ପାଠ ୭୯
ଯୀଶୁ ଅନେକ ଚମତ୍କାର କଲେ
ଯୀଶୁ, ଈଶ୍ୱରଙ୍କ ରାଜ୍ୟର ଖୁସିର ଖବର ଶୁଣାଇବା ପାଇଁ ପୃଥିବୀକୁ ଆସିଥିଲେ । ଯିହୋବା ତାଙ୍କୁ ପବିତ୍ର ଶକ୍ତି ଦେଲେ, ଯାହାଦ୍ୱାରା ସେ ଅନେକ ଚମତ୍କାର କରିବେ ଏବଂ ଏଥିରୁ ଜଣାପଡ଼ିବ ଯେ ରାଜା ହେବା ପରେ ସେ କʼଣ କʼଣ କରିବେ । ସେ ସବୁ ପ୍ରକାରର ରୋଗକୁ ଠିକ୍ କରିପାରୁଥିଲେ । ସେ ଯେଉଁଠାକୁ ବି ଯାଉଥିଲେ ରୋଗୀ ଲୋକମାନେ ତାଙ୍କ ପାଖକୁ ଆସୁଥିଲେ ଏବଂ ସେ ସମସ୍ତଙ୍କୁ ଠିକ୍ କରୁଥିଲେ । ଅନ୍ଧ ଲୋକମାନେ ଦେଖିବାକୁ ଲାଗିଲେ, ବଧିରମାନେ ଶୁଣିବାକୁ ଲାଗିଲେ ଏବଂ ଯେଉଁମାନେ ବିଛଣାରୁ ଉଠିପାରୁ ନ ଥିଲେ ସେମାନେ ଚାଲିବାକୁ ଲାଗିଲେ । ଯୀଶୁ ଲୋକମାନଙ୍କଠାରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବାହାର କଲେ । ଲୋକମାନେ ଯେବେ କେବଳ ଯୀଶୁଙ୍କ ଲୁଗାର ଧଡ଼ିକୁ ଛୁଇଁ ଦେଉଥିଲେ, ତେବେ ସେମାନଙ୍କ ରୋଗ ଠିକ୍ ହୋଇଯାଉଥିଲା । ଯୀଶୁ ଯେଉଁଠି ବି ଯାଉଥିଲେ ଲୋକମାନେ ତାଙ୍କ ପଛେ ପଛେ ଯାଉଥିଲେ । ଯେବେ ସେ ଏକୁଟିଆ ରହିବା ପାଇଁ ଚାହୁଁଥିଲେ ତେବେ ବି ଯଦି ଲୋକମାନେ ତାଙ୍କ ପାଖକୁ ଆସୁଥିଲେ, ସେ ସେମାନଙ୍କୁ ଯିବା ପାଇଁ କହୁ ନ ଥିଲେ ।
ଥରେ ଯେବେ ଯୀଶୁ ଗୋଟିଏ ଘରେ ଥିଲେ ତେବେ କିଛି ଲୋକ ତାଙ୍କ ପାଖକୁ ଜଣେ ଏପରି ବ୍ୟକ୍ତିକୁ ଆଣିବାକୁ ଚାହୁଁଥିଲେ ଯିଏ ବିଛଣାରୁ ଉଠିପାରୁ ନ ଥିଲା । କିନ୍ତୁ ଘର ଭିତରେ ଏତେ ଭିଡ଼ ଥିଲା ଯେ ସେମାନେ ଭିତରକୁ ଯାଇପାରିଲେ ନାହିଁ । ତେଣୁ ସେମାନେ ଛାତକୁ ଖୋଲି ଦେଲେ ଏବଂ ସେହି ବ୍ୟକ୍ତିକୁ ତଳେ ଯୀଶୁଙ୍କ ପାଖକୁ ଓହ୍ଲାଇ ଦେଲେ । ଯୀଶୁ ସେହି ବ୍ୟକ୍ତିଙ୍କୁ କହିଲେ, ‘ଉଠ ଓ ଯାଅ ।’ ଯେବେ ସେ ଉଠି ଯିବାକୁ ଲାଗିଲା ତେବେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ।
ଆଉ ଥରେ ଯେବେ ଯୀଶୁ ଗୋଟିଏ ଗାଁ ଭିତରକୁ ଯାଉଥିଲେ, ତେବେ ଦୂରରେ ୧୦ ଜଣ ବ୍ୟକ୍ତି ଛିଡ଼ା ହୋଇଥିଲେ ଯେଉଁମାନେ କୁଷ୍ଠ ରୋଗୀ ଥିଲେ । ସେମାନେ ପାଟି କରି କହିଲେ, ‘ଯୀଶୁ, ଆମକୁ ସାହାଯ୍ୟ କର !’ ସେସମୟରେ, କୁଷ୍ଠ ରୋଗୀମାନଙ୍କୁ ଅନ୍ୟ ଲୋକମାନଙ୍କ ପାଖକୁ ଆସିବାକୁ ଦିଆଯାଉ ନ ଥିଲା । ଯୀଶୁ ସେହି ବ୍ୟକ୍ତିମାନଙ୍କୁ କହିଲେ ଯେ ସେମାନେ ମନ୍ଦିରକୁ ଯାʼନ୍ତୁ, କାରଣ ଯିହୋବାଙ୍କ ବ୍ୟବସ୍ଥାରେ ଲେଖାଥିଲା
ଯେ ଯେବେ କୌଣସି କୁଷ୍ଠ ରୋଗୀ ଠିକ୍ ହୋଇଯାʼନ୍ତା ତେବେ ତାକୁ ମନ୍ଦିର ଯିବା ଉଚିତ୍ । ଯେବେ ସେମାନେ ସେଠାକୁ ଯାଉଥିଲେ ତେବେ ରାସ୍ତାରେ ଠିକ୍ ହୋଇଗଲେ । ସେମାନଙ୍କ ମଧ୍ୟରୁ ଜଣେ କୁଷ୍ଠ ରୋଗୀ ଯେବେ ଦେଖିଲା ଯେ ସେ ଠିକ୍ ହୋଇଯାଇଛି ତେବେ ସେ ଫେରି ଯୀଶୁଙ୍କ ପାଖକୁ ଆସିଲା । ସେ ଯୀଶୁଙ୍କୁ ଧନ୍ୟବାଦ କହିଲା ଏବଂ ଈଶ୍ୱରଙ୍କ ମହିମା କଲା । ସେହି ୧୦ ଜଣ ବ୍ୟକ୍ତିମାନଙ୍କ ମଧ୍ୟରୁ କେବଳ ଜଣେ ଯୀଶୁଙ୍କୁ ଧନ୍ୟବାଦ କହିଲା ।ଜଣେ ସ୍ତ୍ରୀ ୧୨ ବର୍ଷରୁ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଯେକୌଣସି ଉପାୟରେ ଠିକ୍ ହେବା ପାଇଁ ଚାହୁଁଥିଲେ । ସେ ଗୋଟିଏ ଭିଡ଼ରେ ଯୀଶୁଙ୍କ ପଛ ପଟୁ ଆସି ତାଙ୍କ ଲୁଗାର ଧଡ଼ିକୁ ଛୁଇଁଲେ । ଧଡ଼ିକୁ ଛୁଇଁବା ମାତ୍ରେ ସେ ଠିକ୍ ହୋଇଗଲେ । ସେସମୟରେ ଯୀଶୁ ପଚାରିଲେ, “କିଏ ମୋତେ ଛୁଇଁଲା ?” ସେହି ସ୍ତ୍ରୀ ଡରିଗଲେ, ତଥାପି ସେ ସାମନାକୁ ଆସି ସତ କହିଲେ । ଯୀଶୁ ଏହା କହି ତାଙ୍କ ଡର ଦୂର କଲେ, ‘ଝିଅ, ଯାଅ ଏବଂ ଚିନ୍ତା କରନି ।’
ଯାଈରସ ନାମକ ଜଣେ ଅଧିକାରୀ ଯୀଶୁଙ୍କୁ ବିନତି କଲେ, ‘ମୋ ଘରକୁ ଆସ ! ମୋ ଝିଅ ରୋଗରେ ପୀଡ଼ିତ ଅଛି ।’ କିନ୍ତୁ ଯୀଶୁ ସେଠାକୁ ପହଞ୍ଚିବା ପୂର୍ବରୁ ସେହି ଝିଅର ମୃତ୍ୟୁ ହୋଇଗଲା । ଯେବେ ଯୀଶୁ ସେଠାକୁ ପହଞ୍ଚିଲେ ସେ ଦେଖିଲେ ଯେ ଅନେକ ଲୋକ ତାଙ୍କ ପରିବାରର ଦୁଃଖରେ ସାମିଲ୍ ହେବାକୁ ଆସିଥିଲେ । ଯୀଶୁ ସେମାନଙ୍କୁ କହିଲେ, ‘କାନ୍ଦନି, ଝିଅଟି କେବଳ ଶୋଉଛି ।’ ତାʼପରେ ସେ ଝିଅର ହାତ ଧରି କହିଲେ, ‘ଝିଅ, ଉଠ !’ ଝିଅଟି ତୁରନ୍ତ ଉଠିଗଲା । ଯୀଶୁ ତାଙ୍କ ବାପାମାଆଙ୍କୁ କହିଲେ ଯେ ସେମାନେ ତାକୁ କିଛି ଖାଇବାକୁ ଦିଅନ୍ତୁ । ଟିକେ ଭାବନ୍ତୁ, ସେ ଝିଅର ବାପାମାଆ କେତେ ଖୁସି ହୋଇଥିବେ !
‘ଈଶ୍ୱର ତାହାଙ୍କୁ ପବିତ୍ର ଶକ୍ତି ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ ।’—ପ୍ରେରିତ ୧୦:୩୮