ସମସ୍ୟାଗୁଡ଼ିକର ପୂରାପୂରି ସମାଧାନ
ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”
ଈଶ୍ୱରଙ୍କ ଯେଉଁ ରାଜ୍ୟକୁ ଆମେ ଅନେକ ବର୍ଷରୁ ଅପେକ୍ଷା କରିଛୁ, ତାହା ଖୁବ୍ ଶୀଘ୍ର ଆସିବ । ବାଇବଲ କହେ ଯେ ଯେବେ ଏହି ରାଜ୍ୟ ପୂରା ଦୁନିଆରେ ଶାସନ କରିବ, ତେବେ “ପ୍ରଚୁର ଶାନ୍ତି” ଓ ଏକତା ହେବ । (ଗୀତସଂହିତା ୭୨:୭) କିନ୍ତୁ ପ୍ରଶ୍ନ ଉଠେ ଯେ ଏହି ରାଜ୍ୟ କେବେ ଆସିବ ? ଏହା କିପରି ଶାସନ କରିବ ଓ ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?
ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ?
ବାଇବଲରେ କୁହାଯାଇଛି ଯେ ଈଶ୍ୱରଙ୍କ ରାଜ୍ୟ ଆସିବା ପୂର୍ବରୁ ପୃଥିବୀରେ ଅନେକ ଘଟଣାଗୁଡ଼ିକ ଘଟିବ । ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଅନେକ ଜାଗାରେ ଦୁର୍ଭିକ୍ଷ, ରୋଗ ଓ ଭୂମିକମ୍ପ ହେବ । ଆଉ ଅପରାଧ ବଢ଼ିଯିବ । ଯେବେ ଏହିସବୁ ଘଟଣାଗୁଡ଼ିକ ଏହା ସହିତ ଘଟିବ, ତେବେ ଏହା ଏହି କଥାର “ଲକ୍ଷଣ” ଥିବ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସିବ ।—ମାଥିଉ ୨୪:୩, ୭, ୧୨; ଲୂକ ୨୧:୧୧; ପ୍ରକାଶିତ ବାକ୍ୟ ୬:୨-୮.
ଏବିଷୟରେ ବାଇବଲରେ ଆଉ ଗୋଟିଏ ଭବିଷ୍ୟତବାଣୀ ଲେଖାଯାଇଛି: ‘ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ । ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ ।’ (୨ ତୀମଥି ୩:୧-୪) ଲୋକମାନଙ୍କଠାରେ ଏହି ଖରାପ ଗୁଣଗୁଡ଼ିକ ଆଗରୁ ହିଁ ଅଛି । କିନ୍ତୁ ଏବେ ଏହି ଖରାପ ଗୁଣଗୁଡ଼ିକ ଆଗ ଅପେକ୍ଷା ଅଧିକ ବଢ଼ିଯାଇଛି ।
ଏହି ଭବିଷ୍ୟତବାଣୀଗୁଡ଼ିକ ୧୯୧୪ରୁ ପୂରା ହେବାକୁ ଲାଗିଲା । ଅନେକ ଇତିହାସକାର, ରାଜନେତା ଓ ଲେଖକମାନେ ବି କହିଲେ ଯେ ୧୯୧୪ରୁ ଦୁନିଆ ପୂରା ବଦଳିଯାଇଛି । ଉଦାହରଣ ପାଇଁ ଡେନମାର୍କର ଇତିହାସକାର ପିଟର ମୁଙ୍କ ଲେଖିଲେ, “୧୯୧୪ରେ ଯେଉଁ ଯୁଦ୍ଧ ହେଲା, ତାଯୋଗୁଁ ପୂରା ଦୁନିଆର ଇତିହାସ ବଦଳିଗଲା । ସେହି ସମୟ ଚାଲିଗଲା, ଯେବେ ଦୁନିଆରେ ଟିକେ ଶାନ୍ତି ଥିଲା । ତାʼପରେ ଏପରି ସମୟ ଆରମ୍ଭ ହେଲା ଯେଉଁଠାରେ ଆମକୁ କେବଳ ଦୁର୍ଘଟଣା, ଆତଙ୍କ ଓ ଘୃଣା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି ।”
ଯେପରି ରାତି ପରେ ଦିନ ହୁଏ, ସେପରି ଏହି ଖରାପ ଘଟଣାଗୁଡ଼ିକ ଏହି କଥାର ସଂକେତ ଦିଏ ଯେ ଭବିଷ୍ୟତରେ ଖୁସିର ସମୟ ଆସିବ । ଏହି ଘଟଣାଗୁଡ଼ିକରୁ ଜଣାପଡ଼େ ଯେ ପୂରା ପୃଥିବୀରେ ଅତି ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଆସିବ । ସତରେ ଏହା ଏକ ଖୁସିର ଖବର ଅଟେ । ଯୀଶୁ କହିଥିଲେ ଯେ “ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ ।”—ମାଥିଉ ୨୪:୧୪.
ଯିହୋବାଙ୍କ ସାକ୍ଷୀମାନେ ଲୋକମାନଙ୍କୁ ଏହି ଖୁସିର ଖବର ଶୁଣାନ୍ତି । ତାଙ୍କର ଗୋଟିଏ ପତ୍ରିକାର ନାମ ବି ଏହା ହିଁ ଅଟେ, ଯିହୋବାଙ୍କ ରାଜ୍ୟର ଘୋଷଣା କରେ ପ୍ରହରୀଦୁର୍ଗ । ଏହି ପତ୍ରିକାରେ କୁହାଯାଏ ଯେ ଈଶ୍ୱରଙ୍କ ରାଜ୍ୟ ପୃଥିବୀ ଓ ଲୋକମାନଙ୍କ ପାଇଁ କʼଣ କʼଣ କରିବ ।
ଈଶ୍ୱରଙ୍କ ରାଜ୍ୟ କିପରି ଶାସନ କରିବ ?
ଏହି ଚାରୋଟି କଥା ଉପରେ ଧ୍ୟାନ ଦିଅନ୍ତୁ:
-
୧. ଈଶ୍ୱରଙ୍କ ରାଜ୍ୟ ଦୁନିଆର ନେତାମାନଙ୍କ ହାତରେ ନ ଥିବ ।
-
୨. ଦୁନିଆର ନେତାମାନେ ଏହି ରାଜ୍ୟର ବିରୋଧ କରିବେ, କାରଣ ସେମାନେ ଚାହିଁବେ ଯେ ତାଙ୍କର ହିଁ ଶାସନ ଦୁନିଆରେ ସବୁବେଳେ ଚାଲୁଥାଉ ।—ଗୀତସଂହିତା ୨:୨-୯.
-
୩. ସାରାଦୁନିଆରେ ଗୋଟିଏ ଯୁଦ୍ଧ ହେବ ଓ ସେହି ଯୁଦ୍ଧରେ ଈଶ୍ୱରଙ୍କ ରାଜ୍ୟ, ଦୁନିଆର ସରକାରଗୁଡ଼ିକୁ ବିନାଶ କରିଦେବ । (ଦାନିୟେଲ ୨:୪୪; ପ୍ରକାଶିତ ବାକ୍ୟ ୧୯:୧୭-୨୧) ଏହି ଯୁଦ୍ଧକୁ ବାଇବଲରେ ହର୍ମିଗିଦ୍ଦୋନ୍ କୁହାଯାଇଛି ।—ପ୍ରକାଶିତ ବାକ୍ୟ ୧୬:୧୪, ୧୬.
-
୪. ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବା ପାଇଁ ଚାହାନ୍ତି, ସେମାନଙ୍କୁ ହର୍ମିଗିଦ୍ଦୋନ୍ ଯୁଦ୍ଧରେ ରକ୍ଷା କରାଯିବ । ତାʼପରେ ସେମାନେ ଏକ ନୂଆ ଦୁନିଆରେ ବଞ୍ଚିବେ, ଯେଉଁଠି ଶାନ୍ତି ଥିବ । ବାଇବଲରେ କୁହାଯାଇଛି ଯେ ଲୋକମାନଙ୍କର ଏକ “ମହା ଜନତା” ସେହି ଦୁନିଆରେ ରହିବ । ସେଥିରେ ହୁଏତ ଲକ୍ଷ ଲକ୍ଷ ଲୋକ ରହିବେ ।—ପ୍ରକାଶିତ ବାକ୍ୟ ୭:୯, ୧୦, ୧୩, ୧୪.
ଏହି ରାଜ୍ୟର ପ୍ରଜା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ହେବ ?
ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେବା ପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ହେବ । ଯୀଶୁ ଈଶ୍ୱରଙ୍କୁ ପ୍ରାର୍ଥନା କଲା ବେଳେ କହିଥିଲେ, “ଆଉ, ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହନ ୧୭:୩.
ଯେବେ ଲୋକମାନେ ଶିଖନ୍ତି ଯେ ଯିହୋବା କିପରି ଈଶ୍ୱର ଅଟନ୍ତି, ତେବେ ଯିହୋବାଙ୍କ ଉପରେ ସେମାନଙ୍କର ବିଶ୍ୱାସ ମଜବୁତ୍ ହୁଏ । ସେମାନଙ୍କର ଏହି ବିଶ୍ୱାସ ପ୍ରମାଣଗୁଡ଼ିକ ଉପରେ ଆଧାରିତ ଥାଏ । ସେଥିପାଇଁ ସେମାନଙ୍କୁ ଭରସା ହୋଇଯାଏ ଯେ ଈଶ୍ୱରଙ୍କ ରାଜ୍ୟ ପ୍ରକୃତରେ ଗୋଟିଏ ସରକାର ଅଟେ । ଆଉ ତାହା ଖୁବ୍ ଶୀଘ୍ର ଆସିବ । (ଏବ୍ରୀ ୧୧:୧) କେବଳ ଏତିକି ନୁହେଁ, ସେମାନେ ଈଶ୍ୱର ଓ ଲୋକମାନଙ୍କୁ ପ୍ରେମ କରିବାକୁ ଲାଗନ୍ତି । ଈଶ୍ୱରଙ୍କ ପାଇଁ ପ୍ରେମ ହେବା ଯୋଗୁଁ ସେମାନେ ତାଙ୍କ କଥା ଶୁଣନ୍ତି ଆଉ ଲୋକମାନଙ୍କ ପାଇଁ ପ୍ରେମ ହେବା ଯୋଗୁଁ ସେମାନେ ତାଙ୍କ ସହ ଭଲ ବ୍ୟବହାର କରନ୍ତି । ଯୀଶୁ ବି ଏହି ପରାମର୍ଶ ଦେଲେ: “ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର ।”—ଲୂକ ୬:୩୧.
ଜଣେ ଭଲ ବାପାଙ୍କ ଭଳି ଆମ ସୃଷ୍ଟିକର୍ତ୍ତା ଆମକୁ ବହୁତ ପ୍ରେମ କରନ୍ତି ଓ ଆମର ଭଲ ଚାହାନ୍ତି । ସେ ଆମକୁ ଗୋଟିଏ ଭଲ ଜୀବନ ଦେବା ପାଇଁ ଚାହାନ୍ତି, ଯାହାକୁ ବାଇବଲରେ “ପ୍ରକୃତ ଜୀବନ” କୁହାଯାଇଛି । (୧ ତୀମଥି ୬:୧୯) ଆଜି ଆମେ ଯେପରି ଜୀବନ ବଞ୍ଚୁଛୁ, ତାହା “ପ୍ରକୃତ ଜୀବନ” ନୁହେଁ । ଆଉ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବନ ଗୋଟିଏ ସଂଘର୍ଷ ହୋଇଯାଇଛି । ଈଶ୍ୱରଙ୍କ ରାଜ୍ୟର “ପ୍ରକୃତ ଜୀବନ” କିପରି ହେବ, ତାହାର ଝଲକ ପାଇବା ପାଇଁ ଧ୍ୟାନ ଦିଅନ୍ତୁ ଯେ ସେଠାରେ କେଉଁଭଳି ଖୁସି ମିଳିବ ।