ପାଠ ୫
ନୋହଙ୍କ ଜାହାଜ
କିଛି ସମୟ ପରେ ପୃଥିବୀରେ ଲୋକମାନଙ୍କ ସଂଖ୍ୟା ବହୁତ ବଢ଼ିଗଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦୁଷ୍ଟ ଥିଲେ । ସ୍ୱର୍ଗରେ ବି କିଛି ସ୍ୱର୍ଗଦୂତ ଦୁଷ୍ଟ ହୋଇଗଲେ । ସେମାନେ ସ୍ୱର୍ଗ ଛାଡ଼ି ତଳେ ପୃଥିବୀକୁ ଆସିଗଲେ । ଜାଣିଛ ସେମାନେ ଏପରି କାହିଁକି କଲେ ? ସେମାନେ ମଣିଷ ହୋଇ ସ୍ତ୍ରୀମାନଙ୍କ ସହ ବାହା ହେବା ପାଇଁ ଏପରି କଲେ ।
ବିବାହ ପରେ ସେମାନଙ୍କ ପୁଅମାନେ ଜନ୍ମ ହେଲେ । ସେହି ପୁଅମାନେ ବଡ଼ ହୋଇ ବହୁତ ଶକ୍ତିଶାଳୀ ଏବଂ ଗୁଣ୍ଡା ହୋଇଗଲେ । ସେମାନେ ଲୋକମାନଙ୍କୁ ମାରପିଟ୍ କରୁଥିଲେ । ଯିହୋବା ଚାହୁଁ ନ ଥିଲେ ଯେ ସେମାନେ ଏପରି ଦୁଷ୍ଟ କାମ କରିବା ଜାରି ରଖନ୍ତୁ । ତେଣୁ ସେ ନିଷ୍ପତ୍ତି ନେଲେ ଯେ ସେ ସାରା ପୃଥିବୀରେ ଏକ ଜଳପ୍ଳାବନ ଅର୍ଥାତ୍ ବନ୍ୟା ଆଣି ଦୁଷ୍ଟ ଲୋକମାନଙ୍କ ବିନାଶ କରିଦେବେ ।
କିନ୍ତୁ ଜଣେ ବ୍ୟକ୍ତି ସମସ୍ତଙ୍କଠୁ ଅଲଗା ଥିଲେ । ସେ ଯିହୋବାଙ୍କୁ ପ୍ରେମ କରୁଥିଲେ । ତାଙ୍କ ନାମ ନୋହ ଥିଲା । ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ପୁଅ ଥିଲେ । ପୁଅମାନଙ୍କ ନାମ ଥିଲା, ଶେମ, ହାମ ଓ ଯେଫତ୍ । ପ୍ରତ୍ୟେକ ପୁଅଙ୍କ ସ୍ତ୍ରୀ ଥିଲେ । ଯିହୋବା ନୋହଙ୍କୁ ଗୋଟିଏ ବଡ଼ ଜାହାଜ ତିଆରି କରିବା ପାଇଁ କହିଲେ, ଯାହାଦ୍ୱାରା ନୋହ ଓ ତାଙ୍କ ପରିବାର ଜଳପ୍ଳାବନରୁ ରକ୍ଷା ପାଇପାରିବ । ସେହି ଜାହାଜ ଗୋଟିଏ ଲମ୍ବା ବାକ୍ସ ଭଳି ଥିଲା ଆଉ ସେହି ଜାହାଜ ପାଣି ଉପରେ ଭାସିପାରନ୍ତା । ଯିହୋବା ନୋହଙ୍କୁ ଏହା ବି କହିଲେ ଯେ ସେ ଅନେକ ପଶୁମାନଙ୍କୁ ଜାହାଜ ଭିତରକୁ ଆଣନ୍ତୁ, ଯାହାଦ୍ୱାରା ସେହି ପଶୁମାନଙ୍କ ରକ୍ଷା ହୋଇପାରିବ ।
ନୋହ ତୁରନ୍ତ ଜାହାଜ ତିଆରି କରିବା ଆରମ୍ଭ କରିଦେଲେ । ତାଙ୍କୁ ଓ ତାଙ୍କ ପରିବାରକୁ ଜାହାଜ ତିଆରି କରିବା ପାଇଁ ପ୍ରାୟ ୫୦ ବର୍ଷ ଲାଗିଲା । ସେମାନେ ଜାହାଜକୁ ଠିକ୍ ସେପରି ତିଆରି କଲେ ଯେପରି ଯିହୋବା କହିଥିଲେ । ଜାହାଜ ତିଆରି କରିବା ସହ ନୋହ ଲୋକମାନଙ୍କୁ ଜଣାଇଲେ ଯେ ଏକ ଜଳପ୍ଳାବନ ଆସିବାକୁ ଯାଉଛି । କିନ୍ତୁ କେହି ବି ତାଙ୍କ କଥା ଶୁଣିଲେ ନାହିଁ ।
ତାʼପରେ ଜାହାଜ ଭିତରକୁ ଯିବାର ସମୟ ଆସିଗଲା । ଆସନ୍ତୁ ଦେଖିବା ଏହା ପରେ କʼଣ ହେଲା ।
“ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ ।”—ମାଥିଉ ୨୪:୩୭