ନିଜ ଲୋକଙ୍କୁ ହରାଇବାର ଦୁଃଖ କିପରି ସହିବା ?
କʼଣ ହୋଇପାରେ ?
ସମସ୍ତେ ଏକାଭଳି ନ ଥାʼନ୍ତି, ସେଥିପାଇଁ ନିଜ ଲୋକଙ୍କ ମୃତ୍ୟୁରେ ସମସ୍ତଙ୍କୁ ଏକାଭଳି ଦୁଃଖ ହୋଇ ନ ଥାଏ । କିଛି ଲୋକ ନିଜ ଦୁଃଖ ନିଜ ମନରେ ଲୁଚାଇ ରଖନ୍ତି କିନ୍ତୁ ଆଉ କିଛି ଲୋକ ଯେତେ ଚେଷ୍ଟା କଲେ ବି ନିଜକୁ ରୋକି ପାରନ୍ତି ନାହିଁ । ସେମାନଙ୍କୁ ନିଜ ମନର କଥା କାହାରିକୁ କହିଲେ ହିଁ ଭଲ ଲାଗେ । ଦୁଃଖ ସହିବାର କେବଳ ଗୋଟିଏ ଉପାୟ ନାହିଁ ଯାହାକୁ ମାନିଲେ ସମସ୍ତେ ଦୁଃଖରୁ ବାହାରିପାରିବେ । ଜଣେ ବ୍ୟକ୍ତି ଦୁଃଖରୁ କିପରି ବାହାରିପାରିବ ତାହା ଏହି କଥା ଉପରେ ନିର୍ଭର କରେ ଯେ ସେ କିପରି ସଂସ୍କୃତିରେ ବଡ଼ ହୋଇଛି, ତାʼର ସ୍ୱଭାବ କିପରି, ତାʼ ଜୀବନରେ ଏବେ ପର୍ଯ୍ୟନ୍ତ କʼଣ କʼଣ ହୋଇଛି ଆଉ ତାʼ ନିଜ ଲୋକଙ୍କ ମୃତ୍ୟୁ କିପରି ହୋଇଛି ।
ଏହା କେତେ ପ୍ରଭାବ ପକାଇପାରେ ?
ଅନେକ ଲୋକଙ୍କୁ ଜଣା ନ ଥାଏ ଯେ ନିଜ ଲୋକଙ୍କୁ ମୃତ୍ୟୁରେ ହରାଇବା ପରେ ଆଗକୁ ଯାଇ ସେମାନଙ୍କୁ କେଉଁଭଳି ଭାବନା ସହ ଲଢ଼ିବାକୁ ପଡ଼ିପାରେ । କିନ୍ତୁ କିଛି ଭାବନା ଓ ସମସ୍ୟାଗୁଡ଼ିକ ଏପରି ଥାଏ ଯାହା ଆମ ସମସ୍ତଙ୍କୁ ସାମନା କରିବାକୁ ପଡ଼ିଥାଏ ଆଉ ଅନେକ ଥର ଏହାର ଅନୁମାନ ମଧ୍ୟ ଲଗାଯାଇପାରେ । ଆସନ୍ତୁ ସେମଧ୍ୟରୁ କିଛି ଭାବନା ଓ ସମସ୍ୟା ଉପରେ ଧ୍ୟାନ ଦେବା ।
ନିଜକୁ ସମ୍ଭାଳିବା ବହୁତ କଷ୍ଟ ହୋଇଯାଏ । କିଛି ଲୋକ ହଠାତ୍ ବହୁତ କାନ୍ଦନ୍ତି, ମୃତ୍ୟୁରେ ହରାଇଥିବା ନିଜ ଲୋକଙ୍କୁ ଦେଖିବାକୁ ବିକଳ ହୋଇଯାʼନ୍ତି ଆଉ ସେମାନଙ୍କ ସ୍ୱଭାବ ବଦଳିଯାଏ । ତାʼସହ ସେମାନେ ଯାହାକୁ ହରାଇଛନ୍ତି ସେମାନଙ୍କ କଥାଗୁଡ଼ିକ ଓ ତାଙ୍କ ବିଷୟରେ ରାତିରେ ଆସୁଥିବା ସ୍ୱପ୍ନ ସେମାନଙ୍କ କଷ୍ଟକୁ ଆହୁରି ବଢ଼ାଇଦିଏ । କିନ୍ତୁ ଆରମ୍ଭରେ ଯେବେ ସେମାନଙ୍କୁ ନିଜ ଲୋକଙ୍କ ମୃତ୍ୟୁ ବିଷୟରେ ଜଣାପଡ଼େ, ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଯାʼନ୍ତି ଆଉ ବିଶ୍ୱାସ କରିପାରନ୍ତି ନାହିଁ । ଟିନାଙ୍କ ସ୍ୱାମୀ ତନ୍ମୟଙ୍କର ହଠାତ୍ ମୃତ୍ୟୁ ହୋଇଯାଇଥିଲା । ସେ କହନ୍ତି, “ଆରମ୍ଭରେ ମୁଁ ପୂରା ପୂରି ଅଚଳ ହୋଇଗଲି । ମୁଁ କାନ୍ଦି ବି ପାରୁ ନ ଥିଲି । ବେଳେ ବେଳେ ମୋ ପରିସ୍ଥିତି ଏପରି ହୋଇଯାଉଥିଲା ଯେ ମୁଁ ଭଲ ଭାବେ ନିଶ୍ୱାସ ବି ନେଇ ପାରୁ ନ ଥିଲି । ମୋତେ ବିଶ୍ୱାସ ହେଉ ନ ଥିଲା ଯେ ସେ ଏବେ ଆଉ ନାହାନ୍ତି ।”
ଚିନ୍ତା, ରାଗ ଆଉ ଦୋଷର ଭାବନା ସହ ଲଢ଼ିବାକୁ ପଡ଼େ । ଆଇୱନ୍ କହନ୍ତି ଯେ, “ମୋ ପୁଅ ଏରିକ୍ର ୨୪ ବର୍ଷ ବୟସରେ ମୃତ୍ୟୁ ହୋଇଗଲା । ତାʼପରେ ମୁଁ ଆଉ ମୋ ସ୍ତ୍ରୀ ସୁଜନ ବହୁତ ଦିନ ପର୍ଯ୍ୟନ୍ତ ନିଜକୁ ରାଗୁଥିଲୁ । ନିଜ ଭିତରେ ଏହିପରି ପରିବର୍ତ୍ତନ ଦେଖି ଆମେ ନିଜେ ଆଶ୍ଚର୍ଯ୍ୟ ହୋଇଗଲୁ କାରଣ ଆମେ ଦୁହେଁ ଏପରି ସ୍ୱଭାବର ନ ଥିଲୁ । ଆମେ ନିଜକୁ ଦୋଷୀ ଭାବିବାକୁ ଲାଗିଲୁ, କାରଣ ଆମକୁ ଲାଗୁଥିଲା ଯେ ନିଜ ପୁଅକୁ ବଞ୍ଚାଇବା ପାଇଁ ହୁଏତ ଆମେ ଆଉ କିଛି କରିପାରିଥାʼନ୍ତୁ ।” ଅଭିଷେକଙ୍କ ସ୍ତ୍ରୀ ବହୁତ ଦିନରୁ ରୋଗରେ ପଡ଼ିଥିଲେ ତାʼପରେ ତାଙ୍କର ମୃତ୍ୟୁ ହୋଇଗଲା, ତେଣୁ ସେ ବି ନିଜକୁ ଦୋଷୀ ଭାବିବାକୁ ଲାଗିଲେ । ସେ କହନ୍ତି, “ଆରମ୍ଭରେ ମୋତେ ଲାଗିଲା ଯେ ମୁଁ ଜଣେ ଖରାପ ଲୋକ ଅଟେ, ତେଣୁ ଈଶ୍ୱର ମୋତେ ଏତେ ଦୁଃଖ ଦେଲେ । ତାʼପରେ ମୁଁ ନିଜକୁ ଦୋଷୀ ଭାବିବାକୁ ଲାଗିଲି କାରଣ ମୋ ସହିତ ଯାହା ହେଲା ତାʼ ପାଇଁ ମୁଁ ଈଶ୍ୱରଙ୍କୁ ଦୋଷ ଦେଉଥିଲି ।” ପୂର୍ବ ଲେଖାରେ ଆମେ ଯେଉଁ ଅଜୟ ବିଷୟରେ କଥା ହୋଇଥିଲୁ, ସେ କହନ୍ତି, “ବେଳେ ବେଳେ ମୋତେ ମୋ ସ୍ତ୍ରୀ ଉପରେ ରାଗ ଲାଗୁଥିଲା ଯେ ସେ କାହିଁକି ମୋତେ ଛାଡ଼ି ଚାଲିଗଲା । କିନ୍ତୁ ପରେ ମୋତେ ଖରାପ ଲାଗୁଥିଲା ଯେ ମୁଁ କାହିଁକି ଏପରି ଭାବୁଛି । ଏଥିରେ ତାʼର କʼଣ ଭୁଲ ଥିଲା ।”
ଭଲ ଭାବେ ଭାବି ପାରନ୍ତି ନାହିଁ । ଯେଉଁ ଲୋକମାନଙ୍କୁ ନିଜ ଲୋକଙ୍କ ମୃତ୍ୟୁର ଦୁଃଖ ସହିବାକୁ ପଡ଼େ ସେମାନେ ବେଳେ ବେଳେ ଭଲ ଭାବେ ଭାବି ପାରନ୍ତି ନାହିଁ କିମ୍ବା କୌଣସି କଥା ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ । ସେମାନଙ୍କୁ ଲାଗେ ଯେ ସେମାନେ ଯାହାକୁ ହରାଇଛନ୍ତି, ସେମାନେ ହୁଏତ ତାଙ୍କ ଆଖପାଖରେ ଅଛନ୍ତି ଓ ତାଙ୍କ କଥା ଶୁଣିପାରନ୍ତି । ସେମାନଙ୍କୁ କୌଣସି କଥା ଉପରେ ଧ୍ୟାନ ଦେବା ଓ କିଛି ମନେ ରଖିବା ପାଇଁ ବହୁତ କଷ୍ଟ ହୁଏ । ଟିନା କହନ୍ତି, “ବେଳେ ବେଳେ ଏପରି ହୁଏ ଯେ କେହି ମୋ ସହିତ କଥା ହେବା ସମୟରେ ମୁଁ ତାଙ୍କ ଉପରେ ଧ୍ୟାନ ଦେଇ ପାରୁ ନ ଥିଲି । ମୋ ଧ୍ୟାନ ଅନ୍ୟ ଆଡ଼କୁ ରହୁଥିଲା । ତନ୍ମୟଙ୍କ ମୃତ୍ୟୁ ସମୟରେ ଯାହା ଯାହା ହେଲା, ମୋ ମନରେ କେବଳ ସେହି କଥା ସବୁ ଚାଲୁଥିଲା । ଏହା ଯୋଗୁଁ ମୁଁ ଆହୁରି ଚିନ୍ତିତ ହୋଇଯାଉଥିଲି ଯେ କୌଣସି କଥା ଉପରେ ମୁଁ ଧ୍ୟାନ ଦେଇପାରୁ ନାହିଁ ।”
ଏକୁଟିଆ ରହିବା ପାଇଁ ଚାହାନ୍ତି । ସେମାନଙ୍କୁ ଲୋକମାନଙ୍କ ସାଥିରେ ରହିବା ଅଜବ ଲାଗେ ଆଉ ସେମାନେ ବିରକ୍ତ ହୋଇଯାʼନ୍ତି । ଅଜୟ କହନ୍ତି, “ଯେବେ ମୋʼ ପାଖରେ ବିବାହିତ ଲୋକ ଥାʼନ୍ତି, ତେବେ ମୋତେ ଅଜବ ଲାଗୁଥିଲା । ଅବିବାହିତ ଲୋକମାନେ ଥିଲେ ମଧ୍ୟ ମୋତେ ଏପରି ହିଁ ଲାଗୁଥିଲା ।” ଆଇୱନର ସ୍ତ୍ରୀ ସୁଜନ କହନ୍ତି, “ଯେବେ ଲୋକମାନେ ନିଜ ସମସ୍ୟା ବିଷୟରେ କହନ୍ତି, ତେବେ ସେସବୁ ଶୁଣିବା ମୋତେ ଭଲ ଲାଗୁ ନ ଥିଲା । କାରଣ ଆମ ତୁଳନାରେ ତାଙ୍କର ସମସ୍ୟା କିଛି ବି ନ ଥିଲା । ଆଉ ଯେବେ ଲୋକମାନେ କହନ୍ତି ଯେ ତାଙ୍କ ପିଲାମାନେ କେତେ ଆଗକୁ ବଢ଼ୁଛନ୍ତି, ତେବେ ମୋତେ ଖୁସି ତ ହେଉଥିଲା, କିନ୍ତୁ ତାʼସହ ନିଜ ପୁଅ କଥା ମନେ ପଡ଼ିଯାଉଥିଲା ଆଉ ମୁଁ ବହୁତ ଦୁଃଖୀ ହୋଇଯାଉଥିଲି । ଆମେ ଦୁହେଁ ଜାଣିଥିଲୁ ଯେ ଜୀବନ ଯେମିତି ବି କଟିଯିବ, କିନ୍ତୁ ଲୋକମାନଙ୍କର କଥାରୁ ଆମେ ବିରକ୍ତ ହୋଇ ଯାଉଥିଲୁ, ଆମକୁ ଭଲ ଲାଗୁ ନ ଥିଲା ।”
ଦେହ ଖରାପ ହୋଇଯାଏ । ଅନେକ ଲୋକଙ୍କୁ ଭୋକ ଲାଗେନି, ଓଜନ କମିଯାଏ ଆଉ ଭଲ ଭାବେ ନିଦ ବି ହୁଏନି । ଅରୁଣ କହନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ବର୍ଷେ ଯାଏ ତାଙ୍କ ସହ କʼଣ କʼଣ ହେଲା । ସେ କହନ୍ତି, “ମୋତେ ଭଲ
ଭାବେ ନିଦ ହେଉ ନ ଥିଲା । ସବୁଦିନ ରାତିରେ ଗୋଟେ ସମୟରେ ହିଁ ମୋର ଆଖି ଖୋଲିଯାଉଥିଲା ଆଉ ସେସମୟରେ ମୁଁ ବାପାଙ୍କ ମୃତ୍ୟୁ ବିଷୟରେ ଭାବିବାକୁ ଲାଗୁଥିଲି ।”ଅଭିଷେକଙ୍କ ଦେହ ଖରାପ ହେବାକୁ ଲାଗିଥିଲା, କିନ୍ତୁ ଏହାର କାରଣ ଜଣାପଡ଼ୁ ନ ଥିଲା । ସେ କହନ୍ତି, “ଜଣେ ଡାକ୍ତର ଅନେକଥର ମୋର ଯାଞ୍ଚ କଲେ ଆଉ ଭରସା ଦେଲେ ଯେ ମୋତେ କୌଣସି ରୋଗ ହୋଇନାହିଁ । ମୋ ଦେହରେ ରୋଗରୁ ଯେଉଁ ଲକ୍ଷଣ ଦେଖାଯାଉଥିଲା । ତାʼକାରଣ ହୁଏତ ନିରାଶା ଥିଲା ।” ଧୀରେ ଧୀରେ ସେହି ଲକ୍ଷଣ ଦୂର ହୋଇଗଲା । କିନ୍ତୁ ଅଭିଷେକ ଡାକ୍ତର ପାଖକୁ ଯାଇ ଭଲ କଲେ । ଯେଉଁ ଲୋକମାନେ ଦୁଃଖୀ ଥାʼନ୍ତି, ତାଙ୍କ ଭିତରେ ରୋଗରୁ ଲଢ଼ିବାର ଶକ୍ତି କମ୍ ହୋଇଯାଏ । ଯଦି ପୂର୍ବରୁ କୌଣସି ରୋଗ ଥାଏ, ତେବେ ତାହା ଆହୁରି ବଢ଼ିଯାଏ କିମ୍ବା ହୁଏତ କୌଣସି ନୂଆ ରୋଗ ହୋଇଯାଏ ।
ଜରୁରୀ କାମ କରିବା ପାଇଁ କଷ୍ଟ ଲାଗେ । ଆଇୱନ କହନ୍ତି, “ଏରିକ୍ର ମୃତ୍ୟୁ ପରେ ଆମକୁ ବହୁତ କିଛି କରିବାକୁ ପଡ଼ିଥିଲା । ପ୍ରଥମେ ତ ଆମକୁ ନିଜ ସାଙ୍ଗମାନଙ୍କୁ, ସମ୍ପର୍କୀୟମାନଙ୍କୁ ଏହି ଖବର ଦେବାର ଥିଲା ଆଉ ତାʼ ବସ୍ ଓ ଘରମାଲିକଙ୍କୁ ବି କହିବାର ଥିଲା । ବହୁତ କିଛି ଆଇନର କାଗଜପତ୍ର ବି ଭରିବାର ଥିଲା । ଏରିକ୍ର ଜିନିଷଗୁଡ଼ିକୁ ଆମେ କʼଣ କରିବା ଏହା ଭାବିବାର ଥିଲା । ଆମକୁ କେତେ କʼଣ କରିବାର ଥିଲା । କିନ୍ତୁ ଆମେ ଶରୀର ଓ ମନରୁ ପୂରା ଥକି ଯାଇଥିଲୁ । ଏସବୁ କରିବା ପାଇଁ ଆମ ଭିତରେ ସାହସ ନ ଥିଲା ।”
କିଛି ଲୋକଙ୍କୁ ସବୁଠୁ ଅଧିକ କଷ୍ଟ ତେବେ ଲାଗେ, ଯେବେ ତାଙ୍କୁ ସେହି କାମ କରିବାକୁ ପଡ଼େ ଯେଉଁ କାମ ପୂର୍ବେ ତାଙ୍କ ନିଜ ଲୋକ କରୁଥିଲେ । ଟିନା କହନ୍ତି, “ବ୍ୟାଙ୍କର କାମ ହେଉ ବା ବିଜନେସ୍ର କାମ ସବୁ ତନ୍ମୟ ସମ୍ଭାଳୁଥିଲେ । ଆଉ ଏବେ ଏହି ଦାୟିତ୍ୱ ମୋ ଉପରେ ଆସିଯାଇଥିଲା, ଯାହାଫଳରେ ମୋର ଚିନ୍ତା ଆହୁରି ବଢ଼ିଯାଇଥିଲା । ମୁଁ ଭାବୁଥିଲି, କʼଣ ମୁଁ ଏହିସବୁ କାମ ଭଲରେ କରିପାରିବି ?”
ଉପରେ ଦିଆଯାଇଥିବା ସମସ୍ୟାଗୁଡ଼ିକ ଯେପରି ଦେହ ଖରାପ ହୋଇଯିବା, ଦୁଃଖ କିମ୍ବା ଚିନ୍ତା ହୁଏତ ଆମକୁ ପାହାଡ଼ ଭଳି ଲାଗିପାରେ । ଏହା ସତ ଯେ ନିଜ ଲୋକଙ୍କ ମୃତ୍ୟୁର ଦୁଃଖ ସହିବା ସହଜ ହୋଇ ନ ଥାଏ । କିନ୍ତୁ ଯଦି ଆମକୁ ପୂର୍ବରୁ ଜଣାଥାଏ ଯେ କେଉଁଭଳି ସମସ୍ୟାଗୁଡ଼ିକ ଆସିପାରେ, ତେବେ ଦୁଃଖରୁ ବାହାରିବା ପାଇଁ କିଛି ମାତ୍ରାରେ ସାହାଯ୍ୟ ମିଳିପାରେ । ଏହା ବି ମନେ ରଖନ୍ତୁ ଯେ ଯେଉଁ ଲୋକମାନେ ଏଭଳି କଷ୍ଟ ସହନ୍ତି, ସେମାନେ ଏକାଭଳି ସମସ୍ୟାର ସାମନା କରନ୍ତି ନାହିଁ । ଆଉ ବେଳେ ବେଳେ ନିଜ ଲୋକଙ୍କ ସ୍ମୃତି ଯୋଗୁଁ ବ୍ୟାକୁଳ ହୋଇ ଉଠିବା ସ୍ୱାଭାବିକ ଅଟେ ।
କʼଣ ମୁଁ ପୁଣି କେବେ ଖୁସିରେ ରହିପାରିବି ?
କʼଣ ହୋଇପାରେ ? ଆରମ୍ଭରେ ଦୁଃଖ ଅସହ୍ୟ ଲାଗେ, କିନ୍ତୁ ଧୀରେ ଧୀରେ ଏହା କମ୍ ହୋଇଯାଏ । ଏହାର ଅର୍ଥ ନୁହେଁ ଯେ ମଣିଷ ନିଜ ଦୁଃଖରୁ ପୂରାପୂରି ବାହାରିଯାଏ କିମ୍ବା ତାକୁ ପୁଣି କେବେ ନିଜ ଲୋକଙ୍କ କଥା ମନେପଡ଼େ ନାହିଁ । କିନ୍ତୁ ଆରମ୍ଭରେ ତାଙ୍କ ସ୍ମୃତି ଯୋଗୁଁ ଯେଉଁଭଳି ଭାବରେ ମନ ବ୍ୟାକୁଳ ହୋଇ ଉଠେ, ତାହା ଧୀରେ ଧୀରେ କମ୍ ହେବାକୁ ଲାଗେ । କିନ୍ତୁ ଏପରି ବି ହୋଇପାରେ ଯେ ହଠାତ୍ କୌଣସି କଥାରୁ ସେହି ସ୍ମୃତି ପୁଣି ମନେ ପଡ଼ିଯାଏ କିମ୍ବା ବର୍ଷର କୌଣସି ଦିନ ତାଙ୍କ କଥା ବହୁତ ମନେପଡ଼େ, ଯେପରି ତାଙ୍କର ବିବାହ ଦିନରେ କିମ୍ବା ତାଙ୍କ ମୃତ୍ୟୁ ଦିନରେ । କିନ୍ତୁ ସମୟ ଯେପରି ଗଡ଼ି ଗଡ଼ି ଯାଏ, ଅନେକ ଲୋକ ନିଜକୁ ସମ୍ଭାଳି ନିଅନ୍ତି ଆଉ ତାଙ୍କର ପ୍ରତିଦିନର କାମରେ ପୁଣି ଧ୍ୟାନ ଦେଇପାରନ୍ତି । ବିଶେଷକରି ଯଦି ପରିବାର ଲୋକେ ଆଉ ସାଙ୍ଗମାନେ ତାଙ୍କ ସାଥିରେ ରହନ୍ତି ଓ ଜଣେ ବ୍ୟକ୍ତି ଯଦି ଜରୁରୀ ପଦକ୍ଷେପ ନିଏ, ତେବେ ସମୟ ଗଡ଼ିବା ସହ ସେ ବଞ୍ଚିବା ଶିଖିଯାଏ ।
କେତେ ସମୟ ଲାଗିପାରେ ? କିଛି ଲୋକେ କିଛି ମାସ ଭିତରେ ହିଁ ନିଜକୁ ସମ୍ଭାଳି ନିଅନ୍ତି, କିନ୍ତୁ ଆଉ କିଛି ଲୋକଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଲାଗିଯାଏ । ଆଉ କିଛି ଲୋକମାନଙ୍କୁ ଆହୁରି ଅଧିକ ସମୟ ଲାଗେ । a ଅଭିଷେକ କହନ୍ତି, “ମୁଁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଗଭୀର ନିରାଶାରେ ବୁଡ଼ି ରହିଲି ।”
ଧୈର୍ଯ୍ୟ ଧରନ୍ତୁ । ଗୋଟିଏ ଦିନରେ ସେତିକି କରନ୍ତୁ, ଯେତିକି ଆପଣ କରିପାରିବେ । କାଲିର ଚିନ୍ତା କରନ୍ତୁ ନାହିଁ । ମନେ ରଖନ୍ତୁ ଯେ ଆରମ୍ଭରେ ଯେଉଁ ଗଭୀର ଦୁଃଖ ହୁଏ, ତାହା ସବୁଦିନ ପାଇଁ ରହେନାହିଁ । ଅବଶ୍ୟ ଆରମ୍ଭରେ ବହୁତ ଦୁଃଖ ଲାଗେ । ତଥାପି ଆପଣ କିଛି ଏପରି ପଦକ୍ଷେପ ନେଇପାରିବେ, ଯେଉଁଥିରୁ ଆପଣଙ୍କ ଦୁଃଖ ଟିକେ କମ୍ ହେବ । ଆଉ ଆପଣଙ୍କୁ ଦୁଃଖରୁ ବାହାରିବା ପାଇଁ ଅଧିକ ସମୟ ଲାଗିବନି । ଆସନ୍ତୁ ଜାଣିବା ଯେ ଆପଣ କʼଣ କରିପାରିବେ ।
ନିଜ ଲୋକଙ୍କ ସ୍ମୃତି ଯୋଗୁଁ ବ୍ୟାକୁଳ ହୋଇ ଉଠିବା ସ୍ୱାଭାବିକ ଅଟେ
a ନିଜ ଲୋକଙ୍କୁ ହରାଇବା ପରେ କିଛି ଲୋକଙ୍କ ଉପରେ ଏତେ ଗଭୀର ପ୍ରଭାବ ପଡ଼େ ଯେ ସେମାନଙ୍କୁ ସେଥିରୁ ବାହାରିବା ପାଇଁ ଅନେକ ବର୍ଷ ଲାଗିଯାଏ । ସେମାନଙ୍କୁ କୌଣସି ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବାର ଆବଶ୍ୟକତା ପଡ଼ିପାରେ ।