ପାଠ ୮୩
ଯୀଶୁ ହଜାର ହଜାର ଲୋକଙ୍କୁ ଖୁଆଇଲେ
ବତିଶ ଖ୍ରୀଷ୍ଟାବ୍ଦର ନିସ୍ତାର ପର୍ବର କିଛି ସମୟ ପୂର୍ବେ, ପ୍ରେରିତମାନେ ପ୍ରଚାର କରି ଫେରିଲେ । ସେମାନେ ବହୁତ ଥକି ଯାଇଥିଲେ, ତେଣୁ ଯୀଶୁ ସେମାନଙ୍କୁ ନୌକାରେ ବେଥ୍ସାଇଦାକୁ ନେଇ ଗଲେ, ଯାହାଦ୍ୱାରା ସେମାନେ ସେଠାରେ ଆରାମ କରିପାରିବେ । କିନ୍ତୁ ଯେବେ ନୌକା କୂଳରେ ପହଞ୍ଚିଲା ତେବେ ଯୀଶୁ ଦେଖିଲେ ଯେ ହଜାର ହଜାର ଲୋକ ସେମାନଙ୍କ ପଛେ ପଛେ ସେଠାକୁ ପହଞ୍ଚି ଯାଇଛନ୍ତି । ଯଦିଓ ଯୀଶୁ ନିଜ ପ୍ରେରିତମାନଙ୍କ ସହ ସମୟ ବିତାଇବା ପାଇଁ ଚାହୁଁଥିଲେ, ତଥାପି ସେ ଲୋକମାନଙ୍କ ସହ ପ୍ରେମର ସହିତ ଭେଟିଲେ । ସେ ରୋଗୀମାନଙ୍କୁ ଠିକ୍ କଲେ ଏବଂ ସମସ୍ତଙ୍କୁ ଶିଖାଇବାକୁ ଲାଗିଲେ । ଯୀଶୁ ସାରା ଦିନ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିଖାଇଲେ । ଯେବେ ସନ୍ଧ୍ୟା ହେଲା ତେବେ ପ୍ରେରିତମାନେ ତାଙ୍କୁ କହିଲେ, ‘ଲୋକମାନଙ୍କୁ ଭୋକ ଲାଗିଥିବ । ସେମାନଙ୍କୁ ପଠାଇ ଦିଅନ୍ତୁ ଯାହାଦ୍ୱାରା ସେମାନେ କିଛି ଖାଇପାରିବେ ।’
ଯୀଶୁ କହିଲେ, ‘ସେମାନଙ୍କୁ ଯିବା ଆବଶ୍ୟକ ନାହିଁ । ତମେମାନେ ସେମାନଙ୍କୁ ଏଠାରେ ହିଁ କିଛି ଖାଇବା ପାଇଁ ଦିଅ ।’ ପ୍ରେରିତମାନେ ପଚାରିଲେ, ‘କʼଣ ତମେ ଚାହଁ ଯେ ଆମେ ସେମାନଙ୍କ ପାଇଁ ରୁଟି କିଣିକି ଆଣିବା ?’ ସେମାନଙ୍କ ମଧ୍ୟରୁ ଜଣେ ପ୍ରେରିତ ଫିଲିପ୍ପ କହିଲେ, ‘ଯଦି ଆମ ପାଖରେ ବହୁତ ପଇସା ଥାʼନ୍ତା ତଥାପି ଆମେ ଏହି ଭିଡ଼କୁ ଯଥେଷ୍ଟ ରୁଟି କିଣି ଖୁଆଇପାରିବା ନାହିଁ ।’
ଯୀଶୁ କହିଲେ, ‘ଆମ ପାଖରେ କେତେ ଖାଦ୍ୟ ଅଛି ?’ ଆନ୍ଦ୍ରୀୟ କହିଲେ, ‘ଆମ ପାଖରେ ପାଞ୍ଚଟି ରୁଟି ଆଉ ଦୁଇଟି ଛୋଟ ମାଛ ଅଛି । ଏତିକିରେ ତ କିଛି ବି ହେବ ନାହିଁ ।’ ଯୀଶୁ କହିଲେ, ‘ସେହି ରୁଟିଗୁଡ଼ିକୁ ଓ ମାଛଗୁଡ଼ିକୁ ମୋ ପାଖକୁ ଆଣ ।’ ସେ ଲୋକମାନଙ୍କୁ କହିଲେ ଯେ ସେମାନେ ୫୦-୫୦ ଓ ୧୦୦-୧୦୦ ଜଣର ସମୂହ ହୋଇ ଘାସ ଉପରେ ବସି ଯାʼନ୍ତୁ । ଯୀଶୁ ରୁଟି ଏବଂ ମାଛଗୁଡ଼ିକୁ ନେଲେ ଏବଂ ସ୍ୱର୍ଗ ଆଡ଼କୁ ଦେଖି ପ୍ରାର୍ଥନା କଲେ । ତାʼପରେ ସେ ଖାଦ୍ୟ ପ୍ରେରିତମାନଙ୍କୁ ଦେଲେ ଏବଂ ସେମାନେ ଲୋକମାନଙ୍କୁ ବାଣ୍ଟିଲେ । ସେଠାରେ ୫୦୦୦ ପୁରୁଷ, ଅନେକ ସ୍ତ୍ରୀ ଓ ପିଲା ଥିଲେ । ସମସ୍ତେ ପେଟ ପୂରା ଖାଇଲେ । ଏହାପରେ ପ୍ରେରିତମାନେ ବଳିଥିବା ଖାଦ୍ୟ ଏକାଠି କଲେ ଯାହାଦ୍ୱାରା ତାହା ନଷ୍ଟ ନ ହେଉ । ବଳିଥିବା ଖାଦ୍ୟରୁ
୧୨ଟି ଟୋକେଇ ଭରିଗଲା ! ସତରେ ଏହା କେତେ ଅଦ୍ଭୁତ ଚମତ୍କାର ଥିଲା ନା ?ଲୋକମାନେ ଏତେ ଖୁସି ହୋଇଗଲେ ଯେ ସେମାନେ ଯୀଶୁଙ୍କୁ ନିଜ ରାଜା କରିବା ପାଇଁ ଚାହୁଁଥିଲେ । କିନ୍ତୁ ଯୀଶୁ ଜାଣିଥିଲେ ଯେ ଯିହୋବା ଏବେ ତାଙ୍କୁ ରାଜା କରିବା ପାଇଁ ଚାହାନ୍ତି ନାହିଁ । ତେଣୁ ସେ ଭିଡ଼କୁ ପଠାଇ ଦେଲେ ଏବଂ ନିଜ ପ୍ରେରିତମାନଙ୍କୁ କହିଲେ ଯେ ସେମାନେ ଗାଲିଲୀ ସମୁଦ୍ରର ଆରପାରିକୁ ଚାଲିଯାʼନ୍ତୁ । ଶିଷ୍ୟମାନେ ନିଜ ନୌକାରେ ଚଢ଼ିଗଲେ ଏବଂ ଯୀଶୁ ଏକୁଟିଆ ପାହାଡ଼ ଆଡ଼କୁ ଚାଲିଗଲେ । କାହିଁକି ? କାରଣ ସେ ନିଜ ପିତାଙ୍କୁ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ । ଯୀଶୁ ଯେତେ ବ୍ୟସ୍ତ ଥିଲେ ବି, ସେ ପ୍ରାର୍ଥନା କରିବା ପାଇଁ ସବୁବେଳେ ସମୟ କାଢ଼ୁଥିଲେ ।
“କ୍ଷୟୀ ଭକ୍ଷ୍ୟ [‘ନଷ୍ଟ ହେଉଥିବା ଖାଦ୍ୟ,’ NWT] ନିମନ୍ତେ ଶ୍ରମ ନ କରି, ବରଞ୍ଚ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ [‘ଖାଦ୍ୟ ନଷ୍ଟ ହୁଏ ନାହିଁ,’ NWT], ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ ।”—ଯୋହନ ୬:୨୭