ଜୀବନ କାହାଣୀ
ମୁଁ ଶିଖିବା ଜାରି ରଖିଲି
ମୁଁ ଯିହୋବାଙ୍କ କୃତଜ୍ଞ ଯେ ସେ ମୋର ମହାନ ଶିକ୍ଷକ ଅଟନ୍ତି । (ଯିଶା. ୩୦:୨୦) ସେ ନିଜ ଲୋକମାନଙ୍କୁ ତାଙ୍କ ବାକ୍ୟ ବାଇବଲ, ନିଆରା ସୃଷ୍ଟି ଓ ସଂଗଠନ ଜରିଆରେ ଶିଖାନ୍ତି । ସେ ଭାଇଭଉଣୀମାନଙ୍କ ଜରିଆରେ ମଧ୍ୟ ଅନେକ କଥା ଶିଖାନ୍ତି । ମୋତେ ଏବେ ୧୦୦ ବର୍ଷ ହେବାକୁ ଯାଉଛି, କିନ୍ତୁ ମୁଁ ଏବେ ବି ଏହି ଉପାୟଗୁଡ଼ିକରୁ ଶିଖୁଛି । ତାହା କିପରି, ସେବିଷୟରେ ମୁଁ ଆଗକୁ କହିବି ।
ମୋ ଜନ୍ମ ୧୯୨୭ ମସିହାରେ ଚିକାଗୋ ସହର ପାଖରେ ଥିବା ଗୋଟିଏ ଛୋଟ ସହରରେ ହୋଇଥିଲା । ଏହା ଆମେରିକାର ଇଲିନୋଇସ୍ ରାଜ୍ୟରେ ଅଛି । ଆମେ ପାଞ୍ଚଜଣ ଭାଇଭଉଣୀ ଥିଲୁ, ସବୁଠୁ ବଡ଼ ଭଉଣୀ ଜେଥା, ବଡ଼ ଭାଇ ଡୋନ୍, ତାʼପରେ ମୁଁ ଓ ମୋ ଛୋଟ ଭାଇ କାର୍ଲ ଏବଂ ସବୁଠୁ ସାନ ଭଉଣୀ ଜୟ । ଆମେ ସମସ୍ତେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ପାଇଁ ଚାହୁଁଥିଲୁ । ଜେଥା ୧୯୪୩ ମସିହାରେ ଗିଲିଅଡ୍ ସ୍କୁଲର ଦ୍ୱିତୀୟ ତମ କ୍ଲାସ ପାଇଁ ଗଲେ । ତାʼପରେ ୧୯୪୪ ମସିହାରେ ଡୋନ୍, ୧୯୪୭ ମସିହାରେ କାର୍ଲ ଏବଂ ୧୯୫୧ ମସିହାରେ ଜୟ ମଧ୍ୟ ବୈଥେଲ ଗଲେ । ବାପାମାଆ ଓ ମୋର ଭାଇଭଉଣୀମାନେ ସବୁବେଳେ ମୋ ପାଇଁ ଭଲ ଉଦାହରଣ ରଖିଲେ, ଯେଉଁଥିରୁ ମୋତେ ଯିହୋବାଙ୍କର ଆହୁରି ଅଧିକ ସେବା କରିବା ପାଇଁ ପ୍ରୋତ୍ସାହନ ମିଳିଲା ।
ଆମ ପରିବାର ସତ୍ୟ ଶିଖିଲା
ବାପାମାଆ ବାଇବଲ ପଢ଼ୁଥିଲେ ଏବଂ ଈଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିଲେ । ସେମାନେ ଆମମାନଙ୍କୁ ମଧ୍ୟ ଈଶ୍ୱରଙ୍କୁ ପ୍ରେମ କରିବା ଶିଖାଇଲେ । କିନ୍ତୁ ଯେବେ ବାପା ପ୍ରଥମ ବିଶ୍ୱଯୁଦ୍ଧରେ ଲଢ଼ିବା ପାଇଁ ୟୁରୋପ ଗଲେ, ସେସମୟରୁ ସେ ଚର୍ଚ୍ଚ ଉପରେ ଭରସା କରିବା ଛାଡ଼ି ଦେଲେ । ଯେବେ ବାପା ସୁରକ୍ଷିତ ଭାବେ ଘରକୁ ପହଞ୍ଚିଲେ, ତେବେ ମାଆ ବହୁତ ଖୁସି ଥିଲେ ଏବଂ ସେ ବାପାଙ୍କୁ କହିଲେ, “ଚାଲନ୍ତୁ, ଚର୍ଚ୍ଚ ଯିବା, ଯେପରି ଆମେ ପୂର୍ବେ ଯାଉଥିଲୁ ।” ବାପା କହିଲେ, “ମୁଁ ତମକୁ ସେ ଯାଏ ଛାଡ଼ି ଆସିବି, କିନ୍ତୁ ମୁଁ ଭିତରକୁ ଯିବି ନାହିଁ ।” ମାଆ ପଚାରିଲେ, “ଏପରି କାହିଁକି ?” ତେବେ ବାପା କହିଲେ, “ଯୁଦ୍ଧ ସମୟରେ ଗୋଟିଏ ଧର୍ମର ଦୁଇଜଣ ପାଦରି ଅଲଗା ଅଲଗା ପକ୍ଷର ସେନା ଓ ସେମାନଙ୍କ ହତିଆରଗୁଡ଼ିକୁ ଆଶୀର୍ବାଦ ଦେଉଥିଲେ । ତାହେଲେ ଈଶ୍ୱର କାହା ସପକ୍ଷରେ ଥିଲେ ?”
ଯେବେ ମାଆ ଚର୍ଚ୍ଚରେ ଥିଲେ, ତେବେ ଦୁଇଜଣ ଯିହୋବାଙ୍କ ସାକ୍ଷୀ ଆମ ଘରକୁ ଆସିଲେ । ସେମାନେ ବାପାଙ୍କୁ ପ୍ରକାଶ ନାମକ ଦୁଇଟି ବହି ଦେଖାଇଲେ, ଯେଉଁଥିରେ ପ୍ରକାଶିତ ବାକ୍ୟ ବହି ବିଷୟରେ ବୁଝାଇ ଦିଆଯାଇଥିଲା । ବାପାଙ୍କୁ ସେହି ବହିଗୁଡ଼ିକ ଭଲ ଲାଗିଲା ଏବଂ ସେ ତାହାକୁ ରଖିଲେ । ଯେବେ ମାଆ ସେହି ବହିଗୁଡ଼ିକ ଦେଖିଲେ, ତେବେ ସେ ତାହାକୁ ପଢ଼ିଲେ । ଦିନେ ମାଆ ଖବରକାଗଜରେ ଗୋଟିଏ ନୋଟିସ୍ ଦେଖିଲେ, ଯେଉଁଥିରେ ଲେଖାଥିଲା ଯେ ଯଦି କେହି ପ୍ରକାଶ ନାମକ ବହିଗୁଡ଼ିକରୁ ବାଇବଲ ଅଧ୍ୟୟନ କରିବା ପାଇଁ ଚାହାନ୍ତି, ତାହେଲେ ସେ ଏହି ଠିକଣାରେ ଆସିପାରିବେ । ମାଆ ସେଠାକୁ ଯିବା ପାଇଁ ଭାବିଲେ । ଯେବେ ସେ ସେଠାକୁ ପହଞ୍ଚିଲେ, ତେବେ ଜଣେ ବୃଦ୍ଧ ସ୍ତ୍ରୀ କବାଟ ଖୋଲିଲେ । ମାଆ ବହି ଦେଖାଇ ପଚାରିଲେ, “କʼଣ ଏହି ବହିର ଅଧ୍ୟୟନ ଏଠାରେ ହିଁ ହୁଏ ?” ତେବେ ସେହି ସ୍ତ୍ରୀ କହିଲେ, “ହଁ ଝିଅ, ଭିତରକୁ ଆସ ।” ଆର ସପ୍ତାହ ମାଆ ଆମକୁ ବି ସେଠାକୁ ନେଲେ । ଆଉ ତାʼପରେ ଆମେ ପ୍ରତି ସପ୍ତାହ ସେଠାକୁ ଗଲୁ ।
ଗୋଟିଏ ସଭାରେ ଭାଇ ମୋତେ ଗୀତସଂହିତା ୧୪୪:୧୫ ପଦ ପଢ଼ିବା ପାଇଁ କହିଲେ, ଯେଉଁଠି କୁହାଯାଇଛି ଯେ ଯେଉଁ ଲୋକମାନେ ଯିହୋବାଙ୍କ ଉପାସନା କରନ୍ତି, ସେମାନେ ଧନ୍ୟ । ଏହି ପଦରେ ଲେଖାଥିବା କଥା ମୋ ହୃଦୟକୁ ଛୁଇଁଗଲା । ଏପରି ଆହୁରି ଦୁଇଟି ପଦ ଅଛି ଯାହା ମୋତେ ଏବେ ବି ମନେ ଅଛି: ପ୍ରଥମଟି ହେଉଛି ୧ ତୀମଥି ୧:୧୧ ପଦ, ଯେଉଁଠି ଲେଖାଅଛି ଯେ ଯିହୋବା ‘ପରମଧନ୍ୟ ଈଶ୍ୱର’ [“ଆନନ୍ଦିତ ଈଶ୍ୱର,” NWT] ଅଟନ୍ତି । ଆଉ ଅନ୍ୟଟି ହେଉଛି, ଏଫିସୀୟ ୫:୧ ପଦ, ଯେଉଁଠି ଆମକୁ “ଈଶ୍ୱରଙ୍କ ଅନୁକାରୀ” ହେବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । ମୁଁ ବୁଝିଗଲି ଯେ ମୋତେ ଖୁସିର ସହ ନିଜ ଈଶ୍ୱରଙ୍କ ସେବା କରିବା ଉଚିତ୍ ଏବଂ ଏହି କଥା ପାଇଁ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍ ଯେ ସେ ଆମକୁ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ମୁଁ ସବୁବେଳେ ଏହି ଦୁଇଟି ପଦରେ ଲେଖାଥିବା କଥା ଅନୁସାରେ ଚାଲିବା ପାଇଁ ଚେଷ୍ଟା କରିଛି ।
ଆମ ଘରର ସବୁଠୁ ପାଖରେ ଥିବା ମଣ୍ଡଳୀ ୩୨ କିଲୋମିଟର (୨୦ ମାଇଲ) ଦୂର ଚିକାଗୋରେ ଥିଲା । ତଥାପି ଆମେ ସଭାକୁ ଯାଉଥିଲୁ ଏବଂ ଏପରି ଭାବେ ମୁଁ ବାଇବଲ ବିଷୟରେ ଅନେକ କଥା ଶିଖିଲି । ମୋତେ ମନେ ଅଛି, ଥରେ ଜେଥା ସଭାରେ ଉତ୍ତର ଦେଉଥିଲେ । ତାଙ୍କର ଉତ୍ତର ଶୁଣି ମୁଁ ଭାବିଲି, ‘ମୋତେ ବି ଏହି ଉତ୍ତର ଜଣା ଥିଲା । ମୋତେ ବି ନିଜ ହାତ ଉଠାଇବାର ଥିଲା ।’ ଏହା ପରେ ମୁଁ ପ୍ରସ୍ତୁତି କରି ନିଜ ଶବ୍ଦରେ ଉତ୍ତର ଦେବାକୁ ଲାଗିଲି । କିନ୍ତୁ ସବୁଠୁ ଜରୁରୀ କଥା, ମୋର ଏବଂ ମୋ ଭାଇଭଉଣୀମାନଙ୍କର ଯିହୋବାଙ୍କ ସହିତ ସମ୍ପର୍କ ଆହୁରି ଦୃଢ଼ ହେବାକୁ ଲାଗିଲା । ଆଉ ୧୯୪୧ ମସିହାରେ ମୁଁ ବାପ୍ତିସ୍ମ ନେଲି ।
ଅଧିବେଶନଗୁଡ଼ିକରୁ ଯିହୋବା ଅନେକ କଥା ଶିଖାଇଲେ
୧୯୪୨ ମସିହାରେ କ୍ଲିଭଲାଣ୍ଡ ସହରରେ ଯେଉଁ ଅଧିବେଶନ ହୋଇଥିଲା, ତାହା ମୋତେ ଆଜି ବି ବହୁତ ଭଲ ଭାବରେ ମନେ ଅଛି । ଆମେରିକାର ୫୦ଟି ଅଲଗା ଅଲଗା ସହରର ଭାଇଭଉଣୀମାନେ ମଧ୍ୟ ସେହି ଅଧିବେଶନର କାର୍ଯ୍ୟକ୍ରମ ଫୋନ୍ ମାଧ୍ୟମରେ ଶୁଣୁଥିଲେ । ଆମ ପରିବାର ଏବଂ ଅନ୍ୟ କିଛି ପରିବାର ଅଧିବେଶନ ଜାଗାର ପାଖରେ ହିଁ ତମ୍ବୁ ଲଗାଇ ରହୁଥିଲେ । ସନ୍ଧ୍ୟାରେ ମୁଁ ଦେଖିଲି ଯେ କିଛି ଭାଇ ଗାଡ଼ିର ହେଡଲାଇଟ୍କୁ ତମ୍ବୁର ବିପରୀତ ଦିଗରେ ମୁହଁ କରି ରଖିଛନ୍ତି । ସେମାନେ କାହିଁକି ଏପରି କଲେ ? କାରଣ ସେସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲୁଥିଲା ଏବଂ ଯିହୋବାଙ୍କ ସାକ୍ଷୀମାନଙ୍କର ବହୁତ ବିରୋଧ ହେଉଥିଲା । ସେଥିପାଇଁ ଭାଇମାନେ ନିଷ୍ପତ୍ତି ନେଲେ ଯେ ରାତିରେ ଜଗିବା ପାଇଁ ପ୍ରତ୍ୟେକ ଗାଡ଼ିରେ କେହି ନା କେହି ରହିବେ । ଆଉ ଯଦି ଲୋକମାନେ ଆକ୍ରମଣ କରିବାକୁ ଆସିବେ, ତେବେ ଭାଇମାନେ ନିଜ ଗାଡ଼ିର ହେଡଲାଇଟ୍ ଅନ୍ କରିବେ, ଯାହାଫଳରେ ଲୋକମାନେ କିଛି ବି ଦେଖିପାରିବେ ନାହିଁ ଏବଂ ଜୋର୍ରେ ହର୍ଣ୍ଣ ବଜାଇବେ । ତାʼପରେ ଅନ୍ୟ ଭାଇଭଉଣୀମାନେ ମଧ୍ୟ ସେମାନଙ୍କ ସାହାଯ୍ୟ କରିବା ପାଇଁ ଆସିବେ । ମୁଁ ଭାବିଲି, ‘ଏହା ତ ବହୁତ ବଢ଼ିଆ କଥା ଅଟେ ! ଯିହୋବାଙ୍କ ଲୋକମାନେ ପ୍ରତ୍ୟେକ କଥା ପାଇଁ ପ୍ରସ୍ତୁତ ରହନ୍ତି ।’ ସେହି ରାତି ମୋତେ ଜମା ବି ଡର ଲାଗିଲା ନାହିଁ ଏବଂ ମୁଁ ଆରାମରେ ଶୋଇଲି । ଆଉ କୌଣସି ସମସ୍ୟା ବି ହେଲା ନାହିଁ ।
ଆଜି ଅନେକ ବର୍ଷ ପରେ ଯେବେ ମୁଁ ସେହି ଅଧିବେଶନକୁ ମନେ ପକାଏ, ତେବେ ମୁଁ ବୁଝିପାରେ ଯେ ମାଆଙ୍କୁ କୌଣସି କଥା ପାଇଁ ଡର ନ ଥିଲା କିମ୍ବା ଚିନ୍ତା ବି ନ ଥିଲା । ତାଙ୍କୁ ଯିହୋବା ଏବଂ ତାଙ୍କ ସଂଗଠନ ଉପରେ ପୂରା ଭରସା ଥିଲା । ତାଙ୍କର ବଢ଼ିଆ ଉଦାହରଣ ମୁଁ କେବେ ବି ଭୁଲିପାରିବି ନାହିଁ ।
ସେହି ଅଧିବେଶନର କିଛି ସମୟ ପୂର୍ବେ ମାଆ ଅଗ୍ରଦୂତ ସେବା ଆରମ୍ଭ କରିଥିଲେ । ସେଥିପାଇଁ ଅଧିବେଶନ ସମୟରେ ଯେଉଁ ଭାଷଣଗୁଡ଼ିକରେ ପୂର୍ଣ୍ଣ ସମୟର ସେବା ବିଷୟରେ କୁହାଯାଉଥିଲା, ସେଗୁଡ଼ିକୁ ମାଆ ବହୁତ ଧ୍ୟାନର ସହ ଶୁଣିଲେ । ଯେବେ ଆମେ ଘରକୁ ଫେରୁଥିଲୁ ତେବେ ସେ କହିଲେ, “ମୁଁ ଅଗ୍ରଦୂତ ସେବା କରିବା ପାଇଁ ଚାହେଁ, କିନ୍ତୁ ଏହି ସେବା କରିବା ସହିତ ଘର ସମ୍ଭାଳିବା ମୋତେ ବହୁତ କଠିନ ଲାଗୁଛି ।” ତାʼପରେ ସେ ପଚାରିଲେ, “କʼଣ ଆମେ ତାଙ୍କର ସାହାଯ୍ୟ କରିବା ?” ଆମେ କହିଲୁ, “ନିଶ୍ଚୟ ।” ତାʼପରେ ମାଆ ଆମକୁ କାମ ବାଣ୍ଟିଦେଲେ ଏବଂ ଜଳଖିଆ କରିବା ପୂର୍ବରୁ ଆମ ପ୍ରତ୍ୟେକ ଜଣଙ୍କୁ ଗୋଟିଏ କିମ୍ବା ଦୁଇଟି ରୁମ୍ ସଫା କରିବା ପାଇଁ କହିଲେ । ଆମେ ସ୍କୁଲ ଯିବା ପରେ ମାଆ ଦେଖୁଥିଲେ ଯେ ଘର ସଫାସୁତୁରା ଅଛି ନା ନାହିଁ ଆଉ ତାʼପରେ ସେ ବି ପ୍ରଚାର ପାଇଁ ଯାଉଥିଲେ । ମାଆଙ୍କୁ ଅନେକ କାମ କରିବାକୁ ପଡ଼ୁଥିଲା, କିନ୍ତୁ ସେ ଆମମାନଙ୍କ ପ୍ରତି ବି ପୂରା ଧ୍ୟାନ ଦେଉଥିଲେ । ଯେବେ ଆମେ ଦ୍ୱିପହରରେ ଖାଇବା ପାଇଁ ଆସୁଥିଲୁ କିମ୍ବା ସ୍କୁଲ ପରେ ଘରକୁ ଆସୁଥିଲୁ, ତେବେ ସେ ଘରେ ରହୁଥିଲେ । ବେଳେବେଳେ ଆମେ ବି ସ୍କୁଲ ପରେ ମାଆଙ୍କ ସହିତ ପ୍ରଚାର କରିବା ପାଇଁ ଯାଉଥିଲୁ । ଏପରି ଭାବେ ଆମେ ବୁଝିପାରିଲୁ ଯେ ଅଗ୍ରଦୂତମାନେ କିପରି ସେବା କରନ୍ତି ।
ପୂର୍ଣ୍ଣ ସମୟର ସେବା ଆରମ୍ଭ କଲି
ମୁଁ ୧୬ ବର୍ଷରେ ଅଗ୍ରଦୂତ ସେବା ଆରମ୍ଭ କଲି । ବାପା ଏବେ ଯାଏ ଜଣେ ଯିହୋବାଙ୍କ ସାକ୍ଷୀ ହୋଇ ନ ଥିଲେ, କିନ୍ତୁ ସେ ମୋତେ ସବୁବେଳେ ପଚାରୁ ଥିଲେ ଯେ ମୋର ପ୍ରଚାର କାମ କିପରି ଚାଲୁଛି । ଦିନେ ସନ୍ଧ୍ୟାରେ ମୁଁ ତାଙ୍କୁ କହିଲି, “ମୁଁ ବହୁତ ଚେଷ୍ଟା କରୁଛି, ତଥାପି ମୁଁ ଜଣେ ବି ବ୍ୟକ୍ତିଙ୍କ ସହିତ ବାଇବଲ ଅଧ୍ୟୟନ କରିପାରି ନାହିଁ ।” ତାʼପରେ
ମୁଁ ଟିକେ ଅଟକି ତାଙ୍କୁ ପଚାରିଲି, “କʼଣ ଆପଣ ମୋ ସହିତ ବାଇବଲ ଅଧ୍ୟୟନ କରିବେ ?” ସେ ଟିକେ ଭାବିଲେ ତାʼପରେ କହିଲେ, “ଠିକ୍ ଅଛି, ତମକୁ ମନା କରିବାର ମୋ ପାଖରେ କୌଣସି କାରଣ ନାହିଁ ।” ମୋ ବାପା ମୋର ପ୍ରଥମ ବାଇବଲ ବିଦ୍ୟାର୍ଥୀ ଥିଲେ ! ଏହା ମୋ ପାଇଁ ବହୁତ ବଡ଼ ସମ୍ମାନର କଥା ଥିଲା ।ଆମେ “ସଚ୍ଚାଇ ତୁମ୍ହେ ଆଜାଦ୍ କରେଗି” (ଇଂରାଜୀ) ବହିରୁ ଅଧ୍ୟୟନ କରିବା ଆରମ୍ଭ କଲୁ । ଆମ ଅଧ୍ୟୟନ ଆଗକୁ ବଢ଼ିବା ସହିତ ମୁଁ ଦେଖିଲି ଯେ ବାପା ମୋତେ ଜଣେ ଭଲ ବିଦ୍ୟାର୍ଥୀ ଓ ଶିକ୍ଷକ ହେବା ପାଇଁ ସାହାଯ୍ୟ କରୁଛନ୍ତି । ଯେପରି ଦିନେ ସନ୍ଧ୍ୟା ସମୟରେ ଯେବେ ଆମେ ଅଧ୍ୟୟନ କରୁଥିଲୁ, ତେବେ ପାରାଗ୍ରାଫ ପଢ଼ିବା ପରେ ସେ କହିଲେ, “ଏଠାରେ ଯାହା କୁହାଯାଇଛି ତାହା ମୁଁ ବୁଝିଗଲି, କିନ୍ତୁ ତମେ କିପରି କହିପାରିବ ଯେ ଏହି ବହିରେ ଯାହା ଲେଖାଅଛି ତାହା ସଠିକ୍ ଅଟେ ?” ମୋତେ ଏହାର ଉତ୍ତର ଜଣା ନ ଥିଲା, ତେଣୁ ମୁଁ ତାଙ୍କୁ କହିଲି, “ଏବେ ତ ମୁଁ ଏବିଷୟରେ କିଛି କହିପାରିବି ନାହିଁ, କିନ୍ତୁ ଆରଥର ଯେବେ ଆମେ ଅଧ୍ୟୟନ କରିବା, ତେବେ ମୁଁ ଏହାର ଉତ୍ତର ନିଶ୍ଚୟ ଦେବି ।” ତାଙ୍କର ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ଅନୁସନ୍ଧାନ କଲି ଏବଂ କିଛି ପଦଗୁଡ଼ିକ ଖୋଜିଲି । ଏହା ପରଠୁ ମୁଁ ଅଧ୍ୟୟନର ଭଲଭାବେ ପ୍ରସ୍ତୁତି କରିବା ସହିତ ଅନୁସନ୍ଧାନ କରିବା ଶିଖିଲି । ଏପରି ଭାବେ ମୁଁ ଏବଂ ବାପା ବାଇବଲର ଭଲ ବିଦ୍ୟାର୍ଥୀ ହୋଇପାରିଲୁ । ବାପା ଯାହା ଶିଖୁଥିଲେ, ତାହା ଅନୁସାରେ କାମ ବି କରୁଥିଲେ ଏବଂ ୧୯୫୨ ମସିହାରେ ସେ ବାପ୍ତିସ୍ମ ନେଲେ ।
ବୈଥେଲରେ ବି ମୁଁ ଶିଖିବା ଜାରି ରଖିଲି
ମୁଁ ୧୭ ବର୍ଷ ବୟସରେ ଅନ୍ୟ ଜାଗାରେ ଯାଇ ରହିବାକୁ ଲାଗିଲି । ମୋ ବଡ଼ ଭଉଣୀ ଜେଥା a ମିଶନାରୀ ସେବା କରିବାକୁ ଲାଗିଲେ ଏବଂ ବଡ଼ ଭାଇ ଡୋନ୍ ବୈଥେଲ ଚାଲିଗଲେ । ସେମାନେ ଦୁହେଁ ବହୁତ ଖୁସି ଥିଲେ । ସେମାନଙ୍କୁ ଦେଖି ମୁଁ ମଧ୍ୟ ବୈଥେଲ ସେବା ଓ ଗିଲିଅଡ୍ ସ୍କୁଲ ପାଇଁ ଫର୍ମ ଭରିଲି ଏବଂ ସବୁକିଛି ଯିହୋବାଙ୍କ ହାତରେ ଛାଡ଼ିଦେଲି । ୧୯୪୬ ମସିହାରେ ମୋତେ ବୈଥେଲ ଡକାଗଲା ।
ଗତ ୭୫ ବର୍ଷ ମଧ୍ୟରେ ମୁଁ ବୈଥେଲରେ ଅଲଗା ଅଲଗା କାମ କଲି ଏବଂ ନୂଆ ନୂଆ କାମ କରିବା ବି ଶିଖିଲି । ଯେପରି ମୁଁ ବହିଗୁଡ଼ିକୁ ଛାପିବା ଏବଂ ଆକାଉଣ୍ଟସର କାମ ଶିଖିଲି । ମୁଁ ବୈଥେଲ ପାଇଁ କିଣାକିଣି କରିବା ଏବଂ ଜରୁରୀ ଜିନିଷଗୁଡ଼ିକୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ପଠାଇବା ମଧ୍ୟ ଶିଖିଲି । କିନ୍ତୁ ବୈଥେଲରେ ଯେଉଁ ସକାଳ ଉପାସନା ହୁଏ ଏବଂ ଯେଉଁ ଭାଷଣ ଦିଆଯାଏ, ତାହା ମୋତେ ସବୁଠୁ ବେଶୀ ଭଲ ଲାଗେ । ଏହା ସାହାଯ୍ୟରୁ ମୁଁ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରିଲି ।
ମୁଁ ନିଜ ଛୋଟ ଭାଇ କାର୍ଲଠାରୁ ବହୁତ କିଛି ଶିଖିଲି, ଯିଏ ୧୯୪୭ ମସିହାରେ ବୈଥେଲ ଆସିଥିଲା । ସେ ବାଇବଲର ଭଲଭାବେ ଅଧ୍ୟୟନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ବହୁତ ଭଲଭାବରେ ଶିଖାଉଥିଲା । ଥରେ ମୋତେ ଗୋଟିଏ ଭାଷଣ ଦେବା ପାଇଁ କୁହାଗଲା ଏବଂ ମୁଁ କାର୍ଲକୁ ସାହାଯ୍ୟ ମାଗିଲି । ମୁଁ ତାକୁ କହିଲି ଯେ ମୁଁ ଅନେକ ତଥ୍ୟ ଏକାଠି କରିଛି, କିନ୍ତୁ କିପରି କହିବି ତାହା ମୋତେ ବୁଝାପଡ଼ୁନି । ସେ ମୋତେ କେବଳ ଗୋଟିଏ ପ୍ରଶ୍ନ ପଚାରିଲା, “ଜୋଏଲ, ତମ ଭାଷଣର ବିଷୟ କʼଣ ?” ମୁଁ ତାʼ କଥା ବୁଝିଗଲି । ମୋତେ କେବଳ ଭାଷଣର ବିଷୟ ସହ ଜଡ଼ିତ ତଥ୍ୟଗୁଡ଼ିକ ଉପରେ ଧ୍ୟାନ ଦେବାର ଥିଲା । ମୁଁ ସବୁବେଳେ ତାʼର ଏହି କଥା ମନେ ରଖିଲି ।
ଯଦି ଆପଣ ବୈଥେଲ ସେବାରେ ଖୁସି ରହିବା ପାଇଁ ଚାହାନ୍ତି, ତାହେଲେ ଆପଣଙ୍କୁ ଉତ୍ସାହର ସହିତ ପ୍ରଚାର କାମ କରିବାକୁ ପଡ଼ିବ ।
ଆଉ ଏପରି କଲେ ଆପଣଙ୍କୁ ଅନେକ ଭଲ ଅନୁଭୂତି ମିଳେ । ମୋତେ ମନେ ଅଛି ଯେ ଦିନେ ସନ୍ଧ୍ୟା ସମୟରେ ମୁଁ ଏବଂ ଜଣେ ଭାଇ ନ୍ୟୁ ୟର୍କ ସିଟିରେ ପ୍ରଚାର କରୁଥିଲୁ । ଆମେ ଜଣେ ଏପରି ସ୍ତ୍ରୀଙ୍କୁ ଭେଟିବା ପାଇଁ ଗଲୁ ଯିଏ ପୂର୍ବେ ପ୍ରହରୀଦୁର୍ଗ ଏବଂ ସଜାଗ ହୁଅ ପତ୍ରିକାଗୁଡ଼ିକ ନେଇଥିଲେ । ଯେବେ ଆମେ ସେଠାକୁ ଗଲୁ ତେବେ ଆମେ କହିଲୁ, “ଆଜି ଆମେ ଲୋକମାନଙ୍କୁ ବାଇବଲରୁ କିଛି ଭଲ କଥାଗୁଡ଼ିକ କହୁଛୁ ।” ସେ କହିଲେ, “ଯଦି ବାଇବଲ ବିଷୟରେ ଅଛି, ତାହେଲେ ଭିତରକୁ ଆସ ।” ଆମେ ଈଶ୍ୱରଙ୍କ ରାଜ୍ୟ ଏବଂ ନୂଆ ଦୁନିଆ ବିଷୟରେ ଅନେକ ପଦ ପଢ଼ିଲୁ ଓ ତାʼ ଉପରେ ଚର୍ଚ୍ଚା କଲୁ । ସେହି ସ୍ତ୍ରୀଙ୍କୁ ସେହି କଥାଗୁଡ଼ିକ ବହୁତ ଭଲ ଲାଗିଲା । ସେଥିପାଇଁ ଆର ସପ୍ତାହ ସେ ନିଜ ସାଙ୍ଗମାନଙ୍କୁ ଆମ କଥା ଶୁଣିବା ପାଇଁ ନିଜ ଘରକୁ ଡାକିଲେ । ଆଗକୁ ଯାଇ ସେହି ସ୍ତ୍ରୀ ଏବଂ ତାଙ୍କ ସ୍ୱାମୀ ଯିହୋବାଙ୍କ ସାକ୍ଷୀ ହୋଇଗଲେ ।ମୋ ସ୍ତ୍ରୀଙ୍କଠାରୁ ମୁଁ ଅନେକ କଥା ଶିଖିଲି
ମୁଁ ଜଣେ ଜୀବନ ସାଥୀ ଖୋଜୁଥିଲି ଏବଂ ୧୦ ବର୍ଷ ପରେ ସେ ମୋତେ ମିଳିଲେ । ଜଣେ ଭଲ ଜୀବନ ସାଥୀ ବାଛିବା ପାଇଁ ମୋତେ କେଉଁ କଥା ସାହାଯ୍ୟ କଲା ? ମୁଁ ଯିହୋବାଙ୍କୁ ବହୁତ ପ୍ରାର୍ଥନା କଲି ଏବଂ ଏବିଷୟରେ ଭାବିଲି, “ମୋର ଲକ୍ଷ୍ୟ କʼଣ ? ବିବାହ ପରେ ମୁଁ କʼଣ କରିବା ପାଇଁ ଚାହେଁ ?”
୧୯୫୩ ମସିହାରେ ୟାଙ୍କି ଷ୍ଟାଡିୟମରେ ଗୋଟିଏ ଅଧିବେଶନ ହୋଇଥିଲା, ଏହା ପରେ ମୁଁ ମେରୀ ଏନ୍ୟଲ୍ ନାମକ ଜଣେ ଭଉଣୀଙ୍କୁ ଭେଟିଲି । ସେ ଏବଂ ଜେଥା ଗିଲିଅଡ୍ ସ୍କୁଲର ଦ୍ୱିତୀୟ ତମ କ୍ଲାସରେ ସାଙ୍ଗରେ ଥିଲେ ଏବଂ ଦୁହେଁ ମିଶନାରୀ ସେବା ମଧ୍ୟ ସାଙ୍ଗରେ କଲେ । ମେରୀ ମୋତେ କାରିବିଆନ୍ ଦ୍ୱିପରେ ତାଙ୍କ ମିଶନାରୀ ସେବା ସମୟରେ କʼଣ କʼଣ ହେଲା ସେବିଷୟରେ କହିଲେ । ତାʼ ସହିତ ସେ ଯେଉଁ ଲୋକମାନଙ୍କର ବାଇବଲ ଅଧ୍ୟୟନ କରାଉଥିଲେ, ସେମାନଙ୍କର ଭଲ ଅନୁଭୂତି ବିଷୟରେ ବି କହିଲେ । ଯେବେ ସେ ଏହି ସବୁ କଥା କହୁଥିଲେ ତେବେ ସେ ବହୁତ ଖୁସି ଦେଖାଯାଉଥିଲେ । ଆମେ ପରସ୍ପରକୁ ଯେତେ ଭଲଭାବେ ଜାଣିବାକୁ ଲାଗିଲୁ, ଆମେ ବୁଝିଗଲୁ ଯେ ଆମେ ଦୁହେଁ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଚାହୁଁ । ଆମେ ପରସ୍ପରକୁ ଭଲ ପାଇବାକୁ ଲାଗିଲୁ ଏବଂ ଏପ୍ରିଲ୍ ୧୯୫୫ ମସିହାରେ ଆମେ ବିବାହ କଲୁ । ମେରୀ ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଥିଲେ । ସେ ମୋ ପାଇଁ ଗୋଟିଏ ଭଲ ଉଦାହରଣ ଥିଲେ । ତାଙ୍କୁ ଯାହା ବି କାମ ଦିଆଯାଉଥିଲା, ତାହାକୁ ସେ ଖୁସି ଖୁସି କରୁଥିଲେ । ସେ ବହୁତ ପରିଶ୍ରମୀ ଥିଲେ, ହୃଦୟରୁ ଲୋକମାନଙ୍କ ଚିନ୍ତା କରୁଥିଲେ ଏବଂ ସେ ସବୁବେଳେ ରାଜ୍ୟର କାମକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଉଥିଲେ । (ମାଥି. ୬:୩୩) ଆମେ ତିନି ବର୍ଷ ଯାଏ ସର୍କିଟ କାମ କଲୁ, ତାʼପରେ ୧୯୫୮ ମସିହାରେ ଆମକୁ ବୈଥେଲ ଡକାଗଲା ।
ମୁଁ ମେରୀଙ୍କଠାରୁ ଅନେକ କଥା ଶିଖିଲି । ଯେପରି ଆମ ବିବାହ ପରେ, ଆମେ ପ୍ରତିଦିନ ସାଙ୍ଗରେ ମିଶି ବାଇବଲ ପଢ଼ିବାର ନିଷ୍ପତ୍ତି ନେଲୁ । ଆମେ ପ୍ରତିଦିନ ପ୍ରାୟ ୧୫ଟି ପଦ ପଢ଼ୁଥିଲୁ । କିଛି ପଦ ପଢ଼ିବା ପରେ ଆମେ ସେଥିରୁ କʼଣ ଶିଖିଲୁ ଏବଂ ତାହାକୁ କିପରି ଲାଗୁ କରିବା, ସେବିଷୟରେ ପରସ୍ପରକୁ କହୁଥିଲୁ । ମେରୀ ମୋତେ ପ୍ରାୟ ସମୟରେ କହୁଥିଲେ ଯେ ସେ ଗିଲିଅଡ୍ରେ ଏବଂ ତାଙ୍କ ମିଶନାରୀ ସେବାରେ କʼଣ କʼଣ ଶିଖିଲେ । ଏପରି କଥାବାର୍ତ୍ତା ହେବା ଦ୍ୱାରା ମୋତେ ବହୁତ ଲାଭ ହେଲା । ମୁଁ ଆହୁରି ଭଲଭାବରେ ଭାଷଣ ଦେବା ସହିତ ଭଉଣୀମାନଙ୍କ ମଧ୍ୟ ଆହୁରି ଭଲଭାବରେ ଉତ୍ସାହ ବଢ଼ାଇପାରିଲି ।—ହିତୋ. ୨୫:୧୧.
୨୦୧୩ ମସିହାରେ ମୋ ସ୍ତ୍ରୀଙ୍କ ମୃତ୍ୟୁ ହୋଇଗଲା । ମୁଁ ନୂଆ ଦୁନିଆକୁ ବହୁତ ଆଗ୍ରହର ସହ ଅପେକ୍ଷା କରୁଛି, ଯେବେ ମୁଁ ତାଙ୍କୁ ପୁଣିଥରେ ଭେଟିବି । କିନ୍ତୁ ମୁଁ ନିଷ୍ପତ୍ତି ନେଇଛି ଯେ ସେସମୟ ଯାଏ ମୁଁ ଯିହୋବାଙ୍କଠାରୁ ଶିଖିବା ଜାରି ରଖିବି ଏବଂ ପୂରା ହୃଦୟରୁ ତାଙ୍କ ଉପରେ ଭରସା କରିବି । (ହିତୋ. ୩:୫, ୬) ଯେବେ ମୁଁ ଏବିଷୟରେ ଭାବେ ଯେ ଯିହୋବାଙ୍କ ଲୋକମାନେ ନୂଆ ଦୁନିଆରେ କʼଣ କʼଣ କରିବେ, ତେବେ ମୋତେ ବହୁତ ସାନ୍ତ୍ୱନା ଓ ଖୁସି ମିଳେ । ସେସମୟରେ ଆମେ ନିଜ ମହାନ ଶିକ୍ଷକଙ୍କଠାରୁ ନୂଆ ନୂଆ କଥା ଶିଖିବା ଏବଂ ତାଙ୍କ ବିଷୟରେ ଅନେକ କଥା ଜାଣିବା । ଯିହୋବା ଏବେ ଯାଏ ମୋତେ ଯାହା ବି ଶିଖାଇଛନ୍ତି ଏବଂ ମୋ ଉପରେ ଯାହା ବି ମହାକୃପା କରିଛନ୍ତି, ତାʼପାଇଁ ମୁଁ ତାଙ୍କୁ ଯେତେ ବି ଧନ୍ୟବାଦ ଦେଲେ ତାହା କମ୍ ହେବ ।
a ଜେଥା ସୁନଲ୍ଙ୍କ ଜୀବନ କାହାଣୀ ପଢ଼ିବା ପାଇଁ ୧ ମାର୍ଚ୍ଚ, ୨୦୦୩ ମସିହାର ପ୍ରହରୀଦୁର୍ଗର ପୃଷ୍ଠା ୨୩-୨୯ ଦେଖନ୍ତୁ ।