इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ଯୀଶୁଙ୍କ ଜନ୍ମ ପରେ ଯୋଷେଫ ଓ ମରୀୟମ ନିଜ ଘର ନାଜରିତକୁ ଫେରିବା ପରିବର୍ତ୍ତେ ବେଥଲିହିମରେ ହିଁ କାହିଁକି ରହିଗଲେ ?

ବାଇବଲରେ ଏବିଷୟରେ ସ୍ପଷ୍ଟ ଭାବେ ତ କିଛି କୁହାଯାଇନି, କିନ୍ତୁ ଏଥିରେ କିଛି ବିଶେଷ ତଥ୍ୟ ଦିଆଯାଇଛି ଯେଉଁଥିରୁ ଆମେ ଅନୁମାନ ଲଗାଇପାରିବା ଯେ ହୁଏତ ସେମାନେ କାହିଁକି ସେସମୟରେ ନାଜରିତକୁ ଫେରି ନ ଥିବେ, ବରଂ ଯିହୁଦାର ବେଥଲିହିମରେ ହିଁ ରହିଲେ ।

ଜଣେ ସ୍ୱର୍ଗଦୂତ ମରୀୟମଙ୍କୁ କହିଲେ ଯେ ସେ ଗର୍ଭବତୀ ହେବେ ଓ ଗୋଟିଏ ଶିଶୁକୁ ଜନ୍ମ ଦେବେ । ଯେବେ ସେ ମରୀୟମଙ୍କୁ ଏହି ସନ୍ଦେଶ ଦେଲେ, ତେବେ ମରୀୟମ ଓ ଯୋଷେଫ ଗାଲିଲୀର ନାଜରିତ ସହରରେ ରହୁଥିଲେ । (ଲୂକ ୧:୨୬-୩୧; ୨:୪) ପରେ ଯେବେ ସେମାନେ ମିସରରୁ ଇସ୍ରାଏଲକୁ ଫେରିଲେ, ତେବେ ପୁଣିଥରେ ସେମାନେ ନାଜରିତରେ ହିଁ ରହିବାକୁ ଲାଗିଲେ । ଯୀଶୁଙ୍କ ଲାଳନପାଳନ ସେଇଠି ହିଁ ହେଲା ଓ ଆଗକୁ ଯାଇ ସେ ଜଣେ ନାଜରିତୀୟ କୁହାଗଲେ । (ମାଥି. ୨:୧୯-୨୩) ତେଣୁ ଯେବେ ବି ଯୀଶୁ, ଯୋଷଫ କିମ୍ବା ମରୀୟମଙ୍କ ବିଷୟରେ କୁହାଯାଏ, ତେବେ ଆମକୁ ନାଜରିତ ସହର ହିଁ ମନେପଡ଼େ ।

ମରୀୟମଙ୍କ ଜଣେ ସମ୍ପର୍କିୟ ଥିଲେ, ଏଲୀଶାବେଥ ଯିଏ ଯିହୁଦାରେ ରହୁଥିଲେ । ଏଲୀଶାବେଥ ଜିଖରୀୟଙ୍କ ସ୍ତ୍ରୀ ଥିଲେ ଯିଏ ଜଣେ ଯାଜକ ଥିଲେ । ଆଗକୁ ଯାଇ ଏଲୀଶାବେଥ ବାପ୍ତିଜକ ଯୋହନଙ୍କୁ ଜନ୍ମ ଦେଲେ । (ଲୂକ ୧:୫, ୯, ୧୩, ୩୬) ମରୀୟମ ଏଲୀଶାବେଥଙ୍କୁ ଭେଟିବା ପାଇଁ ଯିହୁଦା ଯାଇଥିଲେ । ସେ ତିନିମାସ ତାଙ୍କ ସହ ରହିଲେ ଓ ତାʼପରେ ନାଜରିତକୁ ଫେରିଲେ । (ଲୂକ ୧:୩୯, ୪୦, ୫୬) ସେଥିରୁ ଆମକୁ ଗୋଟେ କଥା ଜଣାପଡ଼େ: ମରୀୟମ ଯିହୁଦାର ଅଞ୍ଚଳଗୁଡ଼ିକ ବିଷୟରେ ଅଳ୍ପ କିଛି ଜାଣିଥିଲେ ।

କିଛି ସମୟ ପରେ ଗୋଟେ ଆଦେଶ ଦିଆଗଲା ଯେ “ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ” ଯାନ୍ତୁ । ତେଣୁ ଯୋଷେଫ ନାଜରିତରୁ ବେଥଲିହିମକୁ ଗଲେ । ବେଥଲିହିମକୁ “ଦାଉଦଙ୍କ ନଗର” ବି କୁହାଯାଉଥିଲା ଓ ଭବିଷ୍ୟଦ୍‌ବାଣୀ କରାଯାଇଥିଲା ଯେ ମସୀହଙ୍କ ଜନ୍ମ ସେଇଠି ହିଁ ହେବ । (ଲୂକ ୨:୩, ୪; ୧ ଶାମୁ. ୧୭:୧୫; ୨୦:୬; ମୀଖା ୫:୨) ଯୀଶୁଙ୍କ ଜନ୍ମ ବେଥଲିହିମରେ ହିଁ ହେଲା । କିନ୍ତୁ ବେଥଲିହିମ ନାଜରିତରୁ ବହୁତ ଦୂର ଥିଲା ଓ ମରୀୟମ ମଧ୍ୟ କିଛି ସମୟ ପୂର୍ବେ ହିଁ ଶିଶୁକୁ ଜନ୍ମ ଦେଇଥିଲେ, ହୁଏତ ତାʼଯୋଗୁଁ ଯୋଷେଫ ତୁରନ୍ତ ନାଜରିତ ଫେରିବା ପାଇଁ ଭାବିଲେନି । ତାʼପରିବର୍ତ୍ତେ ସେ ବେଥଲିହିମରେ ହିଁ ରହିଗଲେ ଯାହା ଯିରୂଶାଲମରୁ ପ୍ରାୟ ନଅ କିଲୋମିଟର (ପ୍ରାୟ ୬ ମାଇଲ) ଦୂର ଥିଲା । ଏପରି ଭାବେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ନିଜ ପିଲାଙ୍କୁ ମନ୍ଦିର ନେବା ଓ ସେଠାରେ ବଳିଦାନ ଚଢ଼ାଇବା ତାଙ୍କ ପାଇଁ ସହଜ ହୋଇଯାନ୍ତା ।—ଲେବୀ. ୧୨:୨, ୬-୮; ଲୂକ ୨:୨୨-୨୪.

ଈଶ୍ୱରଙ୍କ ସ୍ୱର୍ଗଦୂତ ପୂର୍ବରୁ ହିଁ ମରୀୟମଙ୍କୁ କହିଥିଲେ ଯେ ତାଙ୍କ ଯେଉଁ ପୁତ୍ର ହେବ, ତାଙ୍କୁ “ଦାଉଦଙ୍କ ସିଂହାସନ” ଦିଆଯିବ ଓ ସେ ରାଜା ଭାବେ “ରାଜତ୍ୱ” କରିବେ । ଆଉ ଯୋଷେଫ ଓ ମରୀୟମ ଧ୍ୟାନ ଦେଇଥିବେ ଯେ କିପରି ଯୀଶୁଙ୍କ ଜନ୍ମ ଦାଉଦଙ୍କ ସହରରେ ହିଁ ହେଲା । (ଲୂକ ୧:୩୨, ୩୩; ୨:୧୧, ୧୭) ହୋଇପାରେ, ତାʼଯୋଗୁଁ ସେମାନେ କିଛି ସମୟ ବେଥଲିହିମରେ ରହିବା ପାଇଁ ନିଷ୍ପତ୍ତି ନେଲେ । ହୁଏତ ସେମାନେ ଭାବିଥିବେ ଯେ ଯିହୋବା ଏବେ ସେମାନଙ୍କୁ କିଛି ଆହୁରି ନିର୍ଦ୍ଦେଶଗୁଡ଼ିକ ଦେବେ ଯେ ସେମାନଙ୍କୁ କʼଣ କରିବାର ଅଛି ।

ଆମେ ଏହା ତ ଜାଣିନାହୁଁ ଯେ ଯେବେ ଜୋତିଷମାନେ ସେମାନଙ୍କୁ ଭେଟିବା ପାଇଁ ଆସିଥିଲେ, ସେସମୟ ଯାଏ ସେମାନଙ୍କୁ ବେଥଲିହିମରେ ରହିବାର କେତେ ସମୟ ହୋଇଯାଇଥିଲା । କିନ୍ତୁ ସେସମୟରେ ସେମାନଙ୍କ ପରିବାର ଗୋଟେ ଘରେ ରହୁଥିଲା ଓ ଯୀଶୁ ସେସମୟରେ ଛୋଟ “ଶିଶୁ” ନ ଥିଲେ । (ମାଥି. ୨:୧୧) ଏଥିରୁ ଜଣାପଡ଼େ ଯେ ସେମାନେ ନାଜରିତ ଯିବା ପରିବର୍ତ୍ତେ ବେଥଲିହିମରେ ହିଁ ରହୁଥିଲେ ।

ହେରୋଦ ଆଦେଶ ଦେଲେ ଯେ ବେଥଲିହିମରେ “ଦୁଇ ବର୍ଷ ଓ ସେଥିରୁ ନ୍ୟୂନବୟସ୍କ ଯେତେ ବାଳକ” ଅଛନ୍ତି, ସେମାନଙ୍କୁ ମାରି ଦିଆଯାଉ । (ମାଥି. ୨:୧୬) ଈଶ୍ୱରଙ୍କ ଜଣେ ସ୍ୱର୍ଗଦୂତ ଯୋଷେଫଙ୍କୁ ଏହି ଆଦେଶ ବିଷୟରେ ସାବଧାନ କଲେ, ତେଣୁ ଯୋଷେଫ ଓ ମରୀୟମ ତୁରନ୍ତ ଯୀଶୁଙ୍କୁ ନେଇ ମିସରକୁ ଚାଲିଗଲେ ଓ ଯେବେ ଯାଏ ହେରୋଦଙ୍କ ମୃତ୍ୟୁ ହେଲାନି, ସେସମୟ ଯାଏ ସେମାନେ ସେଇଠି ହିଁ ରହିଲେ । ପରେ ଯୋଷେଫ ନିଜ ପରିବାରକୁ ନେଇ ନାଜରିତକୁ ଚାଲିଗଲେ । କିନ୍ତୁ ସେମାନେ ପୁଣିଥରେ ବେଥଲିହିମ କାହିଁକି ଆସିଲେନି ? କାରଣ ସେସମୟରେ ହେରୋଦଙ୍କ ପୁଅ ଅର୍ଥାତ୍‌ ଆର୍ଖିଲାୟ ଯିହୁଦା ଉପରେ ଶାସନ କରୁଥିଲା ଓ ସେ ବହୁତ କ୍ରୁର ଥିଲା । ଆଉ ଯୋଷେଫ ଚାହୁଁ ନ ଥିଲେ ଯେ ଯୀଶୁଙ୍କୁ କୌଣସି ବିପଦ ହେଉ । ତାʼଛଡ଼ା ଈଶ୍ୱର ମଧ୍ୟ ଯୋଷେଫଙ୍କୁ ଚେତାବନୀ ଦେଇଥିଲେ, ତେଣୁ ସେ ନିଜ ପରିବାରକୁ ନାଜରିତରେ ନେବା ପାଇଁ ନିଷ୍ପତ୍ତି ନେଲେ । ସେଠାରେ ଯୀଶୁଙ୍କ ଉପରେ କୌଣସି ବିପଦ ଆସନ୍ତା ନାହିଁ ଓ ଯୋଷେଫ ଭଲଭାବେ ତାଙ୍କ ଲାଳନପାଳନ କରିପାରନ୍ତେ ଆଉ ତାଙ୍କୁ ସତ୍ୟ ଈଶ୍ୱରଙ୍କ ବିଷୟରେ ଶିଖାଇପାରନ୍ତେ ।—ମାଥି. ୨:୧୯-୨୨; ୧୩:୫୫; ଲୂକ ୨:୩୯, ୫୨.

ଏପରି ଜଣାପଡ଼େ ଯେ ଯେବେ ଯାଏ ଯୀଶୁ ନିଜ ଜୀବନ ବଳିଦାନ କଲେ ଓ ଲୋକମାନଙ୍କ ପାଇଁ ସ୍ୱର୍ଗ ଯିବାର ରାସ୍ତା ପ୍ରସ୍ତୁତ କଲେ, ସେସମୟ ଯାଏ ଯୋଷେଫଙ୍କ ମୃତ୍ୟୁ ହୋଇଯାଇଥିଲା । ତାʼଅର୍ଥ ନୂଆ ଦୁନିଆରେ ଯୋଷେଫଙ୍କୁ ପୃଥିବୀରେ ହିଁ ଜୀବିତ କରାଯିବ । ସେସମୟରେ ଅନେକ ଲୋକ ତାଙ୍କୁ ଭେଟିପାରିବେ ଓ ଏବିଷୟରେ ତାଙ୍କଠାରୁ ଆହୁରି ଜାଣିପାରିବେ ଯେ ସେ ଓ ମରୀୟମ ଯୀଶୁଙ୍କ ଜନ୍ମ ହେବା ପରେ କାହିଁକି ବେଥଲିହିମରେ ହିଁ ରହିଗଲେ ।