ପାଠ ୮୬
ଯୀଶୁ ଲାଜାରଙ୍କୁ ଜୀବିତ କଲେ
ବେଥନୀୟା ନାମକ ଗାଁରେ ଯୀଶୁଙ୍କ ତିନି ଜଣ ପ୍ରିୟ ସାଙ୍ଗ ରହୁଥିଲେ । ସେମାନେ ଥିଲେ ଲାଜାର ଏବଂ ତାଙ୍କ ଦୁଇ ଜଣ ଭଉଣୀ, ମରୀୟମ ଓ ମାର୍ଥା । ଦିନେ ଯେବେ ଯୀଶୁ ଯର୍ଦ୍ଦନର ସେପାରି ଥିଲେ, ତେବେ ମରୀୟମ ଓ ମାର୍ଥା ତାଙ୍କୁ ଏକ ଜରୁରୀ ଖବର ପଠାଇଲେ: ‘ଲାଜାର ବହୁତ ବେମାର ଅଛନ୍ତି । ଆପଣ ଶୀଘ୍ର ଆସନ୍ତୁ !’ କିନ୍ତୁ ଯୀଶୁ ଶୀଘ୍ର ଆସିଲେ ନାହିଁ । ସେ ଦୁଇ ଦିନ ଯାଏ ସେଠାରେ ରହିଲେ ଏବଂ ତାʼପରେ ନିଜ ଶିଷ୍ୟମାନଙ୍କୁ କହିଲେ, ‘ଚାଲ, ଆମେ ବେଥନୀୟା ଯିବା । ଲାଜାର ଶୋଉଛନ୍ତି ଏବଂ ମୁଁ ତାଙ୍କୁ ଉଠାଇବାକୁ ଯାଉଛି ।’ ପ୍ରେରିତମାନେ କହିଲେ, ‘ଯଦି ସେ ଶୋଉଛନ୍ତି ତାହେଲେ ସେ ଠିକ୍ ହୋଇଯିବେ ।’ ସେସମୟରେ ଯୀଶୁ ସେମାନଙ୍କୁ ସ୍ପଷ୍ଟ କହିଲେ, ‘ଲାଜାରର ମୃତ୍ୟୁ ହୋଇଯାଇଛି ।’
ଯେବେ ଯୀଶୁ ବେଥନୀୟା ପହଞ୍ଚିଲେ ସେସମୟରେ ଲାଜାରଙ୍କୁ କବର ଦେଇ ଚାରି ଦିନ ହୋଇସାରିଥିଲା । ଅନେକ ଲୋକ ମାର୍ଥା ଓ ମରୀୟମଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ । ଯେବେ ମାର୍ଥା ଶୁଣିଲେ ଯେ ଯୀଶୁ ଆସିଛନ୍ତି ତେବେ ସେ ତୁରନ୍ତ ତାଙ୍କୁ ଭେଟିବା ପାଇଁ ଗଲେ । ସେ ଯୀଶୁଙ୍କୁ କହିଲେ, ‘ପ୍ରଭୁ, ଯଦି ଆପଣ ଏଠାରେ ଥାʼନ୍ତେ ତାହେଲେ ମୋ ଭାଇ ମରି ନ ଥାʼନ୍ତା ।’ ଯୀଶୁ ତାଙ୍କୁ କହିଲେ, ‘ତମ ଭାଇ ଜୀବିତ ହୋଇଯିବ । ମାର୍ଥା କʼଣ ତମେ ଏକଥା ଉପରେ ଭରସା କର ?’ ମାର୍ଥା କହିଲେ, ‘ମୁଁ ଭରସା କରେ ଯେ ଯେବେ ମରିଯାଇଥିବା ଲୋକମାନଙ୍କୁ ଜୀବିତ କରାଯିବ, ସେସମୟରେ ସେ ଜୀବିତ ହୋଇଯିବ ।’ ଯୀଶୁ ତାଙ୍କୁ କହିଲେ, ‘ମୁଁ ହିଁ ମରିଯାଇଥିବା ଲୋକମାନଙ୍କୁ ଜୀବିତ କରିବି ଏବଂ ସେମାନଙ୍କୁ ଜୀବନ ଦେବି ।’
ତାʼପରେ ମାର୍ଥା ଯାଇ ମରୀୟମଙ୍କୁ କହିଲେ, ‘ଯୀଶୁ ଆସିଛନ୍ତି ।’ ମରୀୟମ ଦୌଡ଼ି ଯୀଶୁଙ୍କ ପାଖକୁ ଗଲେ ଏବଂ ତାʼ ପଛେ ପଛେ ଲୋକଙ୍କ ଭିଡ଼ ମଧ୍ୟ ଗଲା । ମରୀୟମ ଯୀଶୁଙ୍କ ପାଦରେ ତଳେ ପଡ଼ି କାନ୍ଦିବାକୁ ଲାଗିଲେ । ସେ କହିଲେ, ‘ପ୍ରଭୁ, ଯଦି ଆପଣ ଏଠାରେ ଥାʼନ୍ତେ ତାହେଲେ ଆଜି ମୋ ଭାଇ ଜୀବିତ ଥାʼନ୍ତା !’ ଯୀଶୁ ଦେଖିପାରୁଥିଲେ ଯେ ସେ କେତେ ଦୁଃଖୀ ଅଛନ୍ତି ଏବଂ ସେ ମଧ୍ୟ କାନ୍ଦିଲେ । ଯେବେ ଲୋକମାନେ ଯୀଶୁଙ୍କୁ କାନ୍ଦିବାର ଦେଖିଲେ ତେବେ ସେମାନେ କହିଲେ, ‘ଦେଖ, ଯୀଶୁ ଲାଜାରଙ୍କୁ କେତେ ପ୍ରେମ କରୁଥିଲେ !’ କିନ୍ତୁ ଆଉ କିଛି କହିଲେ, ‘ସେ ନିଜ ସାଙ୍ଗର ଜୀବନ କାହିଁକି ବଞ୍ଚାଇଲେ ନାହିଁ ?’ ଏହାପରେ ଯୀଶୁ କʼଣ କଲେ ?
ଯୀଶୁ କବର ପାଖକୁ ଗଲେ ଯାହାର ମୁହଁରେ ଗୋଟିଏ ବଡ଼ ପଥର ରଖାଯାଇଥିଲା । ସେ ଆଦେଶ ଦେଲେ, ‘ପଥରକୁ ହଟାଅ ।’ କିନ୍ତୁ ମାର୍ଥା କହିଲେ, ‘ଏବେ ଯାଏ ସେହି ଶବରୁ ଦୁର୍ଗନ୍ଧ ଆସୁଥିବ, କାରଣ ଚାରିଦିନ ହୋଇସାରିଛି ।’ ତଥାପି ସେମାନେ ପଥରକୁ ହଟାଇଲେ ଏବଂ ଯୀଶୁ ପ୍ରାର୍ଥନା କଲେ, ‘ପିତା, ମୁଁ ଆପଣଙ୍କୁ ଧନ୍ୟବାଦ କରୁଛି ଯେ ଆପଣ ମୋର ଶୁଣିଲେ । ମୁଁ ଜାଣିଛି ଯେ ଆପଣ ସବୁବେଳେ ମୋର ଶୁଣନ୍ତି । ତଥାପି ମୁଁ ସମସ୍ତଙ୍କ ଆଗରେ ଏହା କହୁଛି ଯାହାଦ୍ୱାରା ଏହି ଲୋକମାନେ ଜାଣିବେ ଯେ ଆପଣ ମୋତେ ପଠାଇଛନ୍ତି ।’ ତାʼପରେ ସେ ଉଚ୍ଚ ପାଟି କରି ଡାକିଲେ, ‘ଲାଜାର, ବାହାରି ଆସ !’ ତାʼପରେ
ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା: ଲାଜାର କବରରୁ ବାହାରକୁ ଆସିଲେ । ସେ ଏବେ ବି ସମାଧି ବସ୍ତ୍ରରେ ବନ୍ଧା ହୋଇଥିଲେ । ଯୀଶୁ କହିଲେ, ‘ଏହାକୁ ଖୋଲି ଦେଇ ତାଙ୍କୁ ଯିବାକୁ ଦିଅ ।’ଅନେକ ଲୋକ ଏହା ଦେଖି ଯୀଶୁଙ୍କ ଉପରେ ବିଶ୍ୱାସ କଲେ । କିନ୍ତୁ କିଛି ଲୋକ ଯାଇ ଫାରୂଶୀମାନଙ୍କୁ କହିଲେ ଯେ ଯୀଶୁ କʼଣ କଲେ । ସେସମୟରେ ଫାରୂଶୀମାନେ ଲାଜାର ଓ ଯୀଶୁ, ଦୁହିଁଙ୍କୁ ମାରି ଦେବା ପାଇଁ ଚେଷ୍ଟା କରିବାକୁ ଲାଗିଲେ । ବାର ଜଣ ପ୍ରେରିତମାନଙ୍କ ମଧ୍ୟରୁ ଜଣେ ପ୍ରେରିତ, ଇଷ୍କାରିୟୋତୀୟ ଯିହୂଦା ଲୁଚି ଫାରୂଶୀମାନଙ୍କ ପାଖକୁ ଯାଇ ପଚାରିଲା, ‘ଯଦି ମୁଁ ଯୀଶୁଙ୍କୁ ଧରିବା ପାଇଁ ତମମାନଙ୍କ ସାହାଯ୍ୟ କରିବି, ତେବେ ତମେମାନେ ମୋତେ କେତେ ପଇସା ଦେବ ?’ ସେମାନେ କହିଲେ ଯେ ସେମାନେ ତାକୁ ୩୦ଟି ରୂପା ମୁଦ୍ରା ଦେବେ । ସେସମୟରୁ ଯିହୂଦା ଯୀଶୁଙ୍କୁ ଫାରୂଶୀମାନଙ୍କ ହାତରେ ଧରାଇବା ପାଇଁ ସୁଯୋଗ ଖୋଜିବାକୁ ଲାଗିଲା ।
‘ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି ଓ ଯିହୋବାଃ ପରମେଶ୍ୱର ମୃତ୍ୟୁରୁ ରକ୍ଷା କରନ୍ତି ।’—ଗୀତସଂହିତା ୬୮:୨୦