତାଙ୍କ ସାହାଯ୍ୟ କରିବେ । ସେ ମୋଶାଙ୍କୁ ତାଙ୍କ ବାଡ଼ି ତଳେ ଫିଙ୍ଗିବା ପାଇଁ କହିଲେ । ଯେବେ ମୋଶା ଏପରି କଲେ ତେବେ ସେହି ବାଡ଼ି ସାପ ହୋଇଗଲା ! ତାʼପରେ ଯେବେ ସେ ସାପର ଲାଞ୍ଜକୁ ଧରିଲେ ତାହା ପୁଣି ବାଡ଼ି ହୋଇଗଲା । ଯିହୋବା କହିଲେ, ‘ଯେବେ ତମେ ଏହି ଚମତ୍କାର କରିବ ତେବେ ଲୋକମାନେ ଜାଣିବେ ଯେ ମୁଁ ତମକୁ ପଠାଇଛି ।’
ମୋଶା କହିଲେ, ‘ମୋତେ ଠିକ୍ରେ କଥା କହିବା ଆସେ ନାହିଁ ।’ ଯିହୋବା ତାଙ୍କୁ ପ୍ରତିଜ୍ଞା କଲେ, ‘ମୁଁ ତମକୁ କହିବି ଯେ ତମକୁ କʼଣ କହିବାର ଅଛି । ତମ ସାହାଯ୍ୟ ପାଇଁ ମୁଁ ତମ ଭାଇ ହାରୋଣଙ୍କୁ ତମ ସହିତ ପଠାଇବି ।’ ଏବେ ମୋଶା ଜାଣିଗଲେ ଯେ ଯିହୋବା ତାଙ୍କ ସହ ଅଛନ୍ତି । ତେଣୁ ସେ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ମିଶର ପାଇଁ ବାହାରି ପଡ଼ିଲେ ।
“ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ଦଣ୍ଡରେ ତୁମ୍ଭମାନଙ୍କୁ ଦିଆଯିବ ।”—ମାଥିଉ ୧୦:୧୯