ପାଠ ୬୬
ଏଜ୍ରା ଈଶ୍ୱରଙ୍କ ବ୍ୟବସ୍ଥା ଶିଖାଇଲେ
ଅନେକ ଇସ୍ରାଏଲୀୟଙ୍କୁ ଯିରୂଶାଲମ ଫେରି ପ୍ରାୟ ୭୦ ବର୍ଷ ହୋଇଯାଇଥିଲା । କିନ୍ତୁ ଏବେ ବି କିଛି ଇସ୍ରାଏଲୀୟ ପାରସ୍ୟ ସାମ୍ରାଜ୍ୟର ଅଲଗା ଅଲଗା ଜାଗାଗୁଡ଼ିକରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଏଜ୍ରା । ଏଜ୍ରା ଜଣେ ଯାଜକ ଥିଲେ ଯିଏ ଲୋକମାନଙ୍କୁ ଯିହୋବାଙ୍କ ବ୍ୟବସ୍ଥା ଶିଖାଉଥିଲେ । ସେ ଶୁଣିଲେ ଯେ ଯିରୂଶାଲମର ଲୋକମାନେ ଈଶ୍ୱରଙ୍କ ବ୍ୟବସ୍ଥା ମାନୁ ନାହାନ୍ତି । ତେଣୁ ସେ ସେଠାରେ ଯାଇ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ । ପାରସ୍ୟର ରାଜା ଅର୍ତ୍ତକ୍ଷସ୍ତ ତାଙ୍କୁ କହିଲେ, ‘ଈଶ୍ୱର ତମକୁ ବୁଦ୍ଧି ଦେଇଛନ୍ତି ଯାହାଦ୍ୱାରା ତମେ ସେମାନଙ୍କୁ ବ୍ୟବସ୍ଥା ଶିଖାଇପାରିବ । ତମେ ଯିରୂଶାଲମକୁ ଯାଅ ଏବଂ ଯେ କେହି ତମ ସହିତ ଯିବା ପାଇଁ ଚାହାନ୍ତି ସେମାନଙ୍କୁ ବି ସାଙ୍ଗରେ ନେଇ ଯାଅ ।’ ଏଜ୍ରା ସେସମସ୍ତଙ୍କୁ ଭେଟିଲେ ଯେଉଁମାନେ ଯିରୂଶାଲମକୁ ଫେରିବା ପାଇଁ ଚାହୁଁଥିଲେ । ସେମାନେ ମିଶି ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ସେମାନଙ୍କୁ ଏହି ଲମ୍ବା ଯାତ୍ରାରେ ସୁରକ୍ଷିତ ରଖନ୍ତୁ । ତାʼପରେ ସେମାନେ ସମସ୍ତେ ଯାତ୍ରା ପାଇଁ ବାହାରି ପଡ଼ିଲେ ।
ଚାରି ମାସ ପରେ ସେମାନେ ଯିରୂଶାଲମକୁ ପହଞ୍ଚିଲେ । ସେଠାର ଅଧିପତିମାନେ ଏଜ୍ରାଙ୍କୁ କହିଲେ, ‘ଇସ୍ରାଏଲୀୟମାନେ ଯିହୋବାଙ୍କ ଆଜ୍ଞା ଭାଙ୍ଗିଲେ ଏବଂ ଏପରି ସ୍ତ୍ରୀମାନଙ୍କୁ ବିବାହ କଲେ ଯେଉଁମାନେ ମିଥ୍ୟା ଦେବତାମାନଙ୍କୁ ପୂଜା କରନ୍ତି ।’ ସେସମୟରେ ଏଜ୍ରା କʼଣ କଲେ ? ସେ ନିଜ ଲୋକମାନଙ୍କ ଆଗରେ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ‘ହେ ଯିହୋବା, ଆପଣ ଆମ ପାଇଁ କେତେ କʼଣ କଲେ, ତଥାପି ଆମେ ଆପଣଙ୍କ ବିରୁଦ୍ଧରେ ପାପ କଲୁ ।’ ଲୋକମାନେ ପଶ୍ଚାତାପ କଲେ, କିନ୍ତୁ ସେମାନେ ଏବେ ବି ସଠିକ୍ କାମ କରୁ ନ ଥିଲେ । ତେଣୁ ଏଜ୍ରା ମୁଖିଆମାନଙ୍କୁ ଓ ବିଚାରକର୍ତ୍ତାମାନଙ୍କୁ ବାଛିଲେ ଯାହାଦ୍ୱାରା ସେମାନେ ଏ ମାମଲାରେ କିଛି କରନ୍ତୁ । ଆସନ୍ତା ତିନି ମାସ ମଧ୍ୟରେ ସେସମସ୍ତଙ୍କୁ ପଠାଇ ଦିଆଗଲା ଯେଉଁମାନେ ଯିହୋବାଙ୍କ ଉପାସନା କରୁ ନ ଥିଲେ ।
ବାର ବର୍ଷ ବିତିଗଲା । ସେସମୟ ମଧ୍ୟରେ ଯିରୂଶାଲମର ପ୍ରାଚୀରଗୁଡ଼ିକ ପୁଣି ତିଆରି କରାଗଲା । ଏଜ୍ରା ଲୋକମାନଙ୍କୁ ଛକରେ ଏକାଠି କଲେ ଯାହାଦ୍ୱାରା ସେ ଈଶ୍ୱରଙ୍କ ବ୍ୟବସ୍ଥା ପଢ଼ି ଶୁଣାଇବେ । ଯେବେ ଏଜ୍ରା ବହି ଖୋଲିଲେ ତେବେ ଲୋକମାନେ ଛିଡ଼ା ହୋଇଗଲେ । ସେ ଯିହୋବାଙ୍କ ପ୍ରଶଂସା କଲେ ଏବଂ ଲୋକମାନେ ହାତ ଉପରକୁ ଉଠାଇ ଦେଖାଇଲେ ଯେ ସେମାନେ ତାଙ୍କ କଥାରେ ସହମତ ଅଛନ୍ତି । ତାʼପରେ ଏଜ୍ରା ଈଶ୍ୱରଙ୍କ ବ୍ୟବସ୍ଥା ପଢ଼ି ଲୋକମାନଙ୍କୁ ବୁଝାଇଲେ ଏବଂ ଲୋକମାନେ ଧ୍ୟାନର ସହ ଶୁଣିଲେ । ସେମାନେ ଏକଥା ମାନିଲେ ଯେ ସେମାନେ ପୁଣି ଯିହୋବାଙ୍କଠାରୁ ଦୂରେଇ ଯାଇଥିଲେ ଏବଂ ଦୁଃଖରେ କାନ୍ଦିଲେ । ଆରଦିନ ଏଜ୍ରା ସେମାନଙ୍କୁ ବ୍ୟବସ୍ଥାର ଆହୁରି କିଛି କଥାଗୁଡ଼ିକ ପଢ଼ି ଶୁଣାଇଲେ । ସେମାନଙ୍କୁ ଜଣାପଡ଼ିଲା ଯେ ଖୁବ୍ ଶୀଘ୍ର ସେମାନେ ‘ପତ୍ରକୁଟୀର ପର୍ବ’ ପାଳନ କରିବେ । ତେଣୁ ତୁରନ୍ତ ସେମାନେ ତାʼର ପ୍ରସ୍ତୁତି କରିବାକୁ ଲାଗିଲେ ।
ପର୍ବ ସାତ ଦିନର ଥିଲା । ସେସମୟରେ ଲୋକମାନେ ବହୁତ ଖୁସି ଥିଲେ । ତାʼସହ ଭଲ ଫସଲ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଲେ । ଯିହୋଶୂୟଙ୍କ ସମୟଠୁ ଏବେ ଯାଏ ଏପରି ‘ପତ୍ରକୁଟୀର ପର୍ବ’ ପାଳନ କରାଯାଇ ନ ଥିଲା । ପର୍ବ ପରେ ଲୋକମାନେ ଏକାଠି ହୋଇ ପ୍ରାର୍ଥନା କଲେ, ‘ହେ ଯିହୋବା, ଆପଣ ଆମକୁ ଦାସତ୍ୱରୁ ମୁକ୍ତ କଲେ, ପ୍ରାନ୍ତରରେ ଖାଇବା ପିଇବା ପାଇଁ ଦେଲେ ଏବଂ ଏହି ସୁନ୍ଦର ଦେଶ ଦେଲେ । କିନ୍ତୁ ଆମେ ବାରମ୍ବାର ଆପଣଙ୍କ ଆଜ୍ଞା ଭାଙ୍ଗିଲୁ । ଆପଣ ଆମକୁ ଚେତାବନୀ ଦେବା ପାଇଁ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ, କିନ୍ତୁ ଆମେ ସେମାନଙ୍କ କଥା ମାନିଲୁ ନାହିଁ । ତଥାପି ଆପଣ ଧୈର୍ଯ୍ୟ ଧରିଲେ । ଆପଣ ଅବ୍ରହାମଙ୍କୁ କରିଥିବା ନିଜ ପ୍ରତିଜ୍ଞା ପୂରା କଲେ । ଏବେ ଆମେ ପ୍ରତିଜ୍ଞା କରୁଛୁ ଯେ ଆମେ ଆପଣଙ୍କ ଆଜ୍ଞା ମାନିବୁ ।’ ସେମାନେ ନିଜ ପ୍ରତିଜ୍ଞା ଲେଖିଲେ ଏବଂ ଅଧିପତି, ଲେବୀୟ ଓ ଯାଜକମାନେ ତାହାକୁ ମୁଦ୍ରାଙ୍କିତ କଲେ ।
“ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।”—ଲୂକ ୧୧:୨୮