ଅଧ୍ୟୟନ ଲେଖା ୨୦
ଗୀତ ୬୭ “ୱଚନ୍ କା ପ୍ରଚାର କର୍”
ଆମେ କାହିଁକି ପ୍ରଚାର କରୁ ?
“ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ ।”—ମାର୍କ ୧୩:୧୦.
କʼଣ ଶିଖିବା ?
ଆମ ହୃଦୟରେ ପ୍ରେମ ଥିଲେ ହିଁ ଆମେ ପୂରା ଉତ୍ସାହର ସହ ଓ ମନପ୍ରାଣ ଦେଇ ପ୍ରଚାର କରିବା ।
୧. ୨୦୨୩ର ବାର୍ଷିକ ସଭାରେ ଆମକୁ କେଉଁ ବିଷୟରେ ଜଣାଇଦିଆଗଲା ?
୨୦୨୩ର ଆମ ବାର୍ଷିକ ସଭା a ବହୁତ ରୋମାଞ୍ଚକ ଥିଲା । ଏଥିରେ କୁହାଯାଇଥିଲା ଯେ ବାଇବଲର କିଛି କଥାଗୁଡ଼ିକ ବିଷୟରେ ଆମ ଜ୍ଞାନରେ ପରିବର୍ତ୍ତନ ହୋଇଛି । ଆଉ ପ୍ରଚାର ସହ ଜଡ଼ିତ କିଛି ଜରୁରୀ ଘୋଷଣାଗୁଡ଼ିକ ମଧ୍ୟ କରାଯାଇଥିଲା । ଯେପରି ଆମେ ଜାଣିଲୁ ଯେ ମହାନଗରୀ ବାବିଲର ବିନାଶ ପରେ ମଧ୍ୟ ଲୋକମାନଙ୍କ ପାଖରେ ହୁଏତ ଯିହୋବା ଓ ତାଙ୍କ ଲୋକମାନଙ୍କୁ ସହଯୋଗ କରିବାର ସୁଯୋଗ ଥିବ । ଆମେ ଏହା ବି ଜାଣିଲୁ ଯେ ନଭେମ୍ବର ୨୦୨୩ରୁ ପ୍ରଚାରକମାନଙ୍କୁ ପ୍ରଚାର ସେବାର ରିପୋର୍ଟରେ ପ୍ରତ୍ୟେକ କଥା ଲେଖିବାକୁ ପଡ଼ିବନି । କʼଣ ଏହି ପରିବର୍ତ୍ତନ ହେବାର ଅର୍ଥ ଏହା ଅଟେ ଯେ ପ୍ରଚାର କାମର ମହତ୍ତ୍ୱ କମ୍ ହୋଇଯାଇଛି ? ଏପରି ନୁହେଁ ।
୨. ଦିନ ଗଡ଼ିବା ସହିତ ପ୍ରଚାର କାମ କରିବା କାହିଁକି ଜରୁରୀ ହୋଇଯାଉଛି ? (ମାର୍କ ୧୩:୧୦)
୨ ଯେପରି ଦିନ ଗଡ଼ି ଚାଲିଛି, ଆମ ପାଇଁ ପ୍ରଚାର କାମ ଆହୁରି ଜରୁରୀ ହୋଇଯାଇଛି । କାରଣ ଯୁଗାନ୍ତ ଆସିବାରେ ଖୁବ୍ କମ୍ ସମୟ ରହିଯାଇଛି । ମାର୍କ ବହିରେ ଯୀଶୁ କହିଥିଲେ ଯେ ପ୍ରଚାର କାମ କରିବା ଆହୁରି ଜରୁରୀ ହୋଇଯିବ । (ମାର୍କ ୧୩:୧୦ ପଢ଼ନ୍ତୁ ।) ଆଉ ଏବିଷୟରେ ମାଥିଉ ଲେଖିଲେ ଯେ “ଯୁଗାନ୍ତ” ଆସିବା ପୂର୍ବରୁ ସାରା ଦୁନିଆରେ ପ୍ରଚାର କରାଯିବ । (ମାଥି. ୨୪:୧୪) ଏଠାରେ କାହାର ଯୁଗାନ୍ତ ବିଷୟରେ କୁହାଯାଇଛି ? ଶୟତାନର ଏହି ଦୁଷ୍ଟ ଦୁନିଆର ଯୁଗାନ୍ତ । ଯିହୋବା ଯୁଗାନ୍ତ କେବେ ଆସିବ ତାʼର “ଦିନ ଓ ଦଣ୍ଡ” ପୂର୍ବରୁ ନିର୍ଦ୍ଧାରିତ କରିଦେଇଛନ୍ତି । (ମାଥି. ୨୪:୩୬; ୨୫:୧୩; ପ୍ରେରି. ୧:୭) ଆଉ ଯେପରି ଦିନ ଗଡ଼ି ଚାଲିଛି, ଆମେ ଯୁଗାନ୍ତର ଆହୁରି ନିକଟତର ହୋଇ ଚାଲୁଛୁ । (ରୋମୀ. ୧୩:୧୧) ତାହେଲେ ଯେଉଁ ପର୍ଯ୍ୟନ୍ତ ଯୁଗାନ୍ତ ଆସିନି ଆମକୁ ପ୍ରଚାର କାମ ଜାରି ରଖିବାର ଅଛି ।
୩. ଆମେ ପ୍ରଚାର କାମ କାହିଁକି କରୁ ?
୩ ଏବେ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଚର୍ଚ୍ଚା କରିବା । ଯାହା ବିଷୟରେ ଆମ ସମସ୍ତଙ୍କୁ ଭାବିବା ଉଚିତ୍ । ଆମେ ପ୍ରଚାର କାମ କାହିଁକି କରୁ ? ପ୍ରେମ ଥିବା ଯୋଗୁଁ । ଆମେ ଲୋକମାନଙ୍କୁ ପ୍ରେମ କରୁ, ଖୁସିଖବରକୁ ପ୍ରେମ କରୁ ଆଉ ସବୁଠୁ ବେଶି ଯିହୋବା ଓ ତାଙ୍କ ନାମକୁ ପ୍ରେମ କରୁ । ଆସନ୍ତୁ ଆମେ ଗୋଟେ ଗୋଟେ କରି ଏହି ତିନୋଟି କଥା ଉପରେ ଚର୍ଚ୍ଚା କରିବା ।
ଖୁସିଖବର ପ୍ରତି ପ୍ରେମ
୪. ଯେବେ ଆମକୁ କୌଣସି ଖୁସିଖବର ମିଳେ, ତେବେ ଆମକୁ କିପରି ଲାଗେ ?
୪ ସେସମୟ ବିଷୟରେ ଭାବନ୍ତୁ, ଯେବେ ଆପଣ ଏହା ଶୁଣିଲେ ଯେ ଆପଣଙ୍କ ପରିବାରରେ ଗୋଟିଏ ଶିଶୁ ଜନ୍ମ ହୋଇଛି କିମ୍ବା ଆପଣଙ୍କୁ ଗୋଟିଏ ଚାକିରି ମିଳିଗଲା । ତେବେ ଆପଣଙ୍କୁ କିପରି ଅନୁଭବ ହୋଇଥିଲା ? ଏହା ଶୁଣି ଆପଣ ବହୁତ ଖୁସି ହୋଇଯାଇଥିବେ ଓ ତୁରନ୍ତ ନିଜ ପରିବାର ଓ ସାଙ୍ଗମାନଙ୍କୁ ଏହି କଥା ଜଣାଇଥିବେ । ଯେବେ ଆପଣ ଦୁନିଆର ସବୁଠାରୁ ବଢ଼ିଆ ଅର୍ଥାତ୍ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଖୁସିଖବର ଶୁଣିଲେ, ତେବେ ଆପଣଙ୍କୁ କିପରି ଲାଗିଥିଲା ?
୫. ଯେବେ ଆପଣ ପ୍ରଥମ ଥର ସତ୍ୟ ବିଷୟରେ ଶୁଣିଲେ, ତେବେ ଆପଣଙ୍କୁ କିପରି ଲାଗିଥିଲା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୫ ଯେବେ ଆପଣ ପ୍ରଥମ ଥର ଈଶ୍ୱରଙ୍କ ବାକ୍ୟରୁ ସତ୍ୟ ଜାଣିଥିଲେ, ତେବେ ଆପଣଙ୍କୁ କିପରି ଲାଗିଥିଲା ? ଯେପରି, ଯେବେ ଆପଣ ଶିଖିଲେ ଯେ ଯିହୋବା ଈଶ୍ୱର ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ନିଜ ପରିବାରର ସଦସ୍ୟ କରିବା ପାଇଁ ଚାହାନ୍ତି, ତେବେ ଆପଣଙ୍କୁ କିପରି ଲାଗିଥିଲା ? ତାʼ ସହିତ ଯେବେ ଆପଣ ଏହା ଜାଣିଲେ ଯେ ସେ ସବୁ ଦୁଃଖକଷ୍ଟ ଦୂର କରିଦେବେ ଏବଂ ଆପଣଙ୍କ ପ୍ରିୟଜନମାନଙ୍କୁ ନୂଆ ଦୁନିଆରେ ଜୀବିତ କରିବେ, ତେବେ ଆପଣଙ୍କୁ କିପରି ଲାଗିଥିଲା ? (ମାର୍କ ୧୦:୨୯, ୩୦; ଯୋହ. ୫:୨୮, ୨୯; ରୋମୀ. ୮:୩୮, ୩୯; ପ୍ରକା. ୨୧:୩, ୪) ଏସବୁ ଜାଣି ଆପଣଙ୍କୁ ବହୁତ ଖୁସି ଲାଗିଥିବ ଏବଂ ଏହା ଆପଣଙ୍କ ହୃଦୟକୁ ଛୁଇଁ ଯାଇଥିବ । ତେଣୁ ଆପଣ ଏବିଷୟରେ ଅନ୍ୟମାନଙ୍କୁ କହିଲେ ।—ଲୂକ ୨୪:୩୨; ଯିରିମୀୟ ୨୦:୯ ପଦ ସହ ତୁଳନା କରନ୍ତୁ ।
୬. ଆପଣ ଭାଇ ଅର୍ନଷ୍ଟ ଓ ଭଉଣୀ ରୋଜାଙ୍କଠାରୁ କʼଣ ଶିଖିଲେ ?
୬ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେବେ ଭାଇ ଅର୍ନଷ୍ଟ b ଦଶ ବର୍ଷର ଥିଲେ, ତେବେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଗଲା । ଭାଇ କହନ୍ତି, “ମୁଁ ଭାବୁଥିଲି ଯେ ମୋ ବାପା କେଉଁଠି ଅଛନ୍ତି ? କʼଣ ସେ ସ୍ୱର୍ଗରେ ଅଛନ୍ତି ନା ସବୁଦିନ ପାଇଁ ଚାଲିଗଲେ ? ଯେବେ ମୁଁ ଅନ୍ୟ ପିଲାମାନଙ୍କୁ ତାଙ୍କ ବାପାଙ୍କ ସହ ଦେଖୁଥିଲି ତେବେ ମୁଁ ବହୁତ ଈର୍ଷା କରିବାକୁ ଲାଗୁଥିଲି ।” ଭାଇ ଅର୍ନଷ୍ଟ ପ୍ରାୟ ସବୁବେଳେ ନିଜ ବାପାଙ୍କ କବରରେ ଯାଇ ଆଣ୍ଠୁ ମାଡ଼ି ଈଶ୍ୱରଙ୍କୁ ଏହା ପ୍ରାର୍ଥନା କରୁଥିଲେ: “ଦୟା କରି ମୋତେ କହନ୍ତୁ ଯେ ମୋ ବାପା କେଉଁଠି ଅଛନ୍ତି ?” ଏହାର ପ୍ରାୟ ୧୭ ବର୍ଷ ପରେ ଜଣେ ଭାଇ ତାଙ୍କୁ ପଚାରିଲେ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ । ଭାଇ ତୁରନ୍ତ ରାଜି ହୋଇଗଲେ । ଆଉ ଯେବେ ସେ ଜାଣିଲେ ଯେ ମରିଯାଇଥିବା ଲୋକମାନେ ଶୋଉଛନ୍ତି ଏବଂ ଈଶ୍ୱର ସେମାନଙ୍କୁ ନୂଆ ଦୁନିଆରେ ଜୀବିତ କରିବେ, ତେବେ ସେ ବହୁତ ଖୁସି ହୋଇଗଲେ । (ଉପ. ୯:୫, ୧୦; ପ୍ରେରି. ୨୪:୧୫) ଏତେ ବର୍ଷ ପରେ ତାଙ୍କୁ ତାଙ୍କ ସବୁ ପ୍ରଶ୍ନର ଉତ୍ତର ମିଳିଗଲା । ଭାଇ ବାଇବଲରୁ ବଢ଼ିଆ କଥାଗୁଡ଼ିକ ଶିଖି ବହୁତ ଖୁସି ଥିଲେ । ତାʼପରେ ତାଙ୍କ ସ୍ତ୍ରୀ ରୋଜା ମଧ୍ୟ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ଆଉ ତାଙ୍କୁ ବି ସେହି କଥାଗୁଡ଼ିକ ବହୁତ ଭଲ ଲାଗିଲା । ୧୯୭୮ ମସିହାରେ ସେ ଦୁହେଁ ବାପ୍ତିସ୍ମ ନେଲେ । ସେମାନେ ବାଇବଲର ସତ୍ୟଗୁଡ଼ିକୁ ବହୁତ ପ୍ରେମ କରିବାକୁ ଲାଗିଲେ । ତେଣୁ ସେମାନେ ନିଜ ପରିବାର ଲୋକ, ସାଙ୍ଗ ଓ ସମସ୍ତଙ୍କୁ ଏବିଷୟରେ କହିଲେ । ଭାଇ ଅର୍ନଷ୍ଟ ଓ ଭଉଣୀ ରୋଜା ୭୦ରୁ ବି ଅଧିକ ଲୋକମାନଙ୍କୁ ସତ୍ୟ ଶିଖାଇଲେ ଯେଉଁମାନେ ଆଗକୁ ଯାଇ ବାପ୍ତିସ୍ମ ନେଲେ ।
୭. ଯେବେ ବାଇବଲ ସତ୍ୟଗୁଡ଼ିକ ଆମ ହୃଦୟକୁ ଛୁଇଁଯାଏ, ତେବେ ଆମେ କʼଣ କରୁ ? (ଲୂକ ୬:୪୫)
୭ ଯେବେ ବାଇବଲ ସତ୍ୟଗୁଡ଼ିକ ଆମ ହୃଦୟକୁ ଛୁଇଁଯାଏ, ତେବେ ଆମେ ଏବିଷୟରେ ଅନ୍ୟମାନଙ୍କୁ କହିବାରୁ ନିଜକୁ ରୋକିପାରି ନ ଥାଉ । (ଲୂକ ୬:୪୫ ପଢ଼ନ୍ତୁ ।) ଆମେ ବି ପ୍ରଥମ ଶତାବ୍ଦୀର ସେହି ଶିଷ୍ୟମାନଙ୍କ ଭଳି ଅନୁଭବ କରୁ ଯେଉଁମାନେ କହିଲେ, “ଆମ୍ଭେମାନେ ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ ।” (ପ୍ରେରି. ୪:୨୦) ଆମେ ସତ୍ୟକୁ ବହୁତ ପ୍ରେମ କରୁ ତେଣୁ ଆମେ ଅଧିକରୁ ଅଧିକ ଲୋକମାନଙ୍କୁ ଏବିଷୟରେ କହିବା ପାଇଁ ଚାହୁଁ ।
ଲୋକମାନଙ୍କ ପ୍ରତି ପ୍ରେମ
୮. ଆମେ ଲୋକମାନଙ୍କୁ ଖୁସିଖବର ଶୁଣାଇବା ପାଇଁ କାହିଁକି ବହୁତ ପରିଶ୍ରମ କରୁ ? (“ ଲୋକଙ୍କୁ ପ୍ରେମ କର—ଶିଷ୍ୟ କର” ନାମକ ବକ୍ସ ଦେଖନ୍ତୁ ।) (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ ଯିହୋବା ଓ ତାଙ୍କ ପୁତ୍ରଙ୍କ ଭଳି ଆମେ ମଧ୍ୟ ଲୋକମାନଙ୍କୁ ପ୍ରେମ କରୁ । (ହିତୋ. ୮:୩୧; ଯୋହ. ୩:୧୬) ଯେଉଁ ଲୋକମାନେ “ଈଶ୍ୱରବିହୀନ” ଅଟନ୍ତି ଓ ଯେଉଁମାନେ “ଭରସାହୀନ” [‘ଆଶାହୀନ,’ NWT] ଅଟନ୍ତି, ସେମାନଙ୍କୁ ଦେଖି ଆମେ କରୁଣାରେ ଭରିଯାଉ । (ଏଫି. ୨:୧୨) ସେମାନେ ଅନେକ ସମସ୍ୟାର ସାମନା କରୁଛନ୍ତି, କିନ୍ତୁ ଆମେ ଈଶ୍ୱରଙ୍କ ରାଜ୍ୟର ଖୁସିଖବର ଶୁଣାଇ ସେମାନଙ୍କ ଜୀବନ ରକ୍ଷା କରିପାରିବା । ଆମେ ଲୋକମାନଙ୍କୁ ବହୁତ ପ୍ରେମ କରୁ ଓ ସେମାନଙ୍କ ବହୁତ ଚିନ୍ତା କରୁ, ତେଣୁ ଆମେ ଖୁସିଖବର ଶୁଣାଇବା ପାଇଁ କଠିନ ପରିଶ୍ରମ କରୁ । ଏହି ଖୁସିଖବର ବହୁମୂଲ୍ୟ ଅଟେ । ଏହା ଯୋଗୁଁ ଲୋକମାନଙ୍କୁ ଆଶା ମିଳିପାରିବ, ଆଜି ସେମାନେ ଗୋଟିଏ ଭଲ ଜୀବନ ବଞ୍ଚିପାରିବେ ଏବଂ ଭବିଷ୍ୟତରେ ନୂଆ ଦୁନିଆରେ ସେମାନଙ୍କୁ “ପ୍ରକୃତ ଜୀବନ” ଅର୍ଥାତ୍ ଅନନ୍ତ ଜୀବନ ବି ମିଳିପାରିବ ।—୧ ତୀମ. ୬:୧୯.
୯. ଭବିଷ୍ୟତ ବିଷୟରେ ଆମେ ଲୋକମାନଙ୍କୁ କʼଣ ଚେତାବନୀ ଦେଉଛୁ ଏବଂ କାହିଁକି ? (ଯିହିଜିକଲ ୩୩:୭, ୮)
୯ ଆମେ ଲୋକମାନଙ୍କୁ ପ୍ରେମ କରୁ, ତେଣୁ ଆମେ ସେମାନଙ୍କୁ ଏବିଷୟରେ ବି କହୁ ଯେ ଏହି ଦୁଷ୍ଟ ଦୁନିଆର ଖୁବ୍ ଶୀଘ୍ର ବିନାଶ ହୋଇଯିବ । (ଯିହିଜିକଲ ୩୩:୭, ୮ ପଢ଼ନ୍ତୁ ।) ଆମେ ନିଜ ସେହି ପଡ଼ୋଶୀ ଓ ସମ୍ପର୍କୀୟଙ୍କୁ ଦେଖି ବହୁତ ଦୁଃଖି ହୋଇଯାଉ ଯେଉଁମାନେ ନିଜର ନିତିଦିନିଆ ଜୀବନରେ ବ୍ୟସ୍ତ ଅଛନ୍ତି ଏବଂ ସେ ଏକଥାରୁ ଅଜଣା ଅଛନ୍ତି ଯେ ଖୁବ୍ ଶୀଘ୍ର “ଏପରି ମହାକ୍ଳେଶ ଘଟିବ ଯେ, ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ ।” (ମାଥି. ୨୪:୨୧) ଆମେ ସେମାନଙ୍କୁ କହିବା ପାଇଁ ଚାହୁଁ ଯେ ନ୍ୟାୟର ସେହି ସମୟରେ କʼଣ କʼଣ ହେବ: ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିଦିଆଯିବ ଏବଂ ତାʼପରେ ହର୍ମିଗିଦ୍ଦୋନ୍ ଯୁଦ୍ଧରେ ଏହି ଦୁଷ୍ଟ ଦୁନିଆର ବିନାଶ କରିଦିଆଯିବ । (ପ୍ରକା. ୧୬:୧୪, ୧୬; ୧୭:୧୬, ୧୭; ୧୯:୧୧, ୧୯, ୨୦) ଆମେ ଆଶା କରୁ ଯେ ଲୋକମାନେ ଏହି ଚେତାବନୀ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଆମ ସହିତ ମିଶି ଯିହୋବାଙ୍କ ଉପାସନା କରନ୍ତୁ । ଆମ ସମ୍ପର୍କୀୟ ଓ ଅନ୍ୟ ଲୋକମାନଙ୍କ କʼଣ ହେବ, ଯେଉଁମାନେ ଏହି ଚେତାବନୀ ଉପରେ ଧ୍ୟାନ ଦିଅନ୍ତି ନାହିଁ ?
୧୦. ଭବିଷ୍ୟତରେ ଯାହା ହେବ ସେବିଷୟରେ ଲୋକମାନଙ୍କୁ ଚେତାବନୀ ଦେବା କାହିଁକି ଜରୁରୀ ଅଟେ ?
୧୦ ଯେପରି ଆମେ ପୂର୍ବ ଲେଖାରେ ଦେଖିଥିଲୁ, ମହାନଗରୀ ବାବିଲର ବିନାଶ ଦେଖି ହୁଏତ କିଛି ଲୋକମାନେ ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିବେ ଏବଂ ଭବିଷ୍ୟତରେ ହେବାକୁ ଯାଉଥିବା ବିନାଶରୁ ବଞ୍ଚିଯିବେ । ତାହେଲେ ଭାବନ୍ତୁ, ଆଜି ଲୋକମାନଙ୍କୁ ଭବିଷ୍ୟତରେ ଆସିବାକୁ ଯାଉଥିବା ମହାକ୍ଳେଶ ବିଷୟରେ ଚେତାବନୀ ଦେବା କେତେ ଜରୁରୀ ଅଟେ । ମନେରଖନ୍ତୁ, ଯଦି ଆଜି ଆମେ ସେମାନଙ୍କୁ ଏହି ସନ୍ଦେଶ ବିଷୟରେ କହିବା, ତେବେ ହୁଏତ ସେସମୟରେ ସେମାନଙ୍କୁ ଏହି କଥା ମନେ ପଡ଼ିଯିବ । (ଯିହିଜିକଲ ୩୩:୩୩ ପଦ ସହ ତୁଳନା କରନ୍ତୁ ।) ହୋଇପାରେ, ସେମାନଙ୍କୁ ମନେ ପଡ଼ିଯିବ ଯେ ଯିହୋବାଙ୍କ ସାକ୍ଷୀମାନେ ତାଙ୍କୁ କହିଥିଲେ ଯେ ଭବିଷ୍ୟତରେ କʼଣ କʼଣ ହେବ ଏବଂ ବିନାଶ ଆସିବା ପୂର୍ବରୁ ହୁଏତ ସେମାନେ ମଧ୍ୟ ଆମ ସହିତ ଯିହୋବାଙ୍କ ଉପାସନା କରିବାକୁ ଲାଗିବେ । କʼଣ ଆପଣଙ୍କୁ ମନେ ଅଛି, ଫିଲିପ୍ପୀର କାରାରକ୍ଷକ “ମହା ଭୂମିକମ୍ପ” ଦେଖିବା ପରେ ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲା । ସେହିଭଳି ଆଜି ଯେଉଁ ଲୋକମାନେ ଆମ ସନ୍ଦେଶକୁ ଶୁଣନ୍ତି ନାହିଁ, ସେମାନେ ହୁଏତ ଦୁନିଆରେ ହେବାକୁ ଯାଉଥିବା ବଡ଼ ବଡ଼ ଘଟଣା ଦେଖି ଅର୍ଥାତ୍ ମହାନଗରୀ ବାବିଲର ବିନାଶ ଦେଖି ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିବେ ।—ପ୍ରେରି. ୧୬:୨୫-୩୪.
ଯିହୋବା ଓ ତାଙ୍କ ନାମ ପ୍ରତି ପ୍ରେମ
୧୧. ଆମେ କିପରି ଯିହୋବାଙ୍କୁ ଗୌରବ, ଆଦର ଓ ଶକ୍ତି ଦେଉ ? (ପ୍ରକାଶିତ ବାକ୍ୟ ୪:୧୧) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୧ ଖୁସିଖବର ଶୁଣାଇବାର ସବୁଠୁ ବଡ଼ କାରଣ ହେଉଛି ଯେ ଆମେ ଯିହୋବା ଈଶ୍ୱରଙ୍କୁ ଓ ତାଙ୍କ ନାମକୁ ବହୁତ ପ୍ରେମ କରୁ । ପ୍ରଚାର କରି ଆମେ ଦେଖାଉ ଯେ ଆମେ ନିଜ ଈଶ୍ୱରଙ୍କୁ ବହୁତ ପ୍ରେମ କରୁ ଏବଂ ତାଙ୍କ ପ୍ରଶଂସା କରିବାକୁ ଚାହୁଁ । (ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ ।) ଆମେ ଏହି କଥାକୁ ମାନୁ ଯେ ଯିହୋବା ନିଜ ସେବକମାନଙ୍କଠାରୁ ଗୌରବ, ସମ୍ଭ୍ରମ ବା ଆଦର ଏବଂ ପରାକ୍ରମ ବା ଶକ୍ତି ପାଇବାର ଯୋଗ୍ୟ ଅଟନ୍ତି । ଯେବେ ଆମେ ଲୋକମାନଙ୍କୁ ଏ କଥାର ପ୍ରମାଣ ଦେଉ ଯେ ଯିହୋବା ହିଁ ‘ସମସ୍ତ ସୃଷ୍ଟ କରିଅଛନ୍ତି’ ଏବଂ ତାଙ୍କ ଯୋଗୁଁ ହିଁ ଆମେ ଏହି ଦୁନିଆରେ ଅଛୁ, ତେବେ ଆମେ ଯିହୋବାଙ୍କୁ ଗୌରବ ଓ ଆଦର ଦେଉ । ଆଉ ଯେବେ ଆମେ ନିଜ ସମୟ, ଶକ୍ତି ଓ ପଇସା ପ୍ରଚାର କାମରେ ଲଗାଉ ଏବଂ ଆମ ଦ୍ୱାରା ଯେତେ ହୋଇପାରେ ଆମେ ସେତେ ପ୍ରଚାର କରୁ, ତେବେ ଆମେ ନିଜ ଶକ୍ତି ଯିହୋବାଙ୍କ ପାଇଁ ଲଗାଉ । (ମାଥି. ୬:୩୩; ଲୂକ ୧୩:୨୪; କଲ. ୩:୨୩) କହିବାକୁ ଗଲେ ଆମେ ଈଶ୍ୱରଙ୍କୁ ପ୍ରେମ କରୁ ଏବଂ ତାଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଆମକୁ ଭଲ ଲାଗେ । ଆମେ ଲୋକମାନଙ୍କୁ ଏବିଷୟରେ ବି ଜଣାଉ ଯେ ଈଶ୍ୱରଙ୍କ ନାମ କʼଣ ଏବଂ ସେ କିପରି ଈଶ୍ୱର ଅଟନ୍ତି ।
୧୨. ପ୍ରଚାର କରି ଆମେ ଯିହୋବାଙ୍କ ନାମକୁ କିପରି ପବିତ୍ର କରୁ ?
୧୨ ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ତାଙ୍କ ନାମକୁ ବି ପବିତ୍ର କରିବା ପାଇଁ ଚାହୁଁ । (ମାଥି. ୬:୯) ଶୟତାନ ଯିହୋବାଙ୍କ ବିଷୟରେ ମିଛ କଥାଗୁଡ଼ିକ କହିଛି ଓ ତାଙ୍କ ନାମରେ କଳଙ୍କ ଲଗାଇଛି । କିନ୍ତୁ ଆମେ ସେହି କଳଙ୍କକୁ ହଟାଇବା ପାଇଁ ଚାହୁଁ । (ଆଦି. ୩:୧-୫; ଆୟୁ. ୨:୪; ଯୋହ. ୮:୪୪) ପ୍ରଚାର କରି ଆମେ ଲୋକମାନଙ୍କୁ ଏବିଷୟରେ ଜଣାଇବା ପାଇଁ ଚାହୁଁ ଯେ ଆମ ଈଶ୍ୱର କିପରି ଅଟନ୍ତି । ଆମେ ଚାହୁଁ ସମସ୍ତେ ଏବିଷୟରେ ଜାଣନ୍ତୁ ଯେ ଈଶ୍ୱର ପ୍ରେମମୟୀ ଅଟନ୍ତି ଏବଂ ତାଙ୍କ ଶାସନ କରିବାର ଉପାୟ ହିଁ ସବୁଠୁ ବଢ଼ିଆ ଅଟେ । ଆମେ ସମସ୍ତଙ୍କୁ ଏହା ବି କହିବାକୁ ଚାହୁଁ ଯେ ଯିହୋବା ଖୁବ୍ ଶୀଘ୍ର ନିଜ ଶାସନ ଜରିଆରେ ସମସ୍ତ ଦୁଃଖକଷ୍ଟକୁ ଶେଷ କରିଦେବେ ଏବଂ ମଣିଷମାନଙ୍କୁ ଏପରି ଦୁନିଆ ଦେବେ, ଯେଉଁଠି ଚାରିଆଡ଼େ ଶାନ୍ତି ଓ ଖୁସିଭରା ପରିବେଶ ଥିବ । (ଗୀତ. ୩୭:୧୦, ୧୧, ୨୯; ୧ ଯୋହ. ୪:୮) ଯେବେ ଆମେ ଲୋକମାନଙ୍କୁ ଏବିଷୟରେ କହୁ ତେବେ ଆମେ ଯିହୋବାଙ୍କ ପକ୍ଷ ନେଉ ଏବଂ ତାଙ୍କ ନାମକୁ ପବିତ୍ର କରୁ । ତାʼ ସହିତ ଆମକୁ ଏହା ଜାଣି ବି ଖୁସି ମିଳେ ଯେ ଆମେ ଯେଉଁ ନାମରେ ପରିଚିତ ଅଛୁ, ତାʼ ଅନୁସାରେ କାମ କରୁଛୁ । ତାହା କିପରି ?
୧୩. ଆମକୁ ଯିହୋବାଙ୍କ ସାକ୍ଷୀ ନାମ ଦିଆଯାଇଛି ଓ ଏହି ନାମ ପାଇଁ ଆମେ କାହିଁକି ଗର୍ବ କରୁ ? (ଯିଶାଇୟ ୪୩:୧୦-୧୨)
୧୩ ଯିହୋବା ଆମକୁ ନିଜ “ସାକ୍ଷୀ” ହେବା ପାଇଁ ବାଛିଛନ୍ତି । (ଯିଶାଇୟ ୪୩:୧୦-୧୨ ପଢ଼ନ୍ତୁ ।) ଅନେକ ବର୍ଷ ପୂର୍ବେ ପ୍ରଶାସନ ଦଳର ଗୋଟିଏ ଚିଠିରେ ଲେଖା ଥିଲା, “ଏହା ବହୁତ ସମ୍ମାନର କଥା ଯେ ଆମେ ଯିହୋବାଙ୍କ ସାକ୍ଷୀ ନାମରେ ପରିଚିତ ।” c ଏହା କେତେ ବଡ଼ ସମ୍ମାନର କଥା ତାହା ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ଆପଣଙ୍କ ଉପରେ ଗୋଟିଏ ମିଛ ଆରୋପ ଲଗାଯାଇଛି ଏବଂ ଆପଣଙ୍କୁ ବଦନାମ କରାଯାଇଛି । ଆପଣଙ୍କ ଉପରେ ଗୋଟିଏ ମକଦ୍ଦମା ଚାଲିଛି । ଏପରି ସମୟରେ ଆପଣ ନିଜ ବିଷୟରେ ସାକ୍ଷ୍ୟ ଦେବା ପାଇଁ କାହାକୁ ବାଛିବେ ? ଆପଣ କୌଣସି ଏପରି ବ୍ୟକ୍ତିକୁ ବାଛିବେ ଯାହାକୁ ଆପଣ ଭଲଭାବେ ଜାଣନ୍ତି ଓ ଯାହାଙ୍କ ଉପରେ ଆପଣଙ୍କୁ ଭରସା ଅଛି । ଆପଣ ଏହା ବି ଦେଖିବେ ଯେ ସେହି ବ୍ୟକ୍ତିର ଭଲ ନାମ ଅଛି ନା ନାହିଁ, ଯାହାଦ୍ୱାରା ସମସ୍ତେ ତାଙ୍କ ଉପରେ ଭରସା କରିବେ । ତାହେଲେ ଭାବନ୍ତୁ ଯିହୋବା ଆମକୁ ନିଜ ସାକ୍ଷୀ ବାଛି ଦେଖାଇଲେ ଯେ ସେ ଆମକୁ ବହୁତ ଭଲଭାବେ ଜାଣନ୍ତି ଓ ଆମ ଉପରେ ଭରସା କରନ୍ତି । ତାଙ୍କୁ ବିଶ୍ୱାସ ଅଛି ଯେ ଆମେ ସମସ୍ତଙ୍କ ଆଗରେ ଏହା ସାକ୍ଷ୍ୟ ଦେବା ଯେ ଯିହୋବା ସତ୍ୟ ଈଶ୍ୱର ଅଟନ୍ତି । ଆମ ପାଇଁ ଏହା ବହୁତ ସମ୍ମାନର କଥା ଅଟେ । ତେଣୁ ଯେବେ ବି ଆମକୁ ଯିହୋବାଙ୍କ ବିଷୟରେ କହିବାର ସୁଯୋଗ ମିଳେ, ତେବେ ଆମେ ତାହାକୁ ହାତଛଡ଼ା କରି ନ ଥାଉ ଏବଂ ତାଙ୍କ ବିଷୟରେ ଯେଉଁ ମିଛ କଥା ପ୍ରସାରିତ କରାଯାଇଛି, ସେଗୁଡ଼ିକୁ ଭୁଲ ପ୍ରମାଣିତ କରୁ । ଏପରି ଭାବେ ଆମେ ଯେଉଁ ନାମରେ ପରିଚିତ ଅଟୁ ସେ ଅନୁସାରେ କାମ କରୁ । ଆମେ ବହୁତ ଗର୍ବ ଅନୁଭବ କରୁ ଯେ ଆମେ ଯିହୋବାଙ୍କ ସାକ୍ଷୀ ଅଟୁ ।—ଗୀତ. ୮୩:୧୮; ରୋମୀ. ୧୦:୧୩-୧୫.
ଯୁଗାନ୍ତ ପର୍ଯ୍ୟନ୍ତ ଆମେ ପ୍ରଚାର କରିବା
୧୪. ଆମେ କʼଣ ଦେଖିବା ପାଇଁ ଉତ୍ସୁକ ଅଛୁ ?
୧୪ ଆମେ ଏହା ଦେଖିବା ପାଇଁ ବହୁତ ଉତ୍ସୁକ ଯେ ଭବିଷ୍ୟତରେ କʼଣ ହେବ ! ଆମେ ଆଶା କରୁ ଯେ ମହାକ୍ଳେଶ ଆରମ୍ଭ ହେବା ପୂର୍ବରୁ ଆହୁରି ଲୋକମାନେ ସତ୍ୟକୁ ସ୍ୱୀକାର କରିବେ । ତାʼ ସହିତ, ଆମକୁ ଏହା ଜାଣି ବହୁତ ଖୁସି ମିଳେ ଯେ ଏତେ କଠିନ ସମୟରେ ଅର୍ଥାତ୍ ମହାକ୍ଳେଶ ସମୟରେ ଅନେକ ଲୋକ ଶୟତାନର ଏହି ଦୁନିଆକୁ ଛାଡ଼ି ଆମ ସହିତ ଯିହୋବାଙ୍କ ମହିମା କରିବାକୁ ଲାଗିବେ ।—ପ୍ରେରି. ୧୩:୪୮.
୧୫-୧୬. ଆମେ କେଉଁ କାମରେ ଲାଗି ରହିବା ଏବଂ ସେହି କାମ କେବେ ଯାଏ କରିବା ?
୧୫ ମହାକ୍ଳେଶ ଆସିବା ପୂର୍ବରୁ ଆମ ପାଖରେ ବହୁତ କାମ ଅଛି । ଆମକୁ ସାରା ଦୁନିଆରେ ଖୁସିଖବର ଶୁଣାଇବାର ଅଛି । ଏହି କାମ ଏପରି ଅଟେ ଯାହା ଆମେ ଆଗକୁ କେବେ ବି କରିପାରିବାନି । କିନ୍ତୁ ତାʼ ସହିତ ଆମକୁ ଲୋକମାନଙ୍କୁ ଚେତାବନୀ ବି ଦେବାର ଅଛି । ଆମକୁ ସେମାନଙ୍କୁ କହିବାର ଅଛି ଯେ ଖୁବ୍ ଶୀଘ୍ର ଏହି ଦୁଷ୍ଟ ଦୁନିଆର ବିନାଶ ହୋଇଯିବ । ତାʼପରେ ମହାକ୍ଳେଶ ସମୟରେ ଯେବେ ନ୍ୟାୟର ସମୟ ଆସିବ, ତେବେ ଲୋକମାନେ ବୁଝିଯିବେ ଯେ ଆମେ ଯେଉଁ ସନ୍ଦେଶ ବିଷୟରେ ସେମାନଙ୍କୁ କହିଥିଲୁ, ସେହି ସନ୍ଦେଶ ଯିହୋବା ଈଶ୍ୱରଙ୍କ ତରଫରୁ ଥିଲା ।—ଯିହି. ୩୮:୨୩.
୧୬ ଏସବୁ ଜାଣିବା ପରେ ଆମେ କʼଣ କରିବା ? ଆମେ ଖୁସିର ସହ ଓ ପୂରା ଉତ୍ସାହର ସହିତ ପ୍ରଚାର କରିବା । କାରଣ ଆମେ ଖୁସିଖବରକୁ, ଲୋକମାନଙ୍କୁ ଆଉ ସବୁଠୁ ବେଶି ଯିହୋବା ଓ ତାଙ୍କ ନାମକୁ ପ୍ରେମ କରୁ । ଆଉ ଆମେ ଏହି କାମ ସେସମୟ ଯାଏ କରିବା ଯେବେ ଯାଏ ଯିହୋବା ଏହା କହିବେ ନାହିଁ, “ପ୍ରଚାର କାମ ପୂରା ହୋଇସାରିଛି ।”
ଗୀତ ୫୪ “ରାହ୍ ୟେହି ହେ !”
a ଆମର ବାର୍ଷିକ ସଭା, ୭ ଅକ୍ଟୋବର ୨୦୨୩ରେ ଆମେରିକାର ନ୍ୟୁୟର୍କରେ ଯିହୋବାଙ୍କ ସାକ୍ଷୀମାନଙ୍କ ନ୍ୟୁବର୍ଗ ସମ୍ମିଳନୀ ଭବନରେ ରଖାଯାଇଥିଲା । ଏହାର ପୂରା କାର୍ଯ୍ୟକ୍ରମ ପରେ JW ବ୍ରୋଡକାଷ୍ଟିଙ୍ଗ୍ରେ ଦେଖାଇ ଦିଆଯାଇଥିଲା । ଏହାର ଭାଗ ୧, ନଭେମ୍ବର ୨୦୨୩ରେ ଦେଖାଇ ଦିଆଯାଇଥିଲା ଏବଂ ଭାଗ ୨, ଜାନୁୟାରୀ ୨୦୨୪ରେ ।
b ଏହି ଭାଇଙ୍କ କାହାଣୀ ପଢ଼ିବା ପାଇଁ JW.org/hi ୱେବସାଇଟ୍କୁ ଜାଆନ୍ତୁ ଓ ଖୋଜନ୍ତୁ ବକ୍ସରେ “ବାଇବଲ ମେ ମେରେ ସଭି ଶୱାଲୋଁ କେ ଜୱାବ ମିଲେ” ଟାଇପ୍ କରନ୍ତୁ ।
c ମାର୍ଚ୍ଚ ୨୦୦୭ ମସିହାର ଆମ ରାଜ୍ୟ ସେବାର ପୃଷ୍ଠା ୩ ପଢ଼ନ୍ତୁ ।