ପାଠ ୯୨
ଯୀଶୁ ମାଛ ଧରାଳିମାନଙ୍କୁ ଦେଖା ଦେଲେ
ଯୀଶୁ ପ୍ରେରିତମାନଙ୍କୁ ଦେଖା ଦେବାର କିଛି ସମୟ ପରେ ପିତର ନିଷ୍ପତ୍ତି ନେଲେ ଯେ ସେ ଗାଲିଲୀର ସମୁଦ୍ରକୁ ମାଛ ଧରିବା ପାଇଁ ଯିବେ । ଥୋମା, ଯାକୁବ, ଯୋହନ ଏବଂ ଅନ୍ୟ କିଛି ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଗଲେ । ସେମାନେ ରାତି ସାରା ମାଛ ଧରିବା ପାଇଁ ଚେଷ୍ଟା କଲେ କିନ୍ତୁ ସେମାନେ ଗୋଟିଏ ବି ମାଛ ଧରିପାରିଲେ ନାହିଁ ।
ପରଦିନ ସକାଳ ସେମାନେ ଦେଖିଲେ ଯେ ସମୁଦ୍ର କୂଳରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ସେହି ବ୍ୟକ୍ତି ଉଚ୍ଚ ସ୍ୱରରେ ତାଙ୍କୁ ପଚାରିଲେ, ‘କʼଣ ତମେମାନେ ମାଛ ଧରିପାରିଲ ?’ ସେମାନେ କହିଲେ, “ନାହିଁ ।” ସେହି ବ୍ୟକ୍ତି କହିଲେ, ‘ନୌକାର ଡାହାଣ ପଟେ ଜାଲ ପକାଅ ।’ ଯେବେ ସେମାନେ ଏପରି କଲେ ତେବେ ଜାଲରେ ଏତେ ମାଛ ଭରିଗଲା ଯେ ସେମାନେ ତାକୁ ଟାଣି ପାରୁ ନ ଥିଲେ । ତେବେ ହଠାତ୍ ଯୋହନଙ୍କୁ ଅନୁଭବ ହେଲା ଯେ ସେ ବ୍ୟକ୍ତି ଯୀଶୁ ଅଟନ୍ତି । ସେ କହିଲେ, ‘ଏ ତ ପ୍ରଭୁ !’ ଏହା ଶୁଣିବା ମାତ୍ରେ ପିତର ପାଣିରେ ଡେଇଁ ପଡ଼ିଲେ ଏବଂ ପହଁରି କୂଳକୁ ଗଲେ । ବାକି ଶିଷ୍ୟମାନେ ମଧ୍ୟ ନୌକାରେ କୂଳକୁ ଗଲେ ।
ସେମାନେ କୂଳକୁ ପହଞ୍ଚି ଦେଖିଲେ ଯେ ନିଆଁରେ ରୁଟି ଏବଂ ମାଛଗୁଡ଼ିକ ସିଝିବା ପାଇଁ ରଖା ହୋଇଛି । ଯୀଶୁ ସେମାନଙ୍କୁ କହିଲେ ଯେ ସେମାନେ ଖାଇବା ପାଇଁ ଧରିଥିବା କିଛି ମାଛ ନେଇ ଆସନ୍ତୁ । ତାʼପରେ ସେ କହିଲେ, ‘ଆସ ଜଳଖିଆ କରି ନିଅ ।’
ଜଳଖିଆ ପରେ ଯୀଶୁ ପିତରଙ୍କୁ ପଚାରିଲେ, ‘କʼଣ ତମେ ମାଛ ଧରିବା କାମଠୁ ବି ଅଧିକ ମୋତେ ପ୍ରେମ କର ?’ ପିତର କହିଲେ, ‘ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ଅଧିକ ପ୍ରେମ କରେ ତାହା ଆପଣ ଜାଣନ୍ତି ।’ ଯୀଶୁ କହିଲେ, ‘ମୋର ମେଷଶାବକମାନଙ୍କୁ ଚରାଅ ।’ ଯୀଶୁ ପୁଣି ପଚାରିଲେ, ‘ପିତର କʼଣ ତମେ ମୋତେ ପ୍ରେମ କର ?’ ପିତର କହିଲେ, ‘ମୁଁ ଯେ ଆପଣଙ୍କୁ ଅଧିକ ପ୍ରେମ କରେ ତାହା ଆପଣ ଜାଣନ୍ତି ।’ ଯୀଶୁ କହିଲେ, ‘ମେଷପାଳକ ଭଳି ମୋର ମେଷମାନଙ୍କର ଯତ୍ନ ନିଅ ।’ ଯୀଶୁ ତୃତୀୟ ଥର ପୁଣି ସେହି ପ୍ରଶ୍ନ ପଚାରିଲେ । ତେବେ ପିତର ଦୁଃଖି ହୋଇଗଲେ ଏବଂ ସେ କହିଲେ, ‘ପ୍ରଭୁ ଆପଣ ସବୁ କିଛି ଜାଣନ୍ତି । ମୁଁ ଯେ ଆପଣଙ୍କୁ ଅଧିକ ପ୍ରେମ କରେ ତାହା ଆପଣ ଜାଣନ୍ତି ।’ ଯୀଶୁ କହିଲେ, ‘ମୋର ମେଷମାନଙ୍କୁ ଚରାଅ ।’ ତାʼପରେ ସେ ପିତରଙ୍କୁ କହିଲେ, ‘ମୋ ପଛରେ ଚାଲିବା ଜାରି ରଖ ।’
“ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି । ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ ।”—ମାଥିଉ ୪:୧୯, ୨୦