ପାଠ ୭୩
ଯୋହନ ପ୍ରଚାର କଲେ ଯେ ମସୀହ ଆସିବେ
ଜିଖରୀୟ ଓ ଏଲୀଶାବେଥଙ୍କ ପୁଅ ଯୋହନ ବଡ଼ ହୋଇ ଜଣେ ଭବିଷ୍ୟଦ୍ବକ୍ତା ହେଲେ । ଯିହୋବା ଯୋହନଙ୍କ ଜରିଆରେ ଲୋକମାନଙ୍କୁ କହିଲେ ଯେ ମସୀହ ଆସିବାକୁ ଯାଉଛନ୍ତି । କିନ୍ତୁ ଯୋହନ ଏହି ସନ୍ଦେଶ ସଭାଘର କିମ୍ବା ନଗରଗୁଡ଼ିକରେ ନୁହେଁ ବରଂ ପ୍ରାନ୍ତରରେ ଶୁଣାଇଲେ । ଯିରୂଶାଲମ ଓ ସାରା ଯିହୁଦାର ଲୋକମାନେ ତାଙ୍କ କଥା ଶୁଣିବା ପାଇଁ ଆସୁଥିଲେ । ସେ ସେମାନଙ୍କୁ ଶିଖାଉଥିଲେ ଯେ ଯଦି ସେମାନେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ତେବେ ସେମାନଙ୍କୁ ଖରାପ କାମଗୁଡ଼ିକ ଛାଡ଼ିବାକୁ ପଡ଼ିବ । ତାଙ୍କ କଥା ଶୁଣି ଅନେକ ଲୋକ ପଶ୍ଚାତାପ କଲେ ଏବଂ ଯୋହନ ସେମାନଙ୍କୁ ଯର୍ଦ୍ଦନ ନଦୀରେ ବାପ୍ତିସ୍ମ ଦେଲେ ।
ଯୋହନ ଏକ ସରଳ ଜୀବନ ଜୀଉଁଥିଲେ । ସେ ଓଟ ଲୋମରେ ତିଆରି କପଡ଼ା ପିନ୍ଧୁଥିଲେ ଏବଂ ଝିଣ୍ଟିକା ଓ ବନ୍ୟ ମହୁ ଖାଉଥିଲେ । ଲୋକମାନେ ଜାଣିବା ପାଇଁ ଚାହୁଁଥିଲେ ଯେ ଯୋହନ ପ୍ରକୃତରେ କିଏ ଅଟନ୍ତି । ଏପରିକି ଅହଙ୍କାରୀ ଧର୍ମଗୁରୁ ଅର୍ଥାତ୍ ଫାରୂଶୀ ଓ ସାଦ୍ଦୂକୀମାନେ ମଧ୍ୟ ତାଙ୍କୁ ଦେଖିବା ପାଇଁ ଆସୁଥିଲେ । ଯୋହନ ସେମାନଙ୍କୁ କହିଲେ, ‘ତମମାନଙ୍କୁ ନିଜ ଜୀବନ ଶୈଳୀ ବଦଳାଇବାକୁ ପଡ଼ିବ ଏବଂ ପଶ୍ଚାତାପ କରିବାକୁ ପଡ଼ିବ । ଅବ୍ରହାମଙ୍କ ସନ୍ତାନ ଅଟୁ ବୋଲି ନିଜକୁ ଖାସ୍ ଭାବ ନାହିଁ । ଏହାର ଅର୍ଥ ଏହା ନୁହେଁ ଯେ ତମେ ଈଶ୍ୱରଙ୍କ ସନ୍ତାନ ଅଟ ।’
ଅନେକ ଲୋକ ଯୋହନଙ୍କ ପାଖକୁ ଆସି ପଚାରୁଥିଲେ, ‘ଈଶ୍ୱରଙ୍କୁ ଖୁସି କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?’ ଯୋହନ ସେମାନଙ୍କୁ କହିଲେ, ‘ଯଦି ତମମାନଙ୍କ ପାଖରେ ଦୁଇଟି କପଡ଼ା ଅଛି, ତାହେଲେ ଗୋଟିଏ କପଡ଼ା ଏପରି ବ୍ୟକ୍ତିଙ୍କୁ ଦିଅ ଯାହାର ଆବଶ୍ୟକ ଅଛି ।’ ଜାଣିଛ ସେ ଏପରି କାହିଁକି କହିଲେ ? ସେ ନିଜ ଶିଷ୍ୟମାନଙ୍କୁ ବୁଝାଇବା ପାଇଁ ଚାହୁଁଥିଲେ ଯେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ସେମାନଙ୍କୁ ଲୋକମାନଙ୍କୁ ପ୍ରେମ କରିବା ଉଚିତ୍ ।
ଯୋହନ କର ଆଦାୟ କରୁଥିବା ଲୋକମାନଙ୍କୁ କହିଲେ, ‘ସଚ୍ଚୋଟ ହୁଅ ଏବଂ କାହାରିକୁ ଧୋକା ଦିଅ ନାହିଁ ।’ ସେ ସୈନିକମାନଙ୍କୁ କହିଲେ, ‘ତମେମାନେ ଲାଞ୍ଚ ନିଅ ନାହିଁ ଏବଂ ମିଛ କୁହ ନାହିଁ ।’
ଯାଜକ ଓ ଲେବୀୟମାନେ ମଧ୍ୟ ଯୋହନଙ୍କ ପାଖକୁ ଆସି ପଚାରିଲେ, ‘ତମେ କିଏ ଅଟ ? ସମସ୍ତେ ଏହାର ଉତ୍ତର ଜାଣିବା ପାଇଁ ଚାହାନ୍ତି ।’ ଯୋହନ କହିଲେ, ‘ମୁଁ ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ସ୍ୱର ଅଟେ ଯିଏ ଲୋକମାନଙ୍କୁ ଯିହୋବାଙ୍କ ଆଡ଼କୁ ନେଇଯାଉଛି, ଠିକ୍ ଯେପରି ଯିଶାଇୟ ଭବିଷ୍ୟତବାଣୀ କରିଥିଲେ ।’
ଯୋହନ ଯାହା ଶିଖାଉଥିଲେ ତାହା ଲୋକମାନଙ୍କୁ ବହୁତ ଭଲ ଲାଗୁଥିଲା । ଅନେକ ଲୋକ ଭାବିଲେ ଯେ ଯୋହନ ହିଁ ସେହି ମସୀହ ତ ନୁହନ୍ତି । କିନ୍ତୁ ଯୋହନ ସେମାନଙ୍କୁ କହିଲେ, ‘ମୋଠାରୁ ବି ବଡ଼ କେହି ଆସିବା ପାଇଁ ଯାଉଛନ୍ତି । ମୁଁ ତାଙ୍କ ଜୋତାର ଫିତା ଖୋଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ମୁଁ ପାଣିରେ ବାପ୍ତିସ୍ମ ଦିଏ, କିନ୍ତୁ ସେ ପବିତ୍ର ଶକ୍ତିରେ ବାପ୍ତିସ୍ମ ଦେବେ ।’
“ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ ।”—ଯୋହନ ୧:୭