ପାଠ ୪୧
ଯୌନ ସମ୍ପର୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ?
ଅନେକ ଲୋକଙ୍କୁ ଯୌନ ସମ୍ପର୍କ ବା ସେକ୍ସ ବିଷୟରେ କଥା ହେବାକୁ ଲାଜ ଲାଗେ । କିନ୍ତୁ ବାଇବଲରେ ଏବିଷୟରେ ସ୍ପଷ୍ଟ ଭାବେ ଓ ଆଦରର ସହ କୁହାଯାଇଛି । ଏହି ପରାମର୍ଶଗୁଡ଼ିକୁ ମାନିଲେ ଆମର ହିଁ ଲାଭ ହୋଇଥାଏ । କାରଣ ଏହି ପରାମର୍ଶଗୁଡ଼ିକ ଆମ ସୃଷ୍ଟିକର୍ତ୍ତା ଯିହୋବା ଦେଇଛନ୍ତି । ତାଙ୍କଠୁ ବଢ଼ିଆ ପରାମର୍ଶ ଆଉ କେହି ଦେଇପାରିବେ ନାହିଁ । ତାଙ୍କ ପରାମର୍ଶ ମାନିଲେ ଆମେ ସବୁଦିନ ପାଇଁ ଖୁସିରେ ରହିପାରିବା ଏବଂ ତାଙ୍କ ହୃଦୟକୁ ମଧ୍ୟ ଖୁସି କରିପାରିବା ।
୧. ଯୌନ ସମ୍ପର୍କ ବିଷୟରେ ଯିହୋବା କʼଣ ଭାବନ୍ତି ?
ଯୌନ ସମ୍ପର୍କ ଯିହୋବାଙ୍କ ତରଫରୁ ମଣିଷମାନଙ୍କୁ ଦିଆଯାଇଥିବା ଏକ ଉପହାର ଭଳି ଅଟେ । ସେ ଚାହାନ୍ତି ଯେ ଜଣେ ପୁରୁଷ ଓ ସ୍ତ୍ରୀ ପରସ୍ପର ସହ ବିବାହ କଲାପରେ ହିଁ ଏହି ଉପହାରର ଆନନ୍ଦ ନିଅନ୍ତୁ । ଏହି ଉପହାର ଜରିଆରେ ସ୍ୱାମୀ ସ୍ତ୍ରୀ ପିଲା ଜନ୍ମ କରିପାରନ୍ତି । ତାʼସହ ସେମାନେ ପରସ୍ପର ପାଇଁ ନିଜ ପ୍ରେମ ଦେଖାଇପାରନ୍ତି ଓ ପରସ୍ପରକୁ ଖୁସି ଦେଇପାରନ୍ତି । ତେଣୁ ବାଇବଲରେ ଲେଖାଅଛି, “ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର ।” (ହିତୋପଦେଶ ୫:୧୮, ୧୯) ଯିହୋବା ଖ୍ରୀଷ୍ଟିୟାନମାନଙ୍କଠାରୁ ଚାହାନ୍ତି ଯେ ସେମାନେ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ । ତେଣୁ ସେମାନେ ବ୍ୟଭିଚାର କରିବେ ନାହିଁ ଅର୍ଥାତ୍ ଅନ୍ୟ କାହାରି ସହ ଯୌନ ସମ୍ପର୍କ ରଖିବେ ନାହିଁ ।—ଏବ୍ରୀ ୧୩:୪ ପଢ଼ନ୍ତୁ ।
୨. ଅନୈତିକ ଯୌନ ସମ୍ପର୍କର ଅର୍ଥ କʼଣ ?
ବାଇବଲରେ ଲେଖାଅଛି, ‘ବ୍ୟଭିଚାରୀମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।’ (୧ କରିନ୍ଥୀୟ ୬:୯, ୧୦) ବାଇବଲର ଲେଖକମାନେ ଅନୈତିକ ଯୌନ ସମ୍ପର୍କ ପାଇଁ ଯେଉଁ ଗ୍ରୀକ୍ ଶବ୍ଦ ବ୍ୟବହାର କଲେ ତାହା ହେଉଛି, ପୋର୍ନିଆ । ଏହି ଶବ୍ଦରେ ଏକଥାଗୁଡ଼ିକ ସାମିଲ୍: (୧) ଏପରି ଦୁଇଜଣ ଲୋକଙ୍କ ମଧ୍ୟରେ ଯୌନ ସମ୍ପର୍କ ଯେଉଁମାନେ ପରସ୍ପରକୁ ବିବାହ କରି ନାହାନ୍ତି, a (୨) ସମଲିଙ୍ଗୀ ସମ୍ପର୍କ ଏବଂ (୩) ପଶୁମାନଙ୍କ ସହ ଯୌନ ସମ୍ପର୍କ । ଯେତେବେଳେ ଆମେ ‘ବ୍ୟଭିଚାରରୁ ପୃଥକ୍ ରହୁ’ ବା ଦୂରେଇ ରହୁ, ସେତେବେଳେ ଆମେ ଯିହୋବାଙ୍କ ହୃଦୟକୁ ଖୁସି କରିଥାଉ ଏବଂ ଏଥିରୁ ଆମର ହିଁ ଲାଭ ହୋଇଥାଏ ।—୧ ଥେସଲନୀକୀୟ ୪:୩.
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଆପଣ ଅନୈତିକ ଯୌନ ସମ୍ପର୍କରୁ କିପରି ଦୂରେଇ ରହିପାରିବେ ଏବଂ ନିଜ ଚାଲିଚଳନ ଶୁଦ୍ଧ ରଖିଲେ ଆପଣଙ୍କୁ କʼଣ ଲାଭ ହେବ ।
୩. ଅନୈତିକ ଯୌନ ସମ୍ପର୍କଠାରୁ ପୂରାପୂରି ଦୂରେଇ ରହନ୍ତୁ
ଯୋଷେଫ ଇଶ୍ୱରଙ୍କ ଜଣେ ବିଶ୍ୱସ୍ତ ସେବକ ଥିଲେ । ତାଙ୍କୁ ନିଜ ଚାଲିଚଳନ ଶୁଦ୍ଧ ରଖିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଲା । ଆଦି ପୁସ୍ତକ ୩୯:୧-୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
ଯୋଷେଫ କାହିଁକି ସେଠାରୁ ତୁରନ୍ତ ପଳାଇଲେ ?—ପଦ ୯ ଦେଖନ୍ତୁ ।
-
କʼଣ ଆପଣଙ୍କୁ ଲାଗେ ଯେ ଯୋଷେଫ ଯାହା କଲେ ତାହା ଠିକ୍ ଥିଲା ? ଆପଣ ଏପରି କାହିଁକି କହିବେ ?
ଆଜି ଯୁବାମାନେ କିପରି ଯୋଷେଫଙ୍କ ଭଳି ଅନୈତିକ ଯୌନ ସମ୍ପର୍କରୁ ପୂରାପୂରି ଦୂରେଇ ରହିପାରିବେ ? ଭିଡିଓ ଦେଖନ୍ତୁ ।
ଯିହୋବା ଆମ ସମସ୍ତଙ୍କଠାରୁ ଚାହାନ୍ତି ଯେ ଆମେ ଅନୈତିକ ଯୌନ ସମ୍ପର୍କଠାରୁ ପୂରାପୂରି ଦୂରେଇ ରହୁ । ୧ କରିନ୍ଥୀୟ ୬:୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
ଆପଣ କʼଣ ଭାବନ୍ତି, ଏପରି କେଉଁ ପରିସ୍ଥିତିଗୁଡ଼ିକରେ ଜଣେ ବ୍ୟକ୍ତି ଅନୈତିକ ଯୌନ ସମ୍ପର୍କର ଫାନ୍ଦରେ ପଡ଼ିପାରେ ?
-
ଆପଣ ଅନୈତିକ ଯୌନ ସମ୍ପର୍କଠାରୁ କିପରି ଦୂରେଇ ରହିପାରିବେ ?
୪. ଆପଣ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ କାଢ଼ିପାରିବେ
ଆମେ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ କାଢ଼ିବା ଏବଂ ଅନୈତିକ ଯୌନ ସମ୍ପର୍କରୁ ଦୂରେଇ ରହିବା ପାଇଁ ଚାହୁଁ । କିନ୍ତୁ କେଉଁ କାରଣଗୁଡ଼ିକ ଯୋଗୁଁ ଏପରି କରିବା ଆମ ପାଇଁ କଠିନ ହୋଇପାରେ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
-
ଯେତେବେଳେ ଭାଇଙ୍କୁ ଜଣାପଡ଼ିଲା ଯେ ସେ ଯାହା ଭାବୁଛନ୍ତି ଓ ଯାହା କାମ କରୁଛନ୍ତି, ତାʼଯୋଗୁଁ ହୁଏତ ସେ ଆଗକୁ ଯାଇ ନିଜ ସ୍ତ୍ରୀଙ୍କ ସହ ବିଶ୍ୱାସଘାତ କରିପାରନ୍ତି, ସେତେବେଳେ ସେ କʼଣ କଲେ ?
ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ବେଳେ ବେଳେ ନିଜ ମନକୁ ଶୁଦ୍ଧ ରଖିବା କଠିନ ଲାଗିପାରେ । ଆପଣ କʼଣ କରିପାରିବେ, ଯାହାଫଳରେ ଆପଣ ଖରାପ କଥାଗୁଡ଼ିକ ବିଷୟରେ ଭାବିବେ ନାହିଁ ? ଫିଲିପ୍ପୀୟ ୪:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
ଆମକୁ କେଉଁ କଥାଗୁଡ଼ିକ ବିଷୟରେ ଭାବିବା ଉଚିତ୍ ?
-
ବାଇବଲ ପଢ଼ିବା ଓ ଯିହୋବାଙ୍କ ସେବାରେ ବ୍ୟସ୍ତ ରହିବା ଦ୍ୱାରା ଆପଣ କେଉଁ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ କାଢ଼ିପାରିବେ ଏବଂ ପାପ କରିବାଠାରୁ ଦୂରେଇ ରହିପାରିବେ ?
୫. ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିଲେ ଆମକୁ ଲାଭ ହୁଏ
ଯିହୋବା ଜାଣନ୍ତି ଯେ ଆମ ପାଇଁ ସବୁଠୁ ଭଲ କʼଣ । ସେ କହିଛନ୍ତି ଯେ ଆମେ ନିଜ ଚାଲିଚଳନକୁ କିପରି ଶୁଦ୍ଧ ରଖିପାରିବା ଏବଂ ଏଥିରୁ ଆମକୁ କʼଣ କʼଣ ଲାଭ ହେବ । ହିତୋପଦେଶ ୭:୭-୨୭ ପଢ଼ନ୍ତୁ କିମ୍ବା ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
-
ସେହି ଯୁବା ଜଣକ କʼଣ କଲେ ଯାହାଦ୍ୱାରା ସେ ପ୍ରଲୋଭନରେ ପଡ଼ିଲେ ?—ହିତୋପଦେଶ ୭:୮, ୯ ଦେଖନ୍ତୁ ।
-
ହିତୋପଦେଶ ୭:୨୩, ୨୬ ପଦରେ କୁହାଯାଇଛି ଯେ ଅନୈତିକ ଯୌନ ସମ୍ପର୍କ ରଖିଲେ କʼଣ କʼଣ ଖରାପ ପରିଣାମ ହୋଇପାରେ । ଯଦି ଆମେ ନିଜ ଚାଲିଚଳନ ଶୁଦ୍ଧ ରଖିବା, ତାହେଲେ ଆମେ କେଉଁ କେଉଁ ସମସ୍ୟାରୁ ବଞ୍ଚିପାରିବା ?
-
ଯଦି ଆମେ ସବୁଦିନ ପାଇଁ ଖୁସିରେ ରହିବାକୁ ଚାହୁଁ, ତାହେଲେ ଶୁଦ୍ଧ ଚାଲିଚଳନ ରଖିବା କାହିଁକି ଜରୁରୀ ?
ବାଇବଲରେ ସମଲିଙ୍ଗୀ ସମ୍ପର୍କ ବିଷୟରେ ଯାହା କୁହାଯାଇଛି, ତାʼଯୋଗୁଁ କିଛି ଲୋକ ଭାବନ୍ତି ଯେ ଈଶ୍ୱର ଏପରି ଲୋକମାନଙ୍କୁ ଘୃଣା କରନ୍ତି । କିନ୍ତୁ ଏହା ସତ ନୁହେଁ । ଯିହୋବା ପ୍ରେମ କରୁଥିବା ଈଶ୍ୱର ଅଟନ୍ତି ଏବଂ ସେ ଚାହାନ୍ତି ଯେ ଆମେ ସମସ୍ତେ ସବୁଦିନ ପାଇଁ ଖୁସିରେ ରହୁ । କିନ୍ତୁ ଏପରି ଜୀବନ ପାଇବା ପାଇଁ ଆମକୁ ତାଙ୍କ ସ୍ତରଗୁଡ଼ିକୁ ମାନିବାକୁ ପଡ଼ିବ । ୧ କରିନ୍ଥୀୟ ୬:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
-
କʼଣ ଈଶ୍ୱରଙ୍କ ଦୃଷ୍ଟିରେ କେବଳ ସମଲିଙ୍ଗୀ ଇଚ୍ଛାଗୁଡ଼ିକ ହିଁ ଭୁଲ ଅଟେ ?
ଈଶ୍ୱରଙ୍କୁ ଖୁସି କରିବାକୁ ହେଲେ ଆମ ସମସ୍ତଙ୍କୁ ନିଜଠାରେ କିଛି ନା କିଛି ପରିବର୍ତ୍ତନ କରିବାକୁ ପଡ଼ିବ ଏବଂ ଏଥିରେ ପରିଶ୍ରମ ମଧ୍ୟ ଲାଗେ । କିନ୍ତୁ ଏପରି କଲେ କʼଣ ଆମକୁ କିଛି ଲାଭ ହେବ ? ଗୀତସଂହିତା ୧୯:୮, ୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
-
ଆପଣଙ୍କୁ କʼଣ ଲାଗେ, ଯିହୋବା ଦେଇଥିବା ନୈତିକ ସ୍ତରଗୁଡ଼ିକୁ ମାନିବା ଠିକ୍ ହେବ ? ଆପଣ ଏପରି କାହିଁକି କହନ୍ତି ?
କିଛି ଲୋକ କହନ୍ତି: “ଯଦି ଆପଣ କାହାରିକୁ ପ୍ରେମ କରନ୍ତି, ତାହେଲେ ସେ ଯିଏ ବି ହୋଇଥାଉ ନା କାହିଁକି ଆପଣ ତାʼସହ ସମ୍ପର୍କ ରଖିପାରିବେ ।”
-
ଆପଣ କʼଣ ଉତ୍ତର ଦେବେ ?
ଆମେ କʼଣ ଶିଖିଲୁ ?
ଯୌନ ସମ୍ପର୍କ ଯିହୋବାଙ୍କ ତରଫରୁ ଆମମାନଙ୍କ ପାଇଁ ଏକ ଉପହାର ଭଳି ଅଟେ । ସେ ଚାହାନ୍ତି ଯେ କେବଳ ସ୍ୱାମୀ ସ୍ତ୍ରୀ ଏହାର ଆନନ୍ଦ ନିଅନ୍ତୁ ।
ଆପଣ କʼଣ କହିବେ ?
-
ଅନୈତିକ ଯୌନ ସମ୍ପର୍କରେ କʼଣ କʼଣ ସାମିଲ୍ ଅଛି ?
-
ଆମେ ଅନୈତିକ ଯୌନ ସମ୍ପର୍କରୁ କିପରି ଦୂରେଇ ରହିପାରିବା ?
-
ଯିହୋବା ଦେଇଥିବା ନୈତିକ ସ୍ତରଗୁଡ଼ିକୁ ମାନିଲେ ଆମକୁ କʼଣ ଲାଭ ହୁଏ ?
ଅଧିକ ଜାଣନ୍ତୁ
କʼଣ ଜଣେ ସ୍ତ୍ରୀ ଓ ପୁରୁଷ ବିବାହ ନ କରି ସାଙ୍ଗରେ ରହିପାରିବେ ? ଏବିଷୟରେ ଈଶ୍ୱର କʼଣ ଭାବନ୍ତି ? ଆସନ୍ତୁ ଜାଣିବା ।
“ବିବାହ ନ କରି ସାଙ୍ଗରେ ରହିବା ବିଷୟରେ ବାଇବଲ କʼଣ କହେ ?” (jw.org ୱେବସାଇଟ୍ରେ ଥିବା ଲେଖା)
ବାଇବଲରେ ସମଲିଙ୍ଗୀ ସମ୍ପର୍କକୁ ଭୁଲ ବୋଲି କୁହାଯାଇଛି । କିନ୍ତୁ କʼଣ ତା ଅର୍ଥ ଆମେ ସମଲିଙ୍ଗୀ ଲୋକମାନଙ୍କୁ ଘୃଣା କରିବା କଥା ? ଆସନ୍ତୁ ଜାଣିବା ।
“କʼଣ ସମଲିଙ୍ଗୀ ସମ୍ପର୍କ ଭୁଲ ଅଟେ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଜାଣନ୍ତୁ ଯେ ସେକ୍ସ ବିଷୟରେ ଈଶ୍ୱର ଯେଉଁ ନିୟମ ଦେଇଛନ୍ତି, ସେଥିରୁ କିପରି ଆମକୁ ସୁରକ୍ଷା ମିଳେ ।
“କʼଣ ମୁଖ ଗହ୍ୱର ଯୌନକ୍ରିୟା (ଓରାଲ ସେକ୍ସ) ସତରେ ସେକ୍ସ ଅଟେ ?” (jw.org ୱେବସାଇଟ୍ରେ ଥିବା ଲେଖା)
“ସେମାନେ ମୋ ସହିତ ଆଦରର ସହ ବ୍ୟବହାର କଲେ,” ଏହି କାହାଣୀ ପଢ଼ନ୍ତୁ ଓ ଜାଣନ୍ତୁ ଯେ ଜଣେ ସମଲିଙ୍ଗୀ ବ୍ୟକ୍ତି କାହିଁକି ଯିହୋବାଙ୍କୁ ଖୁସି କରିବା ପାଇଁ ନିଜକୁ ପରିବର୍ତ୍ତନ କଲେ ।
a ଯୌନ ସମ୍ପର୍କ ଛଡ଼ା ପୋର୍ନିଆ ଶବ୍ଦରେ ଆଉ କିଛି ଖରାପ କାମଗୁଡ଼ିକ ମଧ୍ୟ ସାମିଲ୍ । ଯେପରି, ମୁଖ ଗହ୍ୱର ଯୌନକ୍ରିୟା (ଓରାଲ ସେକ୍ସ), ମଳଦ୍ୱାର ଯୌନକ୍ରିୟା (ଏନାଲ ସେକ୍ସ) ଏବଂ ଯୌନ ଉତ୍ତେଜନା ବଢ଼ାଇବା ପାଇଁ ଖରାପ ଉଦ୍ଦେଶ୍ୟରେ କାହାରି ଗୁପ୍ତାଙ୍ଗକୁ ଛୁଇଁବା କିମ୍ବା କାହାରି ଗୁପ୍ତାଙ୍ଗ ସହ ଖେଳିବା ।