Privacy Settings

To provide you with the best possible experience, we use cookies and similar technologies. Some cookies are necessary to make our website work and cannot be refused. You can accept or decline the use of additional cookies, which we use only to improve your experience. None of this data will ever be sold or used for marketing. To learn more, read the Global Policy on Use of Cookies and Similar Technologies. You can customize your settings at any time by going to Privacy Settings.

ଅଧ୍ୟୟନ ଲେଖା ୨୧

ପ୍ରକାଶିତ ବାକ୍ୟରେ ଆମ ଭବିଷ୍ୟତ ପାଇଁ ଆଶା

ପ୍ରକାଶିତ ବାକ୍ୟରେ ଆମ ଭବିଷ୍ୟତ ପାଇଁ ଆଶା

“ଆମେନ୍‌, ହେ ପ୍ରଭୁ ଯୀଶୁ, ଆସନ୍ତୁ ।”—ପ୍ରକା. ୨୨:୨୦.

ଗୀତ ୧୪୨ ଆପନି ଆଶା କାସ୍‌କର ଥାମେ ରହେଁ

ଲେଖାର ଝଲକ a

୧. ଆଜି ସବୁ ଲୋକମାନଙ୍କୁ କେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଅଛି ?

 ଆଜି ସବୁ ଲୋକମାନଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଅଛି । ସେମାନଙ୍କୁ ନିଷ୍ପତ୍ତି ନେବାର ଅଛି ଯେ ସେମାନେ କାହା ପକ୍ଷରେ ଛିଡ଼ା ହେବେ, ଯିହୋବାଙ୍କ ପକ୍ଷରେ ନା ଶୟତାନର ପକ୍ଷରେ । ସେମାନେ ଦୁଇଟି ଡଙ୍ଗାରେ ଗୋଡ଼ ଦେଇପାରିବେ ନାହିଁ । ଆଜି ସେମାନେ ଯାହା ନିଷ୍ପତ୍ତି ନେବେ, ସେଥିରୁ ନିର୍ଦ୍ଧାରିତ ହେବ ଯେ ସେମାନଙ୍କର ଭବିଷ୍ୟତ କିପରି ହେବ । (ମାଥି. ୨୫:୩୧-୩୩, ୪୬) “ମହାକ୍ଳେଶ” ସମୟରେ ଯେତେବେଳେ ମଣିଷମାନଙ୍କର ନ୍ୟାୟ କରାଯିବ, ସେତେବେଳେ ଏହାର ନିଷ୍ପତ୍ତି ନିଆଯିବ ଯେ କିଏ ବଞ୍ଚିବ ଓ କାହାର ବିନାଶ କରିଦିଆଯିବ ।—ପ୍ରକା. ୭:୧୪; ୧୪:୯-୧୧; ଯିହି. ୯:୪, ୬.

୨. (କ) ଏବ୍ରୀ ୧୦:୩୫-୩୯ ପଦରେ ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି ? (ଖ) ପ୍ରକାଶିତ ବାକ୍ୟର କଥାଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ କʼଣ କରିପାରିବା ?

ଏବ୍ରୀ ୧୦:୩୫-୩୯ ପଢ଼ନ୍ତୁ । ଯଦି ଆପଣ ଯିହୋବାଙ୍କ ରାଜ୍ୟର ପକ୍ଷ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତାହେଲେ ଆପଣ ସଠିକ୍‌ ନିଷ୍ପତ୍ତି ନେଇଛନ୍ତି । ଏବେ ହୁଏତ ଆପଣ ଅନ୍ୟମାନଙ୍କୁ ମଧ୍ୟ ଏହି ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବାକୁ ଚାହୁଁଥିବେ । ତାʼପାଇଁ ଆପଣ ପ୍ରକାଶିତ ବାକ୍ୟ ବହିରେ ଦିଆଯାଇଥିବା କଥାଗୁଡ଼ିକୁ ଧ୍ୟାନରେ ରଖିପାରିବେ । ସେଥିରେ କେବଳ ଏହା କୁହାଯାଇନି ଯେ ଈଶ୍ୱରଙ୍କ ଶତ୍ରୁମାନଙ୍କର କʼଣ ହେବ, ବରଂ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଲୋକମାନେ ଯିହୋବାଙ୍କର ବିଶ୍ୱସ୍ତ ରହିବେ, ସେମାନଙ୍କୁ କʼଣ କʼଣ ଆଶିଷ ମିଳିବ । ଯଦି ଆପଣ ଏହି କଥାଗୁଡ଼ିକୁ ପଢ଼ିବେ ଓ ସେବିଷୟରେ ଭାବିବେ, ତାହେଲେ ସମସ୍ୟା ଆସିଲେ ମଧ୍ୟ ଆପଣ ଯିହୋବାଙ୍କ ସେବା କରିବା ଜାରି ରଖିପାରିବେ । ତାʼସହ ଆପଣ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ ଯେ ସେମାନେ ଯିହୋବାଙ୍କର ସେବା କରିବାର ନିଷ୍ପତ୍ତି ନିଅନ୍ତୁ ଓ ଏପରି କରିବା ଜାରି ରଖନ୍ତୁ ।

୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା ?

ଏହି ଲେଖାରେ ଆମେ ବିଶେଷ କରି ଦୁଇଟି ପ୍ରଶ୍ନ ଉପରେ ଆଲୋଚନା କରିବା । (୧) ଯେଉଁ ଲୋକମାନେ ଯିହୋବାଙ୍କ ରାଜ୍ୟର ପକ୍ଷ ନେବେ, ସେମାନଙ୍କର କʼଣ ହେବ ? (୨) ଯେଉଁ ଲୋକମାନେ ଲୋହିତବର୍ଣ୍ଣର ଜଙ୍ଗଲୀ ପଶୁର ପକ୍ଷ ନେବେ ସେମାନଙ୍କର କʼଣ ହେବ ?

ବିଶ୍ୱସ୍ତ ଲୋକମାନଙ୍କ ପାଇଁ ପୁରସ୍କାର

୪. ଯୋହନ ସ୍ୱର୍ଗରେ ଯୀଶୁ ସହ କେଉଁମାନଙ୍କୁ ଛିଡ଼ା ହେବାର ଦେଖନ୍ତି ?

ଗୋଟିଏ ଦର୍ଶନରେ ପ୍ରେରିତ ଯୋହନ ଦୁଇଟି ସମୂହର ଲୋକମାନଙ୍କୁ ଦେଖନ୍ତି, ଯେଉଁମାନେ ଯିହୋବାଙ୍କ ରାଜ୍ୟର ପକ୍ଷ ନିଅନ୍ତି ଓ ଯେଉଁମାନଙ୍କୁ ଅନନ୍ତ ଜୀବନ ଦିଆଯିବ । ପ୍ରଥମ ସମୂହରେ ୧,୪୪,୦୦୦ ଜଣ ଲୋକ ଅଛନ୍ତି । (ପ୍ରକା. ୭:୪) ସେମାନଙ୍କୁ ପୃଥିବୀରୁ ବଛାଯାଇଛି, ଯାହାଫଳରେ ସେମାନେ ସ୍ୱର୍ଗକୁ ଯାଇ ଯୀଶୁଙ୍କ ସହ ମିଶି ପୃଥିବୀ ଉପରେ ଶାସନ କରିବେ । (ପ୍ରକା. ୫:୯, ୧୦; ୧୪:୩, ୪) ଯୋହନ ଦେଖନ୍ତି ଯେ ଏହି ୧,୪୪,୦୦୦ ଜଣ ଯୀଶୁଙ୍କ ସହ ସିୟୋନ ପର୍ବତ ଉପରେ ଅର୍ଥାତ୍‌ ସ୍ୱର୍ଗରେ ଛିଡ଼ା ହୋଇଛନ୍ତି ।—ପ୍ରକା. ୧୪:୧.

୫ . ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ଭବିଷ୍ୟତରେ କʼଣ ହେବ ?

ଏହି ୧,୪୪,୦୦୦ ଜଣକୁ ବଛାଯିବା କାମ ପ୍ରଥମ ଶତାବ୍ଦୀରେ ଆରମ୍ଭ ହୋଇଯାଇଥିଲା ଆଉ ଏମଧ୍ୟରୁ ଅଧିକାଂଶ ସ୍ୱର୍ଗ ଯାଇସାରିଛନ୍ତି । (ଲୂକ ୧୨:୩୨; ରୋମୀ. ୮:୧୭) ଯୋହନଙ୍କୁ କୁହାଗଲା ଯେ ଶେଷକାଳରେ ପୃଥିବୀରେ ଏମଧ୍ୟରୁ କେବଳ କିଛି “ଅବଶିଷ୍ଟ” ଥିବେ । ମହାକ୍ଳେଶ ଆରମ୍ଭ ହେବା ପୂର୍ବରୁ ସେମାନଙ୍କ ଉପରେ ଶେଷ “ମୁଦ୍ରାଙ୍କ” ଲଗାଯିବ । (ପ୍ରକା. ୭:୨, ୩; ୧୨:୧୭) ତାʼପରେ ମହାକ୍ଳେଶ ସମୟରେ ସେମାନଙ୍କୁ ସ୍ୱର୍ଗକୁ ଉଠାଇ ନିଆଯିବ । ସବୁ ୧,୪୪,୦୦୦ ଜଣ ଯୀଶୁଙ୍କ ସହ ମିଶି ଈଶ୍ୱରଙ୍କ ରାଜ୍ୟରେ ଶାସନ କରିବେ ।—ମାଥି. ୨୪:୩୧; ପ୍ରକା. ୫:୯, ୧୦.

୬-୭. (କ) ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦେଖିବା ପରେ ଯୋହନ କʼଣ ଦେଖନ୍ତି ? (ଖ) ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନ ଓ ମହା ଜନତାର ଲୋକମାନେ କାହିଁକି ପ୍ରକାଶିତ ବାକ୍ୟ ୭ ଅଧ୍ୟାୟରେ ଦିଆଯାଇଥିବା ଭବିଷ୍ୟତବାଣୀକୁ ପୂରା ହେବାର ଦେଖିବାକୁ ଚାହାନ୍ତି ?

ସ୍ୱର୍ଗରେ ୧,୪୪,୦୦୦ ଜଣଙ୍କୁ ଦେଖିଲା ପରେ, ଯୋହନ ଏକ ‘ମହା ଜନତାକୁ’ ଦେଖନ୍ତି, ଯାହାକୁ କୌଣସି ବ୍ୟକ୍ତି ଗଣିପାରିବେ ନାହିଁ । (ପ୍ରକା. ୭:୯, ୧୦) ଏହି ‘ମହା ଜନତାରେ’ କେଉଁ ଲୋକମାନେ ଅଛନ୍ତି ? ଯୋହନ ଲେଖିଲେ, “ଏମାନେ ମହାକ୍ଳେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି ।” (ପ୍ରକା. ୭:୧୪) ମହାକ୍ଳେଶରୁ ବାହାରି ଆସିବା ପରେ ଏହି ‘ମହା ଜନତାର’ ଲୋକମାନେ ପୃଥିବୀରେ ସବୁଦିନ ଯାଏ ବଞ୍ଚିବେ ଓ ସେମାନଙ୍କୁ ଅନେକ ଆଶିଷ ମିଳିବ ।—ଗୀତ. ୩୭:୯-୧୧, ୨୭-୨୯; ହିତୋ. ୨:୨୧, ୨୨; ପ୍ରକା. ୭:୧୬, ୧୭.

ଟିକିଏ ଭାବନ୍ତୁ, ଯେତେବେଳେ ପ୍ରକାଶିତ ବାକ୍ୟ ୭ ଅଧ୍ୟାୟରେ ଦିଆଯାଇଥିବା କଥାଗୁଡ଼ିକ ପୂରା ହେବ, ସେତେବେଳେ ଆମକୁ କିପରି ଲାଗିବ ? ଆମ ସମସ୍ତଙ୍କୁ ବହୁତ ଖୁସି ଲାଗିବ । ଆମ ଆଶା ସ୍ୱର୍ଗରେ ବଞ୍ଚିବାର ଥାଉ କିମ୍ବା ପୃଥିବୀରେ ବଞ୍ଚିବାର, ସେସମୟରେ ଆମେ ସମସ୍ତେ ବହୁତ ଖୁସି ଥିବା ଯେ ଆମେ ଯିହୋବାଙ୍କ ରାଜ୍ୟର ପକ୍ଷ ନେଲୁ । ଏବେ ଆସନ୍ତୁ ଜାଣିବା ଯେ ମହାକ୍ଳେଶ ସମୟରେ ଈଶ୍ୱରଙ୍କ ଶତ୍ରୁମାନଙ୍କର କʼଣ ହେବ ।—ମାଥି. ୨୪:୨୧.

ବିରୋଧୀମାନଙ୍କର ଖରାପ ପରିଣାମ

୮. (କ) କେଉଁ ଘଟଣାରୁ ମହାକ୍ଳେଶର ଆରମ୍ଭ ହେବ ? (ଖ) ସେସମୟରେ ଅଧିକାଂଶ ଲୋକମାନେ କʼଣ କରିବେ ?

ଯେପରି ଆମେ ପୂର୍ବ ଲେଖାରେ ଶିଖିଲୁ, ଦୁନିଆର ସରକାରଗୁଡ଼ିକ ଖୁବ୍‌ ଶୀଘ୍ର ମହାନଗରୀ ବାବିଲ ଅର୍ଥାତ୍‌ ସାରା ଦୁନିଆରେ ଥିବା ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିଦେବ । (ପ୍ରକା. ୧୭:୧୬, ୧୭) ଏହି ଘଟଣାରୁ ମହାକ୍ଳେଶର ଆରମ୍ଭ ହେବ । ଯେତେବେଳେ ସବୁ ଧର୍ମଗୁଡ଼ିକର ବିନାଶ ହୋଇଯିବ, କʼଣ ସେତେବେଳେ ଅନେକ ଲୋକ ଯିହୋବାଙ୍କର ଉପାସନା କରିବାକୁ ଚାହିଁବେ ? ନୁହେଁ । ପ୍ରକାଶିତ ବାକ୍ୟ ୬ ଅଧ୍ୟାୟରେ ଲେଖାଅଛି ଯେ ସେମାନେ ପର୍ବତରେ ଯାଇ ଲୁଚିବେ, ଅର୍ଥାତ୍‌ ସେମାନେ ସରକାରଗୁଡ଼ିକ ଓ ବ୍ୟାପାର ଜଗତଗୁଡ଼ିକ ଉପରେ ଭରସା କରିବେ । ସେମାନେ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରିବେ ନାହିଁ । ତେଣୁ ଯିହୋବା ସେମାନଙ୍କୁ ବିରୋଧୀ ମନେ କରିବେ ।—ଲୂକ ୧୧:୨୩; ପ୍ରକା. ୬:୧୫-୧୭.

୯. ମହାକ୍ଳେଶ ସମୟରେ ଯିହୋବାଙ୍କ ଲୋକମାନେ କାହିଁକି ସବୁଠାରୁ ଅଲଗା ଦେଖାଯିବେ ଓ ସେମାନଙ୍କ ସହ କʼଣ ହେବ ?

ମହାକ୍ଳେଶର ସେହି କଷ୍ଟଭରା ସମୟରେ ଯିହୋବାଙ୍କ ଲୋକମାନେ ସବୁଠୁ ଅଲଗା ଦେଖାଯିବେ । କେବଳ ସେମାନେ ହିଁ ନିଜ ଈଶ୍ୱର ଯିହୋବାଙ୍କର ଉପାସନା କରୁଥିବେ ଓ ‘ଜଙ୍ଗଲୀ ପଶୁକୁ’ ସହଯୋଗ କରିବେ ନାହିଁ । (ପ୍ରକା. ୧୩:୧୪-୧୭) ଏହା ଦେଖି ଈଶ୍ୱରଙ୍କ ବିରୋଧୀମାନେ ବହୁତ ରାଗିଯିବେ ଓ ଅନେକ ରାଷ୍ଟ୍ର ମିଶି ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବେ । ବାଇବଲରେ ଏହାକୁ ମାଗୋଗ୍‌ ଦେଶୀୟ ଗୋଗ୍‌ର ଆକ୍ରମଣ ବୋଲି କୁହାଯାଇଛି ।—ଯିହି. ୩୮:୧୪-୧୬.

୧୦. ଯେତେବେଳେ ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରାଯିବ, ସେତେବେଳେ ସେ କʼଣ କରିବେ ? (ପ୍ରକାଶିତ ବାକ୍ୟ ୧୯:୧୯-୨୧)

୧୦ ଯେତେବେଳେ ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ ହେବ, ସେତେବେଳେ ତାଙ୍କୁ କିପରି ଲାଗିବ ? ସେ କହନ୍ତି, “ଆମ୍ଭର କୋପ ଆମ୍ଭର ନାସାରନ୍ଧ୍ରକୁ ଉଠିବ ।” (ଯିହି. ୩୮:୧୮, ୨୧-୨୩) ପ୍ରକାଶିତ ବାକ୍ୟ ୧୯ ଅଧ୍ୟାୟରେ କୁହାଯାଇଛି ଯେ ଯିହୋବା କʼଣ କରିବେ । ସେ ନିଜ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଓ ନିଜ ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ନିଜ ପୁତ୍ରକୁ ପଠାଇବେ । ଯୀଶୁଙ୍କ ସହ “ସ୍ୱର୍ଗସ୍ଥ ସୈନ୍ୟବାହିନୀ” ମଧ୍ୟ ଥିବେ, ଅର୍ଥାତ୍‌ ବିଶ୍ୱସ୍ତ ସ୍ୱର୍ଗଦୂତ ଓ ସ୍ୱର୍ଗ ଯାଇଥିବା ୧,୪୪,୦୦୦ ଜଣ । (ପ୍ରକା. ୧୭:୧୪; ୧୯:୧୧-୧୫) ଏହି ଯୁଦ୍ଧର ପରିଣାମ କʼଣ ହେବ ? ଯେତେ ବି ଲୋକମାନେ ଓ ସଂଗଠନଗୁଡ଼ିକ ଯିହୋବାଙ୍କର ବିରୋଧ କରୁଥିବେ, ସେମାନଙ୍କୁ ବିନାଶ କରିଦିଆଯିବ ।—ପ୍ରକାଶିତ ବାକ୍ୟ ୧୯:୧୯-୨୧ ପଢ଼ନ୍ତୁ ।

ଯୁଦ୍ଧ ପରେ, ଗୋଟିଏ ବିବାହ

୧୧. ପ୍ରକାଶିତ ବାକ୍ୟର ଶେଷରେ କେଉଁ ବିଶେଷ ଘଟଣା ବିଷୟରେ କୁହାଯାଇଛି ?

୧୧ ଯେତେବେଳେ ଈଶ୍ୱରଙ୍କ ଶତ୍ରୁମାନଙ୍କର ବିନାଶ ହୋଇଯିବ, ସେତେବେଳେ ପୃଥିବୀରେ ଥିବା ବିଶ୍ୱସ୍ତ ଲୋକମାନେ ବହୁତ ଖୁସି ହେବେ । ସେସମୟରେ ସ୍ୱର୍ଗରେ ପରିସ୍ଥିତି କିପରି ଥିବ ? ମହାନଗରୀ ବାବିଲର ବିନାଶ ସମୟରେ ସ୍ୱର୍ଗରେ ବହୁତ ଆନନ୍ଦ ଓ ଉଲ୍ଲାସ ହେଲା । କିନ୍ତୁ ଏବେ ଏପରି କିଛି ହେବ ଯାହା ଯୋଗୁଁ ସ୍ୱର୍ଗରେ ଆହୁରି ଅଧିକ ଆନନ୍ଦ ଓ ଉଲ୍ଲାସ ହେବ । (ପ୍ରକା. ୧୯:୧-୩) ପ୍ରକାଶିତ ବାକ୍ୟ ବହିରେ ଗୋଟିଏ ବିଶେଷ ଘଟଣା ବିଷୟରେ କୁହାଯାଇଛି । ତାହା ହେଉଛି, “ମେଷଶାବକଙ୍କ ବିବାହ ।”—ପ୍ରକା. ୧୯:୬-୯.

୧୨. ପ୍ରକାଶିତ ବାକ୍ୟ ୨୧:୧, ୨ ପଦ ଅନୁସାରେ ମେଷଶାବକଙ୍କ ବିବାହ କେବେ ହେବ ?

୧୨ ମେଷଶାବକଙ୍କ ବିବାହ କେବେ ହେବ ? ହର୍ମିଗିଦ୍ଦୋନ୍‌ ଯୁଦ୍ଧ ଆରମ୍ଭ ହେବାର ଠିକ୍‌ ପୂର୍ବରୁ, ସବୁ ୧,୪୪,୦୦୦ ଜଣ ସ୍ୱର୍ଗରେ ଏକତ୍ର ହୋଇଯିବେ । କିନ୍ତୁ ଏହି ବିବାହ ସେତେବେଳେ ହେବ ନାହିଁ । (ପ୍ରକାଶିତ ବାକ୍ୟ ୨୧:୧, ୨ ପଢ଼ନ୍ତୁ ।) ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଯେତେବେଳେ ସବୁ ଶତ୍ରୁମାନଙ୍କର ବିନାଶ ହୋଇଯିବ, ତାʼପରେ ମେଷଶାବକଙ୍କ ବିବାହ ହେବ ।—ଗୀତ. ୪୫:୩, ୪, ୧୩-୧୭.

୧୩. ମେଷଶାବକଙ୍କ ବିବାହର ଅର୍ଥ କʼଣ ଅଟେ ?

୧୩ ଯେତେବେଳେ ଜଣେ ପୁରୁଷ ଓ ସ୍ତ୍ରୀର ବିବାହ ହୁଏ, ସେତେବେଳେ ସେମାନେ ଏକତାର ବନ୍ଧନରେ ବାନ୍ଧିଯାʼନ୍ତି । ସେହିପରି ଯେତେବେଳେ ମେଷଶାବକଙ୍କ ବିବାହ ହେବ, ସେତେବେଳେ ଯୀଶୁ ଓ ତାଙ୍କ “କନ୍ୟା” ଅର୍ଥାତ୍‌ ୧,୪୪,୦୦୦ ଜଣ ଏକତାର ବନ୍ଧନରେ ବାନ୍ଧି ହୋଇଯିବେ । ସେମାନେ ଏକା ସହ ମିଶି ୧,୦୦୦ ବର୍ଷ ଯାଏ ପୃଥିବୀ ଉପରେ ଶାସନ କରିବେ ।—ପ୍ରକା. ୨୦:୬.

ଗୋଟିଏ ସୁନ୍ଦର ନଗରୀ ଓ ସେଥିରୁ ମିଳୁଥିବା ଆଶିଷଗୁଡ଼ିକ

ନୂତନ ଯିରୂଶାଲମ ସ୍ୱର୍ଗରୁ ଅବତରଣ କରୁଛି ଓ ବହୁତ ଚମକୁଛି । ସେହି ନଗରୀରୁ ଗୋଟିଏ ନଦୀ ବହୁଛି । ନଦୀର ଉଭୟ ପାର୍ଶ୍ୱରେ ଏପରି ବୃକ୍ଷଗୁଡ଼ିକ ଅଛି ଯେଉଁଠି ଫଳ ଭରିରହିଛି ।

ପ୍ରକାଶିତ ବାକ୍ୟ ୨୧ ଅଧ୍ୟାୟରେ କୁହାଯାଇଛି ଯେ ନୂତନ ଯିରୂଶାଲମ ‘ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରୁଥିଲା ।’ ଏହାର ଅର୍ଥ, ହଜାର ବର୍ଷ ଭିତରେ ଏହି ନଗରୀ ପୃଥିବୀରେ ଈଶ୍ୱରଙ୍କ ଆଜ୍ଞା ମାନୁଥିବା ଲୋକମାନଙ୍କ ଉପରେ ଅନେକ ଆଶିଷ ଆଣିବ । (ପାରାଗ୍ରାଫ ୧୪-୧୬)

୧୪-୧୫ . ପ୍ରକାଶିତ ବାକ୍ୟ ୨୧ ଅଧ୍ୟାୟରେ ୧,୪୪,୦୦୦ ଜଣଙ୍କୁ କିପରି ଭାବେ ଦର୍ଶାଯାଇଛି ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୪ ପ୍ରକାଶିତ ବାକ୍ୟ ୨୧ ଅଧ୍ୟାୟରେ ୧,୪୪,୦୦୦ ଜଣଙ୍କୁ ଏକ ସୁନ୍ଦର ନଗରୀ ଭାବେ ଦର୍ଶାଯାଇଛି । ଏହି ନଗରୀର ନାମ “ନୂତନ ଯିରୂଶାଲମ” ଅଟେ । (ପ୍ରକା. ୨୧:୨, ୯) ଏହି ନଗରୀ ଭିତ୍ତିମୂଳର ୧୨ଟି ପଥରରୁ ତିଆରି ହୋଇଛି । ଏହି ୧୨ଟି ପଥରଗୁଡ଼ିକ ଉପରେ “ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ” ଲେଖାଅଛି । ଯେତେବେଳେ ଯୋହନ ଏହି ଦର୍ଶନ ଦେଖିଥିବେ, ସେତେବେଳେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିବେ । କାରଣ ଗୋଟିଏ ପଥର ଉପରେ ତାଙ୍କର ନିଜ ନାମ ଲେଖାଥିଲା । ଏହା ଦେଖି ତାଙ୍କୁ ବହୁତ ଖୁସି ହୋଇଥିବ ।—ପ୍ରକା. ୨୧:୧୦-୧୪; ଏଫି. ୨:୨୦.

୧୫ ଏହି ନଗରୀ ବହୁତ ଅଲଗା ଅଛି । ଏହାର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ ଅଛି । ନଗରୀର ମୁଖ୍ୟ ପଥ ଶୁଦ୍ଧ ସୁବର୍ଣ୍ଣ ବା ଶୁଦ୍ଧ ସୁନାରୁ ତିଆରି ହୋଇଛି । ତାʼର ୧୨ଟି ଫାଟକ ମୁକ୍ତାରେ ତିଆରି ହୋଇଛି ଓ ତାʼର ଭିତ୍ତିମୂଳ ବା ମୂଳଦୂଆ ଓ ପ୍ରାଚୀରଗୁଡ଼ିକ ବହୁମୂଲ୍ୟ ମଣିରେ ଭୂଷିତ ଅଛି । (ପ୍ରକା. ୨୧:୧୫-୨୧) କିନ୍ତୁ ସେହି ନଗରୀରେ ଗୋଟିଏ ଜିନିଷ ନାହିଁ । ଯୋହନ ଆଗକୁ କହନ୍ତି, “ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ୱର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି । ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ ।” (ପ୍ରକା. ୨୧:୨୨, ୨୩) ସବୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗରେ ଯିହୋବାଙ୍କ ସହ ଥିବେ, ତେଣୁ ସେମାନଙ୍କୁ କୌଣସି ମନ୍ଦିରର ଆବଶ୍ୟକତା ହେବ ନାହିଁ । ତାʼଛଡ଼ା ଯୀଶୁ ସ୍ୱର୍ଗରେ ମହାଯାଜକ ହୋଇସାରିଛନ୍ତି ଓ ତାଙ୍କ ନେତୃତ୍ୱରେ ସବୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯିହୋବାଙ୍କର ପବିତ୍ର ସେବା କରିବେ । (ଏବ୍ରୀ ୭:୨୭; ପ୍ରକା. ୨୨:୩, ୪) ଏହି କାରଣଗୁଡ଼ିକରୁ ଯିହୋବା ଓ ଯୀଶୁଙ୍କୁ ନୂତନ ଯିରୂଶାଲମର ମନ୍ଦିର କୁହାଯାଇଛି ।

ନୂଆ ଦୁନିଆରେ ଲୋକମାନେ ଖୁସି ଅଛନ୍ତି । ଦୂରରେ ନୂତନ ଯିରୂଶାଲମ ଅଛି ଓ ସେଥିରେ ଗୋଟିଏ ନଦୀ ବହୁଛି । ନଦୀର ଉଭୟ ପାର୍ଶ୍ୱରେ ଅନେକ ଗଛଲତା ଅଛି ।

“ନଦୀ” ଓ ‘ବୃକ୍ଷଗୁଡ଼ିକରୁ’ କେଉଁମାନଙ୍କୁ ଲାଭ ହେବ ? (ପାରାଗ୍ରାଫ ୧୬-୧୭)

୧୬. ଈଶ୍ୱରଙ୍କ ରାଜ୍ୟର ହଜାର ବର୍ଷର ଶାସନରେ ମଣିଷମାନଙ୍କୁ କʼଣ କʼଣ ଆଶିଷ ମିଳିବ ?

୧୬ ଏହା ସତ ଯେ ନୂତନ ଯିରୂଶାଲମର ଭବିଷ୍ୟତବାଣୀ ବିଶେଷ କରି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଅଟେ, କିନ୍ତୁ ଯେଉଁ ଲୋକମାନଙ୍କର ଆଶା ପୃଥିବୀରେ ବଞ୍ଚିବାର ଅଛି, ସେମାନେ ମଧ୍ୟ ଏହା ଉପରେ ଧ୍ୟାନ ଦେବା ଉଚିତ୍‌ । ଈଶ୍ୱରଙ୍କ ରାଜ୍ୟର ହଜାର ବର୍ଷର ଶାସନରେ ନୂତନ ଯିରୂଶାଲମ ଯୋଗୁଁ ପୃଥିବୀରେ ରହୁଥିବା ଲୋକମାନଙ୍କୁ ଅନେକ ଆଶିଷ ମିଳିବ । ଯୋହନ ଏହି ଆଶିଷଗୁଡ଼ିକୁ “ଜୀବନଦାୟକ ଜଳର ଗୋଟିଏ ନଦୀ” ଭାବେ କହିଲେ । ସେ ଏହା ମଧ୍ୟ ଲେଖିଲେ ଯେ ନଦୀର ଉଭୟ ପାର୍ଶ୍ୱରେ ‘ଜୀବନବୃକ୍ଷଗୁଡ଼ିକ’ ଅଛି, ଯାହାର ପତ୍ରଗୁଡ଼ିକରୁ ‘ଜାତିସମୂହ ଆରୋଗ୍ୟ’ ହୋଇଯିବେ । (ପ୍ରକା. ୨୨:୧, ୨) “ନଦୀ” ଓ ‘ବୃକ୍ଷଗୁଡ଼ିକର’ ଅର୍ଥ ହେଉଛି, ଈଶ୍ୱରଙ୍କ ଏପରି ବ୍ୟବସ୍ଥାଗୁଡ଼ିକ ଯାହା ଜରିଆରେ ମଣିଷମାନେ ହଜାର ବର୍ଷ ଭିତରେ ଧୀରେ ଧୀରେ ପରିପୂର୍ଣ୍ଣ ହୋଇଯିବେ । ସେତେବେଳେ କୌଣସି ରୋଗ କି ଦୁଃଖକଷ୍ଟ ରହିବ ନାହିଁ ।—ପ୍ରକା. ୨୧:୩-୫.

୧୭. ହଜାର ବର୍ଷ ଭିତରେ କେଉଁ ଲୋକମାନଙ୍କୁ ଆଶିଷ ମିଳିବ ? (ପ୍ରକାଶିତ ବାକ୍ୟ ୨୦:୧୧-୧୩)

୧୭ ହଜାର ବର୍ଷ ଭିତରେ କେଉଁ କେଉଁ ଲୋକମାନଙ୍କୁ ଏହି ଆଶିଷଗୁଡ଼ିକ ମିଳିବ ? ସବୁଠୁ ପ୍ରଥମେ ମହା ଜନତାର ଲୋକମାନଙ୍କୁ ଏହି ଆଶିଷ ମିଳିବ, ଯେଉଁମାନେ ହର୍ମିଗିଦ୍ଦୋନ୍‌ରୁ ରକ୍ଷା ପାଇଥିବେ । ଆଉ ଯଦି ନୂଆ ଦୁନିଆରେ ସେମାନଙ୍କର ପିଲା ହେବେ, ତାହେଲେ ସେମାନଙ୍କୁ ମଧ୍ୟ ଏହି ଆଶିଷଗୁଡ଼ିକ ମିଳିବ । ତାʼଛଡ଼ା, ପ୍ରକାଶିତ ବାକ୍ୟ ୨୦ ଅଧ୍ୟାୟରେ କୁହାଯାଇଛି ଯେ ମରିଯାଇଥିବା ଲୋକମାନଙ୍କୁ ପୁଣି ଜୀବିତ କରାଯିବ । (ପ୍ରକାଶିତ ବାକ୍ୟ ୨୦:୧୧-୧୩ ପଢ଼ନ୍ତୁ ।) ଏଥିରେ “ଧାର୍ମିକ ଓ ଅଧାର୍ମିକ” ଉଭୟେ ଥିବେ । କିନ୍ତୁ କʼଣ ଏହାର ଅର୍ଥ ମରିଯାଇଥିବା ସବୁ ଲୋକମାନଙ୍କୁ ଜୀବିତ କରାଯିବ ? ନୁହଁ । “ଧାର୍ମିକ” ଲୋକମାନଙ୍କର ଅର୍ଥ ହେଉଛି, ସେହି ଲୋକମାନେ ଯେଉଁମାନେ ଯିହୋବାଙ୍କର ବିଶ୍ୱସ୍ତ ଥିଲେ, ଆଉ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି । ଆଉ “ଅଧାର୍ମିକ” ଲୋକମାନଙ୍କର ଅର୍ଥ ହେଉଛି, ସେହି ଲୋକମାନେ ଯେଉଁମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ସୁଯୋଗ ମିଳିଲା ନାହିଁ । (ପ୍ରେରି. ୨୪:୧୫; ଯୋହ. ୫:୨୮, ୨୯) କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଜୀବିତ କରାଯିବ ନାହିଁ, ଯେଉଁମାନଙ୍କୁ ଯିହୋବାଙ୍କ ସେବା କରିବାର ସୁଯୋଗ ମିଳିଥିଲା, କିନ୍ତୁ ସେମାନେ ସେପରି କଲେ ନାହିଁ ।—ମାଥି. ୨୫:୪୬; ୨ ଥେସ. ୧:୯; ପ୍ରକା. ୧୭:୮; ୨୦:୧୫.

ଶେଷ ପରୀକ୍ଷା

୧୮. ହଜାର ବର୍ଷର ଶାସନ ଶେଷ ହେଉ ହେଉ କʼଣ ହୋଇସାରିଥିବ ?

୧୮ ହଜାର ବର୍ଷର ଶାସନ ଶେଷ ହେଉ ହେଉ ପୃଥିବୀରେ ରହୁଥିବା ସବୁ ମଣିଷମାନେ ପରିପୂର୍ଣ୍ଣ ହୋଇଯିବେ । ଆଦମରୁ ମିଳିଥିବା ପାପ ଓ ତାହାର ପ୍ରଭାବ ପୂରାପୂରି ଶେଷ ହୋଇଯାଇଥିବ । (ରୋମୀ. ୫:୧୨) ଏପରି ଭାବେ ମଣିଷମାନେ, ଯେଉଁମାନେ ପୂର୍ବେ ପାପ ଯୋଗୁଁ ମରିଯାଇଥିବା ଭଳି ଥିଲେ, ସେମାନେ ‘ସହସ୍ର [ହଜାର] ବର୍ଷ ଶେଷ ହେବା ପର୍ଯ୍ୟନ୍ତ ଜୀବିତ’ ହୋଇଯିବେ ।—ପ୍ରକା. ୨୦:୫.

୧୯. ଶେଷ ପରୀକ୍ଷା କାହିଁକି ହେବ ?

୧୯ ହଜାର ବର୍ଷ ପୂରା ହେବା ପରେ ଶୟତାନକୁ ପାତାଳକୁଣ୍ଡରୁ ବାହାର କରାଯିବ ଓ ସେ ପୃଥିବୀରେ ରହୁଥିବା ସବୁ ପରିପୂର୍ଣ୍ଣ ମଣିଷମାନଙ୍କୁ ପରୀକ୍ଷା କରିବ । (ପ୍ରକା. ୨୦:୭) ସେ ପରିପୂର୍ଣ୍ଣ ଯୀଶୁଙ୍କୁ ମଧ୍ୟ ପରୀକ୍ଷା କରିଥିଲା । କିନ୍ତୁ ଯୀଶୁ, ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ଶେଷ ପରୀକ୍ଷା ସମୟରେ ପ୍ରତ୍ୟେକ ପରିପୂର୍ଣ୍ଣ ମଣିଷମାନଙ୍କ ପାଖରେ ଏହା ପ୍ରମାଣ କରିବାର ସୁଯୋଗ ରହିବ ଯେ ସେ ଯିହୋବାଙ୍କ ବିଶ୍ୱସ୍ତ ରହିବ ନା ନାହିଁ । ସେତେବେଳେ ଯିଏ ଯିହୋବାଙ୍କର ବିଶ୍ୱସ୍ତ ରହିବ, ତାକୁ ଅନନ୍ତ ଜୀବନ ଓ ପ୍ରକୃତ ସ୍ୱାଧୀନତା ମିଳିବ । (ରୋମୀ. ୮:୨୧) କିନ୍ତୁ ଯିଏ ବିଶ୍ୱସ୍ତ ରହିବ ନାହିଁ, ତାକୁ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ସବୁ ଦିନ ପାଇଁ ବିନାଶ କରିଦିଆଯିବ ।—ପ୍ରକା. ୨୦:୮-୧୦.

୨୦. ପ୍ରକାଶିତ ବାକ୍ୟରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ଭାବି ଆପଣଙ୍କୁ କିପରି ଲାଗେ ?

୨୦ ପ୍ରକାଶିତ ବାକ୍ୟ ବହି ଉପରେ ଚର୍ଚ୍ଚା କରି ଆପଣଙ୍କୁ କିପରି ଲାଗିଲା ? ଯେତେବେଳେ ଆପଣ ଭାବିଲେ ଯେ ଏଥିରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେବ ଓ ଆପଣ ମଧ୍ୟ ସେଠାରେ ଥିବେ, କʼଣ ସେତେବେଳେ ଆପଣଙ୍କୁ ଖୁସି ହେଲାନି ? କʼଣ ଆପଣଙ୍କ ଭିତରେ ଉତ୍ସାହ ଭରିଗଲାନି ଯେ ଆପଣ ମଧ୍ୟ ଅନ୍ୟମାନଙ୍କୁ ଯିହୋବାଙ୍କ ଉପାସନା କରିବା ପାଇଁ ପ୍ରୋତ୍ସାହନ ଦେବେ ? (ପ୍ରକା. ୨୨:୧୭) ନିଶ୍ଚୟ ଆମେ ସମସ୍ତେ ଏପରି ହିଁ ଅନୁଭବ କରିଥିବା ଓ ପ୍ରେରିତ ଯୋହନଙ୍କ ଭଳି ଆମେ ମଧ୍ୟ କହିବାକୁ ଚାହୁଁ, “ଆମେନ୍‌, ହେ ପ୍ରଭୁ ଯୀଶୁ, ଆସନ୍ତୁ ।”—ପ୍ରକା. ୨୨:୨୦.

ଗୀତ ୨୭ ପାରମେଶ୍ୱର୍‌ କେ ବେଟୋଁ କା ଜାହିର ହୋନା

a ଏହି ଲେଖାରେ ଆମେ ପ୍ରକାଶିତ ବାକ୍ୟ ବହିରୁ ଜାଣିବା ଯେ ଆମ ଭବିଷ୍ୟତ କିପରି ହେବ । ଯେଉଁ ଲୋକମାନେ ଯିହୋବାଙ୍କର ବିଶ୍ୱସ୍ତ ରହିବେ ଓ ତାଙ୍କ ରାଜ୍ୟକୁ ସହଯୋଗ କରିବେ, ସେମାନଙ୍କୁ ଭବିଷ୍ୟତରେ ଅନେକ ଆଶିଷ ମିଳିବ । କିନ୍ତୁ ଯେଉଁମାନେ ତାଙ୍କର ବିରୋଧ କରିବେ ଓ ତାଙ୍କ ରାଜ୍ୟର ବିରୋଧରେ ଛିଡ଼ା ହେବେ ସେମାନଙ୍କୁ ବିନାଶ କରିଦିଆଯିବ ।