ଅଧ୍ୟୟନ ଲେଖା ୪୫
ଗୀତ ୧୩୮ ପକ୍କେ ବାଲୋଁ କି ଖୁବସୁର୍ତି
ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
“ପ୍ରାଚୀନମାନଙ୍କଠାରେ ଜ୍ଞାନ ଅଛି ଓ ଦୀର୍ଘାୟୁରେ ବୁଦ୍ଧି ଥାଏ ।”—ଆୟୁ. ୧୨:୧୨.
କʼଣ ଶିଖିବା ?
ଯିହୋବାଙ୍କ ଆଜ୍ଞା ମାନିଲେ ଆମକୁ ଆଜି ଅନେକ ଆଶିଷ ମିଳେ ଓ ଆଗକୁ ଯାଇ ଆମକୁ ଅନନ୍ତ ଜୀବନ ମଧ୍ୟ ମିଳିବ ।
୧. ଆମକୁ ବୟସ୍କ ଭାଇଭଉଣୀମାନଙ୍କଠାରୁ କାହିଁକି ପରାମର୍ଶ ନେବା ଉଚିତ୍ ?
ଆମ ସମସ୍ତଙ୍କୁ ପରାମର୍ଶର ଦରକାର ପଡ଼ିଥାଏ, ବିଶେଷ କରି ଜରୁରୀ ନିଷ୍ପତ୍ତି ନେବା ସମୟରେ । ମଣ୍ଡଳୀର ପ୍ରାଚୀନମାନେ ଓ ଅନ୍ୟ ଅନୁଭବୀ ଖ୍ରୀଷ୍ଟିୟାନମାନେ ଆମକୁ ବଢ଼ିଆ ପରାମର୍ଶ ଦେଇପାରିବେ । ହୋଇପାରେ, ଏହି ଭାଇଭଉଣୀ ବହୁତ ବୟସ୍କ ଥିବେ । ଏପରି ସମୟରେ ଆମକୁ ଭାବିବା ଉଚିତ୍ ନୁହେଁ ଯେ ସେମାନଙ୍କ ପରାମର୍ଶ ଆମର କୌଣସି କାମରେ ଆସିବ ନାହିଁ । ଯିହୋବା ଚାହାନ୍ତି ଯେ ଆମେ ସେହି ବିଶ୍ୱସ୍ତ ଭାଇଭଉଣୀମାନଙ୍କଠାରୁ ଶିଖୁ । କାରଣ ସେମାନଙ୍କ ପାଖରେ ଅନୁଭୂତି, ଜ୍ଞାନ ଓ ବୁଦ୍ଧି ଥାଏ, ଯେଉଁଥିରୁ ଆମକୁ ବହୁତ ଲାଭ ହୋଇପାରିବ ।—ଆୟୁ. ୧୨:୧୨.
୨. ଏହି ଲେଖାରେ ଆମେ କʼଣ ଜାଣିବା ?
୨ ପ୍ରାଚୀନ ସମୟରେ ଯିହୋବା ନିଜ ବୃଦ୍ଧ ସେବକମାନଙ୍କ ଜରିଆରେ ଲୋକମାନଙ୍କ ଉତ୍ସାହ ବଢ଼ାଇଲେ ଓ ସେମାନଙ୍କୁ ନିର୍ଦ୍ଦେଶ ଦେଲେ । ଯେପରି ମୋଶା, ଦାଉଦ ଓ ପ୍ରେରିତ ଯୋହନଙ୍କ ଜରିଆରେ । ଏହି ବିଶ୍ୱସ୍ତ ସେବକମାନେ ଅଲଗା ଅଲଗା ସମୟରେ ବଞ୍ଚିଥିଲେ ଏବଂ ସେମାନଙ୍କ ପରିସ୍ଥିତି ମଧ୍ୟ ପରସ୍ପରଠାରୁ ଅଲଗା ଥିଲା । ନିଜ ଜୀବନର ଶେଷ ସମୟରେ ଏହି ବୟସ୍କ ବ୍ୟକ୍ତିମାନେ ଯୁବାମାନଙ୍କୁ ବଢ଼ିଆ ପରାମର୍ଶ ଦେଲେ । ସେମାନେ ଗୋଟିଏ ବିଶେଷ କଥା ଉପରେ ଜୋର୍ ଦେଲେ ଯେ ସେମାନଙ୍କୁ ଈଶ୍ୱରଙ୍କ ଆଜ୍ଞା ମାନିବା ବହୁତ ଜରୁରୀ । ଯିହୋବା ଏହି ବୟସ୍କ ସେବକମାନଙ୍କ କଥାଗୁଡ଼ିକୁ ଆମ ପାଇଁ ବାଇବଲରେ ଲେଖାଇଛନ୍ତି । ଆମ ବୟସ କମ୍ ଥାଉ ବା ବେଶୀ, ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ଆମକୁ ସାହାଯ୍ୟ ମିଳିପାରିବ । (ରୋମୀ. ୧୫:୪; ୨ ତୀମ. ୩:୧୬) ଏହି ଲେଖାରେ ଆମେ ମୋଶା, ଦାଉଦ ଓ ପ୍ରେରିତ ଯୋହନ ଯାହା କହିଥିଲେ, ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଏବଂ ଏହା ଜାଣିବା ଯେ ସେମାନଙ୍କଠାରୁ ଆମେ କʼଣ ଶିଖିପାରିବା ।
ସେ ତୁମ୍ଭମାନଙ୍କୁ “ଦୀର୍ଘପରମାୟୁ” ଦେଇପାରିବେ
୩. ମୋଶା ଯିହୋବାଙ୍କ ସେବାରେ କେଉଁ କେଉଁ କାମ କଲେ ?
୩ ମୋଶା ସାରା ଜୀବନ ଯିହୋବାଙ୍କ ସେବାରେ ବହୁତ ପରିଶ୍ରମ କରିଥିଲେ । ସେ ଜଣେ ଭବିଷ୍ୟଦ୍ବକ୍ତା, ନ୍ୟାୟୀ, ସେନାପତି ଓ ଇତିହାସକାର ଥିଲେ । ତାଙ୍କ ପାଖରେ ବହୁତ ଅନୁଭୂତି ଥିଲା ! ସେ ଇସ୍ରାଏଲ ରାଷ୍ଟ୍ରର ନେତୃତ୍ୱ ନେଇଥିଲେ ଏବଂ ଈଶ୍ୱରଙ୍କ ଲୋକମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିଥିଲେ । ସେ ନିଜ ଆଖିରୁ ଯିହୋବାଙ୍କ ଅନେକ ଚମତ୍କାର ଦେଖିଥିଲେ । ଯିହୋବା ମୋଶାଙ୍କ ଜରିଆରେ ବାଇବଲର ପ୍ରଥମ ପାଞ୍ଚଟି ବହି, ଗୀତସଂହିତା ୯୦ ଓ ହୁଏତ ୯୧ ଅଧ୍ୟାୟ ମଧ୍ୟ ଲେଖାଇଥିଲେ । ଆଉ ଏପରି ବି ଜଣାପଡ଼େ ଯେ ମୋଶା ଆୟୁବ ବହି ମଧ୍ୟ ଲେଖିଥିଲେ ।
୪. ମୋଶା କେଉଁମାନଙ୍କ ଉତ୍ସାହ ବଢ଼ାଇଲେ ଓ କାହିଁକି ?
୪ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ଯେବେ ମୋଶା ୧୨୦ ବର୍ଷର ଥିଲେ, ସେସମୟରେ ସେ ସମସ୍ତ ଇସ୍ରାଏଲୀୟମାନଙ୍କୁ ଏକତ୍ରିତ କଲେ । ସେ ସେମାନଙ୍କୁ ସେହି ଅଦ୍ଭୁତ କାମଗୁଡ଼ିକ ମନେ ପକାଇ ଦେଲେ ଯାହା ଯିହୋବା ସେମାନଙ୍କ ପାଇଁ କରିଥିଲେ । ଯେଉଁ ଇସ୍ରାଏଲୀୟମାନେ ତାଙ୍କର କଥା ଶୁଣୁଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକ ଛୋଟ ବେଳେ ଯିହୋବାଙ୍କ ଚମତ୍କାର ଦେଖିଥିଲେ ଏବଂ ଏହା ବି ଦେଖିଥିଲେ ଯେ ମିସ୍ରୀୟମାନଙ୍କୁ ଯିହୋବା କିପରି ଦଣ୍ଡ ଦେଇଥିଲେ । (ଯାତ୍ରା. ୭:୩, ୪) ସେମାନେ ନିଜ ଆଖିରେ ଦେଖିଲେ ଯେ କିପରି ଯିହୋବା ଲୋହିତ ସାଗରକୁ ଦୁଇ ଭାଗ କରିଦେଇଥିଲେ ଓ ସେମାନେ ସେଥିରେ ପାର୍ ହେଲେ । ତାʼପରେ ଯିହୋବା ଫାରୋର ସୈନିକମାନଙ୍କୁ ସେହି ସାଗରରେ ବୁଡ଼ାଇ ମାରିଦେଲେ । (ଯାତ୍ରା. ୧୪:୨୯-୩୧) କେବଳ ଏତିକି ନୁହେଁ, ପ୍ରାନ୍ତରରେ ୪୦ ବର୍ଷ ଯାଏ ଯିହୋବା ସେମାନଙ୍କୁ ସୁରକ୍ଷା ଦେଇଥିଲେ ଓ ତାଙ୍କ ଯତ୍ନ ନେଇଥିଲେ । (ଦ୍ୱିବି. ୮:୩, ୪) ଏବେ ସେମାନେ ଖୁବ୍ ଶୀଘ୍ର ପ୍ରତିଜ୍ଞାତ ଦେଶକୁ ଯାʼନ୍ତେ । ତେଣୁ ମୋଶା ନିଜ ମୃତ୍ୟୁ ପୂର୍ବରୁ ସେମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ଚାହୁଁଥିଲେ । ଆସନ୍ତୁ ଦେଖିବା ମୋଶା ସେମାନଙ୍କୁ କʼଣ କହିଲେ । a
୫. ନିଜ ମୃତ୍ୟୁ ପୂର୍ବେ ମୋଶା ଇସ୍ରାଏଲୀୟମାନଙ୍କୁ କେଉଁ କଥାର ଭରସା ଦେଲେ ? (ଦ୍ୱିତୀୟ ବିବରଣ ୩୦:୧୯, ୨୦)
୫ ମୋଶା କʼଣ କହିଲେ ? (ଦ୍ୱିତୀୟ ବିବରଣ ୩୦:୧୯, ୨୦ ପଢ଼ନ୍ତୁ ।) ମୋଶା ଇସ୍ରାଏଲୀୟମାନଙ୍କୁ ମନେ ପକାଇ ଦେଲେ ଯେ ସେମାନଙ୍କର ଭବିଷ୍ୟତ ବହୁତ ଭଲ ହେବ । ଯିହୋବା ସେମାନଙ୍କୁ ପ୍ରତିଜ୍ଞାତ ଦେଶ ନେଇଯିବେ, ଯେଉଁଠାରେ ସେମାନେ ଅନେକ ବର୍ଷ ଯାଏ ବଞ୍ଚିପାରିବେ । ସେ କହିଲେ ଯେ ସେହି ଦେଶ ବହୁତ ସୁନ୍ଦର ଥିବ ଓ ସେଠାର ଜମି ବହୁତ ଉର୍ବର ଥିବ । ସେ ସେମାନଙ୍କୁ କହିଲେ, ‘ତୁମ୍ଭେ ଯାହା ଗାନ୍ଥି ନାହଁ, ଏପରି ବୃହତ ଓ ସୁନ୍ଦର ନଗର, ଆଉ ଯାହା ତୁମ୍ଭେ ପୂର୍ଣ୍ଣ କରି ନାହଁ, ଏପରି ସକଳ ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ ଓ ଯାହା ତୁମ୍ଭେ ଖୋଳିଲ ନାହିଁ, ଏପରି ଖୋଦିତ କୂପ, ଯାହା ରୋପଣ କଲ ନାହିଁ, ଏପରି ଦ୍ରାକ୍ଷାକ୍ଷେତ୍ର ଓ ଜୀତବୃକ୍ଷ ଭୋଗ କରି ତୃପ୍ତ ହେବ ।’—ଦ୍ୱିବି. ୬:୧୦, ୧୧.
୬. ଯିହୋବା ଇସ୍ରାଏଲୀୟମାନଙ୍କୁ ଅନ୍ୟ ରାଷ୍ଟ୍ର ହାତରେ କାହିଁକି ଛାଡ଼ିଦେଲେ ?
୬ ମୋଶା ଇସ୍ରାଏଲୀୟମାନଙ୍କୁ ସତର୍କ କରାଇଲେ । ସେ ସେମାନଙ୍କୁ କହିଲେ ଯେ ଯଦି ସେମାନେ ସେହି ସୁନ୍ଦର ଦେଶରେ ସବୁଦିନ ପାଇଁ ରହିବାକୁ ଚାହାନ୍ତି, ତାହେଲେ ସେମାନଙ୍କୁ ଯିହୋବାଙ୍କ ଆଜ୍ଞା ମାନିବାକୁ ପଡ଼ିବ । ମୋଶା ସେମାନଙ୍କୁ ଅନୁରୋଧ କଲେ ଯେ ସେମାନେ ଯିହୋବାଙ୍କ କଥା ମାନି ତାହାଙ୍କଠାରେ “ଆସକ୍ତ” ଅର୍ଥାତ୍ ଯିହୋବାଙ୍କର ନିକଟତର ହୋଇ ରହନ୍ତୁ ଓ ଏପରି କରି “ଜୀବନ ମନୋନୀତ” କରନ୍ତୁ । କିନ୍ତୁ ଦୁଃଖର କଥା ଯେ ସେମାନେ ଯିହୋବାଙ୍କ କଥା ମାନିଲେ ନାହିଁ । ତେଣୁ ଯିହୋବା ସେମାନଙ୍କୁ ଅଶୂରୀୟମାନଙ୍କ ଏବଂ ଆଗକୁ ଯାଇ ବାବିଲର ଲୋକମାନଙ୍କ ହାତରେ ଛାଡ଼ିଦେଲେ, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ ।—୨ ରାଜା. ୧୭:୬-୮, ୧୩, ୧୪; ୨ ବଂଶା. ୩୬:୧୫-୧୭, ୨୦.
୭. ମୋଶା ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ଆମେ ଏଥିରୁ କʼଣ ଶିଖୁ ? ଆଜ୍ଞା ମାନିଲେ ଜୀବନ ବଞ୍ଚିପାରେ । ଇସ୍ରାଏଲୀୟମାନଙ୍କ ପାଖରେ ପ୍ରତିଜ୍ଞାତ ଦେଶରେ ପହଞ୍ଚିବା ପାଇଁ ବହୁତ କମ୍ ସମୟ ରହି ଯାଇଥିଲା, ଠିକ୍ ସେହିପରି ଆମ ପାଇଁ ବି ନୂଆ ଦୁନିଆରେ ପହଞ୍ଚିବା ପାଇଁ ବହୁତ କମ୍ ସମୟ ରହିଯାଇଛି । ଆମେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକୁ ପୂରା ହେବାର ନିଜ ଆଖିରେ ଦେଖିପାରିବା ଏବଂ ପୃଥିବୀକୁ ପାରଦୀଶରେ ପରିବର୍ତ୍ତନ ହେବାର ବି ଆମେ ଦେଖିବା । (ଯିଶା. ୩୫:୧; ଲୂକ ୨୩:୪୩) ସେସମୟରେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ନ ଥିବେ । (ପ୍ରକା. ୨୦:୨, ୩) ଏପରି କୌଣସି ଧର୍ମ ବି ନ ଥିବ ଯିଏ ଈଶ୍ୱରଙ୍କ ବିଷୟରେ ମିଛ କଥା ଶିଖାଇବ । (ପ୍ରକା. ୧୭:୧୬) ଏପରି କୌଣସି ସରକାର ବି ନ ଥିବ ଯିଏ ଲୋକମାନଙ୍କ ଉପରେ ଅତ୍ୟାଚାର କରିବ । (ପ୍ରକା. ୧୯:୧୯, ୨୦) ନୂଆ ଦୁନିଆରେ ଦୁଷ୍ଟ ଲୋକମାନଙ୍କ ପାଇଁ କୌଣସି ଜାଗା ନ ଥିବ । (ଗୀତ. ୩୭:୧୦, ୧୧) ସମସ୍ତେ ଯିହୋବାଙ୍କ ଆଜ୍ଞା ମାନିବେ । ସମସ୍ତଙ୍କ ମଧ୍ୟରେ ଶାନ୍ତି ଓ ଏକତା ଥିବ । ସମସ୍ତେ ପରସ୍ପରକୁ ପ୍ରେମ କରିବେ ଏବଂ ପରସ୍ପର ଉପରେ ଭରସା ରଖିବେ । (ଯିଶା. ୧୧:୯) ସତରେ, ନୂଆ ଦୁନିଆ ଖୁବ୍ ସୁନ୍ଦର ଥିବ । ଆଉ ସବୁଠୁ ବଢ଼ିଆ କଥା ଏହା ଯେ ଯଦି ଆମେ ଯିହୋବାଙ୍କ ଆଜ୍ଞା ମାନିବା, ତେବେ ଆମେ ପାରଦୀଶରେ କେବଳ କିଛି ବର୍ଷ ନୁହେଁ, ବରଂ ସବୁଦିନ ପାଇଁ ବଞ୍ଚିପାରିବା ।—ଗୀତ. ୩୭:୨୯; ଯୋହ. ୩:୧୬.
୮. ଈଶ୍ୱର ସବୁଦିନ ପାଇଁ ବଞ୍ଚିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ସେବିଷୟରେ ଭାବି ଜଣେ ଭାଇଙ୍କୁ କିପରି ସାହାଯ୍ୟ ମିଳିଲା ? (ଯିହୂଦା ୨୦, ୨୧)
୮ ଈଶ୍ୱର ସବୁଦିନ ପାଇଁ ବଞ୍ଚିବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ଯଦି ଆମେ ସେବିଷୟରେ ଲଗାତାର ଭାବିବା ତାହେଲେ ଯେକୌଣସି ସମସ୍ୟା ସମୟରେ ବି ଆମେ ତାଙ୍କର ଅତି ନିକଟତର ହୋଇ ରହିବା । (ଯିହୂଦା ୨୦, ୨୧ ପଢ଼ନ୍ତୁ ।) ତାʼସହ ଆମେ ନିଜ ଦୁର୍ବଳତାଗୁଡ଼ିକ ସହ ବି ସଂଘର୍ଷ କରିପାରିବା । ଏହି ପ୍ରତିଜ୍ଞା ବିଷୟରେ ଭାବି ଜଣେ ମିଶନାରୀ ଭାଇଙ୍କୁ କିପରି ସାହାଯ୍ୟ ମିଳିଲା, ଆସନ୍ତୁ ଦେଖିବା । ସେହି ଭାଇ ଅନେକ ବର୍ଷରୁ ଆଫ୍ରିକାରେ ସେବା କରୁଛନ୍ତି ଓ ତାଙ୍କୁ ନିଜର ଗୋଟିଏ ଦୁର୍ବଳତା ସହ ବହୁତ ସମୟରୁ ସଂଘର୍ଷ କରିବାକୁ ପଡ଼ୁଛି । ସେ କହନ୍ତି, “ମୁଁ ଜାଣିଥିଲି ଯେ ମୁଁ ନୂଆ ଦୁନିଆରେ ସବୁଦିନ ପାଇଁ ତେବେ ବଞ୍ଚିପାରିବି, ଯେବେ ମୁଁ ଯିହୋବାଙ୍କ ଆଜ୍ଞା ମାନିବି । ସେଥିପାଇଁ ମୁଁ ଭାବିଲି ଯେ ମୁଁ ନିଜ ଦୁର୍ବଳତା ସହ ସଂଘର୍ଷ କରିବା ଜାରି ରଖିବି । ମୁଁ ଏବିଷୟରେ ଯିହୋବାଙ୍କୁ ହୃଦୟରୁ ପ୍ରାର୍ଥନା ବି କଲି । ତାଙ୍କ ସାହାଯ୍ୟରୁ ମୁଁ ନିଜ ଦୁର୍ବଳତାକୁ କାବୁ କରିପାରିଲି ।”
‘ତୁମ୍ଭେ କୁଶଳପ୍ରାପ୍ତ ହେବ’
୯. ଦାଉଦ ନିଜ ଜୀବନରେ କେଉଁ କେଉଁ ସମସ୍ୟାର ସାମନା କଲେ ?
୯ ଦାଉଦ ଜଣେ ଭଲ ରାଜା ଥିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ଥିଲେ । ସେ ଜଣେ ସଙ୍ଗୀତକାର, କବି, ଯୋଦ୍ଧା ଓ ଭବିଷ୍ୟଦ୍ବକ୍ତା ମଧ୍ୟ ଥିଲେ । ତାଙ୍କ ଜୀବନରେ ଅନେକ ସମସ୍ୟା ଆସିଲା । ଯେପରି, ରାଜା ଶାଉଲଙ୍କଠାରୁ ନିଜ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ବହୁତ ସମୟ ଧରି ଅଲଗା ଅଲଗା ଜାଗାରେ ଲୁଚି ରହିବାକୁ ପଡ଼ିଲା । ତାʼ ସହିତ ରାଜା ହେବା ପରେ ତାଙ୍କ ପୁଅ ଅବଶାଲୋମ ତାଙ୍କ ରାଜଗାଦି ହଡ଼ପ କରିବାକୁ ଚାହୁଁଥିଲା ଓ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ବି ଚେଷ୍ଟା କଲା । ସେସମୟରେ ବି ତାଙ୍କୁ ନିଜ ଜୀବନ ରକ୍ଷା କରିବା ପାଇଁ ପଳାଇବାକୁ ପଡ଼ିଲା । ଦାଉଦଙ୍କୁ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ଓ ସେ ବଡ଼ ବଡ଼ ଭୁଲ ବି କଲେ । କିନ୍ତୁ ଜୀବନର ଶେଷ ପର୍ଯ୍ୟନ୍ତ ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ତେଣୁ ଯିହୋବା ବାଇବଲରେ ତାଙ୍କ ବିଷୟରେ ଲେଖାଇଲେ ଯେ “ସେ ଆମ୍ଭର ମନର ମତ ବ୍ୟକ୍ତି ।” ତେଣୁ ଯିହୋବାଙ୍କ ଏହି ବିଶ୍ୱସ୍ତ ସେବକମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ।—ପ୍ରେରି. ୧୩:୨୨; ୧ ରାଜା. ୧୫:୫.
୧୦. ଦାଉଦ ତାଙ୍କ ପୁଅ ଶଲୋମନଙ୍କୁ କାହିଁକି ପରାମର୍ଶ ଦେଲେ ?
୧୦ ଧ୍ୟାନ ଦିଅନ୍ତୁ ଯେ ଦାଉଦ ନିଜ ପୁଅ ଶଲୋମନଙ୍କୁ କʼଣ ପରାମର୍ଶ ଦେଲେ, ଯିଏ ତାଙ୍କ ପରେ ରାଜା ହୁଅନ୍ତେ । ଯିହୋବା ଶଲୋମନଙ୍କୁ ଏଥିପାଇଁ ରାଜା ବାଛିଥିଲେ, କାରଣ ସେ ଚାହୁଁଥିଲେ ଯେ ଶଲୋମନ ସତ୍ୟ ଉପାସନାକୁ ଗୁରୁତ୍ୱ ଦିଅନ୍ତୁ ଓ ତାଙ୍କ ମହିମା ପାଇଁ ଗୋଟିଏ ମନ୍ଦିର ତିଆରି କରନ୍ତୁ । (୧ ବଂଶା. ୨୨:୫) କିନ୍ତୁ ଶଲୋମନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ନ୍ତା, ସେଥିପାଇଁ ଦାଉଦ ତାଙ୍କୁ କିଛି ବଢ଼ିଆ ପରାମର୍ଶ ଦେଲେ । ଏବିଷୟରେ ସେ କʼଣ କହିଲେ, ଆସନ୍ତୁ ଦେଖିବା ।
୧୧. ଦାଉଦ ଶଲୋମନଙ୍କୁ କʼଣ ପରାମର୍ଶ ଦେଲେ ଏବଂ ଯେବେ ଶଲୋମନ ଏହି ପରାମର୍ଶ ମାନିଲେ, ତେବେ ତାହାର କʼଣ ପରିଣାମ ହେଲା ? (୧ ରାଜାବଳୀ ୨:୨, ୩) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ଦାଉଦ କʼଣ କହିଲେ ? (୧ ରାଜାବଳୀ ୨:୨, ୩ ପଢ଼ନ୍ତୁ ।) ଦାଉଦ ନିଜ ପୁଅ ଶଲୋମନଙ୍କୁ କହିଲେ ଯେ ସେ ଯଦି ଯିହୋବାଙ୍କ ଆଜ୍ଞା ମାନିବେ, ତାହେଲେ ସେ ନିଜ ପ୍ରତ୍ୟେକ କାମରେ ସଫଳ ହେବେ । ଆଉ ଶଲୋମନ ଅନେକ ବର୍ଷ ଯାଏ ଯିହୋବାଙ୍କ କଥା ମାନିଲେ ଓ ସେ ସଫଳ ହେଲେ । (୧ ବଂଶା. ୨୯:୨୩-୨୫) ସେ ଯିହୋବାଙ୍କ ପାଇଁ ବହୁତ ବଡ଼ ମନ୍ଦିର ତିଆରି କଲେ ଓ ବାଇବଲର କିଛି ବହି ଲେଖିଲେ । ତାଙ୍କର କିଛି କଥାଗୁଡ଼ିକ ବାଇବଲର ଅନ୍ୟ ବହିଗୁଡ଼ିକରେ ମଧ୍ୟ ଲେଖାଯାଇଛି । ସେ ନିଜ ବୁଦ୍ଧି ଓ ଧନ ସମ୍ପତ୍ତି ପାଇଁ ପ୍ରସିଦ୍ଧ ଥିଲେ । (୧ ରାଜା. ୪:୩୪) କିନ୍ତୁ ଯେପରି ଦାଉଦ କହିଥିଲେ, ଶଲୋମନ ଯେବେ ଯାଏ ଯିହୋବାଙ୍କ କଥା ମାନିବେ, ତେବେ ଯାଏ ସେ ସଫଳତା ପାଇବେ । ଦୁଃଖର କଥା ଯେ ଆଗକୁ ଯାଇ ଶଲୋମନ ମିଛ ଦେବୀ ଦେବତାଗୁଡ଼ିକୁ ପୂଜା କରିବାକୁ ଲାଗିଲେ, ସେଥିପାଇଁ ଯିହୋବାଙ୍କ ଆଶିଷ ତାଙ୍କ ଉପରେ ଆଉ ରହିଲା ନାହିଁ । ଏହାର ପରିଣାମ କʼଣ ହେଲା ? ଯିହୋବା ତାଙ୍କୁ ଯେଉଁ ବୁଦ୍ଧି ଦେଇଥିଲେ, ତାହା ସେ ହରାଇ ବସିଲେ ଓ ସେ ଭଲଭାବେ ଲୋକମାନଙ୍କ ନ୍ୟାୟ କରିପାରିଲେ ନାହିଁ ।—୧ ରାଜା. ୧୧:୯, ୧୦; ୧୨:୪.
୧୨. ଦାଉଦ ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ ?
୧୨ ଆମେ ଏଥିରୁ କʼଣ ଶିଖୁ ? ଆଜ୍ଞା ମାନିଲେ ସଫଳତା ମିଳେ । (ଗୀତ. ୧:୧-୩) ସତ କହିବାକୁ ଗଲେ ଯିହୋବା ଆମକୁ ଶଲୋମନଙ୍କ ଭଳି ଧନ ସମ୍ପତ୍ତି ଦେବା ପାଇଁ ପ୍ରତିଜ୍ଞା କରି ନାହାନ୍ତି । କିନ୍ତୁ ଯଦି ଆମେ ତାଙ୍କ ଆଜ୍ଞା ମାନିବା ତେବେ ସେ ଆମକୁ ବୁଦ୍ଧି ନିଶ୍ଚୟ ଦେବେ, ଯାହାଫଳରେ ଆମେ ଭଲ ନିଷ୍ପତ୍ତି ନେଇପାରିବା । (ହିତୋ. ୨:୬, ୭; ଯାକୁ. ୧:୫) ଯେପରି ତାଙ୍କ ସିଦ୍ଧାନ୍ତ ମାନିଲେ ଆମେ ଚାକିରି, ପାଠପଢ଼ା, ମନୋରଞ୍ଜନ ଓ ଟଙ୍କା ପଇସା ମାମଲାରେ ଭଲ ନିଷ୍ପତ୍ତି ନେଇପାରିବା । ଯିହୋବା ଯେଉଁ ବୁଦ୍ଧି ଦିଅନ୍ତି ସେଥିରୁ ଆମେ ଆଜି ଓ ସବୁଦିନ ପାଇଁ ସୁରକ୍ଷିତ ରହିବା । (ହିତୋ. ୨:୧୦, ୧୧) ତାʼସହ ଆମେ ଭଲ ସାଙ୍ଗ କରିପାରିବା ଓ ଯିହୋବାଙ୍କ ପରାମର୍ଶ ମାନି ଆମ ପରିବାର ବି ଖୁସିରେ ରହିବ ।
୧୩. ଜୀବନରେ ସଫଳତା ପାଇବା ପାଇଁ ଭଉଣୀ କାରମନ୍ କʼଣ କଲା ?
୧୩ ମୋଜାମ୍ବିକରେ ରହୁଥିବା ଭଉଣୀ କାରମନ୍କୁ ଲାଗୁଥିଲା ଯେ ସଫଳତା ପାଇବା ପାଇଁ ବହୁତ ପାଠ ପଢ଼ିବାକୁ ପଡ଼ିବ । ସେ ଆର୍କିଟେକ୍ ହେବା ପାଇଁ ଚାହୁଁଥିଲା, ଯେଉଁମାନେ ଘରଗୁଡ଼ିକର ନକ୍ସା ତିଆରି କରନ୍ତି । ସେଥିପାଇଁ ସ୍କୁଲ ପଢ଼ା ପରେ ସେ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଲାଗିଲା । ସେ କହେ, “ମୁଁ ଯାହା ଶିଖୁଥିଲି, ତାହା ମୋତେ ବହୁତ ଭଲ ଲାଗୁଥିଲା । କିନ୍ତୁ ଏଥିରେ ମୋର ପୂରା ସମୟ ନଷ୍ଟ ହୋଇଯାଉଥିଲା ଓ ମୁଁ ଥକି ଯାଉଥିଲି । ମୁଁ ସକାଳ ୭:୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ରହୁଥିଲି । ମୋ ପାଇଁ ସଭାକୁ ଯିବା ଭାରି କଷ୍ଟ ହୋଇଗଲା ଏବଂ ଏହି କାରଣ ଯୋଗୁଁ ଈଶ୍ୱରଙ୍କ ସହିତ ମୋର ସମ୍ପର୍କ ଦୁର୍ବଳ ହେବାକୁ ଲାଗିଲା । ମୋତେ ଏପରି ଲାଗିଲା ଯେପରି ମୁଁ ଦୁଇଜଣ ମାଲିକଙ୍କ ସେବା କରୁଛି ।” (ମାଥି. ୬:୨୪) କାରମନ୍ ଏବିଷୟରେ ପ୍ରାର୍ଥନା କଲା ଓ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କଲା । ସେ କହେ, “ପ୍ରାଚୀନମାନେ ଓ ମୋ ମାଆ ମୋତେ ବଢ଼ିଆ ପରାମର୍ଶ ଦେଲେ । ତାʼପରେ ମୁଁ ବିଶ୍ୱବିଦ୍ୟାଳୟ ଛାଡ଼ି ପୂର୍ଣ୍ଣ ସମୟର ସେବା କରିବା ପାଇଁ ନିଷ୍ପତ୍ତି ନେଲି । ମୋତେ ନିଜ ନିଷ୍ପତ୍ତି ପାଇଁ କୌଣସି ଦୁଃଖ ନାହିଁ । ମୋ ଜୀବନର ଏହା ସବୁଠୁ ବଢ଼ିଆ ନିଷ୍ପତ୍ତି ଅଟେ ।”
୧୪. ମୋଶା ଓ ଦାଉଦ କେଉଁ କଥାକୁ ମହତ୍ତ୍ୱ ଦେଲେ ?
୧୪ ମୋଶା ଓ ଦାଉଦ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ । ସେମାନେ ଜାଣିଥିଲେ ଯେ ଯିହୋବାଙ୍କ ଆଜ୍ଞା ମାନିବା ବହୁତ ଜରୁରୀ, ସେଥିପାଇଁ ତାଙ୍କ ମୃତ୍ୟୁ ପୂର୍ବରୁ ସେମାନେ ଲୋକମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ମଧ୍ୟ ଯିହୋବାଙ୍କର ଅତି ନିକଟତର ହୋଇ ରହନ୍ତୁ । ସେମାନେ ଏହା ବି କହିଲେ ଯେ ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି ନାହିଁ, ଯିହୋବା ସେମାନଙ୍କ ସହ କୌଣସି ସମ୍ପର୍କ ରଖନ୍ତି ନାହିଁ ଏବଂ ସେମାନଙ୍କୁ ଆଶିଷ ବି ଦିଅନ୍ତି ନାହିଁ । ସେମାନଙ୍କର ଏହି ପରାମର୍ଶ ମାନିବା ଆମ ପାଇଁ ବି ବହୁତ ଜରୁରୀ । ମୋଶା ଓ ଦାଉଦଙ୍କ ସମୟର ଅନେକ ବର୍ଷ ପରେ ଯିହୋବାଙ୍କ ଜଣେ ବୟସ୍କ ସେବକ କହିଲେ ଯେ ଈଶ୍ୱରଙ୍କ ବିଶ୍ୱସ୍ତ ରହିବା କେତେ ଜରୁରୀ । ଆସନ୍ତୁ ଏ କଥା ଉପରେ ଧ୍ୟାନ ଦେବା ।
“ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ”
୧୫. ପ୍ରେରିତ ଯୋହନ ନିଜ ଜୀବନରେ କʼଣ କʼଣ ଦେଖିଲେ ?
୧୫ ପ୍ରେରିତ ଯୋହନ ଯୀଶୁଙ୍କ ବହୁତ ଭଲ ସାଙ୍ଗ ଥିଲେ । ସେ ପ୍ରଚାରରେ ସବୁବେଳେ ଯୀଶୁଙ୍କ ସାଙ୍ଗରେ ରହୁଥିଲେ । (ମାଥି. ୧୦:୨; ଯୋହ. ୧୯:୨୬) ସେ ଯୀଶୁଙ୍କୁ ଅନେକ ଚମତ୍କାର କରିବାର ଦେଖିଲେ ଏବଂ କଠିନ ସମୟରେ ବି ସେ ଯୀଶୁଙ୍କ ସାଙ୍ଗରେ ଥିଲେ । ଯୀଶୁଙ୍କ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏ ସେ ତାଙ୍କ ପାଖରେ ହିଁ ଥିଲେ । ତାʼପରେ ଯେବେ ଯୀଶୁଙ୍କୁ ଜୀବିତ କରାଗଲା, ତେବେ ବି ସେ ତାଙ୍କୁ ଭେଟିଲେ । ସେ ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ବଢ଼ିବାର ଦେଖିଲେ ଏବଂ ସେସମୟକୁ ବି ଦେଖିଲେ ଯେବେ ‘ସମସ୍ତ ସୃଷ୍ଟି ନିକଟରେ ପ୍ରଚାର’ କରାଗଲା ।—କଲ. ୧:୨୩.
୧୬. ଯୋହନଙ୍କ ଚିଠିରୁ କେଉଁମାନଙ୍କୁ ଲାଭ ହେଲା ?
୧୬ ନିଜ ଜୀବନର ଶେଷ ସମୟରେ ଯୋହନଙ୍କୁ ଈଶ୍ୱରଙ୍କ ପ୍ରେରଣାରେ କିଛି ବହି ଲେଖିବା ପାଇଁ ସୁଯୋଗ ମିଳିଲା । ସେ ପ୍ରକାଶିତ ବାକ୍ୟ ବହିରେ ଏପରି ଅନେକ ଆଶ୍ଚର୍ଯ୍ୟଜନକ କଥା ଲେଖିଲେ, ଯାହା ‘ଯୀଶୁ ଖ୍ରୀଷ୍ଟ ପ୍ରକାଶିତ’ କରିଥିଲେ । (ପ୍ରକା. ୧:୧) ସେ ନିଜ ନାମରେ ଖୁସିଖବର ବହି ମଧ୍ୟ ଲେଖିଲେ । ତାʼଛଡ଼ା ସେ ଆହୁରି ତିନୋଟି ଚିଠି ଲେଖିଲେ । ସେ ନିଜ ତୃତୀୟ ଚିଠି ଗାୟ ନାମକ ଜଣେ ବିଶ୍ୱସ୍ତ ଖ୍ରୀଷ୍ଟିୟାନଙ୍କୁ ଲେଖିଲେ, ଯାହାଙ୍କୁ ସେ ପୁଅ ଭଳି ପ୍ରେମ କରୁଥିଲେ । (୩ ଯୋହ. ୧) ଗାୟଙ୍କ ଛଡ଼ା ହୁଏତ ଏପରି ଅନେକ ଖ୍ରୀଷ୍ଟିୟାନ ଥିଲେ, ଯେଉଁମାନଙ୍କୁ ପ୍ରେରିତ ଯୋହନ ନିଜ ପିଲା ଭଳି ପ୍ରେମ କରୁଥିଲେ । ଈଶ୍ୱରଙ୍କ ଏହି ବିଶ୍ୱସ୍ତ ସେବକ ଯାହା ଲେଖିଲେ, ସେଥିରୁ ଯୀଶୁଙ୍କ ଶିଷ୍ୟମାନଙ୍କୁ ସେସମୟରୁ ଆଜି ଯାଏ ଲାଭ ହେଉଛି । ଆସନ୍ତୁ ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ।
୧୭. ୩ ଯୋହନ ୪ ପଦ ଅନୁସାରେ କେଉଁ କଥାରୁ ଅଧିକ ଖୁସି ମିଳେ ?
୧୭ ଯୋହନ କʼଣ ଲେଖିଲେ ? (୩ ଯୋହନ ୪ ପଢ଼ନ୍ତୁ ।) ଯୋହନ ଲେଖିଲେ ଯେ ଈଶ୍ୱରଙ୍କ ଆଜ୍ଞା ମାନିଲେ ଖୁସି ମିଳେ । ଯେବେ ଯୋହନ ତୃତୀୟ ଚିଠି ଲେଖିଲେ, ସେସମୟରେ କିଛି ଲୋକ ମଣ୍ଡଳୀରେ ମିଥ୍ୟା ଶିକ୍ଷାଗୁଡ଼ିକୁ ପ୍ରସାରିତ କରୁଥିଲେ ଓ ମଣ୍ଡଳୀର ଏକତା ଭାଙ୍ଗିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଆଉ କିଛି ଖ୍ରୀଷ୍ଟିୟାନ “ସତ୍ୟରେ ଆଚରଣ” କଲେ ଏବଂ ଯିହୋବାଙ୍କ ‘ଆଜ୍ଞା’ ମାନିଲେ । (୨ ଯୋହ. ୪, ୬) ଏହି ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦେଖି ଯୋହନଙ୍କୁ ବହୁତ ଖୁସି ଲାଗିଲା ଓ ତାʼଠୁ ବି ଅଧିକ ଯିହୋବା ଖୁସି ହେଲେ ।—ହିତୋ. ୨୭:୧୧.
୧୮. ଯୋହନ ଯାହା କହିଲେ, ସେଥିରୁ ଆମେ କʼଣ ଶିଖୁ ?
୧୮ ଆମେ ଏଥିରୁ କʼଣ ଶିଖୁ ? ବିଶ୍ୱସ୍ତ ରହିଲେ ଖୁସି ମିଳେ । (୧ ଯୋହ. ୫:୩) ଆମେ ଏ କଥା ପାଇଁ ବହୁତ ଖୁସି ଯେ ଆମେ ଯିହୋବାଙ୍କ ହୃଦୟକୁ ଖୁସି କରିଛୁ । ଯିହୋବା ଏହା ଦେଖି ଖୁସି ହୁଅନ୍ତି ଯେ ଆମେ ଦୁଷ୍ଟତାରୁ ଦୂରେଇ ରହୁ ଓ ତାଙ୍କ ସ୍ତରଗୁଡ଼ିକୁ ମାନୁ । (ହିତୋ. ୨୩:୧୫) ସ୍ୱର୍ଗଦୂତମାନେ ମଧ୍ୟ ଏହା ଦେଖି ବହୁତ ଖୁସି ହୁଅନ୍ତି । (ଲୂକ ୧୫:୧୦) ତାʼଛଡ଼ା ଆମକୁ ଏହା ଦେଖି ବି ଖୁସି ଲାଗେ ଯେ ଯେବେ ଭାଇଭଉଣୀମାନଙ୍କ ଉପରେ ପ୍ରଲୋଭନ ଓ ସମସ୍ୟା ଆସେ, ତେବେ ବି ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି । (୨ ଥେସ. ୧:୪) ଆଉ ଯେବେ ଏହି ଦୁନିଆର ବିନାଶ ହୋଇଯିବ, ତେବେ ଆମକୁ ଏହା ଜାଣି ବହୁତ ସାନ୍ତ୍ୱନା ମିଳିବ ଯେ ଆମେ ଶୟତାନର ଦୁନିଆରେ ମଧ୍ୟ ଯିହୋବାଙ୍କ ବିଶ୍ୱସ୍ତ ରହିଲୁ ।
୧୯. ଅନ୍ୟମାନଙ୍କୁ ସତ୍ୟ ଶିଖାଇବା ବିଷୟରେ ଭଉଣୀ ରେଚଲ୍ଙ୍କୁ କିପରି ଲାଗେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୯ ଯେବେ ଆମେ ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଉ, ତେବେ ବି ଆମକୁ ବହୁତ ଖୁସି ଲାଗେ । ଡୋମିନିକା ଗଣତନ୍ତ୍ରରେ ରହୁଥିବା ଭଉଣୀ ରେଚଲ୍ ମାନନ୍ତି ଯେ ଯିହୋବାଙ୍କ ବିଷୟରେ ଅନ୍ୟମାନଙ୍କୁ ଶିଖାଇବା ବହୁତ ସମ୍ମାନର କଥା । ସେ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କ ବିଷୟରେ କହନ୍ତି, “ଯେବେ ମୁଁ ଦେଖେ ଯେ ଯିହୋବାଙ୍କ ପାଇଁ ସେମାନଙ୍କ ପ୍ରେମ ବଢ଼ୁଛି, ସେମାନେ ତାଙ୍କ ଉପରେ ଭରସା କରୁଛନ୍ତି ଏବଂ ତାଙ୍କୁ ଖୁସି କରିବା ପାଇଁ ନିଜ ଜୀବନରେ ପରିବର୍ତ୍ତନ କରୁଛନ୍ତି, ତେବେ ମୋତେ ବହୁତ ଖୁସି ଲାଗେ । ଏହା ସତ ଯେ ସେମାନଙ୍କୁ ଶିଖାଇବା ପାଇଁ ବହୁତ ପରିଶ୍ରମ ଲାଗେ ଓ ତ୍ୟାଗ କରିବାକୁ ପଡ଼େ, କିନ୍ତୁ ଏଥିରୁ ଆମକୁ ବହୁତ ଖୁସି ଲାଗେ ।”
ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
୨୦. ମୋଶା, ଦାଉଦ, ଯୋହନ ଓ ଆମ ମଧ୍ୟରେ କେଉଁ କଥା ଏକା ଭଳି ଅଛି ?
୨୦ ମୋଶା, ଦାଉଦ ଓ ଯୋହନ ଯେଉଁ ସମୟରେ ଓ ଯେପରି ପରିସ୍ଥିତିରେ ବଞ୍ଚିଥିଲେ, ତାହା ଆମମାନଙ୍କଠାରୁ ବହୁତ ଅଲଗା ଥିଲା । କିନ୍ତୁ ସେମାନଙ୍କ ଓ ଆମ ମଧ୍ୟରେ କିଛି କଥା ଏକା ଭଳି ଅଛି । ଯେପରି, ସେମାନଙ୍କ ଭଳି ଆମେ ବି ଯିହୋବାଙ୍କ ସେବା କରୁ, ଯିହୋବାଙ୍କୁ ପ୍ରାର୍ଥନା କରୁ, ତାଙ୍କ ଉପରେ ଭରସା ରଖୁ ଏବଂ ସାହାଯ୍ୟ ପାଇଁ ତାଙ୍କ ଉପରେ ନିର୍ଭର ରହୁ । ସେହି ବିଶ୍ୱସ୍ତ ସେବକମାନଙ୍କ ଭଳି ଆମେ ବି ପୂରା ଭରସା କରୁ ଯେ ଯଦି ଆମେ ଯିହୋବାଙ୍କ କଥା ମାନିବା, ତାହେଲେ ସେ ଆମକୁ ଅନେକ ଆଶିଷ ଦେବେ ।
୨୧. ଯଦି ଆମେ ମୋଶା, ଦାଉଦ ଓ ଯୋହନଙ୍କ ପରାମର୍ଶ ମାନିବା, ତେବେ ଆମକୁ କେଉଁ କେଉଁ ଆଶିଷ ମିଳିବ ?
୨୧ ତାହେଲେ ଆସନ୍ତୁ ଆମେ ମୋଶା, ଦାଉଦ ଓ ଯୋହନ ଯେଉଁ କଥା କହିଥିଲେ, ସେହି କଥାଗୁଡ଼ିକୁ ମନେ ରଖିବା ଓ ଯେକୌଣସି ପରିସ୍ଥିତିରେ ବି ଯିହୋବାଙ୍କ ଆଜ୍ଞା ମାନିବା । ଯଦି ଆମେ ଏପରି କରିବା, ତାହେଲେ ଆମକୁ ନିଜ ପ୍ରତ୍ୟେକ କାମରେ ସଫଳତା ମିଳିବ । ଆଉ ଯିହୋବା ଆମକୁ “ଦୀର୍ଘପରମାୟୁ” ଦେବେ । ସତରେ ଆମେ ସବୁଦିନ ପାଇଁ ବଞ୍ଚିପାରିବା । (ଦ୍ୱିବି. ୩୦:୨୦) କେବଳ ଏତିକି ନୁହେଁ, ଆମକୁ ଏ କଥା ପାଇଁ ବି ଖୁସି ଲାଗିବ ଯେ ଆମେ ଯିହୋବାଙ୍କ ହୃଦୟ ଖୁସି କରିଛୁ, ଯିଏ ନିଜ ପ୍ରତିଜ୍ଞା ଏପରି ଭାବେ ପୂରା କରନ୍ତି ଯାହା ଆମେ କେବେ ବି ଭାବିପାରିବା ନାହିଁ ।—ଏଫି. ୩:୨୦.
ଗୀତ ୧୨୯ ହମ୍ ଧୀରଜ୍ ଧରେଙ୍ଗେ
a ଯେଉଁ ଇସ୍ରାଏଲୀୟମାନେ ଲୋହିତ ସାଗରରେ ଯିହୋବାଙ୍କ ଚମତ୍କାର ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପ୍ରତିଜ୍ଞାତ ଦେଶରେ ଯାଇପାରିଲେ ନାହିଁ । (ଗଣ. ୧୪:୨୨, ୨୩) ଯିହୋବା କହିଥିଲେ ଯେ ଯେଉଁମାନଙ୍କ ବୟସ ୨୦ ବର୍ଷ କିମ୍ବା ତାʼଠାରୁ ଅଧିକ ଓ ଯେଉଁମାନଙ୍କ ନାମ ଲେଖାଯାଇଛି, ସେମାନେ ପ୍ରାନ୍ତରରେ ହିଁ ମରିଯିବେ । (ଗଣ. ୧୪:୨୯) କିନ୍ତୁ ଯେଉଁମାନଙ୍କ ବୟସ ୨୦ ବର୍ଷରୁ କମ୍ ସେମାନେ ଯିହୋଶୂୟ, କାଲେବ ଓ ଲେବୀୟ ଗୋତ୍ରର ଅନେକ ଲୋକମାନଙ୍କ ସହିତ ଯର୍ଦ୍ଦନ ନଦୀ ପାର କଲେ ଓ ପ୍ରତିଜ୍ଞାତ ଦେଶ ଅର୍ଥାତ୍ କିଣାନ ଦେଶକୁ ଗଲେ ।—ଦ୍ୱିବି. ୧:୨୪-୪୦.
b ଚିତ୍ର ବିଷୟରେ: ବାମ ପଟେ: ନିଜ ମୃତ୍ୟୁ ପୂର୍ବେ ଦାଉଦ ନିଜ ପୁଅ ଶଲୋମନଙ୍କୁ ପରାମର୍ଶ ଦେଉଛନ୍ତି । ଡାହାଣ ପଟେ: ଅଗ୍ରଦୂତ ସେବା ସ୍କୁଲର ବିଦ୍ୟାର୍ଥୀମାନେ ଈଶ୍ୱରଙ୍କଠାରୁ ମିଳିଥିବା ଶିକ୍ଷାରୁ ଲାଭ ପାଉଛନ୍ତି ।