इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୭୦

ସ୍ୱର୍ଗଦୂତମାନେ ଯୀଶୁଙ୍କ ଜନ୍ମ ହେବାର ଖବର ଶୁଣାଇଲେ

ସ୍ୱର୍ଗଦୂତମାନେ ଯୀଶୁଙ୍କ ଜନ୍ମ ହେବାର ଖବର ଶୁଣାଇଲେ

ରୋମୀ ସାମ୍ରାଜ୍ୟର ସମ୍ରାଟ ଅଗଷ୍ଟ ଆଦେଶ ଦେଲେ ଯେ ସମସ୍ତ ଯିହୁଦୀ ନିଜ ନିଜ ସହରକୁ ଯାଇ ନାମ ଲେଖାନ୍ତୁ । ତେଣୁ ଯୋଷେଫ ଓ ମରୀୟମ ବେଥଲିହିମକୁ ଗଲେ । ଯୋଷେଫଙ୍କର ପରିବାର ସେହି ସହରରୁ ଥିଲା । ସେସମୟରେ ମରୀୟମଙ୍କ ସନ୍ତାନ ଜନ୍ମ କରିବାର ସମୟ ଆସି ଯାଇଥିଲା ।

ବେଥଲିହିମ ପହଞ୍ଚିବା ପରେ ସେମାନଙ୍କୁ ରହିବା ପାଇଁ କେବଳ ଏକ ଗୁହାଳ ଘର ମିଳିଲା । ସେଠାରେ ହିଁ ମରୀୟମ ନିଜ ପୁଅ ଯୀଶୁଙ୍କୁ ଜନ୍ମ ଦେଲେ । ତାʼପରେ ମରୀୟମ ତାଙ୍କୁ ଏକ କୋମଳ ଲୁଗାରେ ଗୁଡ଼ାଇ ଏବଂ ତାଙ୍କୁ ଆରାମରେ ଧରି ତାଙ୍କୁ ଏକ ଗୁହାଳ କୁଣ୍ଡରେ ଶୁଆଇଲେ ।

ବେଥଲିହିମର ପାଖରେ କିଛି ମେଷପାଳକ ପଡ଼ିଆରେ ରହି ରାତିରେ ନିଜ ପଲକୁ ଜଗୁଥିଲେ । ହଠାତ୍‌ ସେମାନଙ୍କ ଆଗରେ ଏକ ସ୍ୱର୍ଗଦୂତ ଆସିଲେ ଆଉ ଯିହୋବାଙ୍କ ମହିମାର ଆଲୋକ ଯୋଗୁଁ ସେମାନଙ୍କ ଚାରିପାଖ ଆଲୋକିତ ହୋଇ ଉଠିଲା । ମେଷପାଳକମାନେ ବହୁତ ଡରିଗଲେ, କିନ୍ତୁ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, ‘ଡର ନାହିଁ । ମୁଁ ତମମାନଙ୍କୁ ଏକ ଖୁସିଖବର ଶୁଣାଇବା ପାଇଁ ଆସିଛି । ଆଜି ବେଥଲିହିମରେ ମସୀହଙ୍କ ଜନ୍ମ ହୋଇଛି ।’ ତାʼପରେ ଆକାଶରେ ଅନେକ ସ୍ୱର୍ଗଦୂତ ଦେଖାଗଲେ । ସେମାନେ କହିଲେ, ‘ସ୍ୱର୍ଗରେ ଈଶ୍ୱରଙ୍କ ମହିମା ହେଉ ଓ ପୃଥିବୀରେ ଶାନ୍ତି ହେଉ ।’ ତାʼପରେ ସ୍ୱର୍ଗଦୂତମାନେ ଅଦୃଶ୍ୟ ହୋଇଗଲେ । ସେସମୟରେ ମେଷପାଳକମାନେ କʼଣ କଲେ ?

ସେମାନେ ପରସ୍ପରକୁ କହିଲେ, ‘ଆସ, ଆମେ ବେଥଲିହିମକୁ ଯିବା ।’ ସେମାନେ ତୁରନ୍ତ ସେଠାକୁ ଗଲେ ଏବଂ ଗୁହାଳ ଘରେ ଯୋଷେଫ ଓ ମରୀୟମଙ୍କୁ ନିଜ ଶିଶୁ ସହ ଦେଖିଲେ ।

ସ୍ୱର୍ଗଦୂତ ମେଷପାଳକମାନଙ୍କୁ ଯାହା ଯାହା କହିଥିଲେ ସେବିଷୟରେ ଯେଉଁମାନେ ଶୁଣିଲେ ସେସମସ୍ତେ ଆଶ୍ଚର୍ଯ୍ୟ ହେବାକୁ ଲାଗିଲେ । ମରୀୟମ ସ୍ୱର୍ଗଦୂତଙ୍କ କଥାଗୁଡ଼ିକ ଉପରେ ଗଭୀର ଭାବେ ଚିନ୍ତା କଲେ ଏବଂ ସେହି କଥାଗୁଡ଼ିକୁ କେବେ ଭୁଲିଲେ ନାହିଁ । ତାʼପରେ ମେଷପାଳକମାନେ ନିଜ ପଲ ପାଖକୁ ଫେରିଗଲେ ଏବଂ ସେମାନେ ଯାହା ଯାହା ଦେଖିଥିଲେ ଓ ଶୁଣିଥିଲେ ତାʼପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଲେ ।

“ମୁଁ ଈଶ୍ୱରଙ୍କଠାରୁ ଆସିଅଛି; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ସେ ମୋତେ ପ୍ରେରଣ କଲେ ।”—ଯୋହନ ୮:୪୨