इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

ଜୀବନସାରା ମହାନ ଉପଦେଶକଙ୍କଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଶିଖନ୍ତୁ

ଜୀବନସାରା ମହାନ ଉପଦେଶକଙ୍କଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଶିଖନ୍ତୁ

ଜାଗା ଜାଗାରେ ରାସ୍ତା ବନ୍ଦ, ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ସୈନିକ, ନିଆଁ ଜଳୁଥିବା ବ୍ୟାରିକେଡ୍‌, ଝଡ଼ ତୋଫାନ, ଗୃହଯୁଦ୍ଧ ଓ ଘର ଛାଡ଼ି ପଳାଇବା । ମୁଁ ଓ ମୋର ସ୍ତ୍ରୀ ଅଗ୍ରଦୂତ ସେବା ଓ ମିଶନାରୀ ସେବା କରିବା ସମୟରେ ଏପରି ହିଁ କିଛି ବିପଦପୂର୍ଣ୍ଣ ସମସ୍ୟାର ସାମନା କଲୁ । ଏପରି ପରିସ୍ଥିତିରେ ବି ଆମେ ଯେପରି ଜୀବନ ବିତାଇଲୁ, ତାହା ପାଇଁ ଆମକୁ ଅବଶୋଷ ନାହିଁ । କାରଣ ସେହି ସମୟରେ ଯିହୋବା ଆମକୁ ସମ୍ଭାଳିଲେ ଓ ଆମକୁ ଅନେକ ଆଶିଷ ଦେଲେ । ସେ ଆମର ମହାନ ଉପଦେଶକ ଅଟନ୍ତି, ସେଥିପାଇଁ ସେ ଆମକୁ ଅନେକ ବଢ଼ିଆ କଥା ବି ଶିଖାଇଲେ ।—ଆୟୁ. ୩୬:୨୨; ଯିଶା. ୩୦:୨୦.

ବାପାମାଆଙ୍କର ଭଲ ଉଦାହରଣ

୧୯୫୭ ମସିହାରେ ବାପାମାଆ ଇଟାଲୀରୁ କାନାଡ଼ା ଚାଲିଗଲେ ଓ ସେଠାରୁ ସସ୍କେଚେୱାନ ପ୍ରାନ୍ତରର କିଣ୍ଡର୍ଜଲି ସହରରେ ଯାଇ ରହିଲେ । ମାତ୍ର କିଛି ସମୟ ପରେ ସେମାନେ ବାଇବଲରୁ ସତ୍ୟ ଶିଖିଲେ ଏବଂ ଏହାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବାକୁ ଲାଗିଲେ । ମୋତେ ମନେ ଅଛି, ପିଲାବେଳେ ମୁଁ ନିଜ ପରିବାର ସହ ମିଶି ସାରା ଦିନ ପ୍ରଚାର କରୁଥିଲି । ସେଥିପାଇଁ ଅନେକ ଥର ମୁଁ ମଜାକରେ କହୁଥିଲି, ମୁଁ ୮ ବର୍ଷରୁ ହିଁ “ସହଯୋଗୀ ଅଗ୍ରଦୂତ” ସେବା କରିବାକୁ ଲାଗିଲି ।

ପାଖାପାଖି ୧୯୬୬ ମସିହାରେ ମୁଁ ନିଜ ପରିବାର ସହ

ବାପାମାଆଙ୍କ ପାଖରେ ବେଶୀ ପଇସା ନ ଥିଲା, ତଥାପି ସେମାନେ ଯିହୋବାଙ୍କ ପାଇଁ ଅନେକ ତ୍ୟାଗ କଲେ ଓ ଆମ ପାଇଁ ଭଲ ଉଦାହରଣ ରଖିଲେ । ଯେପରି, ୧୯୬୩ ମସିହାରେ ସେମାନେ ନିଜର ଅଧିକାଂଶ ଜିନିଷ ବିକ୍ରି କରିଦେଲେ, ଯାହାଫଳରେ ସେମାନେ ଆନ୍ତଃରାଷ୍ଟ୍ରୀୟ ଅଧିବେଶନରେ ଯିବା ପାଇଁ ପଇସା ସଞ୍ଚୟ କରିପାରନ୍ତେ । ଏହି ଅଧିବେଶନ ଆମେରିକାର କାଲିଫର୍ନିଆ ରାଜ୍ୟର ପାସାଦେନା ସହରରେ ରଖାଯାଇଥିଲା । ୧୯୭୨ ମସିହାରେ ଆମେ ପ୍ରାୟ ୧,୦୦୦ କିଲୋମିଟର (ପ୍ରାୟ ୬୨୦ ମାଇଲ) ଦୂର ଟ୍ରେଲ୍‌ ସହରକୁ ଗଲୁ । କାରଣ ଆମେ ସେଠାରେ ଇତାଲବି କହୁଥିବା ଲୋକମାନଙ୍କୁ ଖୁସିଖବର ଶୁଣାଇବା ପାଇଁ ଚାହୁଁଥିଲୁ । ଏହି ସହର କାନାଡ଼ାର ଅନ୍ୟ ଏକ ପ୍ରାନ୍ତ ବ୍ରିଟିଶ କଲମ୍ବିଆରେ ଅଛି । ବାପା ଗୋଟିଏ ବଡ଼ ଦୋକାନର ସଫାସୁତୁରା ଓ ଦେଖାରେଖା କାମ କରୁଥିଲେ । ଯେବେ ତାଙ୍କୁ ଅଧିକ ପଇସା ରୋଜଗାର କରିବାର ସୁଯୋଗ ମିଳିଲା, ତେବେ ସେ ମନା କରିଦେଲେ । କାରଣ ସେ ଯିହୋବାଙ୍କ ସେବାରେ ଅଧିକ ଧ୍ୟାନ ଦେବା ପାଇଁ ଚାହୁଁଥିଲେ ।

ବାପାମାଆ ମୋ ପାଇଁ ଓ ମୋର ତିନିଜଣ ଭାଇଭଉଣୀମାନଙ୍କ ପାଇଁ ଭଲ ଉଦାହରଣ ରଖିଲେ । ମୁଁ ଏଥିପାଇଁ ତାଙ୍କର ବହୁତ କୃତଜ୍ଞ । ଯିହୋବାଙ୍କର ସେବା କରିବା ପାଇଁ ମୁଁ ପ୍ରଥମେ ବାପାମାଆଙ୍କଠାରୁ ହିଁ ଶିଖିଲି । ମୁଁ ତାଙ୍କଠାରୁ ଗୋଟିଏ ଜରୁରୀ କଥା ମଧ୍ୟ ଶିଖିଲି, ଯାହା ମୁଁ ଆଜି ପର୍ଯ୍ୟନ୍ତ ଭୁଲି ନାହିଁ: ଯଦି ମୁଁ ପରମେଶ୍ୱରଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦିଏ, ତାହେଲେ ଯିହୋବା ମୋତେ ସମ୍ଭାଳିବେ ।—ମାଥି. ୬:୩୩.

ପୂର୍ଣ୍ଣ ସମୟ ସେବାର ଆରମ୍ଭ

୧୯୮୦ ମସିହାରେ ମୋର ବିବାହ ଡେବି ନାମକ ଜଣେ ଭଉଣୀଙ୍କ ସହ ହେଲା, ଯିଏ ବହୁତ ସୁନ୍ଦର ଥିଲେ ଓ ସହୃଦୟରୁ ଯିହୋବାଙ୍କର ସେବା କରୁଥିଲେ । ଆମେ ଦୁହେଁ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଚାହୁଁଥିଲୁ । ତେଣୁ ବିବାହର ତିନି ମାସ ପରେ ଡେବି ଅଗ୍ରଦୂତ ସେବା ଆରମ୍ଭ କଲେ । ବିବାହର ଏକ ବର୍ଷ ପରେ ଆମେ ଗୋଟିଏ ଛୋଟ ମଣ୍ଡଳୀରେ ଯାଇ ସେବା କରିବାକୁ ଲାଗିଲୁ, ଯେଉଁଠାରେ ଅଧିକ ଆବଶ୍ୟକ ଥିଲା ଏବଂ ମୁଁ ବି ଅଗ୍ରଦୂତ ସେବା ଆରମ୍ଭ କରିଦେଲି ।

୧୯୮୦ ମସିହାରେ ଆମ ବିବାହ ଦିନ

କିଛି ସମୟ ପରେ ଆମେ ବହୁତ ନିରାଶ ହୋଇଗଲୁ ଏବଂ ଏଠାରୁ ଫେରିଯିବା ପାଇଁ ଭାବୁଥିଲୁ । କିନ୍ତୁ ଆମେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମର ସର୍କିଟ ଅଧ୍ୟକ୍ଷଙ୍କ ସହ କଥା ହେଲୁ । ସେ ସିଧାସଳଖ କିନ୍ତୁ ପ୍ରେମର ସହିତ ବୁଝାଇଲେ, “ତମେ ନିଜର ହିଁ ସମସ୍ୟା ବଢ଼ାଉଛ । ତମେମାନେ କେବଳ ନିଜର ସମସ୍ୟା ଉପରେ ଧ୍ୟାନ ଦେଉଛ । ଯଦି ତମେ ଟିକେ ରହି ଭାବିବ, ତାହେଲେ ତମେମାନେ ଅନେକ ଭଲ କଥା ଦେଖିପାରିବ ।” ସେହି ସମୟରେ ଆମକୁ ଏହି ପରାମର୍ଶର ଆବଶ୍ୟକ ଥିଲା । (ଗୀତ. ୧୪୧:୫) ଆମେ ତୁରନ୍ତ ଏହି ପରାମର୍ଶକୁ ମାନିଲୁ ଓ ଦେଖିପାରିଲୁ ଯେ ଏପରି ଅନେକ କଥା ଅଛି, ଯେଉଁଥିରୁ ଆମେ ଖୁସି ରହିପାରିବା । ଯେପରି, ସେହି ଛୋଟ ମଣ୍ଡଳୀରେ ଅନେକ ଯୁବା ଥିଲେ ଓ ଏପରି ଭଉଣୀମାନେ ମଧ୍ୟ ଥିଲେ ଯେଉଁମାନଙ୍କର ସ୍ୱାମୀମାନେ ଯିହୋବାଙ୍କର ସେବା କରୁ ନ ଥିଲେ, ତଥାପି ସେମାନେ ଯିହୋବାଙ୍କର ସେବାରେ ଅଧିକରୁ ଅଧିକ କରିବା ପାଇଁ ଚାହୁଁଥିଲେ । ସର୍କିଟ ଅଧ୍ୟକ୍ଷଙ୍କ ଏହି ପରାମର୍ଶରୁ ଆମେ ଗୋଟିଏ ମୁଖ୍ୟ କଥା ଶିଖିଲୁ: ଆମେ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ ଓ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ଯେ ସେ ସଠିକ୍‌ ସମୟରେ ସବୁକିଛି ଠିକ୍‌ କରିଦେବେ । (ମୀଖା ୭:୭) ତାʼପରେ ଆମେ ପୁଣିଥରେ ଖୁସିର ସହ ଯିହୋବାଙ୍କର ସେବା କରିବାକୁ ଲାଗିଲୁ ।

ଆମର ପ୍ରଥମ ଅଗ୍ରଦୂତ ସ୍କୁଲର ଶିକ୍ଷକମାନେ ଅନ୍ୟ ଦେଶରେ ଯାଇ ସେବା କରିଥିଲେ । ସେମାନେ ଆମକୁ ସେଠାର କିଛି ଫଟୋ ଦେଖାଇଲେ ଏବଂ କହିଲେ ଯେ ସେମାନଙ୍କୁ ନିଜର ସେବା ସମୟରେ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ଓ କେଉଁ କେଉଁ ଆଶିଷ ମିଳିଲା । ଏହି କଥାଗୁଡ଼ିକ ଶୁଣି ଆମକୁ ବି ମିଶନାରୀ ସେବା କରିବା ପାଇଁ ଇଚ୍ଛା ହେଲା । ତେଣୁ ଆମେ ମିଶନାରୀ ସେବା କରିବା ପାଇଁ ଭାବିନେଲୁ ।

୧୯୮୩ ମସିହାରେ ବ୍ରିଟିଶ କଲମ୍ବିଆର ଗୋଟିଏ ରାଜ୍ୟଘର ବାହାରେ

ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ୧୯୮୪ ମସିହାରେ ପ୍ରଥମ ପଦକ୍ଷେପ ନେଲୁ । ଆମେ ବ୍ରିଟିଶ କଲମ୍ବିଆରୁ ପ୍ରାୟ ୪,୦୦୦ କିଲୋମିଟର (୨,୪୮୫ ମାଇଲ) ଦୂରରେ ଥିବା କ୍ୟୁବେକକୁ ଚାଲିଗଲୁ, ଯେଉଁଠି ଫ୍ରେଞ୍ଚ ଭାଷା କୁହାଯାଏ । ସେଠାର ଭାଷା ଶିଖିବା ଓ ସେଠାର ସଂସ୍କୃତିକୁ ଆପଣାଇବା ଆମ ପାଇଁ ସହଜ ନ ଥିଲା । ତାʼସହ ଆମ ପାଖରେ ବେଶୀ ପଇସା ମଧ୍ୟ ନ ଥିଲା । ତେଣୁ ଥରେ ଆମକୁ ଜଣେ ଚାଷୀର କ୍ଷେତରୁ ବଳିଯାଇଥିବା ଆଳୁ ଗୋଟାଇ ଚଳିବାକୁ ପଡ଼ିଲା । ଡେବି ଆଳୁରୁ ବିଭିନ୍ନ ପ୍ରକାରର ଜିନିଷ ତିଆରି କରିବା ଶିଖି ଯାଇଥିଲେ । ଏହି ସମସ୍ୟାଗୁଡ଼ିକ ସତ୍ତ୍ୱେ ଆମେ ଖୁସିର ସହ ଯିହୋବାଙ୍କର ସେବା କରିବା ଜାରି ରଖିଲୁ ଓ ଆମେ ଦେଖିଲୁ ଯେ ଯିହୋବା କିପରି ଆମର ଯତ୍ନ ନେଉଛନ୍ତି ।—ଗୀତ. ୬୪:୧୦.

ଥରେ ଆମକୁ ଗୋଟିଏ ଫୋନ୍‌ ଆସିଲା ଓ ଆମକୁ କାନାଡ଼ା ବୈଥେଲରେ ସେବା କରିବା ପାଇଁ ଡକାଗଲା । ଏହାର ଆମେ କେବେ ବି ଆଶା କରି ନ ଥିଲୁ, କାରଣ ଆମେ ଗିଲିଅଡ୍‌ ସ୍କୁଲ ପାଇଁ ଫର୍ମ ଭରିଥିଲୁ । ଆମକୁ ବୈଥେଲ ଯିବାର ଖୁସି ତ ଥିଲା କିନ୍ତୁ ଗିଲିଅଡ୍‌ ନ ଯିବାର ଦୁଃଖ ମଧ୍ୟ ଥିଲା । ସେଠାକୁ ପହଞ୍ଚିଲା ପରେ ଆମେ ଭାଇ କେନେଥ ଲିଟିଲ୍‌ଙ୍କୁ ଭେଟିଲୁ, ଯିଏ ଶାଖା ସମିତିର ସଦସ୍ୟ ଥିଲେ । ଆମେ ତାଙ୍କୁ ପଚାରିଲୁ, “ଭାଇ ଏବେ ଆମ ଗିଲିଅଡ୍‌ ଫର୍ମର କʼଣ ହେବ ?” ସେ କହିଲେ, “ସମୟ ଆସିଲେ ସେବିଷୟରେ ଦେଖିବା ।”

ମାତ୍ର ଗୋଟିଏ ସପ୍ତାହ ପରେ ସେହି ସମୟ ଆସିଗଲା । ମୋତେ ଓ ଡେବିଙ୍କୁ ଗିଲିଅଡ୍‌ ପାଇଁ ଡକାଗଲା । ଏବେ ଆମକୁ ନିଷ୍ପତ୍ତି ନେବାର ଥିଲା ଯେ ଆମେ କʼଣ କରିବା । ଭାଇ ଲିଟିଲ୍‌ ଆମକୁ କହିଲେ, “ତମେ ଯେକୌଣସି ନିଷ୍ପତ୍ତି ନିଅ, କେବେ ନା କେବେ ହୁଏତ ତମକୁ ଲାଗିବ ଯେ ଭଲ ହୁଅନ୍ତା ଆମେ ଅନ୍ୟ ନିଷ୍ପତ୍ତି ନେଇଥାʼନ୍ତୁ । ଏପରି ନୁହେଁ ଯେ ଗୋଟିଏ ନିଷ୍ପତ୍ତି ଅନ୍ୟ ନିଷ୍ପତ୍ତିଠାରୁ ବେଶୀ ଭଲ । ଯିହୋବା କୌଣସି ନିଷ୍ପତ୍ତି ଉପରେ ବି ଆଶିଷ ଦେଇପାରିବେ ।” ଆମେ ଗିଲିଅଡ୍‌ ଯିବା ପାଇଁ ନିଷ୍ପତ୍ତି ନେଲୁ । କିଛି ବର୍ଷ ବିତିଲା ପରେ ଆମେ ଅନୁଭବ କରିପାରିଲୁ ଯେ ଭାଇ ଲିଟିଲ୍‌ ଯାହା କହିଥିଲେ, ତାହା ବିଲକୁଲ୍‌ ଠିକ୍‌ ଥିଲା । ଆମେ ଭାଇଙ୍କର ଏହି ପରାମର୍ଶ ସେହି ଲୋକମାନଙ୍କୁ ବି କହିଲୁ, ଯେଉଁମାନଙ୍କୁ ଆମ ଭଳି ନିଷ୍ପତ୍ତି ନେବାର ଥିଲା ଯେ ସେମାନେ ଯିହୋବାଙ୍କର ସେବାରେ କʼଣ କରିବେ ।

ମିଶନାରୀ ସେବା କରିବା

(ବାମପଟେ) ୟୁଲିସିଜ୍‌ ଗ୍ଲାସ୍‌

(ଡାହାଣ ପଟେ) ଜ୍ୟାକ ରେଫର୍ଡ

ଏପ୍ରିଲ୍‌ ୧୯୮୭ ମସିହାରେ ଆମକୁ ଗିଲିଅଡ୍‌ର ୮୩ତମ କ୍ଲାସରେ ଯିବା ପାଇଁ ସୁଯୋଗ ମିଳିଲା । ଆମେ ବହୁତ ଖୁସି ଥିଲୁ । ଆମେ ସମୁଦାୟ ୨୪ ଜଣ ବିଦ୍ୟାର୍ଥୀ ଥିଲୁ । ଏହି ସ୍କୁଲ ନ୍ୟୁୟର୍କର ବ୍ରୁକଲିନ୍‌ ସହରରେ ରଖାଯାଇଥିଲା । ଆମର ଅଧିକାଂଶ କ୍ଲାସ ଭାଇ ୟୁଲିସିଜ୍‌ ଗ୍ଲାସ୍‌ ଓ ଭାଇ ଜ୍ୟାକ ରେଫର୍ଡ ନେଲେ । ପାଞ୍ଚ ମାସ କିପରି ବିତିଗଲା, ଆମକୁ ଜଣା ହିଁ ପଡ଼ିଲା ନାହିଁ । ଆଉ ୬ ସେପ୍ଟେମ୍ବର, ୧୯୮୭ରେ ଆମେ ଗ୍ରାଜୁଏଟ୍‌ ହୋଇଗଲୁ । ତାʼପରେ ଆମକୁ ଜୋନ୍‌ ଓ ମେରି ଗୁଡ୍‌ଙ୍କ ସହ ହୈତିରେ ସେବା କରିବା ପାଇଁ ପଠାଗଲା ।

୧୯୮୮ ମସିହାରେ ହୈତିରେ

ହୈତିରେ ସେବା କରୁଥିବା ମିଶନାରୀମାନଙ୍କୁ ୧୯୬୨ ମସିହାରେ ଦେଶରୁ ବାହାର କରିଦିଆଯାଇଥିଲା । ଏହାପରେ ସେଠାରେ କେହି ବି ମିଶନାରୀ ନ ଥିଲେ । ଆମକୁ ହିଁ ମିଶନାରୀ ଭାବେ ସେଠାକୁ ପଠାଗଲା । ଗ୍ରାଜୁଏଟ୍‌ ହେବାର ତିନି ସପ୍ତାହ ପରେ ଆମେ ସେଠାରେ ପହଞ୍ଚିଗଲୁ ଓ ଗୋଟିଏ ଛୋଟ ମଣ୍ଡଳୀରେ ସେବା କରିବାକୁ ଲାଗିଲୁ । ଏହି ମଣ୍ଡଳୀ ବହୁତ ଦୂର ଅଞ୍ଚଳରେ ଓ ପାହାଡ଼ ମଧ୍ୟରେ ଥିଲା ଓ ସେଠାରେ ୩୫ ଜଣ ପ୍ରଚାରକ ଥିଲେ । ଆମେ ଯୁବା ଥିଲୁ ଓ ଆମକୁ ଏପରି ଭାବେ ସେବା କରିବାର କୌଣସି ଅନୁଭୂତି ନ ଥିଲା । ଆଉ ମିଶନାରୀ ଘରେ ମଧ୍ୟ ଆମ ଦୁଇଜଣଙ୍କ ଛଡ଼ା ଆଉ କେହି ନ ଥିଲେ । ସେଠାର ଲୋକମାନେ ବହୁତ ଗରିବ ଥିଲେ ଓ ଅଧିକାଂଶ ଲୋକମାନେ ପଢ଼ିପାରୁ ନ ଥିଲେ । ସେସମୟରେ ଆମେ ଯେଉଁଠି ରହୁଥିଲୁ ସେଠାରେ ରାଜନୈତିକ ଅସ୍ଥିରତା ଯୋଗୁଁ ବହୁତ ଦଙ୍ଗା ହେଉଥିଲା, ଲୋକମାନେ ସରକାର ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ, ନିଆଁ ଲଗାଇ ଦେଉଥିଲେ ଓ ବ୍ୟାରିକେଡ୍‌ ସବୁକୁ ଜଳାଇ ଦେଉଥିଲେ । ତାʼସହିତ ସେଠାରେ ଝଡ଼ ତୋଫାନ ମଧ୍ୟ ହେଉଥିଲା ।

ଆମେ ହୈତିର ଭାଇଭଉଣୀମାନଙ୍କଠାରୁ ଅନେକ କଥା ଶିଖିଲୁ । ସେମାନେ ଏହି ସମସ୍ୟା ସମୟରେ ବି ଅଟଳ ରହିଲେ ଓ ଖୁସିରେ ରହୁଥିଲେ । ଅନେକ ଭାଇଭଉଣୀଙ୍କର ଜୀବନରେ ଅନେକ ସମସ୍ୟା ଥିଲା, ତଥାପି ସେମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ ଓ ଉତ୍ସାହର ସହ ପ୍ରଚାର କରୁଥିଲେ । ଯେପରି, ଜଣେ ବୃଦ୍ଧା ଭଉଣୀଙ୍କୁ ବିଲକୁଲ୍‌ ପଢ଼ି ଆସୁ ନ ଥିଲା, କିନ୍ତୁ ତାଙ୍କୁ ପ୍ରାୟ ୧୫୦ଟି ପଦ ମୁଖସ୍ତ ଥିଲା । ଆମେ ପ୍ରତିଦିନ ଯେଉଁ ସମସ୍ୟାଗୁଡ଼ିକର ସାମନା କରୁଥିଲୁ ତାʼଯୋଗୁଁ ଆମକୁ ଭରସା ହୋଇଗଲା ଯେ ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଯେଉଁ ସନ୍ଦେଶ ଶୁଣାଉଛୁ, କେବଳ ତାହା ହିଁ ମଣିଷମାନଙ୍କର ସମସ୍ୟାର ସମାଧାନ ଅଟେ । ସେଥିପାଇଁ ଆମେ ଈଶ୍ୱରଙ୍କ ରାଜ୍ୟର ପ୍ରଚାର କରିବାର ଦୃଢ଼ ନିଷ୍ପତ୍ତି ନେଲୁ । ଆମକୁ ଏହା ଦେଖି ବହୁତ ଖୁସି ଲାଗେ ଯେ ଆମେ ଆରମ୍ଭରେ ଯେଉଁ ଲୋକମାନଙ୍କ ସହିତ ବାଇବଲ ଅଧ୍ୟୟନ କରିଥିଲୁ, ସେମଧ୍ୟରୁ କିଛି ଭାଇଭଉଣୀ ଅଗ୍ରଦୂତ ସେବା କରିବାକୁ ଲାଗିଲେ, କିଛି ବିଶେଷ ଅଗ୍ରଦୂତ ଭାବେ ସେବା କଲେ ଓ କିଛି ଭାଇ ପ୍ରାଚୀନ ଭାବେ ସେବା କରିବାକୁ ଲାଗିଲେ ।

ହୈତିରେ ଥିବା ସମୟରେ ମୁଁ ଟ୍ରେୱର ନାମକ ଜଣେ ଯୁବା ପିଲାଙ୍କୁ ଭେଟିଥିଲି । ସେ ଚର୍ଚ୍ଚ ତରଫରୁ ମିଶନାରୀ ଭାବେ ସେବା କରୁଥିଲେ । ତାଙ୍କ ସହ ଆମେ ଅନେକ ଥର ବାଇବଲରୁ ଚର୍ଚ୍ଚା କଲୁ । ଅନେକ ବର୍ଷ ବିତିବା ପରେ ସେ ଆମକୁ ଗୋଟିଏ ଚିଠି ପଠାଇଲେ, ଏହା ଦେଖି ଆମେ ବହୁତ ଆଶ୍ଚର୍ଯ୍ୟ ହୋଇଗଲୁ । ଚିଠିରେ ଲେଖାଥିଲା, “ଏବେ ଯେଉଁ ସମ୍ମିଳନୀ ହେବ ସେଥିରେ ମୁଁ ବାପ୍ତିସ୍ମ ନେବି । ମୁଁ ଚାହେଁ ଯେ ମୁଁ ହୈତି ଯାଇ ସେହି ଅଞ୍ଚଳରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବି, ଯେଉଁଠାରେ ମୁଁ ଚର୍ଚ୍ଚ ତରଫରୁ ମିଶନାରୀ ଭାବେ ସେବା କରୁଥିଲି ।” ସେ ଓ ତାଙ୍କ ସ୍ତ୍ରୀ ଅନେକ ବର୍ଷ ଧରି ସେଠାରେ ଏପରି ହିଁ କଲେ !

ୟୁରୋପରୁ ଆଫ୍ରିକା ପର୍ଯ୍ୟନ୍ତ ଯାତ୍ରା

୧୯୯୪ ମସିହାରେ ସ୍ଲୋଭେନିଆରେ କାମ କରୁଥିବା ସମୟର ଚିତ୍ର

ଆମକୁ ୟୁରୋପର ଏପରି ଅଞ୍ଚଳରେ ସେବା କରିବା ପାଇଁ ପଠାଗଲା ଯେଉଁଠି ପୂର୍ବେ ଆମ କାମ ଉପରେ କିଛି କଟକଣା ଲାଗିଥିଲା, କିନ୍ତୁ ଧିରେ ଧିରେ ପରିସ୍ଥିତି ଠିକ୍‌ ହେବାକୁ ଲାଗିଥିଲା । ୧୯୯୨ ମସିହାରେ ଆମେ ସ୍ଲୋଭେନିଆର ଲ୍ୟୁବଲ୍ୟାନା ସହର ଆସିଲୁ । ମୋର ବାପାମାଆଙ୍କ ପିଲାବେଳର ସମୟ ଏହି ସହର ପାଖରେ ବିତିଥିଲା । ଯେବେ ଆମେ ଲ୍ୟୁବଲ୍ୟାନା ପହଞ୍ଚିଲୁ, ତେବେ ୟୁଗୋସ୍ଳାଭିଆର କିଛି ଅଞ୍ଚଳରେ ଯୁଦ୍ଧ ହେଉଥିଲା । ସେହି ପୂରା ଅଞ୍ଚଳରେ ଯେଉଁ ପ୍ରଚାର କାମ ହେଉଥିଲା, ତାହାର ନେତୃତ୍ୱ ଅଷ୍ଟ୍ରେଲିଆରେ ଥିବା ଭିଏନା ଶାଖା କାର୍ଯ୍ୟାଳୟ ନେଉଥିଲା । ତାʼସହ କ୍ରୋଏସିଆର ଜାଗ୍ରେବରେ ଓ ସର୍ବିଆର ବେଲଗ୍ରେଡ୍‌ରେ ଯେଉଁ ଅଫିସ ଥିଲା, ସେଗୁଡ଼ିକ ବି ପ୍ରଚାର କାମର ଦେଖାରେଖା କରିବାରେ ସାହାଯ୍ୟ କରୁଥିଲା । ବର୍ତ୍ତମାନ ପୂରା ଅଞ୍ଚଳ ଭିନ୍ନ ଭିନ୍ନ ଦେଶରେ ବିଭକ୍ତ ହୋଇଯାଇଥିଲା, ସେଥିପାଇଁ ପ୍ରତ୍ୟେକ ଦେଶରେ ବୈଥେଲର ବ୍ୟବସ୍ଥା କରିବା ଜରୁରୀ ଥିଲା ।

ବର୍ତ୍ତମାନ ଆମକୁ ପୁଣିଥରେ ଗୋଟିଏ ନୂଆ ଭାଷା ଶିଖିବାର ଥିଲା ଏବଂ ନୂଆ ସଂସ୍କୃତିକୁ ଆପଣାଇବାର ଥିଲା । ସେଠାର ଲୋକମାନେ କହୁଥିଲେ, “ୟେଜେକ ୟେ ତେଜେକ” ଯାହାର ଅର୍ଥ ହେଉଛି, “ଏହି ଭାଷା ବହୁତ କଠିନ ।” ସତରେ ସେହି ଭାଷା ଶିଖିବା ବହୁତ କଠିନ ଥିଲା ! ଆମକୁ ଏହା ଦେଖି ବହୁତ ଭଲ ଲାଗିଲା ଯେ ସେହି ସମୟରେ ସଂଗଠନ ଯାହା ବି ପରିବର୍ତ୍ତନ କଲା, ଭାଇଭଉଣୀମାନେ ତାହାକୁ ପୂରା ସହଯୋଗ ଦେଲେ ଏବଂ ତାʼପାଇଁ ଯିହୋବା ସେମାନଙ୍କୁ ଆଶିଷ ଦେଲେ । ଆମେ ପୁଣିଥରେ ଦେଖିପାରିଲୁ ଯେ ଯିହୋବା ସବୁବେଳେ ପ୍ରେମର ସହିତ ଓ ସଠିକ୍‌ ସମୟରେ କୌଣସି ମାମଲାକୁ ସମାଧାନ କରନ୍ତି । ଆମେ ପୂର୍ବରୁ ଯେଉଁ କଥାଗୁଡ଼ିକ ଶିଖିଥିଲୁ, ସେଥିରୁ ଆମକୁ ସ୍ଲୋଭେନିଆରେ ସେବା କରିବା ସମୟରେ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ବହୁତ ସାହାଯ୍ୟ ମିଳିଲା । ଆଉ ଏଠାରେ ସେବା କରିବା ସମୟରେ ବି ଆମେ ଅନେକ ନୂଆ ନୂଆ କଥା ଶିଖିଲୁ ।

ଆମ ଜୀବନରେ ଆହୁରି ଅନେକ ପରିବର୍ତ୍ତନ ହେଲା । ୨୦୦୦ ମସିହାରେ ଆମକୁ ପଶ୍ଚିମ ଆଫ୍ରିକାର କୋଟ୍‌ ଡି ଆଇଭରି ଦେଶକୁ ପଠାଗଲା । କିନ୍ତୁ ଗୃହଯୁଦ୍ଧ ଆରମ୍ଭ ହେବା ଯୋଗୁଁ ନଭେମ୍ବର ୨୦୦୨ ମସିହାରେ ଆମକୁ ସେଠାରୁ ପଳାଇବାକୁ ପଡ଼ିଲା । ଆମେ ସିଏରା ଲିଓନ ଗଲୁ, ଯେଉଁଠାରେ ୧୧ ବର୍ଷରୁ ଗୃହଯୁଦ୍ଧ ଚାଲିଥିଲା ଯାହା କିଛି ସମୟ ପୂର୍ବରୁ ହିଁ ଶେଷ ହୋଇଥିଲା । ହଠାତ୍‌ ସବୁକିଛି ଛାଡ଼ିଯିବା ଆମ ପାଇଁ ସହଜ ନ ଥିଲା । କିନ୍ତୁ ଆମେ ଯେଉଁ କଥାଗୁଡ଼ିକ ଶିଖିଥିଲୁ, ତାʼଯୋଗୁଁ ଆମେ ନିଜ ଖୁସି ବଜାୟ ରଖିପାରିଲୁ ।

ସିଏରା ଲିଓନରେ ଅନେକ ଲୋକ ସତ୍ୟ ଶିଖିବା ପାଇଁ ଚାହୁଁଥିଲେ । ଆମେ ସେମାନଙ୍କ ଉପରେ ଧ୍ୟାନ ଦେଲୁ ଓ ସେହି ଭାଇଭଉଣୀମାନଙ୍କ ଉପରେ ବି ଯେଉଁମାନେ ଅନେକ ବର୍ଷରୁ ଯୁଦ୍ଧ ଯୋଗୁଁ କଷ୍ଟ ସହୁଥିଲେ । ସେମାନଙ୍କ ପାଖରେ ବେଶୀ କିଛି ନ ଥିଲା, କିନ୍ତୁ ସେମାନଙ୍କ ପାଖରେ ଯାହା ବି ଥିଲା ତାହା ସେମାନେ ଖୁସି ଖୁସି ଅନ୍ୟମାନଙ୍କୁ ଦେବା ପାଇଁ ପ୍ରସ୍ତୁତ ରହୁଥିଲେ । ଥରେ ଜଣେ ଭଉଣୀ ଡେବିଙ୍କୁ କିଛି ପୋଷାକ ଦେଲେ । ଡେବି ପୋଷାକ ନେବା ପାଇଁ ସଂକୋଚ କରୁଥିଲେ, ତେବେ ସେହି ଭଉଣୀ କହିଲେ, “ଯୁଦ୍ଧ ସମୟରେ ଅନ୍ୟ ଦେଶର ଭାଇଭଉଣୀମାନେ ଆମକୁ ବହୁତ ସାହାଯ୍ୟ କରିଥିଲେ, ଏବେ ଆମର ପାଳି ।” ଆମେ ଭାବିଲୁ ଯେ ଆମେ ବି ସେହି ଭାଇଭଉଣୀମାନଙ୍କ ଭଳି ହେବା ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ।

କିଛି ସମୟ ପରେ ଆମେ କୋଟ୍‌ ଡି ଆଇଭରି ଫେରିଗଲୁ । କିନ୍ତୁ ରାଜନୈତିକ ଅସ୍ଥିରତା ଯୋଗୁଁ ସେଠାରେ ପୁଣି ଦଙ୍ଗା ଆରମ୍ଭ ହୋଇଗଲା । ତେଣୁ ନଭେମ୍ବର ୨୦୦୪ ମସିହାରେ ଆମକୁ ସେଠାରୁ ଉଦ୍ଧାର କରାଗଲା । ଆମକୁ ଗୋଟିଏ ହେଲିକପ୍ଟର ସାହାଯ୍ୟରେ ଫ୍ରେଞ୍ଚ ସୈନିକମାନଙ୍କର ବେସ୍‌ ପର୍ଯ୍ୟନ୍ତ ନିଆଗଲା । ଆମକୁ କେବଳ ୧୦ କିଲୋର (୨୨ ପାଉଣ୍ଡ) ଗୋଟିଏ ବ୍ୟାଗ୍‌ ନେବା ପାଇଁ ଅନୁମତି ଥିଲା । ଆମେ ସେଠାରେ ରାତିରେ ତଳେ ଶୋଇଲୁ । ଏହାର ପରଦିନ ଆମକୁ ଉଡ଼ାଜାହାଜରେ ସ୍ୱିଜରଲ୍ୟାଣ୍ଡକୁ ନିଆଗଲା । ପ୍ରାୟ ଅଧରାତିରେ ଆମେ ଶାଖା କାର୍ଯ୍ୟାଳୟ ପହଞ୍ଚିଲୁ । ସେଠାର ଶାଖା ସମିତିର ଭାଇମାନେ ଓ ମଣ୍ଡଳୀ ସେବକ ପ୍ରଶିକ୍ଷଣ ସ୍କୁଲର (MTS) ଶିକ୍ଷକମାନେ ଏବଂ ସେମାନଙ୍କର ସ୍ତ୍ରୀମାନେ ଆମକୁ ପ୍ରେମର ସହିତ ସ୍ୱାଗତ କଲେ । ସେମାନେ ଆମକୁ ଅନେକ ଥର ଆଲିଙ୍ଗନ କଲେ, ଗରମ ଗରମ ଖାଦ୍ୟ ଖାଇବା ପାଇଁ ଦେଲେ ଓ ସେଠାର ବହୁତ ଚକଲେଟ୍‌ ଦେଲେ । ସେମାନଙ୍କ ଏହି ପ୍ରେମ ଆମ ହୃଦୟକୁ ଛୁଇଁଗଲା ।

୨୦୦୫ ମସିହାରେ କୋଟ୍‌ ଡି ଆଇଭରିରେ ଶରଣାର୍ଥୀମାନଙ୍କୁ ଭାଷଣ ଦେଉଥିବା ସମୟର ଚିତ୍ର

ଆମକୁ କିଛି ସମୟ ପାଇଁ ଘାନାରେ ସେବା କରିବା ପାଇଁ କୁହାଗଲା । କିନ୍ତୁ ଯେବେ କୋଟ୍‌ ଡି ଆଇଭରିର ପରିସ୍ଥିତି ଟିକେ ଭଲ ହେବାକୁ ଲାଗିଲା, ତେବେ ଆମକୁ ପୁଣିଥରେ ସେଠାକୁ ପଠାଗଲା । ହଠାତ୍‌ ନିଜ ଘର ଛାଡ଼ିବା ଓ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇ ସେବା କରିବା ଆମ ପାଇଁ ସହଜ ନ ଥିଲା । କିନ୍ତୁ ଭାଇଭଉଣୀମାନେ ଯେପରି ଭାବେ ପ୍ରେମର ସହ ଆମକୁ ସାହାଯ୍ୟ କଲେ, ସେଥିରୁ ଆମେ ନିଜ ଖୁସି ବଜାୟ ରଖିପାରିଲୁ । ମୁଁ ଓ ଡେବି ପ୍ରାୟ କଥା ହେଉଥିଲୁ ଯେ ଯିହୋବାଙ୍କ ସଂଗଠନରେ ଭାଇଭଉଣୀମାନଙ୍କ ମଧ୍ୟରେ ପ୍ରେମ ଥିବା ସ୍ୱାଭାବିକ, କିନ୍ତୁ ଆମକୁ କେବେ ବି ଏହି ପ୍ରେମ ପାଇଁ ନିଜର କୃତଜ୍ଞତା କମ୍‌ ହେବା ପାଇଁ ଦେବା ଉଚିତ୍‌ ନୁହେଁ । ଏହା ସତ ଯେ ଆମେ ଅନେକ କଠିନ ପରିସ୍ଥିତିର ସାମନା କଲୁ, କିନ୍ତୁ ଏହି ସମୟ ମଧ୍ୟରେ ଆମେ ଅନେକ କଥା ମଧ୍ୟ ଶିଖିଲୁ ।

ମଧ୍ୟପୂର୍ବ ଦେଶଗୁଡ଼ିକରେ ସେବା

୨୦୦୭ ମସିହାରେ ଗୋଟିଏ ମଧ୍ୟପୂର୍ବ ଦେଶରେ

୨୦୦୬ ମସିହାରେ ଆମକୁ ବିଶ୍ୱ ମୁଖ୍ୟାଳୟ ତରଫରୁ ଗୋଟିଏ ଚିଠି ମିଳିଲା, ଯେଉଁଥିରେ ଆମକୁ ଗୋଟିଏ ମଧ୍ୟପୂର୍ବ ଦେଶରେ ସେବା କରିବା ପାଇଁ କୁହାଗଲା । ଏବେ ପୁଣିଥରେ ଆମ ଜୀବନରେ ପରିବର୍ତ୍ତନ ହୁଅନ୍ତା । ଆମ ଆଗରେ ଏକ ନୂଆ ସମସ୍ୟା ଥିଲା, ଆମକୁ ନୂଆ ଭାଷା ଶିଖିବା ଓ ନୂଆ ସଂସ୍କୃତି ଆପଣାଇବାର ଥିଲା । ଆମକୁ ଏଠାରେ ଅନେକ କଥା ଶିଖିବାର ଥିଲା, କାରଣ ଏଠାରେ ଲୋକମାନେ ଧର୍ମ ଓ ରାଜନୈତିକ ମାମଲାକୁ ନେଇ ବହୁତ ଗମ୍ଭୀର ଥିଲେ । କିନ୍ତୁ ଯେବେ ଆମେ ଦେଖୁଥିଲୁ ଯେ ମଣ୍ଡଳୀଗୁଡ଼ିକରେ ଅଲଗା ଅଲଗା ଭାଷା କହୁଥିବା ଭାଇଭଉଣୀମାନେ ଥିଲେ ମଧ୍ୟ ସଂଗଠନରୁ ମିଳୁଥିବା ପରାମର୍ଶଗୁଡ଼ିକୁ ମାନିବା ଯୋଗୁଁ ସେମାନଙ୍କ ମଧ୍ୟରେ କିପରି ଏକତା ଅଛି, ତେବେ ଆମକୁ ବହୁତ ଭଲ ଲାଗୁଥିଲା । ସେଠାର ଅଧିକାଂଶ ଭାଇଭଉଣୀମାନେ ଏପରି ଥିଲେ ଯେଉଁମାନଙ୍କ ପରିବାରର ସଦସ୍ୟମାନେ, ସାଙ୍ଗରେ ପଢ଼ୁଥିବା ପିଲାମାନେ, ସାଙ୍ଗରେ କାମ କରୁଥିବା ଲୋକମାନେ ଓ ପଡ଼ୋଶୀମାନେ ବିରୋଧ କରିଥିଲେ । କିନ୍ତୁ ସେମାନେ ସାହସର ସହ ଏସବୁକୁ ସାମନା କଲେ । ତେଣୁ ଆମେ ସେମାନଙ୍କୁ ବହୁତ ସମ୍ମାନ କରୁଥିଲୁ ।

୨୦୧୨ ମସିହାରେ ଇସ୍ରାଏଲର ଟେଲ୍‌ ଅଭିଭ ସହରରେ ଗୋଟିଏ ବିଶେଷ ଅଧିବେଶନ ରଖାଗଲା ଓ ଆମକୁ ସେଥିରେ ଯିବା ପାଇଁ ସୁଯୋଗ ମିଳିଲା । ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ପରେ ପ୍ରଥମ ଥର ଏହି ଅଞ୍ଚଳରେ ଯିହୋବାଙ୍କ ଲୋକମାନେ ବହୁତ ମାତ୍ରାରେ ଏକାଠି ହୋଇଥିଲେ । ସତରେ ଏହା ଏକ ସ୍ମରଣୀୟ ଦିନ ଥିଲା !

ସେହି ବର୍ଷଗୁଡ଼ିକ ମଧ୍ୟରେ ଆମକୁ ଗୋଟିଏ ଏପରି ଦେଶକୁ ପରିଦର୍ଶନ କରିବା ପାଇଁ ପଠାଗଲା, ଯେଉଁଠାରେ ଆମ କାମ ଉପରେ କଟକଣା ଜାରି କରାଯାଇଥିଲା । ଆମେ ସେଠାରେ ନିଜ ସହ କିଛି ବହି ପତ୍ରିକା ନେଇକି ଗଲୁ । ଆମେ ସେଠାରେ ପ୍ରଚାର କଲୁ ଓ ଛୋଟ ସମ୍ମିଳନୀଗୁଡ଼ିକରେ ମଧ୍ୟ ଗଲୁ । ଆମେ ଛୋଟ ସମୂହଗୁଡ଼ିକରେ ଅଳ୍ପ ପ୍ରଚାରକଙ୍କ ସହିତ ସତର୍କ ରହି ଯିବା ଆସିବା କରୁଥିଲୁ । ଚାରିଆଡ଼େ ସୈନିକମାନେ ଅସ୍ତ୍ରଶସ୍ତ୍ର ଧରିକି ବୁଲୁଥିଲେ ଓ ଜାଗା ଜାଗାରେ ରାସ୍ତା ବନ୍ଦ କରାଯାଇଥିଲା, ତଥାପି ଆମକୁ ଡର ଲାଗୁ ନ ଥିଲା ।

ପୁଣିଥରେ ଆଫ୍ରିକାରେ

୨୦୧୪ ମସିହାରେ କଙ୍ଗୋରେ ଗୋଟିଏ ଭାଷଣ ଦେବା ପାଇଁ ପ୍ରସ୍ତୁତି କରିବା ସମୟର ଚିତ୍ର

୨୦୧୩ ମସିହାରେ ଆମକୁ ଗୋଟିଏ ନୂଆ ଦାୟିତ୍ୱ ଦିଆଗଲା । ଏହା ପୂରାପୂରି ଅଲଗା ଥିଲା । ଆମକୁ କଙ୍ଗୋର କିନ୍‌ଶାସା ଶାଖା କାର୍ଯ୍ୟାଳୟରେ ସେବା କରିବା ପାଇଁ କୁହାଗଲା । ଏହା ବହୁତ ବଡ଼ ଓ ସୁନ୍ଦର ଦେଶ । କିନ୍ତୁ ଏଠାର ଲୋକମାନେ ଘୋର ଦାରିଦ୍ରତା ଓ ଅନେକ ଯୁଦ୍ଧ ଯୋଗୁଁ ବହୁତ କଷ୍ଟ ସହିଥିଲେ । ଆରମ୍ଭରେ ଆମକୁ ଲାଗିଲା, “ଆଫ୍ରିକାରେ ତ ଆମେ ରହିସାରିଛୁ, ସେଥିପାଇଁ ଆମେ ପୂରାପୂରି ପ୍ରସ୍ତୁତ ଅଛୁ ।” କିନ୍ତୁ ଆମକୁ ଏବେ ବି ଅନେକ କଥା ଶିଖିବାର ଥିଲା, ବିଶେଷ କରି ସେହି ଅଞ୍ଚଳରେ ଯାତ୍ରା କରିବା ଯେଉଁଠି ନା ସଡ଼କ ଥିଲା ଆଉ ନା ପୋଲଗୁଡ଼ିକ ଥିଲା । କିନ୍ତୁ ଅନେକ ଭଲ କଥା ମଧ୍ୟ ଥିଲା, ଯାହା ଉପରେ ଆମେ ଧ୍ୟାନ ଦେଲୁ । ଯେପରି, ପଇସାର ଅଭାବ ହେବା ସତ୍ତ୍ୱେ ଭାଇଭଉଣୀମାନେ ଖୁସିର ସହ ଯିହୋବାଙ୍କ ସେବାରେ ଲାଗି ରହିଥିଲେ । ସେମାନେ ଉତ୍ସାହର ସହ ପ୍ରଚାର କରୁଥିଲେ ଓ ସଭା ଓ ସମ୍ମିଳନୀଗୁଡ଼ିକରେ ଉପସ୍ଥିତ ହେବା ପାଇଁ ବହୁତ ପରିଶ୍ରମ କରୁଥିଲେ । ଆମେ ଦେଖିଲୁ ଯେ ଯିହୋବାଙ୍କ ଆଶିଷ ଯୋଗୁଁ ରାଜ୍ୟର କାମ ଆଗକୁ ବଢ଼ିଚାଲିଛି । କଙ୍ଗୋରେ ସେବା କରୁଥିବା ସମୟରେ ଆମେ ଅନେକ ଭଲ କଥା ଶିଖିଲୁ ଓ ଆମକୁ ବହୁତ ଭଲ ସାଙ୍ଗ ମଧ୍ୟ ମିଳିଲେ, ଯେଉଁମାନେ ଆମ ପରିବାର ହୋଇଗଲେ ।

୨୦୨୩ ମସିହାରେ ଦକ୍ଷିଣ ଆଫ୍ରିକାରେ ପ୍ରଚାର ପାଇଁ ଯିବା ସମୟର ଚିତ୍ର

୨୦୧୭ ମସିହାର ଶେଷରେ ଆମକୁ ଦକ୍ଷିଣ ଆଫ୍ରିକାର ଶାଖା କାର୍ଯ୍ୟାଳୟରେ ସେବା କରିବା ପାଇଁ ପଠାଗଲା । ଏବେ ଯାଏ ଆମେ ଯେଉଁଠି ବି ସେବା କରିଛୁ, ସେମଧ୍ୟରୁ ଏହା ସବୁଠୁ ବଡ଼ ଶାଖା କାର୍ଯ୍ୟାଳୟ ଅଟେ । ବୈଥେଲରେ ଆମକୁ ଯେଉଁ କାମ ଦିଆଗଲା ତାହା ଆମ ପାଇଁ ପୂରାପୂରି ନୂଆ ଥିଲା । ଆମକୁ ପୁଣିଥରେ ଅନେକ କଥା ଶିଖିବାର ଥିଲା, କିନ୍ତୁ ଏବେ ଯାଏ ଆମେ ଯେଉଁ କଥାଗୁଡ଼ିକ ଶିଖିଥିଲୁ ସେଥିରୁ ଆମକୁ ବହୁତ ସାହାଯ୍ୟ ମିଳିଲା । ଏଠାରେ କିଛି ଭାଇଭଉଣୀ ଅନେକ ବର୍ଷ ଧରି ଯିହୋବାଙ୍କ ବିଶ୍ୱସ୍ତ ହୋଇ ସେବା କରୁଛନ୍ତି । ଆମେ ସେମାନଙ୍କୁ ବହୁତ ପ୍ରେମ କରୁ । ସତରେ ଏହା କେତେ ନିଆରା କଥା ଯେ ବୈଥେଲ ପରିବାରରେ ଭିନ୍ନ ଭିନ୍ନ ଜାତି, ରଙ୍ଗ ଓ ସଂସ୍କୃତିର ଭାଇଭଉଣୀମାନେ ଥାଇ ମଧ୍ୟ ସେମାନେ ଏକତାରେ ଯିହୋବାଙ୍କର ସେବା କରୁଛନ୍ତି । ଯିହୋବାଙ୍କ ଲୋକମାନେ ନୂତନ ସ୍ୱଭାବ ପରିଧାନ କରିବା ପାଇଁ ଓ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଚାଲିବା ପାଇଁ ପୂରା ଚେଷ୍ଟା କରୁଛନ୍ତି । ତେଣୁ ଯିହୋବା ସେମାନଙ୍କ ପରିଶ୍ରମ ଉପରେ ଆଶିଷ ଦେଉଛନ୍ତି ଓ ସେମାନଙ୍କ ମଧ୍ୟରେ ଶାନ୍ତିଭରା ସମ୍ପର୍କ ଅଛି ।

ବିଗତ ବର୍ଷଗୁଡ଼ିକରେ ମୁଁ ଓ ଡେବି ଅନେକ ଜାଗାରେ ସେବା କଲୁ । ଆମେ ଅଲଗା ଅଲଗା ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କଲୁ ଓ ନୂଆ ନୂଆ ଭାଷା ଶିଖିଲୁ । ଏସବୁ କରିବା ଆମ ପାଇଁ ସବୁବେଳେ ସହଜ ନ ଥିଲା । କିନ୍ତୁ ଆମେ କେବେ ବି ନିଜକୁ ଏକୁଟିଆ ଅନୁଭବ କଲୁ ନାହିଁ । ଯିହୋବା ସବୁବେଳେ ନିଜ ସଂଗଠନ ଓ ଭାଇଭଉଣୀଙ୍କ ଜରିଆରେ ଆମକୁ ସମ୍ଭାଳିଲେ ଓ ତାଙ୍କ ପ୍ରେମର ଅନୁଭବ କରାଇଲେ । (ଗୀତ. ୧୪୪:୨) ପୂର୍ଣ୍ଣ ସମୟର ସେବା କରିବା ସମୟରେ ଆମକୁ ଯେଉଁ ଟ୍ରେନିଙ୍ଗ ମିଳିଲା ଓ ଆମେ ଯେଉଁ ସବୁ କଥା ଶିଖିଲୁ, ସେଥିରୁ ଆମେ ଯିହୋବାଙ୍କର ଆହୁରି ଭଲ ସେବକ ହୋଇପାରିଛୁ ।

ମୁଁ ବହୁତ କୃତଜ୍ଞ ଯେ ବାପାମାଆ ମୋର ଭଲଭାବରେ ଲାଳନପାଳନ କଲେ, ମୋ ସ୍ତ୍ରୀ ଡେବି ସବୁବେଳେ ମୋତେ ସହଯୋଗ କଲେ ଏବଂ ଅଲଗା ଅଲଗା ଜାଗାର ଭାଇଭଉଣୀମାନେ ଆମ ପାଇଁ ଭଲ ଉଦାହରଣ ରଖିଲେ । ମୁଁ ଓ ଡେବି ଦୃଢ଼ ନିଷ୍ପତ୍ତି ନେଇଛୁ ଯେ ଆଗକୁ ଯାହା ହେଲେ ବି ଆମେ ଆମ ମହାନ ଉପଦେଶକ ଯିହୋବାଙ୍କଠାରୁ ଶିଖିବା ଜାରି ରଖିବା ।