ଅଧ୍ୟୟନ ଲେଖା ୧୭
ଗୀତ ୯୯ ସାକ୍ଷୀ ଆମେ ହଜାରେ-ହଜାରେ
ଯିହୋବା ଆମକୁ ଏକୁଟିଆ ଛାଡ଼ିବେନି
‘ମୁଁ ତୁମ୍ଭର ସାହାଯ୍ୟ କରିବି ।’—ଯିଶା. ୪୧:୧୦.
କʼଣ ଶିଖିବା ?
ଆମେ ଚାରୋଟି ଉପାୟ ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ଯିହୋବା ଆମର କେତେ ଚିନ୍ତା କରନ୍ତି ।
୧-୨. (କ) ଆମେ କାହିଁକି ଭରସା ରଖିପାରିବା ଯେ ଆମେ ସମସ୍ୟା ସମୟରେ ଏକୁଟିଆ ହେବାନି ? (ଖ) ଏହି ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?
ଯେବେ ଆମ ଜୀବନରେ ବଡ଼ ବଡ଼ ସମସ୍ୟା ଆସେ, ତେବେ ହୁଏତ ଆମେ ନିଜକୁ ଏକୁଟିଆ ଅନୁଭବ କରୁ । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଆମକୁ ଏକୁଟିଆ ହିଁ ସବୁ ସମସ୍ୟାର ସାମନା କରିବାକୁ ପଡ଼ିବ । ଆମ ପ୍ରେମୀ ପିତା ଯିହୋବା ସବୁବେଳେ ଆମର ସାଙ୍ଗରେ ଥାʼନ୍ତି । ସେ ଜାଣନ୍ତି ଯେ ଆମେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛୁ ଏବଂ ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମର ସାହାଯ୍ୟ କରିବେ । ଯିହୋବା ବାଇବଲରେ ନିଜର ପ୍ରତ୍ୟେକ ବିଶ୍ୱସ୍ତ ସେବକମାନଙ୍କୁ ଭରସା ଦେଇଛନ୍ତି, ‘ମୁଁ ତୁମ୍ଭର ସାହାଯ୍ୟ କରିବି ।’—ଯିଶା. ୪୧:୧୦.
୨ ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଯିହୋବା ଆମକୁ କେଉଁ କେଉଁ ଉପାୟରେ ସାହାଯ୍ୟ କରନ୍ତି: (୧) ଯିହୋବା ଆମକୁ ସଠିକ୍ ବାଟ ଦେଖାନ୍ତି, (୨) ସେ ଆମର ଆବଶ୍ୟକତା ପୂରା କରନ୍ତି, (୩) ସେ ଆମକୁ ସୁରକ୍ଷା ଦିଅନ୍ତି ଓ (୪) ସେ ଆମକୁ ସାନ୍ତ୍ୱନା ଦିଅନ୍ତି । ଯିହୋବା ଆମକୁ ଭରସା ଦେଇଛନ୍ତି ଯେ ଆମ ଜୀବନରେ ଯାହା ବି ସମସ୍ୟା ଆସୁ ନା କାହିଁକି, ସେ ଆମକୁ କେବେ ବି ଛାଡ଼ିବେ ନାହିଁ ଓ କେବେ ବି ଭୁଲିବେ ନାହିଁ । ତେଣୁ ଆମେ କେବେ ବି ଏକୁଟିଆ ହେବାନି ।
ଯିହୋବା ଆମକୁ ସଠିକ୍ ବାଟ ଦେଖାନ୍ତି
୩-୪. ଯିହୋବା ଆମକୁ କିପରି ସଠିକ୍ ବାଟ ଦେଖାନ୍ତି ? (ଗୀତ. ୪୮:୧୪)
୩ ଗୀତସଂହିତା ୪୮:୧୪ ପଢ଼ନ୍ତୁ । ଯିହୋବା ଜାଣନ୍ତି ଯେ ମଣିଷମାନେ ନିଜକୁ ସଠିକ୍ ବାଟ ଦେଖାଇପାରିବେନି । ସେଥିପାଇଁ ସେ ଆମର ସାହାଯ୍ୟ କରନ୍ତି । ସେ ନିଜର ବିଶ୍ୱସ୍ତ ସେବକମାନଙ୍କୁ କିପରି ସଠିକ୍ ବାଟ ଦେଖାନ୍ତି ? ଗୋଟିଏ ଉପାୟ ହେଉଛି, ବାଇବଲ ଜରିଆରେ । (ଗୀତ. ୧୧୯:୧୦୫) ବାଇବଲରେ ସେ ଏପରି ବୁଦ୍ଧିଭରା କଥା ଲେଖାଇଛନ୍ତି, ଯାହା ସାହାଯ୍ୟରୁ ଆମେ ଭଲ ନିଷ୍ପତ୍ତି ନେଇପାରୁ ଓ ଭଲ ଗୁଣ ବଢ଼ାଇପାରୁ । ଏଥିରେ ଦିଆଯାଇଥିବା କଥାଗୁଡ଼ିକୁ ମାନିଲେ ଆଜି ଆମେ ଖୁସିରେ ରହିପାରିବା ଓ ଭବିଷ୍ୟତରେ ଆମକୁ ଅନନ୍ତ ଜୀବନ ମିଳିପାରିବ । a ଉଦାହରଣ ପାଇଁ, ଯିହୋବା ବାଇବଲରେ କହିଛନ୍ତି ଯେ ଆମକୁ ରାଗ ରଖିବା ଉଚିତ୍ ନୁହେଁ, ସବୁ କଥାରେ ସଚ୍ଚୋଟ ରହିବା ଉଚିତ୍ ଓ ଅନ୍ତର ସହ ଏକାଗ୍ର ଭାବେ ପରସ୍ପରକୁ ପ୍ରେମ କରିବା ଉଚିତ୍ । (ଗୀତ. ୩୭:୮; ଏବ୍ରୀ ୧୩:୧୮; ୧ ପିତ. ୧:୨୨) ଏପରି କଲେ ଆମେ ଭଲ ବାପାମାଆ, ଭଲ ଜୀବନସାଥୀ ଓ ଭଲ ସାଙ୍ଗ ହୋଇପାରିବା ।
୪ ଆମକୁ ବାଟ ଦେଖାଇବା ପାଇଁ ଯିହୋବା ବାଇବଲରେ ଏପରି ଲୋକମାନଙ୍କ ବିଷୟରେ ଲେଖାଇଛନ୍ତି, ଯେଉଁମାନେ ଆମ ଭଳି ସମସ୍ୟାଗୁଡ଼ିକର ସାମନା କଲେ ଓ ଯେଉଁମାନେ ଆମ ଭଳି ଭାବୁଥିଲେ । (୧ କରି. ୧୦:୧୩; ଯାକୁ. ୫:୧୭) ଯେବେ ଆମେ ସେମାନଙ୍କ ବିଷୟରେ ପଢ଼ୁ ଓ ଯାହା ଶିଖୁ ସେହି ଅନୁସାରେ ଚାଲୁ, ତାହେଲେ ଆମକୁ ଅତି କମ୍ରେ ଦୁଇଟି ଲାଭ ହୁଏ: (୧) ଆମେ ବୁଝିପାରୁ ଯେ ଆମେ ଏକୁଟିଆ ସମସ୍ୟାର ସାମନା କରୁ ନାହୁଁ, ଅନ୍ୟମାନଙ୍କର ବି ଆମ ଭଳି ସମସ୍ୟା ଥିଲା ଆଉ ସେମାନେ ତାହାର ସାମନା କରିପାରିଲେ । (୧ ପିତ. ୫:୯) ଏବଂ (୨) ଆମେ ଶିଖିପାରୁ ଯେ ଆମେ ନିଜ ସମସ୍ୟାଗୁଡ଼ିକର କିପରି ସାମନା କରିପାରିବା ।—ରୋମୀ. ୧୫:୪.
୫. ଯିହୋବା ଆମକୁ ଆଉ କେଉଁ ଉପାୟରେ ସଠିକ୍ ବାଟ ଦେଖାନ୍ତି ?
୫ ଯିହୋବା ଆମକୁ ଭାଇଭଉଣୀମାନଙ୍କ ଜରିଆରେ ବି ସଠିକ୍ ବାଟ ଦେଖାନ୍ତି । b ଯେପରି ଯେବେ ସର୍କିଟ ଅଧ୍ୟକ୍ଷ ଆମ ମଣ୍ଡଳୀକୁ ପରିଦର୍ଶନ କରିବା ପାଇଁ ଆସନ୍ତି, ତେବେ ସେ ଆମର ଉତ୍ସାହ ବଢ଼ାନ୍ତି । ତାଙ୍କର ଭାଷଣରୁ ଆମର ବିଶ୍ୱାସ ଦୃଢ଼ ହୁଏ ଓ ଆମକୁ ସମସ୍ତଙ୍କ ସହିତ ଏକତାରେ ରହିବା ପାଇଁ ପ୍ରୋତ୍ସାହନ ମିଳେ । (ପ୍ରେରି. ୧୫:୪୦–୧୬:୫) ପ୍ରାଚୀନମାନେ ବି ମଣ୍ଡଳୀର ପ୍ରତ୍ୟେକ ଭାଇଭଉଣୀମାନଙ୍କୁ ଯିହୋବାଙ୍କର ନିକଟତର ହୋଇ ରହିବା ପାଇଁ ସାହାଯ୍ୟ କରନ୍ତି । (୧ ପିତ. ୫:୨, ୩) ବାପାମାଆମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଶିଖାନ୍ତି, ଭଲ ଅଭ୍ୟାସ ଶିଖାନ୍ତି ଓ ଭାବିଚିନ୍ତି ନିଷ୍ପତ୍ତି ନେବା ପାଇଁ ବି ଶିଖାନ୍ତି । (ହିତୋ. ୨୨:୬) ମଣ୍ଡଳୀରେ ଯେଉଁ ପ୍ରୌଢ଼ ଭଉଣୀମାନେ ଥାʼନ୍ତି, ସେମାନେ ଯୁବା ଭଉଣୀମାନଙ୍କ ପାଇଁ ଭଲ ଉଦାହରଣ ରଖନ୍ତି । ସେମାନେ ତାଙ୍କୁ ଭଲ ପରାମର୍ଶ ଦିଅନ୍ତି ଓ ପ୍ରେମର ସହ ସେମାନଙ୍କର ଉତ୍ସାହ ବଢ଼ାନ୍ତି ।—ତୀତ. ୨:୩-୫.
୬. ଯିହୋବା ଆମକୁ ଯେଉଁ ପରାମର୍ଶ ଦିଅନ୍ତି, ସେଥିରୁ ଲାଭ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୬ ଯିହୋବା ଆମକୁ ଅନେକ ଉପାୟରେ ସଠିକ୍ ବାଟ ଦେଖାନ୍ତି । କିନ୍ତୁ ତାଙ୍କ ପରାମର୍ଶରୁ ପୂରା ଲାଭ ଉଠାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ହିତୋପଦେଶ ୩:୫, ୬ ପଦରେ ଲେଖାଅଛି, “ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ।” ଯଦି ଆମେ ଏପରି କରିବା, ତାହେଲେ କʼଣ ହେବ ? ପଦରେ ଆଗକୁ ଲେଖାଅଛି, “ସେ ତୁମ୍ଭର ପଥସବୁ ସରଳ କରିବେ ।” ଏହି କାରଣ ଯୋଗୁଁ ଆମେ ଅନେକ ସମସ୍ୟାରେ ପଡ଼ିବାରୁ ରକ୍ଷା ପାଇବା ଓ ଜୀବନରେ ଖୁସିରେ ରହିପାରିବା । ଭାବନ୍ତୁ, ଯିହୋବା କେତେ ଭଲ ଈଶ୍ୱର ଅଟନ୍ତି ! ସେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ବହୁତ ପ୍ରେମ କରନ୍ତି ଓ ଆମ ଆବଶ୍ୟକତା ଅନୁସାରେ ଆମକୁ ପରାମର୍ଶ ଦିଅନ୍ତି ।—ଗୀତ. ୩୨:୮.
ଯିହୋବା ଆମର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି
୭. ଯିହୋବା କିପରି ଆମର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି ? (ଫିଲିପ୍ପୀୟ ୪:୧୯)
୭ ଫିଲିପ୍ପୀୟ ୪:୧୯ ପଢ଼ନ୍ତୁ । ଆମକୁ ସଠିକ୍ ବାଟ ଦେଖାଇବା ସହ ଯିହୋବା ଆମର ଆବଶ୍ୟକତାଗୁଡ଼ିକୁ ମଧ୍ୟ ପୂରା କରିବା ପାଇଁ ସାହାଯ୍ୟ କରନ୍ତି । ଯେପରି—ଖାଇବା, ରହିବା ଓ ପିନ୍ଧିବା ଭଳି ମୌଳିକ ଆବଶ୍ୟକତା ପୂରା କରିବା ପାଇଁ ଆମେ ଯେଉଁ ପରିଶ୍ରମ କରୁ, ଯିହୋବା ତାହା ଉପରେ ଆଶିଷ ଦିଅନ୍ତି । (ମାଥି. ୬:୩୩; ୨ ଥେସ. ୩:୧୨) ଆମେ ସମସ୍ତେ ଏହି କଥା ପାଇଁ ଚିନ୍ତା କରୁ ଯେ ଆମର ଆବଶ୍ୟକତା କିପରି ପୂରା ହେବ, କିନ୍ତୁ ଯିହୋବା କହନ୍ତି ଯେ ଆମକୁ ଏବିଷୟରେ ଅତ୍ୟଧିକ ଚିନ୍ତା କରିବା ଉଚିତ୍ ନୁହେଁ । (ମାଥି. ୬:୨୫) କାରଣ ଆମ ପିତା ଯିହୋବା ନିଜର ବିଶ୍ୱସ୍ତ ସେବକମାନଙ୍କୁ କେବେ ମଧ୍ୟ ଛାଡ଼ନ୍ତି ନାହିଁ । (ମାଥି. ୬:୮; ଏବ୍ରୀ ୧୩:୫) ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମର ଆବଶ୍ୟକତାଗୁଡ଼ିକୁ ପୂରା କରିବେ ଓ ଆମେ ତାଙ୍କର ଏହି ପ୍ରତିଜ୍ଞା ଉପରେ ପୂରା ଭରସା କରିପାରିବା ।
୮. ଯିହୋବା ଦାଉଦଙ୍କ ପାଇଁ କʼଣ କଲେ ?
୮ ଧ୍ୟାନ ଦିଅନ୍ତୁ ଯେ ଯିହୋବା କିପରି ଦାଉଦଙ୍କର ଆବଶ୍ୟକତା ପୂରା କଲେ । ଯେବେ ସେ ଶାଉଲଙ୍କଠାରୁ ନିଜ ଜୀବନ ରକ୍ଷା କରି ପଳାଉଥିଲେ, ତେବେ ଯିହୋବା ତାଙ୍କର ଓ ତାଙ୍କ ସହ ଥିବା ଲୋକମାନଙ୍କର ଯତ୍ନ ନେଲେ । ଯେବେ ଦାଉଦ ଏବିଷୟରେ ଗଭୀର ଭାବେ ଭାବିଲେ ଯେ ସେହି ବର୍ଷଗୁଡ଼ିକରେ ଯିହୋବା କିପରି ତାଙ୍କୁ ସମ୍ଭାଳିଲେ, ତେବେ ସେ କହିଲେ, “ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ ।” (ଗୀତ. ୩୭:୨୫) ଆପଣ ମଧ୍ୟ ଦାଉଦଙ୍କ ଭଳି ନିଜ ଜୀବନରେ ଦେଖିଥିବେ ଯେ ଯିହୋବା କିପରି ଆପଣଙ୍କର ଓ ଅନ୍ୟ ସେବକମାନଙ୍କର ଆବଶ୍ୟକତା ପୂରା କରିଛନ୍ତି ।
୯. ଯେବେ କୌଣସି ବିପତ୍ତି ଆସେ, ତେବେ ଯିହୋବା କିପରି ନିଜ ସେବକମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୯ ଯେବେ କୌଣସି ବିପତ୍ତି ଆସେ, ତେବେ ବି ଯିହୋବା ନିଜର ଲୋକମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି । ଉଦାହରଣ ପାଇଁ, ପ୍ରଥମ ଶତାବ୍ଦୀରେ ଯେବେ ଏକ ଦୁର୍ଭିକ୍ଷ ଆସିଲା ତେବେ ଅଲଗା ଅଲଗା ଅଞ୍ଚଳର ଖ୍ରୀଷ୍ଟିୟାନମାନେ, ସେଠାର ଭାଇଭଉଣୀମାନଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଇଲେ । (ପ୍ରେରି. ୧୧:୨୭-୩୦; ରୋମୀ. ୧୫:୨୫, ୨୬) ଆଜି ବି ଯିହୋବା ନିଜର ଲୋକମାନଙ୍କୁ ହୃଦୟରୁ ଭାଇଭଉଣୀମାନଙ୍କର ସାହାଯ୍ୟ କରିବା ପାଇଁ ପ୍ରେରିତ କରନ୍ତି । ସେଥିପାଇଁ ଯେବେ କୌଣସି ବିପତ୍ତି ଆସେ, ତେବେ ସେମାନେ ଅତିଶୀଘ୍ର ଭାଇଭଉଣୀମାନଙ୍କ ଯାଏଁ ଆବଶ୍ୟକୀୟ ଜିନିଷଗୁଡ଼ିକୁ ପଠାନ୍ତି । ଯେପରି—ସେମାନେ ଖାଦ୍ୟ, ପାଣି, ବସ୍ତ୍ର, ଔଷଧ ଇତ୍ୟାଦି ପଠାନ୍ତି । ନିର୍ମାଣ କାମରେ ସହଯୋଗ ଦେଉଥିବା ଭାଇଭଉଣୀମାନେ ରାଜ୍ୟଘର ଓ ଭାଇଭଉଣୀମାନଙ୍କ ଘରଗୁଡ଼ିକୁ ମରାମତି କରନ୍ତି । ତାʼସହ ଯେଉଁମାନଙ୍କର ଘର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି କିମ୍ବା ଯେଉଁମାନଙ୍କ ପ୍ରିୟଜନମାନଙ୍କର ମୃତ୍ୟୁ ହୋଇଯାଇଛି, ଯିହୋବାଙ୍କ ସେବକମାନେ ସେମାନଙ୍କୁ ବାଇବଲରୁ ସାନ୍ତ୍ୱନା ଦିଅନ୍ତି ଓ ସେମାନଙ୍କର ଉତ୍ସାହ ବଢ଼ାନ୍ତି । c
୧୦-୧୧. ଆପଣ ବୋରିସଙ୍କ ଅନୁଭୂତିରୁ କʼଣ ଶିଖିଲେ ?
୧୦ ଯିହୋବା ସେହି ଲୋକମାନଙ୍କର ମଧ୍ୟ ହୃଦୟରୁ ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କର ଉପାସନା କରନ୍ତି ନାହିଁ । ଆମେ ବି ତାଙ୍କ ଭଳି ହେବା ପାଇଁ ଚାହୁଁ, ତେଣୁ ଆମେ ଏପରି ଲୋକମାନଙ୍କର ସାହାଯ୍ୟ କରିବା ପାଇଁ ସୁଯୋଗ ଖୋଜୁ ଯେଉଁମାନେ ଯିହୋବାଙ୍କର ସେବା କରନ୍ତି ନାହିଁ । (ଗାଲା. ୬:୧୦) ଆଉ ଅଧିକାଂଶ ସମୟରେ ଏପରି କରିବାର ବଢ଼ିଆ ପରିଣାମ ହୁଏ । ଏହାକୁ ବୁଝିବା ପାଇଁ ବୋରିସଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ଯିଏ ୟୁକ୍ରେନର ଗୋଟିଏ ସ୍କୁଲରେ ପ୍ରିନସିପାଲ ଅଟନ୍ତି । ସେ ଜଣେ ଯିହୋବାଙ୍କ ସାକ୍ଷୀ ନୁହଁନ୍ତି । କିନ୍ତୁ ତାଙ୍କ ସ୍କୁଲରେ ଯେଉଁ ପିଲାମାନେ ଯିହୋବାଙ୍କ ସାକ୍ଷୀ ଥିଲେ, ସେମାନଙ୍କ ସହ ସେ ଭଲ ବ୍ୟବହାର କରୁଥିଲେ ଓ ସେମାନଙ୍କର ଆଦର କରୁଥିଲେ । ଯେବେ ଯୁଦ୍ଧ ଯୋଗୁଁ ବୋରିସଙ୍କୁ ନିଜ ଅଞ୍ଚଳ ଛାଡ଼ି ଯିବାକୁ ପଡ଼ିଲା, ତେବେ ଭାଇମାନେ ତାଙ୍କୁ ସୁରକ୍ଷିତ ଜାଗାରେ ପହଞ୍ଚିବା ପାଇଁ ସାହାଯ୍ୟ କଲେ । ଏହାର କିଛି ସମୟ ପରେ ସେ ଯୀଶୁଙ୍କ ମୃତ୍ୟୁର ସ୍ମାରକ ସମାରୋହରେ ଆସିଲେ । ଭାଇମାନେ ଯେପରି ଭାବେ ତାଙ୍କର ସାହାଯ୍ୟ କରିଥିଲେ, ସେହି ବିଷୟରେ ବୋରିସ କହନ୍ତି, “ସାକ୍ଷୀମାନେ ମୋର ବହୁତ ସାହାଯ୍ୟ କଲେ ଓ ଭଲଭାବେ ମୋର ଯତ୍ନ ନେଲେ । ମୁଁ ସେମାନଙ୍କର ସାହାଯ୍ୟ ପାଇଁ ବହୁତ କୃତଜ୍ଞ ।”
୧୧ ଆମେ ନିଜ ଦୟାଳୁ ପିତା ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ । ତେଣୁ ଆମେ ସେମାନଙ୍କୁ ବି ପ୍ରେମ କରୁ, ଯେଉଁମାନେ ଯିହୋବାଙ୍କର ସେବା କରନ୍ତି ନାହିଁ । (ଲୂକ ୬:୩୧, ୩୬) ଆମେ ଆଶା କରୁ ଯେ ଆମ ପ୍ରେମ ଦେଖି ସେମାନେ ବି ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଚାହିଁବେ ଓ ତାଙ୍କର ସେବା କରିବା ପାଇଁ ଆଗ୍ରହ ଦେଖାଇବେ । (୧ ପିତ. ୨:୧୨) କିନ୍ତୁ ସେମାନେ ଯିହୋବାଙ୍କର ସେବା କରନ୍ତୁ ବା ନ କରନ୍ତୁ, ଏପରି କଲେ ଆମକୁ ସେହି ଖୁସି ମିଳିବ ଯେଉଁ ଖୁସି ଅନ୍ୟମାନଙ୍କୁ କିଛି ଦେଲେ ମିଳେ ।—ପ୍ରେରି. ୨୦:୩୫.
ଯିହୋବା ଆମକୁ ସୁରକ୍ଷା ଦିଅନ୍ତି
୧୨. ଯିହୋବା କିପରି ଗୋଟିଏ ସମୂହ ଭାବେ ନିଜ ଲୋକମାନଙ୍କର ସୁରକ୍ଷା କରିବା ପାଇଁ ପ୍ରତିଜ୍ଞା କରିଛନ୍ତି ? (ଗୀତସଂହିତା ୯୧:୧, ୨, ୧୪)
୧୨ ଗୀତସଂହିତା ୯୧:୧, ୨, ୧୪ ପଢ଼ନ୍ତୁ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ନିଜର ଲୋକମାନଙ୍କୁ ଏପରି ବିପଦରୁ ରକ୍ଷା କରିବେ, ଯାହାଯୋଗୁଁ ତାଙ୍କ ସହିତ ସେମାନଙ୍କର ସମ୍ପର୍କ ଭାଙ୍ଗିପାରେ । ଯିହୋବା କେବେ ବି ଶୟତାନକୁ ଶୁଦ୍ଧ ଉପାସନା ଦୂଷିତ କରିବା ପାଇଁ ଦେବେ ନାହିଁ । (ଯୋହ. ୧୭:୧୫) ଏପରିକି “ମହାକ୍ଳେଶ” ସମୟରେ ବି ସେ ନିଜ ଲୋକମାନଙ୍କର ସୁରକ୍ଷା କରିବା ପାଇଁ ଯେଉଁ ପ୍ରତିଜ୍ଞା କରିଛନ୍ତି, ତାହାକୁ ସେ ପୂରା କରିବେ । ଏହା ସେ କିପରି କରିବେ ? ସେ ସେମାନଙ୍କର ବିଶ୍ୱାସ ଦୃଢ଼ ରଖିବେ ଓ ଗୋଟିଏ ସମୂହ ଭାବେ ସେମାନଙ୍କୁ ବିନାଶ ହେବା ପାଇଁ ଦେବେ ନାହିଁ ।—ପ୍ରକା. ୭:୯, ୧୪.
୧୩. ଯିହୋବା କିପରି ନିଜର ପ୍ରତ୍ୟେକ ସେବକଙ୍କୁ ସୁରକ୍ଷା ଦିଅନ୍ତି ?
୧୩ ଯିହୋବା ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ସୁରକ୍ଷା ଦିଅନ୍ତି । ତାହା ସେ କିପରି କରନ୍ତି ? ସେ ନିଜର ବାକ୍ୟ ଜରିଆରେ ଆମକୁ ଠିକ୍ ଓ ଭୁଲ ବିଷୟରେ ଶିଖାନ୍ତି । (ଏବ୍ରୀ ୫:୧୪) ଯେବେ ଆମେ ବାଇବଲର ସିଦ୍ଧାନ୍ତ ଅନୁସାରେ ଜୀବନ ବିତାଉ, ତେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଭଲ ରହେ, ଆମ ସ୍ୱାସ୍ଥ୍ୟ ଠିକ୍ ରହେ ଓ ଆମେ ଜୀବନରେ ଖୁସିରେ ରହିପାରୁ । (ଗୀତ. ୯୧:୪) ତାʼ ସହିତ ଯିହୋବା ମଣ୍ଡଳୀ ଜରିଆରେ ବି ଆମକୁ ସୁରକ୍ଷା ଦିଅନ୍ତି । (ଯିଶା. ୩୨:୧, ୨) ଆମ ଭାଇଭଉଣୀମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ସ୍ତର ଅନୁସାରେ ବଞ୍ଚନ୍ତି । ତେଣୁ ଯେବେ ଆମେ ସେମାନଙ୍କ ସହିତ ସମୟ ବିତାଉ, ତେବେ ଆମର ଉତ୍ସାହ ବଢ଼େ ଓ ଖରାପ କାମଠାରୁ ନିଜକୁ ଦୂରେଇ ରଖିବାର ଆମର ମନବଳ ଦୃଢ଼ ହୁଏ ।—ହିତୋ. ୧୩:୨୦.
୧୪. (କ) ଯିହୋବା କାହିଁକି ଆମକୁ ସବୁ ସମସ୍ୟାରୁ ବଞ୍ଚାନ୍ତି ନାହିଁ ? (ଖ) ଗୀତସଂହିତା ୯:୧୦ ପଦରୁ ଆମକୁ କେଉଁ କଥାର ଭରସା ହୁଏ ? (ଫୁଟନୋଟ୍ ମଧ୍ୟ ଦେଖନ୍ତୁ ।)
୧୪ ଏହା ସତ ଯେ ପ୍ରାଚୀନ ସମୟରେ ଯିହୋବା ନିଜ ସେବକମାନଙ୍କର ଜୀବନ ରକ୍ଷା କଲେ । କିନ୍ତୁ ସେ ସବୁବେଳେ ଏପରି କଲେ ନାହିଁ । ଅନେକ ଥର ଯିହୋବାଙ୍କ ସେବକମାନଙ୍କ ସହିତ କୌଣସି “ଅଘଟଣ” ଘଟିଛି । (ଉପ. ୯:୧୧, NWT) ତାʼ ସହିତ ଅନେକ ଥର ସେମାନଙ୍କ ଉପରେ ଅତ୍ୟାଚାର କରାଯାଇଛି ଏବଂ ସେମାନଙ୍କୁ ନିଜ ଜୀବନ ମଧ୍ୟ ହରାଇବାକୁ ପଡ଼ିଛି । ଯିହୋବା ଏପରି କାହିଁକି ହେବା ପାଇଁ ଦେଲେ ? କାରଣ ଏଥିରୁ ଶୟତାନ ମିଛ ସାବ୍ୟସ୍ତ ହୁଅନ୍ତା । (ଆୟୁ. ୨:୪-୬; ମାଥି. ୨୩:୩୪) ଯିହୋବା ଆଜି ବି ହୁଏତ ଆମକୁ ସବୁ ସମସ୍ୟାରୁ ରକ୍ଷା କରିବେ ନାହିଁ । କିନ୍ତୁ ଆମେ ଏହି କଥାର ପୂରା ଭରସା ରଖିପାରିବା ଯେ ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି, ଯିହୋବା ସେମାନଙ୍କୁ କେବେ ବି ଏକୁଟିଆ ଛାଡ଼ିବେ ନାହିଁ । d—ଗୀତ. ୯:୧୦.
ଯିହୋବା ଆମକୁ ସାନ୍ତ୍ୱନା ଦିଅନ୍ତି
୧୫. ପ୍ରାର୍ଥନା, ବାଇବଲ ଓ ଭାଇଭଉଣୀମାନଙ୍କ ଦ୍ୱାରା କିପରି ଆମକୁ ସାନ୍ତ୍ୱନା ମିଳେ ? (୨ କରିନ୍ଥୀୟ ୧:୩, ୪)
୧୫ ଦ୍ୱିତୀୟ କରିନ୍ଥୀୟ ୧:୩, ୪ ପଢ଼ନ୍ତୁ । ହୁଏତ ବେଳେବେଳେ ଆମେ ଅତ୍ୟଧିକ ଦୁଃଖି, ନିରାଶ କିମ୍ବା ଚିନ୍ତିତ ହୋଇଯିବା । ଯଦି ଆପଣ ବି କୌଣସି ସମସ୍ୟାର ସାମନା କରୁଛନ୍ତି ଓ ଆପଣଙ୍କୁ ଭାରି ଏକୁଟିଆ ଲାଗୁଛି, ତାହେଲେ ହୁଏତ ଆପଣ ଭାବିବେ ଯେ ଆପଣଙ୍କ ଉପରେ ଯାହା ବିତୁଛି ତାହାକୁ କେହି ବି ବୁଝିପାରିବେ ନାହିଁ । କିନ୍ତୁ ଏହା ସତ ନୁହେଁ, ଯିହୋବା ଆପଣଙ୍କୁ ବୁଝନ୍ତି । ସେ କେବଳ ଆମର କଷ୍ଟ ବୁଝନ୍ତି ନାହିଁ ବରଂ “ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି ।” ତାହା ସେ କିପରି କରନ୍ତି ? ଯେବେ ଆମେ ଯିହୋବାଙ୍କୁ ପ୍ରାର୍ଥନା କରୁ, ତେବେ ସେ ଆମକୁ ‘ସମସ୍ତ ବୋଧର ଅଗମ୍ୟ [ବା, “କଳ୍ପନା ବାହାରେ ଥିବା”] ଈଶ୍ୱରଙ୍କ ଶାନ୍ତି’ ଦିଅନ୍ତି । (ଫିଲିପ୍. ୪:୬, ୭) ଆଉ ଯେବେ ଆମେ ବାଇବଲରୁ ଯିହୋବାଙ୍କର କଥା ପଢ଼ୁ, ତେବେ ସେଥିରୁ ବି ଆମକୁ ବହୁତ ସାନ୍ତ୍ୱନା ମିଳେ । ଏଥିରେ କୁହାଯାଇଛି ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି, ଆମକୁ ବୁଦ୍ଧିମାନ ହେବା ପାଇଁ ଶିଖାନ୍ତି ଏବଂ ଆମକୁ ଗୋଟିଏ ଆଶା ଦିଅନ୍ତି । ଏହି କଥାଗୁଡ଼ିକୁ ପଢ଼ି ଆମକୁ ବହୁତ ସାହସ ମିଳେ । ସଭାରେ ବି ଯେବେ ଆମେ ବାଇବଲରୁ ବଢ଼ିଆ କଥାଗୁଡ଼ିକୁ ଶୁଣୁ ଓ ଭାଇଭଉଣୀମାନଙ୍କ ସହ ଭେଟୁ, ତେବେ ବି ଆମକୁ ବହୁତ ସାନ୍ତ୍ୱନା ମିଳେ ।
୧୬. ଆପଣ ନେଥନ ଓ ପ୍ରିସିଲାଙ୍କ ଅନୁଭୂତିରୁ କʼଣ ଶିଖିଲେ ?
୧୬ ଯିହୋବା ତାଙ୍କ ବାକ୍ୟ ଜରିଆରେ ଆମକୁ ସାନ୍ତ୍ୱନା ଦିଅନ୍ତି ଓ ଆମର ଉତ୍ସାହ ବଢ଼ାନ୍ତି । ଏହାକୁ ବୁଝିବା ପାଇଁ ଆମେରିକାରେ ରହୁଥିବା ନେଥନ ଓ ପ୍ରିସିଲାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । କିଛି ବର୍ଷ ପୂର୍ବରୁ ସେମାନେ ନିଷ୍ପତ୍ତି ନେଲେ ଯେ ଯେଉଁଠି ପ୍ରଚାରକମାନଙ୍କ ଅଧିକ ଆବଶ୍ୟକ ଅଛି, ସେମାନେ ସେଠାରେ ଯାଇ ସେବା କରିବେ । ନେଥନ କହନ୍ତି, “ଆମକୁ ଭରସା ଥିଲା ଯେ ଯିହୋବା ଆମର ପରିଶ୍ରମ ଉପରେ ଆଶିଷ ଦେବେ ।” କିନ୍ତୁ ଯେବେ ସେମାନେ ନୂଆ ଜାଗାରେ ଯାଇ ସେବା କରିବାକୁ ଲାଗିଲେ, ତେବେ ହଠାତ୍ ସେମାନଙ୍କର ପରିସ୍ଥିତି ବଦଳିଗଲା । ସେମାନଙ୍କର ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା ଓ ଚାକିରି ନ ମିଳିବା ଯୋଗୁଁ ସେମାନଙ୍କ ପାଇଁ ଘର ଚଳାଇବା ବି କଠିନ ହୋଇଗଲା । କିଛି ସମୟ ପରେ ସେମାନଙ୍କୁ ନିଜ ଘରକୁ ଫେରିବାକୁ ପଡ଼ିଲା । କିନ୍ତୁ ସେଠାରେ ବି ସେମାନଙ୍କୁ ପଇସାର ଅସୁବିଧା ହେଲା । ସେହି ସମୟ ବିଷୟରେ ନେଥନ କହନ୍ତି, “ଆମେ ଭାବିଥିଲୁ ଯେ ଯିହୋବା ଆମକୁ ଅନେକ ଆଶିଷ ଦେବେ । କିନ୍ତୁ ଆମେ ଯାହା ଭାବିଥିଲୁ ସେପରି ହେଲା ନାହିଁ । ମୁଁ ଭାବିବାକୁ ଲାଗିଲି ଯେ ମୋ ଦ୍ୱାରା କିଛି ଭୁଲ ତ ହୋଇଯାଇନି ।” ଆଗକୁ ଯାଇ ନେଥନ ଓ ପ୍ରିସିଲାଙ୍କୁ ଏହା ଅନୁଭବ ହେଲା ଯେ ସେହି ସମସ୍ୟା ସମୟରେ ଯିହୋବା ସେମାନଙ୍କୁ ଛାଡ଼ିଲେ ନାହିଁ । ନେଥନ କହନ୍ତି, “ସମସ୍ୟା ସମୟରେ ଯେପରି ଆମ ସାଙ୍ଗ ଆମର ଉତ୍ସାହ ବଢ଼ାଏ ଓ ଆମକୁ ସାହାଯ୍ୟ କରେ ଠିକ୍ ସେହିପରି ବାଇବଲରୁ ଆମକୁ ବହୁତ ଉତ୍ସାହ ମିଳିଲା । ଆମେ ବୁଝିପାରିଲୁ ଯେ ଆମକୁ କʼଣ କରିବା ଉଚିତ୍ । ଆମେ ନିଜ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଯିହୋବା ଆମକୁ କିପରି ସେହି ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ କଲେ, ସେବିଷୟରେ ଭାବିଲୁ । ଏପରି କରିବା ଦ୍ୱାରା ଆମର ବିଶ୍ୱାସ ଦୃଢ଼ ହେଲା ଓ ଆମେ ଯେକୌଣସି ସମସ୍ୟାର ସାମନା କରିବା ପାଇଁ ପ୍ରସ୍ତୁତ ଥିଲୁ ।”
୧୭. ଭଉଣୀ ହେଲ୍ଗାଙ୍କୁ କିପରି ସାନ୍ତ୍ୱନା ମିଳିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଭାଇଭଉଣୀମାନଙ୍କ ଜରିଆରେ ବି ଆମକୁ ସାନ୍ତ୍ୱନା ମିଳିପାରିବ । ଏହାକୁ ବୁଝିବା ପାଇଁ ହଙ୍ଗେରୀରେ ରହୁଥିବା ଭଉଣୀ ହେଲ୍ଗାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଅନେକ ବର୍ଷ ଯାଏଁ ତାଙ୍କୁ ଅଲଗା ଅଲଗା ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥିବାରୁ ସେ ବହୁତ ଚିନ୍ତିତ ରହୁଥିଲେ । ସେ ଭାବିବାକୁ ଲାଗିଲେ ଯେ ସେ କିଛି ବି କରିପାରୁ ନାହାନ୍ତି, ସେ ପୂରା ବେକାର । କିନ୍ତୁ ଆଜି ଯେବେ ସେ ସେହି ସମୟ ବିଷୟରେ ଭାବନ୍ତି, ତେବେ ସେ ବୁଝିପାରନ୍ତି ଯେ ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ତାଙ୍କୁ ସାନ୍ତ୍ୱନା ଦେଲେ । ସେ କହନ୍ତି, “ମୁଁ ଚାକିରି କରୁଥିଲି, ରୋଗରେ ପଡ଼ିଥିବା ମୋର ପିଲାର ଯତ୍ନ ନେଉଥିଲି । ତାʼସହ ମୁଁ ଅନ୍ୟ ସମସ୍ୟାର ସାମନା କରୁଥିଲି । ସେଥିପାଇଁ ମୁଁ ଅନେକ ଥର ସାହସ ହରାଇ ବସୁଥିଲି । ସେସମୟରେ ବି ଯିହୋବା ମୋତେ ପୁଣିଥରେ ବଳ ଦେଉଥିଲେ । ଗତ ୩୦ ବର୍ଷରୁ ଗୋଟିଏ ବି ଏପରି ଦିନ ନାହିଁ ଯେ ଯିହୋବା ନିଜ ପ୍ରତିଜ୍ଞା ପୂରା କରି ନ ଥିବେ ଓ ମୋତେ ସାନ୍ତ୍ୱନା ଦେଇ ନ ଥିବେ । ମୁଁ ଦେଖିପାରିଲି ଯେ ଯେବେ ବି ମୁଁ ଚିନ୍ତିତ ରହୁଥିଲି, ତେବେ କୌଣସି ନା କୌଣସି ଭାଇଭଉଣୀ ମୋତେ ମେସେଜ ପଠାଉଥିଲେ, ମୋତେ କାର୍ଡ଼ ଦେଉଥିଲେ କିମ୍ବା ମୋର ପ୍ରଶଂସା କରୁଥିଲେ । ସେମାନଙ୍କର ଉତ୍ସାହ ବଢ଼ାଉ ଥିବା କଥା ଶୁଣି ଓ ସେମାନଙ୍କର ପ୍ରେମ ଦେଖି, ପୁଣିଥରେ ମୋର ସାହସ ବଢ଼ି ଯାଉଥିଲା । ମୁଁ ଭଲଭାବେ ଜାଣେ ଯେ ଏହା ପଛରେ ଯିହୋବାଙ୍କର ହାତ ଅଛି ।”
୧୮. ଆମେ କିପରି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇପାରିବା ?
୧୮ ଏହା ବହୁତ ବଡ଼ କଥା ଯେ ଆମେ ବି ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ ସାନ୍ତ୍ୱନା ଦେଇପାରିବା । କିନ୍ତୁ ଆମେ ଏହା କିପରି କରିପାରିବା ? ଆମେ ଧ୍ୟାନର ସହିତ ଲୋକମାନଙ୍କର କଥା ଶୁଣିପାରିବା, ନିଜ କଥାରୁ ସେମାନଙ୍କୁ ସାନ୍ତ୍ୱନା ଦେଇପାରିବା ଓ ଯଥା ସମ୍ଭବ ସେମାନଙ୍କୁ ସାହାଯ୍ୟ କରିପାରିବା । (ହିତୋ. ୩:୨୭) ଆମେ ପ୍ରତ୍ୟେକ ଜଣଙ୍କୁ ସାନ୍ତ୍ୱନା ଦେବା ପାଇଁ ଚେଷ୍ଟା କରୁ । ଏପରିକି ଯେଉଁମାନେ ଯିହୋବାଙ୍କର ସେବା କରନ୍ତି ନାହିଁ ସେମାନଙ୍କୁ ବି ଆମେ ସାନ୍ତ୍ୱନା ଦେଉ । ଯେପରି, ଯେବେ କେହି ରୋଗରେ ଥାʼନ୍ତି, ଅତ୍ୟଧିକ ଚିନ୍ତିତ ଥାʼନ୍ତି କିମ୍ବା ବହୁତ ଦୁଃଖିତ ଥାʼନ୍ତି, ତେବେ ଆମେ ସେମାନଙ୍କୁ ଭେଟିବା ପାଇଁ ଯାଉ । ଧ୍ୟାନର ସହ ସେମାନଙ୍କର କଥା ଶୁଣୁ ଓ ବାଇବଲରୁ ଏପରି କିଛି କଥା ଜଣାଉ, ଯେଉଁଥିରୁ ତାଙ୍କୁ ସାହସ ମିଳିବ । ଯେବେ ଆମେ ଯିହୋବାଙ୍କ ଭଳି ହେଉ ଯିଏ “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର,” ତେବେ ଆମେ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରୁ । ତାʼସହ ଯେଉଁମାନେ ଯିହୋବାଙ୍କ ସେବା କରନ୍ତି ନାହିଁ, ହୁଏତ ସେମାନଙ୍କ ଉପରେ ବି ଏହାର ଭଲ ପ୍ରଭାବ ପଡ଼ିବ ଓ ସେମାନେ ବି ଯିହୋବାଙ୍କ ବିଷୟରେ ଶିଖିବା ପାଇଁ ଚାହିଁବେ ।—ମାଥି. ୫:୧୬.
ଯିହୋବା ଆମକୁ କେବେ ବି ଏକୁଟିଆ ଛାଡ଼ିବେନି
୧୯. ଯିହୋବା ଆମ ପାଇଁ କʼଣ କରନ୍ତି ଓ ଆମେ ତାଙ୍କ ଭଳି କିପରି ହୋଇପାରିବା ?
୧୯ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ଯିହୋବା ସେମାନଙ୍କର ବହୁତ ଚିନ୍ତା କରନ୍ତି । ଯେବେ ଆମେ ସମସ୍ୟାର ସାମନା କରୁ, ତେବେ ଯିହୋବା ଆମକୁ ଏକୁଟିଆ ଛାଡ଼ନ୍ତି ନାହିଁ । ଯେପରି, ବାପାମାଆମାନେ ନିଜ ପିଲାମାନଙ୍କର ଯତ୍ନ ନିଅନ୍ତି, ଠିକ୍ ସେହିପରି ଯିହୋବା ବି ନିଜ ବିଶ୍ୱସ୍ତ ସେବକମାନଙ୍କର ବହୁତ ଯତ୍ନ ନିଅନ୍ତି । ସେ ସେମାନଙ୍କୁ ସଠିକ୍ ବାଟ ଦେଖାନ୍ତି, ସେମାନଙ୍କର ଆବଶ୍ୟକତା ପୂରା କରନ୍ତି, ସେମାନଙ୍କୁ ସୁରକ୍ଷା ଦିଅନ୍ତି ଓ ସାନ୍ତ୍ୱନା ଦିଅନ୍ତି । ଆମେ ବି ନିଜ ପ୍ରେମୀ ପିତା ଯିହୋବାଙ୍କ ଭଳି ହୋଇପାରିବା । ଯେବେ ଲୋକମାନେ କୌଣସି ସମସ୍ୟାର ସାମନା କରନ୍ତି, ତେବେ ଆମେ ସେମାନଙ୍କର ସାହାଯ୍ୟ କରିପାରିବା ଓ ସେମାନଙ୍କର ଉତ୍ସାହ ବଢ଼ାଇପାରିବା । ହୁଏତ ଆମକୁ ବି କୌଣସି ସମସ୍ୟାର ସାମନା କରିବାକୁ ପଡ଼ିବ କିମ୍ବା ଆମେ କୌଣସି କଥାକୁ ନେଇ ଚିନ୍ତିତ ହୋଇଯିବା । ଏପରି ସମୟରେ ଆମେ ଏହି କଥାକୁ ମନେ ରଖିପାରିବା ଯେ ଯିହୋବା ଆମ ସହିତ ଅଛନ୍ତି । ସେ ନିଜେ ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ‘ତୁମ୍ଭେ ଭୟ କର ନାହିଁ, କାରଣ ମୁଁ ତୁମ୍ଭ ସଙ୍ଗରେ ଅଛି ।’ (ଯିଶା. ୪୧:୧୦) ଏହି ପଦ ପଢ଼ି ଆମର ସାହସ ବଢ଼ିଯାଏ ! ସତରେ, ଯିହୋବା ଆମକୁ କେବେ ବି ଏକୁଟିଆ ଛାଡ଼ିବେ ନାହିଁ ।
ଗୀତ ୧୦୦ ମେହମାନ୍-ନାୱାଜି କିୟା କରେଁ
a ୧୫ ଏପ୍ରିଲ୍, ୨୦୧୧ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଏସେ ଫୈସଲେ ଲିଜିଏ ଜିନସେ ପରମେଶ୍ୱାର କି ମାହିମା ହୋ” ପଢ଼ନ୍ତୁ ।
b ଫେବୃୟାରୀ ୨୦୨୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିବା ଜାରି ରଖନ୍ତୁ” ଏହାର ପାରାଗ୍ରାଫ ୧୧-୧୪ ପଢ଼ନ୍ତୁ ।
c ଏବିଷୟରେ ନିକଟରେ ଯେଉଁ ତଥ୍ୟ ଆସିଥିଲା, ତାହାକୁ ପଢ଼ିବା ପାଇଁ jw.org ୱେବସାଇଟ୍ରେ ଖୋଜନ୍ତୁ ବକ୍ସରେ “ରିଲିଫ୍ କାମ” ଟାଇପ୍ କରନ୍ତୁ ।
d ଫେବୃୟାରୀ ୨୦୧୭ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।
e ଚିତ୍ର ବିଷୟରେ: ମାଲାବିରେ ପ୍ରାକୃତିକ ବିପତ୍ତି ଘଟିବା ପରେ ଭାଇଭଉଣୀମାନଙ୍କୁ ଖାଇବା ପାଇଁ ଓ ଅନ୍ୟ ଆବଶ୍ୟକୀୟ ଜିନିଷଗୁଡ଼ିକ ଦିଆଯାଉଛି ଓ ବାଇବଲରୁ ସାନ୍ତ୍ୱନା ବି ଦିଆଯାଉଛି ।