ଅଧ୍ୟୟନ ପାଇଁ ପରାମର୍ଶ
‘ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତଗୁଡ଼ିକୁ’ ମୁଖସ୍ଥ କରନ୍ତୁ
“ବେଳେବେଳେ ମୁଁ ବହୁତ ନିରାଶ ହୋଇଯାଏ । ସେସମୟରେ ଯିହୋବା JW ପ୍ରସାରଣର ଗୀତଗୁଡ଼ିକ ଜରିଆରେ ମୋର ଉତ୍ସାହ ବଢ଼ାନ୍ତି ।”—ଆମେରିକାରେ ରହୁଥିବା ଲୋରେନ୍ ।
ଖ୍ରୀଷ୍ଟିୟାନମାନେ ଆଗରୁ ହିଁ ଈଶ୍ୱରଙ୍କ ମହିମା କରିବା ପାଇଁ “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୀତ” ବା ଉପାସନା ଗୀତ ଗାଇ ଆସୁଛନ୍ତି । (କଲ. ୩:୧୬) କେତେ ଭଲ ହେବ ଯଦି ଏହି ଗୀତଗୁଡ଼ିକୁ ମୁଖସ୍ଥ କରିନେବା । କାରଣ ଆଗକୁ ଯାଇ ଯଦି ଆପଣଙ୍କ ପାଖରେ ଗୀତ ବହି ନ ଥିବ କିମ୍ବା ଆପଣଙ୍କ ଫୋନ୍ରେ ଗୀତ ନ ଥିବ, ତେବେ ବି ଆପଣ ଏହାକୁ ଗାଇପାରିବେ । ଏହାକୁ ମନେରଖିବା ପାଇଁ ଆପଣ ଚାହିଁଲେ ଆଗକୁ ଦିଆଯାଇଥିବା ଉପାୟ ଆପଣାଇପାରିବେ:
ଗୀତର ବୋଲ ଧ୍ୟାନର ସହ ପଢ଼ନ୍ତୁ ଏବଂ ତାʼର ଅର୍ଥ ବୁଝନ୍ତୁ । ଯେତେବେଳେ ଆପଣ କୌଣସି ତଥ୍ୟ ଭଲଭାବେ ବୁଝିଯାʼନ୍ତି ତେବେ ତାକୁ ମନେରଖିବା ସହଜ ହୋଇଯାଏ । ଆପଣଙ୍କୁ ଆମ ଗୀତଗୁଡ଼ିକର ବୋଲ (ପ୍ରସାରଣର ଗୀତଗୁଡ଼ିକ ଏବଂ ପିଲାଙ୍କ ପାଇଁ ଗୀତଗୁଡ଼ିକର ବୋଲ ମଧ୍ୟ) jw.org ୱେବସାଇଟ୍ରେ ମିଳିଯିବ । ଏହା ଆପଣଙ୍କୁ ଲାଇବ୍ରେରୀ ଭାଗରେ ସଙ୍ଗୀତ ତଳେ ମିଳିବ ।
ଗୀତର ବୋଲକୁ ନିଜେ ଲେଖନ୍ତୁ । ଯେବେ ଆପଣ ଏହାକୁ ନିଜେ ଲେଖିବେ, ତେବେ ଏହା ଆପଣଙ୍କୁ ଆହୁରି ଭଲଭାବେ ମନେ ରହିଯିବ ।—ଦ୍ୱିବି. ୧୭:୧୮.
କହି କହି ମନେରଖନ୍ତୁ । ବାରମ୍ବାର ଗୀତଗୁଡ଼ିକୁ ପଢ଼ନ୍ତୁ କିମ୍ବା ସେଗୁଡ଼ିକୁ ଗାʼନ୍ତୁ ।
ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କୁ କେତେ ମନେଅଛି । ବିନା ଦେଖି ଗୀତଗୁଡ଼ିକୁ ଗାʼନ୍ତୁ କିମ୍ବା କହନ୍ତୁ ଏବଂ ଦେଖନ୍ତୁ ଯେ ଆପଣଙ୍କୁ କେତେ ମନେଅଛି ।