इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୯

ଗୀତ ୫୧ କରୁ ଜୀବନ ସମର୍ପଣ

ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ

ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ

“ତୁମ୍ଭେ କାହିଁକି ବିଳମ୍ବ କରୁଅଛ ? ଉଠ, ବାପ୍ତିଜିତ ହୁଅ ।”ପ୍ରେରି. ୨୨:୧୬.

କʼଣ ଶିଖିବା ?

ଆମେ ଶମିରୋଣୀୟମାନଙ୍କ, ତାର୍ଷରେ ରହୁଥିବା ଶାଉଲ, କର୍ଣ୍ଣିଲୀୟ ଓ କରିନ୍ଥର ଲୋକମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା । ଏହି ଉଦାହରଣଗୁଡ଼ିକୁ ଧ୍ୟାନ ଦେଲେ ଆପଣଙ୍କୁ ବାପ୍ତିସ୍ମ ନେବା ପାଇଁ ସାହସ ମିଳିବ ।

୧. ଆପଣଙ୍କୁ କାହିଁକି ବାପ୍ତିସ୍ମ ନେବା ଉଚିତ୍‌ ?

 କʼଣ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଯିଏ ଆପଣଙ୍କୁ ଅନେକ ବଢ଼ିଆ ଉପହାର ଓ ଜୀବନ ଦେଇଛନ୍ତି ? କʼଣ ଆପଣ ଯିହୋବାଙ୍କୁ ନିଜର ଏହି ପ୍ରେମ ଦେଖାଇବା ପାଇଁ ଚାହାନ୍ତି ? ଏପରି କରିବାର ଗୋଟିଏ ବଢ଼ିଆ ଉପାୟ ହେଉଛି ଯେ ଆପଣ ନିଜ ଜୀବନ ତାଙ୍କୁ ସମର୍ପଣ କରିବେ ଓ ବାପ୍ତିସ୍ମ ନେବେ । ଏପରି କଲେ ଆପଣ ଯିହୋବାଙ୍କ ପରିବାରର ସଦସ୍ୟ ହୋଇଯିବେ ଓ ସେ ଆପଣଙ୍କର ପିତା ଓ ସାଙ୍ଗ ହୋଇଯିବେ । ସେ ଆପଣଙ୍କୁ ସଠିକ୍‌ ବାଟ ଦେଖାଇବେ ଓ ଆପଣଙ୍କର ଯତ୍ନ ନେବେ, କାରଣ ଆପଣ ଯିହୋବାଙ୍କର ଅତି ଆପଣାର ହୋଇଯିବେ । (ଗୀତ. ୭୩:୨୪; ଯିଶା. ୪୩:୧, ୨) ସମର୍ପଣ କଲେ ଓ ବାପ୍ତିସ୍ମ ନେଲେ ଆପଣଙ୍କୁ ଅନନ୍ତ ଜୀବନର ଆଶା ବି ମିଳିବ ।—୧ ପିତ. ୩:୨୧.

୨. ଆମେ ଏହି ଲେଖାରେ କʼଣ ଜାଣିବା ?

ଯଦି ଆପଣ କୌଣସି କାରଣ ଯୋଗୁଁ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି, ତାହେଲେ ମନେ ରଖନ୍ତୁ ଯେ ଆପଣ ଏକୁଟିଆ ଏପରି ବ୍ୟକ୍ତି ନୁହଁନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ବି ଏପରି ହିଁ ଲାଗେ । ତଥାପି ସେମାନେ ବାପ୍ତିସ୍ମ ନେବା ପାଇଁ ନିଜର ଚାଲିଚଳନ ଓ ଚିନ୍ତାଧାରାରେ ପରିବର୍ତ୍ତନ କରିଛନ୍ତି । ଏବେ ସେମାନେ ଖୁସିର ସହ ଓ ପୂରା ଉତ୍ସାହର ସହିତ ଯିହୋବାଙ୍କର ସେବା କରୁଛନ୍ତି । ଆସନ୍ତୁ ଆମେ ଏପରି ଲୋକମାନଙ୍କ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେବା, ଯେଉଁମାନେ ପ୍ରଥମ ଶତାବ୍ଦୀରେ ବାପ୍ତିସ୍ମ ନେଇଥିଲେ । ଆମେ ଜାଣିବା ଯେ ସେମାନେ କେଉଁ ବାଧାଗୁଡ଼ିକୁ ସାମନା କଲେ ଏବଂ ଆମେ ସେମାନଙ୍କଠାରୁ କʼଣ ଶିଖିପାରିବା ।

ଶମିରୋଣୀୟମାନେ ବାପ୍ତିସ୍ମ ନେଲେ

୩. କିଛି ଶମିରୋଣୀୟମାନଙ୍କୁ କେଉଁ ବାଧାଗୁଡ଼ିକୁ ସାମନା କରିବା ଜରୁରୀ ଥିଲା ?

ଯୀଶୁଙ୍କ ସମୟରେ ଶମିରୋଣୀୟମାନେ ଗୋଟିଏ ଧାର୍ମିକ ସମ୍ପ୍ରଦାୟ ସହ ଜଡ଼ିତ ଥିଲେ । ସେହି ସମ୍ପ୍ରଦାୟର ଲୋକେ ଯିହୁଦାର ଉତ୍ତରରେ ଶିଖିମ ଓ ଶମିରୋଣର ଆଖପାଖ ଅଞ୍ଚଳରେ ରହୁଥିଲେ । ଶମିରୋଣୀୟମାନଙ୍କୁ ବାପ୍ତିସ୍ମ ନେବା ପୂର୍ବରୁ ଈଶ୍ୱରଙ୍କ ବାକ୍ୟ ବିଷୟରେ ଭଲଭାବେ ଜାଣିବା ଜରୁରୀ ଥିଲା । ଏପରି କାହିଁକି ? କାରଣ ଶମିରୋଣୀୟମାନେ ବିଶ୍ୱାସ କରୁଥିଲେ ଯେ ବାଇବଲର କେବଳ ପ୍ରଥମ ପାଞ୍ଚଟି ବହି ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଛି, ଅର୍ଥାତ୍‌ ଆଦି ପୁସ୍ତକରୁ ଦ୍ୱିତୀୟ ବିବରଣ ଯାଏଁ । ସେମାନେ ହୁଏତ ଯିହୋଶୂୟ ବହି ବିଷୟରେ ମଧ୍ୟ ଏପରି ହିଁ ମାନୁଥିଲେ । ଶମିରୋଣୀୟମାନେ ଈଶ୍ୱର ପ୍ରତିଜ୍ଞା କରିଥିବା ମସୀହଙ୍କ ଅପେକ୍ଷାରେ ଥିଲେ, ଯାହାଙ୍କ ବିଷୟରେ ଦ୍ୱିତୀୟ ବିବରଣ ୧୮:୧୮, ୧୯ ପଦରେ ଲେଖାଅଛି । (ଯୋହ. ୪:୨୫) କିନ୍ତୁ ବାପ୍ତିସ୍ମ ନେବା ପାଇଁ ସେମାନଙ୍କୁ ଏହି କଥା ଉପରେ ବିଶ୍ୱାସ କରିବା ଜରୁରୀ ଥିଲା ଯେ ଯୀଶୁ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଅଟନ୍ତି ଏବଂ “ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ” ତାହାଙ୍କଠାରେ ବିଶ୍ୱାସ କଲେ । (ଯୋହ. ୪:୩୯) କିନ୍ତୁ କିଛି ଶମିରୋଣୀୟମାନଙ୍କୁ ଯୀଶୁଙ୍କ ଉପରେ ବିଶ୍ୱାସ କରିବା କଠିନ ଲାଗିଥିବ, କାରଣ ସେମାନେ ଯିହୁଦୀମାନଙ୍କ ସହ ମିଳାମିଶା କରୁ ନ ଥିଲେ ଓ ସେମାନଙ୍କ ସହ ଭେଦଭାବ କରୁଥିଲେ ।—ଲୂକ ୯:୫୨-୫୪.

୪. ଯେବେ ଫିଲିପ୍ପ ଶମିରୋଣୀୟମାନଙ୍କୁ ପ୍ରଚାର କଲେ, ତେବେ ସେମାନଙ୍କ ମଧ୍ୟରୁ କିଛି ଲୋକ କʼଣ କଲେ ? (ପ୍ରେରିତ ୮:୫, ୬, ୧୪)

ଶମିରୋଣୀୟମାନଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ? ପ୍ରଚାରକ ଫିଲିପ୍ପ ଯେବେ ଶମିରୋଣୀୟମାନଙ୍କୁ ‘ଖ୍ରୀଷ୍ଟଙ୍କ ବିଷୟରେ ଘୋଷଣା କରିବାକୁ ଲାଗିଲେ,’ ତେବେ କିଛି ଶମିରୋଣୀୟମାନେ “ଈଶ୍ୱରଙ୍କ ବାକ୍ୟ ଗ୍ରହଣ” କଲେ । (ପ୍ରେରିତ ୮:୫, ୬, ୧୪ ପଢ଼ନ୍ତୁ ।) ଫିଲିପ୍ପ ଜଣେ ଯିହୁଦୀ ଥିଲେ, ତଥାପି ସେମାନେ ଧ୍ୟାନର ସହ ତାଙ୍କ କଥା ଶୁଣିଲେ । କାରଣ ହୁଏତ ସେମାନଙ୍କୁ ସେହି ପାଞ୍ଚଟି ବହିରେ ଦିଆଯାଇଥିବା ସେହି ପଦଗୁଡ଼ିକ ମନେ ପଡ଼ିଥିବ, ଯେଉଁଠାରେ କୁହାଯାଇଛି ଯେ ଈଶ୍ୱର କାହାରି ସହିତ ଭେଦଭାବ କରନ୍ତି ନାହିଁ । (ଦ୍ୱିବି. ୧୦:୧୭-୧୯) କାରଣ ଯାହା ବି ହୋଇଥାଉ ନା କାହିଁକି, ଯେବେ ଫିଲିପ୍ପ ସେମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ତେବେ ସେମାନେ ତାଙ୍କ ‘କଥା ଶୁଣିଲେ ।’ ଫିଲିପ୍ପ ଅନେକ ଚମତ୍କାର ବି କରିଥିଲେ, ଯେପରି—ସେ ରୋଗୀମାନଙ୍କୁ ସୁସ୍ଥ କରିଥିଲେ ଏବଂ ଲୋକମାନଙ୍କ ଭିତରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ କାଢ଼ିଥିଲେ । (ପ୍ରେରି. ୮:୭) ତାଙ୍କ କଥା ଓ କାମରୁ ସେମାନେ ବୁଝିଗଲେ ଯେ ଈଶ୍ୱର ହିଁ ତାଙ୍କୁ ପଠାଇଛନ୍ତି ।

୫. ଆପଣ ଶମିରୋଣୀୟମାନଙ୍କଠାରୁ କʼଣ ଶିଖିଲେ ?

ଶମିରୋଣୀୟମାନେ ଫିଲିପ୍ପଙ୍କ କଥା ଶୁଣିବା ପାଇଁ ମନା କରିପାରିଥାʼନ୍ତେ, କାରଣ ସେ ଜଣେ ଯିହୁଦୀ ଥିଲେ । କିମ୍ବା ହୁଏତ ସେମାନେ ଏହା ବି ଭାବିଥାʼନ୍ତେ ଯେ ଫିଲିପ୍ପ ସେମାନଙ୍କୁ ଭିନ୍ନ କଥା ଶିଖାଉଛନ୍ତି । କିନ୍ତୁ ସେମାନେ ଏପରି ଭାବିଲେ ନାହିଁ । ଯେବେ ସେମାନଙ୍କୁ ଏହା ବିଶ୍ୱାସ ହୋଇଗଲା ଯେ ଫିଲିପ୍ପ ଯାହା ଶିଖାଉଛନ୍ତି ତାହା ସତ, ତେବେ ସେମାନେ ଡେରି ନ କରି ତୁରନ୍ତ ପଦକ୍ଷେପ ନେଲେ । ବାଇବଲରେ ଲେଖାଅଛି, “ଫିଲିପ୍ପ ଈଶ୍ୱରଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟକ ସୁସମାଚାର ପ୍ରଚାର କରିବାରୁ ସେମାନେ ଯେତେବେଳେ ତାଙ୍କ କଥାରେ ବିଶ୍ୱାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀ ଉଭୟ ବାପ୍ତିଜିତ ହେବାକୁ ଲାଗିଲେ ।” (ପ୍ରେରି. ୮:୧୨) କʼଣ ଆପଣ ବି ଈଶ୍ୱରଙ୍କ ବାକ୍ୟ ସତ୍ୟ ବୋଲି ବିଶ୍ୱାସ କରନ୍ତି ? କʼଣ ଆପଣ ଏହା ବି ବିଶ୍ୱାସ କରନ୍ତି ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଅଛି, ତାହା ଯୀଶୁଙ୍କ ଶିଷ୍ୟମାନଙ୍କ ପରିଚୟ ଏବଂ ସେମାନେ କାହାରି ସହ ଭେଦଭାବ କରନ୍ତି ନାହିଁ ? (ଯୋହ. ୧୩:୩୫) ଯଦି ଆପଣ ଏହି କଥାଗୁଡ଼ିକ ଉପରେ ବିଶ୍ୱାସ କରନ୍ତି ତାହେଲେ ବାପ୍ତିସ୍ମ ନେବା ପାଇଁ ବିଳମ୍ବ କରନ୍ତୁ ନାହିଁ । ଭରସା ରଖନ୍ତୁ, ଯିହୋବା ଏହା ପାଇଁ ଆପଣଙ୍କୁ ଅନେକ ଆଶିଷ ଦେବେ ।

୬. ରୁବେନଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

ଜର୍ମାନୀରେ ରହୁଥିବା ଭାଇ ରୁବେନଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ ଗୋଟିଏ ସାକ୍ଷୀ ପରିବାରରେ ବଡ଼ ହୋଇଥିଲେ । ଯୁବା ସମୟରେ ତାଙ୍କୁ ସନ୍ଦେହ ହେଲା ଯେ ଯିହୋବା ସତରେ ଅଛନ୍ତି ନା ନାହାନ୍ତି । ନିଜ ସନ୍ଦେହ ଦୂର କରିବା ପାଇଁ ସେ କʼଣ କଲେ ? ସେ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କଲେ ଓ ଏବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କଲେ । ସେ କହନ୍ତି, “ବ୍ୟକ୍ତିଗତ ଅଧ୍ୟୟନ କରିବା ସମୟରେ ମୁଁ ସତ କʼଣ, ତାହା ଜାଣିବା ପାଇଁ ଚେଷ୍ଟା କଲି । ତେଣୁ ମୁଁ ଅନେକ ଥର ପ୍ରକାଶନଗୁଡ଼ିକରେ ବିବର୍ତ୍ତନ ବିଷୟରେ ପଢ଼ିଲି ।” ରୁବେନ ଆମର ଗୋଟିଏ ବହି ପଢ଼ିଲେ ଯେଉଁଥିରେ କୁହାଯାଇଥିଲା ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି ଯିଏ ଆମର ବହୁତ ଚିନ୍ତା କରନ୍ତି । a ଏହି ବହିରୁ ରୁବେନଙ୍କୁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା ପାଇଁ ସାହାଯ୍ୟ ମିଳିଲା । ସେ ଭାବିଲେ, ‘ହଁ, ଯିହୋବା ତ ସତରେ ଅଛନ୍ତି ।’ ସେ ଆମର ବିଶ୍ୱ ମୁଖ୍ୟାଳୟକୁ ବି ବୁଲିବା ପାଇଁ ଗଲେ । ସେଠାରେ ସେ ଦେଖିଲେ ଯେ ଭିନ୍ନ ଭିନ୍ନ ଦେଶର ଆମ ଭାଇଭଉଣୀମାନେ ଗୋଟିଏ ପରିବାର ଭଳି ମିଶିକି ଯିହୋବାଙ୍କ ସେବା କରୁଛନ୍ତି । ଏହି କଥା ତାଙ୍କ ହୃଦୟକୁ ଛୁଇଁଗଲା । ଜର୍ମାନୀ ଫେରିବା ପରେ ସେ ୧୭ ବର୍ଷ ବୟସରେ ବାପ୍ତିସ୍ମ ନେଲେ । ଯଦି ଆପଣଙ୍କ ମନରେ କୌଣସି କଥାକୁ ନେଇ ସନ୍ଦେହ ହୁଏ, ତେବେ ଆପଣ ବି ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରନ୍ତୁ । ଆପଣ ସଠିକ୍‌ “ଜ୍ଞାନ” ନେବା ଦ୍ୱାରା ନିଜ ସନ୍ଦେହ ଦୂର କରିପାରିବେ । (ଏଫି. ୪:୧୩, ୧୪) ଯେବେ ଆପଣ ଶୁଣିବେ ଓ ଜାଣିବେ ଯେ ଭିନ୍ନ ଭିନ୍ନ ଦେଶର ଭାଇଭଉଣୀମାନଙ୍କ ମଧ୍ୟରେ କିପରି ପ୍ରେମ ଓ ଏକତା ଅଛି ଏବଂ ଆପଣ ନିଜେ ଏହାକୁ ମଣ୍ଡଳୀରେ ଅନୁଭବ କରିବେ, ତେବେ ଯିହୋବାଙ୍କ ପରିବାର ପାଇଁ ଆପଣଙ୍କ ପ୍ରେମ ଆହୁରି ବଢ଼ିଯିବ ।

ତାର୍ଷରେ ରହୁଥିବା ଶାଉଲ ବାପ୍ତିସ୍ମ ନେଲେ

୭. ଶାଉଲଙ୍କୁ କାହିଁକି ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରିବାର ଥିଲା ?

ତାର୍ଷରେ ରହୁଥିବା ଶାଉଲଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଶାଉଲଙ୍କର ଯିହୁଦୀ ବ୍ୟବସ୍ଥା ବିଷୟରେ ବହୁତ ଜ୍ଞାନ ଥିଲା ଓ ନିଜ ଲୋକମାନଙ୍କ ମଧ୍ୟରେ ତାଙ୍କର ଭଲ ନାମ ଥିଲା । (ଗାଲା. ୧:୧୩, ୧୪; ଫିଲିପ୍‌. ୩:୫) ଯେବେ ଅନେକ ଯିହୁଦୀ, ଖ୍ରୀଷ୍ଟିୟାନମାନଙ୍କୁ ଧର୍ମତ୍ୟାଗୀ ଭାବୁଥିଲେ ତେବେ ଶାଉଲ ବହୁତ ରାଗି ଯାଇ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ । ସେ ଭାବିଲେ ଯେ ଏପରି କରି ସେ ଈଶ୍ୱରଙ୍କୁ ଖୁସି କରୁଛନ୍ତି । (ପ୍ରେରି. ୮:୩; ୯:୧, ୨; ୨୬:୯-୧୧) କିନ୍ତୁ ତାଙ୍କୁ ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରିବାର ଥିଲା । ଯୀଶୁଙ୍କ ଉପରେ ବିଶ୍ୱାସ କରିବା ପାଇଁ ଓ ବାପ୍ତିସ୍ମ ନେଇ ଜଣେ ଖ୍ରୀଷ୍ଟିୟାନ ହେବା ପାଇଁ ତାଙ୍କୁ ନିଜେ ହିଁ ଅତ୍ୟାଚାର ସହିବା ପାଇଁ ପ୍ରସ୍ତୁତ ରହିବାର ଥିଲା ।

୮. (କ) ଶାଉଲଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ? (ଖ) ପ୍ରେରିତ ୨୨:୧୨-୧୬ ପଦ ଅନୁସାରେ ହନନିୟ କିପରି ଶାଉଲଙ୍କୁ ସାହାଯ୍ୟ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ତାର୍ଷରେ ରହୁଥିବା ଶାଉଲଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ? ଯେବେ ଯୀଶୁ ଶାଉଲଙ୍କୁ ଦର୍ଶନ ଦେଲେ ତେବେ ଉଜ୍ୱଳ ଆଲୋକ ଯୋଗୁଁ ଶାଉଲ ଅନ୍ଧ ହୋଇଗଲେ । (ପ୍ରେରି. ୯:୩-୯) ଏହାର ତିନିଦିନ ଯାଏଁ ଶାଉଲ କିଛି ଖାଇଲେ ନାହିଁ । ସେହି ସମୟରେ ସେ ନିଶ୍ଚୟ ସେହି ଘଟଣା ବିଷୟରେ ଗଭୀର ଭାବେ ଭାବିଥିବେ । ତେଣୁ ତାଙ୍କୁ ବିଶ୍ୱାସ ହୋଇଗଲା ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି ଓ ତାଙ୍କ ଶିଷ୍ୟମାନେ ହିଁ ସଠିକ୍‌ ଉପାୟରେ ଯିହୋବାଙ୍କ ଉପାସନା କରୁଛନ୍ତି । ଶାଉଲଙ୍କୁ ଏହି କଥା ପାଇଁ ବି ଦୁଃଖ ଲାଗିଥିବ ଯେ ସ୍ତିଫାନଙ୍କ ମୃତ୍ୟୁ ପାଇଁ ସେ ବି ଦାୟୀ ଥିଲେ । (ପ୍ରେରି. ୨୨:୨୦) ତିନିଦିନ ପରେ ହନନିୟ ନାମକ ଜଣେ ଶିଷ୍ୟ ଶାଉଲଙ୍କୁ ଭେଟିବା ପାଇଁ ଆସିଲେ । ସେ ଶାଉଲଙ୍କ ଆଖି ଠିକ୍‌ କରିଦେଲେ ଓ ତାଙ୍କୁ କହିଲେ ଯେ ସେ ବିଳମ୍ବ ନ କରି ଶୀଘ୍ର ବାପ୍ତିସ୍ମ ନିଅନ୍ତୁ । (ପ୍ରେରିତ ୨୨:୧୨-୧୬ ପଢ଼ନ୍ତୁ ।) ସେ ନମ୍ର ହୋଇ ହନନିୟଙ୍କ କଥା ମାନିଲେ ଓ ବାପ୍ତିସ୍ମ ନେଇ ଗୋଟିଏ ନୂଆ ଜୀବନର ଆରମ୍ଭ କଲେ ।—ପ୍ରେରି. ୯:୧୭, ୧୮.

ଯେବେ ଶାଉଲଙ୍କୁ ବାପ୍ତିସ୍ମ ନେବା ପାଇଁ ପ୍ରୋତ୍ସାହନ ମିଳିଲା, ତେବେ ସେ ବାପ୍ତିସ୍ମ ନେଲେ । କʼଣ ଆପଣ ବି ଏପରି କରିବେ ? (ପାରାଗ୍ରାଫ ୮)


୯. ଆପଣ ଶାଉଲଙ୍କଠାରୁ କʼଣ ଶିଖିପାରିବେ ?

ଆମେ ଶାଉଲଙ୍କଠାରୁ ଅନେକ କିଛି ଶିଖିପାରିବା । ସେ ନିଜର ଅହଂକାର ଓ ମଣିଷର ଡର ଯୋଗୁଁ ହୁଏତ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦେଇପାରିଥାନ୍ତେ, କିନ୍ତୁ ସେ ଏପରି କଲେ ନାହିଁ । ଯେବେ ସେ ଖ୍ରୀଷ୍ଟଙ୍କ ବିଷୟରେ ସତ ଜାଣିଲେ, ତେବେ ସେ ନମ୍ର ହୋଇ ଏହାକୁ ମାନିଲେ ଓ ନିଜଠାରେ ପରିବର୍ତ୍ତନ କଲେ । (ପ୍ରେରି. ୨୬:୧୪, ୧୯) ଶାଉଲ ଜାଣିଥିଲେ ଯେ ଖ୍ରୀଷ୍ଟିୟାନ ହେଲେ ତାଙ୍କୁ ଅନେକ ଅତ୍ୟାଚାର ସହିବାକୁ ପଡ଼ିବ ତଥାପି ସେ ବାପ୍ତିସ୍ମ ନେଲେ । (ପ୍ରେରି. ୯:୧୫, ୧୬; ୨୦:୨୨, ୨୩) ବାପ୍ତିସ୍ମ ପରେ ବି ସେ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ କମ୍‌ ହେବାକୁ ଦେଲେ ନାହିଁ । ଏହି କାରଣ ଯୋଗୁଁ ସେ ସମସ୍ୟାଗୁଡ଼ିକୁ ସହିପାରିଲେ । (୨ କରି. ୪:୭-୧୦) ଯେବେ ଆପଣ ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହେବେ, ତେବେ ହୁଏତ ଆପଣଙ୍କ ବିଶ୍ୱାସର ପରୀକ୍ଷା ହେବ କିମ୍ବା ଆପଣଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ । କିନ୍ତୁ ଆପଣ ଭରସା ରଖିପାରିବେ ଯେ ଯିହୋବା ଓ ଯୀଶୁ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବେ ।—ଫିଲିପ୍‌. ୪:୧୩.

୧୦. ଏନ୍ନାଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୧୦ ଏନ୍ନାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ଯାହାଙ୍କ ଲାଳନପାଳନ ପୂର୍ବ ୟୁରୋପରେ ହୋଇଥିଲା । ତାଙ୍କ ମାଆ ବାପ୍ତିସ୍ମ ନେବା ପରେ ଏନ୍ନା ବି ନିଜ ବାପାଙ୍କୁ ପଚାରି ବାଇବଲ ଅଧ୍ୟୟନ କରିବା ଆରମ୍ଭ କରିଦେଲେ । ସେସମୟରେ ସେ ମାତ୍ର ନଅ ବର୍ଷର ଥିଲେ । କିନ୍ତୁ ତାଙ୍କ ସହିତ ଯେଉଁ ସମ୍ପର୍କୀୟମାନେ ରହୁଥିଲେ ସେମାନଙ୍କୁ ଏହି କଥା ଭଲ ଲାଗିଲା ନାହିଁ । ସେମାନେ ଭାବୁଥିଲେ ଯେ ତାଙ୍କ ପରିବାରର ସଦସ୍ୟ ନିଜ ଧର୍ମକୁ ଛାଡ଼ି ଅନ୍ୟ ଧର୍ମକୁ ଆପଣାଇବା ଏକ ଲଜ୍ଜାର କଥା । ତଥାପି ଯେବେ ସେ ୧୨ ବର୍ଷର ହେଲେ ତେବେ ସେ ନିଜ ବାପାଙ୍କୁ କହିଲେ ଯେ ସେ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି । ତାଙ୍କ ବାପା ଜାଣିବାକୁ ଚାହୁଁଥିଲେ ଯେ ସେ ଏହି ନିଷ୍ପତ୍ତି ନିଜ ଇଚ୍ଛାରେ ନେଇଛନ୍ତି ନା କେହି ତାଙ୍କୁ ଏହି ନିଷ୍ପତ୍ତି ନେବା ପାଇଁ ଚାପ ପକାଇଛନ୍ତି । ଏନ୍ନା ତାଙ୍କ ବାପାଙ୍କୁ କହିଲେ ଯେ ସେ ଯିହୋବାଙ୍କୁ ପ୍ରେମ କରନ୍ତି, ତେଣୁ ସେ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି । ତାଙ୍କ ବାପା ରାଜି ହୋଇଯାʼନ୍ତି । ବାପ୍ତିସ୍ମ ନେବା ପରେ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଆହୁରି ଥଟ୍ଟା କରିବାକୁ ଲାଗନ୍ତି ଏବଂ ତାଙ୍କୁ ଓଲଟା ସିଧା କଥା କହନ୍ତି । ତାଙ୍କର ଜଣେ ସମ୍ପର୍କୀୟ କହନ୍ତି, “ଭଲ ହୁଅନ୍ତା ଯଦି ତୁ ଯିହୋବାଙ୍କ ସାକ୍ଷୀ ନ ହୋଇ ଅନୈତିକ ଜୀବନ ବିତାନ୍ତୁ ଏବଂ ସିଗାରେଟ୍‌ ପିଅନ୍ତୁ ।” ଏନ୍ନା ଏସବୁ କିପରି ସହିପାରିଲେ ? ସେ କହନ୍ତି, “ଯିହୋବା ମୋତେ ସାହସ ଦେଲେ ଓ ମୋ ବାପାମାଆ ସବୁବେଳେ ମୋତେ ସହଯୋଗ କଲେ ।” ଏନ୍ନାଙ୍କୁ ଆଉ ଗୋଟିଏ କଥାରୁ ବି ସାହାଯ୍ୟ ମିଳିଲା । ସେ ଲେଖିକି ରଖନ୍ତି ଯେ ଯିହୋବା ତାଙ୍କୁ କେଉଁ କେଉଁ ସମୟରେ ସାହାଯ୍ୟ କଲେ । ଆଉ ମଝି ମଝିରେ ସମୟ ବାହାର କରି ସେ ସେହି କଥାଗୁଡ଼ିକୁ ପଢ଼ନ୍ତି । ଏପରି କରିବା ଦ୍ୱାରା ସେ ଅନୁଭବ କରିପାରନ୍ତି ଯେ ଯିହୋବା କିପରି ତାଙ୍କୁ ସମ୍ଭାଳିଛନ୍ତି । ଯଦି ଆପଣଙ୍କୁ ବି ଏହା ଭାବି ଡର ଲାଗୁଛି ଯେ ଆପଣଙ୍କ ଉପରେ ଅତ୍ୟାଚାର କରାଯିବ, ଆପଣଙ୍କୁ ବିରୋଧ କରାଯିବ, ତାହେଲେ ମନେ ରଖନ୍ତୁ ଯିହୋବା ଆପଣଙ୍କୁ ବି ସାହାଯ୍ୟ କରିପାରିବେ ।—ଏବ୍ରୀ ୧୩:୬.

କର୍ଣ୍ଣିଲୀୟ ବାପ୍ତିସ୍ମ ନେଲେ

୧୧. କର୍ଣ୍ଣିଲୀୟଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥା ରୋକିପାରିଥାʼନ୍ତା ?

୧୧ ଆସନ୍ତୁ କର୍ଣ୍ଣିଲୀୟଙ୍କ ଉଦାହରଣ ଉପରେ ଧ୍ୟାନ ଦେବା । ବାଇବଲରେ କୁହାଯାଇଛି ଯେ ସେ ଜଣେ “ଶତସେନାପତି” ଥିଲେ, ଅର୍ଥାତ୍‌ ତାଙ୍କ ଅଧୀନରେ ୧୦୦ ଜଣ ରୋମୀ ସୈନିକ ଥିଲେ । (ପ୍ରେରି. ୧୦:୧) ଏପରି ଜଣାପଡ଼େ ଯେ ସମାଜରେ ତାଙ୍କର ବଡ଼ ପଦବୀ ଥିଲା ଓ ସେନାରେ ମଧ୍ୟ ଭଲ ନାମ ଥିଲା । କର୍ଣ୍ଣିଲୀୟ “ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ ।” (ପ୍ରେରି. ୧୦:୨) ଯିହୋବା ପ୍ରେରିତ ପିତରଙ୍କୁ ତାଙ୍କ ପାଖକୁ ସୁସମାଚାର ଶୁଣାଇବା ପାଇଁ ପଠାଇଲେ । କିନ୍ତୁ କʼଣ ନିଜ ବଡ଼ ପଦବୀ ଯୋଗୁଁ କର୍ଣ୍ଣିଲୀୟ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦେଲେ ?

୧୨. କର୍ଣ୍ଣିଲୀୟଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ?

୧୨ କର୍ଣ୍ଣିଲୀୟଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ? ବାଇବଲରେ ଲେଖାଅଛି ଯେ ‘ସେ ଓ ତାଙ୍କ ସପରିବାର ଈଶ୍ୱରଙ୍କୁ ଭୟ କରୁଥିଲେ ।’ କେବଳ ଏତିକି ନୁହେଁ, କର୍ଣ୍ଣିଲୀୟ ସର୍ବଦା ଈଶ୍ୱରଙ୍କୁ ହୃଦୟରୁ ପ୍ରାର୍ଥନା କରୁଥିଲେ । (ପ୍ରେରି. ୧୦:୨) ଯେବେ ପିତର କର୍ଣ୍ଣିଲୀୟଙ୍କୁ ସୁସମାଚାର ଶୁଣାଇଲେ, ତେବେ ସେ ଓ ତାଙ୍କ ପୂରା ପରିବାର ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କଲେ ଏବଂ ତୁରନ୍ତ ବାପ୍ତିସ୍ମ ନେଲେ । (ପ୍ରେରି. ୧୦:୪୭, ୪୮) ଏଥିରୁ ଜଣାପଡ଼େ ଯେ କର୍ଣ୍ଣିଲୀୟ ତାଙ୍କ ପରିବାର ସହିତ ଯିହୋବାଙ୍କର ଉପାସନା କରିବା ପାଇଁ ପ୍ରତ୍ୟେକ ଜରୁରୀ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ ।—ଯିହୋ. ୨୪:୧୫; ପ୍ରେରି. ୧୦:୨୪, ୩୩.

୧୩. ଆପଣ କର୍ଣ୍ଣିଲୀୟଙ୍କଠାରୁ କʼଣ ଶିଖିପାରିବେ ?

୧୩ ଶାଉଲଙ୍କ ଭଳି କର୍ଣ୍ଣିଲୀୟଙ୍କ ବି ଭଲ ନାମ ଥିଲା ଓ ବଡ଼ ପଦବୀ ଥିଲା । ସେ ଚାହିଁଥିଲେ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦେଇପାରିଥାʼନ୍ତେ । କିନ୍ତୁ ସେ ଏପରି କଲେ ନାହିଁ । କʼଣ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ବି ନିଜ ଭିତରେ କିଛି ବଡ଼ ପରିବର୍ତ୍ତନ କରିବାର ଆବଶ୍ୟକ ଅଛି ? ତାହେଲେ ମନେରଖନ୍ତୁ, ଯିହୋବା ଆପଣଙ୍କ ସାଙ୍ଗରେ ଅଛନ୍ତି ଓ ସେ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ, ଯଦି ଆପଣ ବାଇବଲ ସିଦ୍ଧାନ୍ତ ଅନୁସାରେ ଜୀବନ ବଞ୍ଚିବେ ଓ ତାଙ୍କ ସେବା କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବେ ।

୧୪. ସୁୟୋସିଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୧୪ ଜାପାନରେ ରହୁଥିବା ସୁୟୋସିଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ବାପ୍ତିସ୍ମ ନେବା ପାଇଁ ନିଜ ଚାକିରିରେ କିଛି ପରିବର୍ତ୍ତନ କରିବାକୁ ପଡ଼ିଲା । ସେ ଗୋଟିଏ ଜଣାଶୁଣା ସ୍କୁଲରେ ଚାକିରି କରୁଥିଲେ, ଯେଉଁଠି ଫୁଲ ସଜାଇବାର କାମ ଶିଖାଯାଉଥିଲା । ସୁୟୋସି ସେହି ସ୍କୁଲର ହେଡମାଷ୍ଟରଙ୍କ ସହିତ କାମ କରୁଥିଲେ, ଯିଏ ବୌଦ୍ଧ ଧର୍ମର ଲୋକମାନଙ୍କ ପାଇଁ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମର ବ୍ୟବସ୍ଥା କରୁଥିଲେ । ଯେବେ କୌଣସି କାରଣ ଯୋଗୁଁ ହେଡମାଷ୍ଟର ସେହି କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନ ଥିଲେ, ତେବେ ତାଙ୍କ ବଦଳରେ ଭାଇ ସୁୟୋସି ସେଠାକୁ ଯାଉଥିଲେ ଏବଂ ବୌଦ୍ଧ ଧର୍ମର ରୀତିନୀତିରେ ବି ଭାଗ ନେଉଥିଲେ । କିନ୍ତୁ ଯେବେ ସୁୟୋସି ମୃତ୍ୟୁ ବିଷୟରେ ସତ୍ୟ ଜାଣିଲେ, ତେବେ ସେ ବୁଝିଗଲେ ଯେ ବାପ୍ତିସ୍ମ ନେବା ପାଇଁ ତାଙ୍କୁ ଏସବୁ ଛାଡ଼ିବାକୁ ପଡ଼ିବ । ସେ ନିଷ୍ପତ୍ତି ନେଲେ ଯେ ସେ ସେହି ରୀତିନୀତିରେ ଆଉ ଭାଗ ନେବେ ନାହିଁ । (୨ କରି. ୬:୧୫, ୧୬) ଏବିଷୟରେ ସେ ହେଡମାଷ୍ଟରଙ୍କୁ ବି କହିଲେ । ଏହାର ପରିଣାମ କʼଣ ହେଲା ? ହେଡମାଷ୍ଟର ତାଙ୍କୁ ଚାକିରିରୁ ବାହାର କଲେ ନାହିଁ ଏବଂ କହିଲେ ଯେ ସେ ଏହି ରୀତିନୀତିରେ ଭାଗ ନ ନେଲେ ବି ଚଳିବ । ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଠିକ୍‌ ଗୋଟିଏ ବର୍ଷ ପରେ ସୁୟୋସି ବାପ୍ତିସ୍ମ ନେଲେ । b ଯିହୋବାଙ୍କୁ ଖୁସି କରିବା ପାଇଁ ଯଦି ଆପଣଙ୍କୁ ବି ନିଜ ଚାକିରିରେ କିଛି ପରିବର୍ତ୍ତନ କରିବାକୁ ପଡ଼େ, ତାହେଲେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ଏବଂ ଆପଣଙ୍କ ପରିବାରର ଆବଶ୍ୟକତାଗୁଡ଼ିକୁ ପୂରା କରିବେ ।—ଗୀତ. ୧୨୭:୨; ମାଥି. ୬:୩୩.

କରିନ୍ଥର ଲୋକମାନେ ବାପ୍ତିସ୍ମ ନେଲେ

୧୫. କରିନ୍ଥର ଲୋକମାନଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥା ବାଧା ଦିଅନ୍ତା ?

୧୫ ପ୍ରାଚୀନ ସମୟରେ କରିନ୍ଥ ଗୋଟିଏ ଜଣାଶୁଣା ସହର ଥିଲା । ସେଠାକାର ଲୋକମାନେ ପଇସା ପାଇଁ ପାଗଳ ଥିଲେ ଓ ଅନୈତିକ ଜୀବନ ବଞ୍ଚୁଥିଲେ । ସେମାନେ ଏପରି କାମରେ ଲାଗି ରହିଥିଲେ ଯାହାକୁ ଈଶ୍ୱର ଘୃଣା କରନ୍ତି । ଏପରି ପରିବେଶରେ ରହୁଥିବା ଲୋକମାନଙ୍କ ପାଇଁ ଖୁସିର ଖବର ଗ୍ରହଣ କରିବା କଠିନ ହୋଇଥିବ । ତଥାପି ଯେବେ ପ୍ରେରିତ ପାଉଲ ସେହି ସହରକୁ ଆସିଲେ ଓ ଖ୍ରୀଷ୍ଟଙ୍କ ବିଷୟରେ ଖୁସିର ଖବର ଶୁଣାଇଲେ, ତେବେ “କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକେ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ ।” (ପ୍ରେରି. ୧୮:୭-୧୧) ଦିନେ ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଦର୍ଶନ ଦେଲେ ଓ କହିଲେ, “ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି ।” ତେଣୁ ପାଉଲ ଦେଢ଼ ବର୍ଷ ଯାଏ ସେହି ସହରରେ ରହି ପ୍ରଚାର କଲେ ।

୧୬. ବାପ୍ତିସ୍ମ ନେବା ପାଇଁ କରିନ୍ଥର ଲୋକମାନଙ୍କୁ କେଉଁ କଥାରୁ ସାହାଯ୍ୟ ମିଳିଲା ? (୨ କରିନ୍ଥୀୟ ୧୦:୪, ୫)

୧୬ କରିନ୍ଥର ଲୋକମାନଙ୍କୁ ବାପ୍ତିସ୍ମ ନେବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ? (୨ କରିନ୍ଥୀୟ ୧୦:୪, ୫ ପଢ଼ନ୍ତୁ ।) ଈଶ୍ୱରଙ୍କ ବାକ୍ୟ ଓ ପବିତ୍ର ଶକ୍ତି ସାହାଯ୍ୟରେ ସେମାନେ ନିଜଠାରେ ବଡ଼ ବଡ଼ ପରିବର୍ତ୍ତନ କରିପାରିଲେ । (ଏବ୍ରୀ ୪:୧୨) କରିନ୍ଥର ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଖୁସିର ଖବର ଗ୍ରହଣ କଲେ, ସେମାନେ ନିଜର ସବୁ ଖରାପ ଅଭ୍ୟାସ ଓ ଖରାପ ଚାଲିଚଳନ ଛାଡ଼ିପାରିଲେ । ଯେପରି—ଅତ୍ୟଧିକ ମଦ ପିଇବା, ଚୋରି କରିବା ଓ ସମଲିଙ୍ଗୀ ସମ୍ପର୍କ ରଖିବା ଇତ୍ୟାଦି ।—୧ କରି. ୬:୯-୧୧. c

୧୭. ଆପଣ କରିନ୍ଥୀୟମାନଙ୍କଠାରୁ କʼଣ ଶିଖିଲେ ?

୧୭ କରିନ୍ଥର ଲୋକମାନଙ୍କୁ ଖ୍ରୀଷ୍ଟିୟାନ ହେବା ପାଇଁ ବଡ଼ ବଡ଼ ପରିବର୍ତ୍ତନ କରିବାର ଥିଲା । ସେମାନେ ଏପରି ଭାବିଲେ ନାହିଁ ଯେ ସେମାନଙ୍କ ଦ୍ୱାରା ଏହା ହୋଇପାରିବ ନାହିଁ । ଏହା ପରିବର୍ତ୍ତେ ସେମାନେ ସଂକୀର୍ଣ୍ଣ ବାଟରେ ଯିବା ପାଇଁ ପ୍ରସ୍ତୁତ ଥିଲେ, ଯାହା ଅନନ୍ତ ଜୀବନ ଆଡ଼କୁ ନେଇଯାଏ ଓ ଏହା ପାଇଁ ସେମାନେ ବହୁତ ପରିଶ୍ରମ କଲେ । (ମାଥି. ୭:୧୩, ୧୪) କʼଣ ଆପଣ ବି ବାପ୍ତିସ୍ମ ନେବା ପାଇଁ ଚାହାନ୍ତି ? ଆଉ ତାʼପାଇଁ ଆପଣ ନିଜର ଖରାପ ଅଭ୍ୟାସ ଛାଡ଼ିବା ପାଇଁ ପରିଶ୍ରମ କରୁଛନ୍ତି । ତାହେଲେ ହାର ମାନନ୍ତୁ ନାହିଁ ! ନିଜର ଖରାପ ଇଚ୍ଛାଗୁଡ଼ିକୁ କାବୁ କରିବା ପାଇଁ ଯିହୋବାଙ୍କୁ ବିନତି କରନ୍ତୁ ଓ ତାଙ୍କୁ ପବିତ୍ର ଶକ୍ତି ମାଗନ୍ତୁ ।

୧୮. ମୋନିକାଙ୍କ ଉଦାହରଣରୁ ଆପଣ କʼଣ ଶିଖିଲେ ?

୧୮ ଜର୍ଜିଆରେ ରହୁଥିବା ମୋନିକାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ ବାପ୍ତିସ୍ମ ନେବା ପାଇଁ ଚାହୁଁଥିଲେ । କିନ୍ତୁ ବାପ୍ତିସ୍ମ ନେବା ପାଇଁ ତାଙ୍କୁ ଖରାପ ଭାଷା କହିବା ଓ ଖରାପ ମନୋରଞ୍ଜନ ଛାଡ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ସେ କହନ୍ତି, “ଯୁବା ସମୟରେ ମୋତେ ପ୍ରାର୍ଥନା କରିବା ଦ୍ୱାରା ବହୁତ ଶକ୍ତି ମିଳିଲା । ଯିହୋବା ଜାଣିଥିଲେ ଯେ ମୁଁ ସଠିକ୍‌ କାମ କରିବା ପାଇଁ ଚାହେଁ । ତେଣୁ ସେ ସବୁବେଳେ ମୋତେ ସାହାଯ୍ୟ କଲେ ଏବଂ ସଠିକ୍‌ ରାସ୍ତା ଦେଖାଇଲେ ।” ମୋନିକା ୧୬ ବର୍ଷ ବୟସରେ ବାପ୍ତିସ୍ମ ନେଲେ । ଯଦି ଯିହୋବାଙ୍କ ସେବା କରିବା ପାଇଁ ଆପଣଙ୍କୁ ବି କୌଣସି ଖରାପ ଅଭ୍ୟାସ ଛାଡ଼ିବାର ଅଛି, ତାହେଲେ ନିଜଠାରେ ପରିବର୍ତ୍ତନ କରିବା ପାଇଁ ଯିହୋବାଙ୍କୁ ଲଗାତାର ଶକ୍ତି ମାଗନ୍ତୁ । ବାଇବଲରେ କୁହାଯାଇଛି ଯେ ଯିହୋବା ନିଜ ସେବକମାନଙ୍କୁ ଭରପୂର ମାତ୍ରାରେ ପବିତ୍ର ଶକ୍ତି ଦିଅନ୍ତି ।—ଯୋହ. ୩:୩୪.

ବିଶ୍ୱାସ ଥିଲେ ପର୍ବତ ବି ଘୁଞ୍ଚିପାରେ

୧୯. ଆପଣ ପର୍ବତ ଭଳି ସମସ୍ୟାଗୁଡ଼ିକୁ କିପରି ସାମନା କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୯ ହୁଏତ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ । ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ, ସେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ଓ ଆପଣଙ୍କୁ ତାଙ୍କ ପରିବାରର ସଦସ୍ୟ କରିବା ପାଇଁ ଚାହାନ୍ତି । ପ୍ରଥମ ଶତାବ୍ଦୀରେ ଯୀଶୁ ନିଜର କିଛି ଶିଷ୍ୟମାନଙ୍କୁ କହିଥିଲେ, “ଯଦି ଗୋଟିଏ ସୋରିଷଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା’ ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ ।” (ମାଥି. ୧୭:୨୦) ଯେଉଁମାନେ ଏହି କଥା ଶୁଣୁଥିଲେ ସେମାନେ କିଛି ବର୍ଷ ପୂର୍ବେ ଯୀଶୁଙ୍କ ଶିଷ୍ୟ ହୋଇଥିଲେ ଏବଂ ସେମାନଙ୍କୁ ନିଜର ବିଶ୍ୱାସ ବଢ଼ାଇବାର ଥିଲା । ଏହି କଥା କହି ଯୀଶୁ ସେମାନଙ୍କୁ ଏହା ଭରସା ଦେଉଥିଲେ ଯେ ଯଦି ସେମାନେ ନିଜର ବିଶ୍ୱାସ ବଢ଼ାଇବେ, ତାହେଲେ ଯିହୋବା ସେମାନଙ୍କୁ ପର୍ବତ ଭଳି ବଡ଼ ବଡ଼ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ସାହାଯ୍ୟ କରିବେ । ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ବି ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ସାହାଯ୍ୟ କରିବେ ।

ଯିହୋବାଙ୍କ ଉପରେ ଭରସା ରଖନ୍ତୁ କାରଣ ସେ ଆପଣଙ୍କୁ ପ୍ରେମ କରନ୍ତି ଓ ଆପଣଙ୍କୁ ନିଜର ପରିବାରର ସଦସ୍ୟ କରିବା ପାଇଁ ଚାହାନ୍ତି (ପାରାଗ୍ରାଫ ୧୯)  d


୨୦. ଏହି ଲେଖାରେ ଦିଆଯାଇଥିବା ପ୍ରଥମ ଶତାବ୍ଦୀର ଓ ବର୍ତ୍ତମାନ ସମୟର ଖ୍ରୀଷ୍ଟିୟାନମାନଙ୍କ ଉଦାହରଣରୁ ଆପଣଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ମିଳିଛି ?

୨୦ ଯଦି ଆପଣଙ୍କୁ ଜଣାପଡ଼େ ଯେ ବାପ୍ତିସ୍ମ ନେବା ପାଇଁ କେଉଁ କଥା ଆପଣଙ୍କୁ ବାଧା ଦେଉଛି, ତାହେଲେ ସେଗୁଡ଼ିକର ସାମନା କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ପ୍ରଥମ ଶତାବ୍ଦୀର ଓ ବର୍ତ୍ତମାନ ସମୟର ଖ୍ରୀଷ୍ଟିୟାନମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେଲେ ଆପଣଙ୍କୁ ସାନ୍ତ୍ୱନା ଓ ସାହସ ମିଳିପାରିବ । ଆମେ ପ୍ରାର୍ଥନା କରୁ ଯେ ସେମାନଙ୍କର ଉଦାହରଣରୁ ଆପଣଙ୍କୁ ପ୍ରୋତ୍ସାହନ ମିଳୁ ଓ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରି ବାପ୍ତିସ୍ମ ନିଅନ୍ତୁ । ଏହି ନିଷ୍ପତ୍ତି ଆପଣଙ୍କ ଜୀବନର ସବୁଠାରୁ ବଢ଼ିଆ ନିଷ୍ପତ୍ତି ହେବ ।

ଗୀତ ୩୮ ସେ ତୁମକୁ ଶକ୍ତିଶାଳୀ କରିବେ

a ରୁବେନ Is There a Creator Who Cares About You? ବହି ପଢ଼ିଥିଲେ ।

b ସୁୟୋସି ଫୁଜିଙ୍କ ଜୀବନ କାହାଣୀ ପଢ଼ିବା ପାଇଁ ୮ ଅଗଷ୍ଟ, ୨୦୦୫ ମସିହାର ଇଂରାଜୀ ସଜାଗ ହୁଅ ! ପୃଷ୍ଠା ୨୦-୨୩ ପଢ଼ନ୍ତୁ ।

c jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ‘ଆପ୍‌ ବାପ୍ତିସ୍ମା ଲେନେ କା ଫୈସଲା କ୍ୟୁ ଟାଲ୍‌ ରହେ ହୈ ?’ ଦେଖନ୍ତୁ ।

d ଚିତ୍ର ବିଷୟରେ: କିଛି ଭାଇଭଉଣୀ ଖୁସିର ସହ ବାପ୍ତିସ୍ମ ନେଇଥିବା ଭାଇଭଉଣୀମାନଙ୍କର ସ୍ୱାଗତ କରୁଛନ୍ତି ।