इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୬

କʼଣ ନେବା ଓ କʼଣ ପରିତ୍ୟାଗ କରିବା ?

କʼଣ ନେବା ଓ କʼଣ ପରିତ୍ୟାଗ କରିବା ?

‘ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର . . . ପରିତ୍ୟାଗ କରି, ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।’—ଏବ୍ରୀ ୧୨:୧.

ଗୀତ ୩୩ ଅପ୍‌ନା ବୋଝ୍‌ ୟହୋୱା ପର ଡାଲ୍‌ ଦେ !

ଲେଖାର ଝଲକ a

୧. ଏବ୍ରୀ ୧୨:୧ ପଦ ଅନୁସାରେ ଜୀବନର ଦୌଡ଼ ପୂରା କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

 ବାଇବଲରେ ଖ୍ରୀଷ୍ଟିୟାନମାନଙ୍କ ତୁଳନା ଗୋଟିଏ ଦୌଡ଼ ସହ କରାଯାଇଛି । ଯେଉଁ ଲୋକମାନେ ଏହି ଦୌଡ଼ ପୂରା କରନ୍ତି, ସେମାନଙ୍କୁ ଅନନ୍ତ ଜୀବନର ପୁରସ୍କାର ମିଳିବ । (୨ ତୀମ. ୪:୭, ୮) ତେଣୁ ଆମ ସମସ୍ତଙ୍କୁ ପୂରା ବଳ ଲଗାଇ ଦୌଡ଼ିବାର ଅଛି, କାରଣ ଆଜି ଆମେ ଏହି ଦୌଡ଼ର ପୂରା ଶେଷରେ ପହଞ୍ଚି ଯାଇଛୁ ଆଉ ଖୁବ୍‌ ଶୀଘ୍ର ଏହି ଦୌଡ଼ ପୂରା ହେବାକୁ ଯାଉଛି । ପ୍ରେରିତ ପାଉଲ ଜୀବନର ଦୌଡ଼ ପୂରା କରିନେଇ ଥିଲେ ଓ ସେ କହିଲେ ଯେ କେଉଁ କଥା ଆମକୁ ଏହି ଦୌଡ଼ ପୂରା କରିବା ପାଇଁ ସାହାଯ୍ୟ କରିପାରିବ । ସେ କହିଲେ, ‘ଆମ୍ଭେମାନେ ପ୍ରତ୍ୟେକ ଭାର . . . ପରିତ୍ୟାଗ କରି, ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।’ଏବ୍ରୀ ୧୨:୧ ପଢ଼ନ୍ତୁ ।

୨. ‘ପ୍ରତ୍ୟେକ ଭାର ପରିତ୍ୟାଗ’ କରିବାର ଅର୍ଥ କʼଣ ?

ଯେବେ ପାଉଲ କହିଲେ ଯେ ‘ଆମ୍ଭେମାନେ ପ୍ରତ୍ୟେକ ଭାର ପରିତ୍ୟାଗ କରୁ,’ ତେବେ କʼଣ ତାଙ୍କ କହିବାର ଅର୍ଥ ଏହା ଥିଲା ଯେ ଖ୍ରୀଷ୍ଟିୟାନମାନଙ୍କୁ କୌଣସି ବୋଝ ଉଠାଇବା ଉଚିତ୍‌ ନୁହେଁ ? ଏପରି ନୁହେଁ । ତାଙ୍କ କହିବାର ଅର୍ଥ ଥିଲା ଯେ ଆମେ ଏପରି ସବୁ ବୋଝ ପରିତ୍ୟାଗ କରୁ, ଯାହା ଉଠାଇବା ଜରୁରୀ ନୁହେଁ । କାରଣ ଏପରି ଅଯଥା ବୋଝ ଉଠାଇବା ଦ୍ୱାରା ଆମେ ଥକି ଯାଇପାରୁ ଓ ନିଜ ଦୌଡ଼ ପୂରା କରିପାରିବା ନାହିଁ । ତେଣୁ ଆମେ ଏପରି ବୋଝକୁ ତୁରନ୍ତ ପରିତ୍ୟାଗ କରିଦେବା ଉଚିତ୍‌, ଯାହା ଆମକୁ ଦୌଡ଼ରେ ଧୀର କରିପାରେ । କିନ୍ତୁ ଏପରି କିଛି ବୋଝ ମଧ୍ୟ ଅଛି, ଯାହା ଆମ ସମସ୍ତଙ୍କୁ ଉଠାଇବାର ଅଛି । ଯଦି ଆମେ ସେହି ବୋଝ ଉଠାଇବାନି, ତାହେଲେ ଏହି ଦୌଡ଼ରେ ଦୌଡ଼ିବା ପାଇଁ ଯୋଗ୍ୟ ହେବାନି । (୨ ତୀମ. ୨:୫) ଏହା କେଉଁ ବୋଝ ଅଟେ ?

୩. (କ) ଗାଲାତୀୟ ୬:୫ ପଦ ଅନୁସାରେ ଆମ ସମସ୍ତଙ୍କୁ କʼଣ କରିବାର ଅଛି ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ଓ କାହିଁକି ?

ଗାଲାତୀୟ ୬:୫ ପଢ଼ନ୍ତୁ । ପାଉଲ ଏହି ପଦରେ କହିଲେ ଯେ ‘ପ୍ରତ୍ୟେକ ଜଣ ଆପଣା ଭାର ବହନ କରିବ ।’ ପାଉଲ ଏଠାରେ ସେହି ଦାୟିତ୍ୱଗୁଡ଼ିକ ବିଷୟରେ କହୁଥିଲେ, ଯାହା ଯିହୋବା ଚାହାନ୍ତି ଯେ ତାଙ୍କ ପ୍ରତ୍ୟେକ ସେବକମାନେ ନିଜେ ପୂରା କରନ୍ତୁ । ଏହି ଲେଖାରେ ଆମେ ଜାଣିବା ଯେ କେଉଁ କଥାଗୁଡ଼ିକ ଏପରି “ଭାର” ଅଟେ, ଯାହା ଆମକୁ ଉଠାଇବାର ଅଛି ଓ ଆମେ ତାହା କିପରି ଉଠାଇପାରିବା । ତାʼପରେ ଆମେ ଜାଣିବା ଯେ କେଉଁ କଥାଗୁଡ଼ିକ ଏପରି ଭାରି ବୋଝ ଅଟେ, ଯାହାକୁ ହୁଏତ ଆମେ ଉଠାଇ ଦୌଡ଼ୁଛୁ ଓ ଆମେ କିପରି ତାହା ପରିତ୍ୟାଗ କରିପାରିବା । ଯଦି ଆମେ ନିଜ ବୋଝ ଉଠାଇ ରହିବା ଓ ଅଯଥା ଭାରି ବୋଝକୁ ପରିତ୍ୟାଗ କରିବା, ତେବେ ଆମେ ଜୀବନର ଦୌଡ଼ ପୂରା କରିପାରିବା ।

କେଉଁ ବୋଝ ଉଠାଇବା

ନିଜ ବୋଝ ଉଠାଇବାର ଅର୍ଥ ହେଉଛି, ସମର୍ପଣର ପ୍ରତିଜ୍ଞା ପୂରା କରିବା, ପରିବାରର ଦାୟିତ୍ୱଗୁଡ଼ିକ ପୂରା କରିବା ଓ ନିଜ ନିଷ୍ପତ୍ତିଗୁଡ଼ିକର ଦାୟିତ୍ୱ ନେବା (ପାରାଗ୍ରାଫ ୪-୯)

୪. ସମର୍ପଣର ପ୍ରତିଜ୍ଞା କାହିଁକି ଗୋଟିଏ ଭାରି ବୋଝ ନୁହେଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ସମର୍ପଣର ପ୍ରତିଜ୍ଞା । ଯେବେ ଆମେ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିଥିଲୁ, ତେବେ ଆମେ ତାଙ୍କୁ ପ୍ରତିଜ୍ଞା କରିଥିଲୁ ଯେ ଆମେ କେବଳ ତାଙ୍କର ହିଁ ଉପାସନା କରିବା ଓ ତାଙ୍କର ହିଁ ଇଚ୍ଛା ପୂରା କରିବା । ଆମ ସମସ୍ତଙ୍କୁ ଏହି ପ୍ରତିଜ୍ଞା ପୂରା କରିବାର ଅଛି । ଏହି ପ୍ରତିଜ୍ଞା ପୂରା କରିବା ଗୋଟିଏ ବଡ଼ ଦାୟିତ୍ୱ ଅଟେ, କିନ୍ତୁ ଏହା ଭାରି ବୋଝ ନୁହେଁ, ଯାହା ଆମେ ଉଠାଇପାରିବା ନାହିଁ । ଯିହୋବା ଆମକୁ ଏଥିପାଇଁ ସୃଷ୍ଟି କରିଛନ୍ତି ଯେ ଆମେ ତାଙ୍କ ଇଚ୍ଛା ପୂରା କରୁ । (ପ୍ରକା. ୪:୧୧) ଯିହୋବା ଆମଠାରେ ତାଙ୍କୁ ଜାଣିବା ଓ ତାଙ୍କ ଉପାସନା କରିବାର ଇଚ୍ଛା ଦେଇଛନ୍ତି ଆଉ ଆମଠାରେ ସେହି ଗୁଣଗୁଡ଼ିକ ମଧ୍ୟ ଦେଇଛନ୍ତି, ଯାହା ତାଙ୍କଠାରେ ଅଛି । ତେଣୁ ଆମେ ଯିହୋବାଙ୍କ ନିକଟତର ହୋଇପାରୁ ଓ ତାଙ୍କ ଇଚ୍ଛା ପୂରା କରିବା ଦ୍ୱାରା ଆମକୁ ଖୁସି ମିଳେ । (ଗୀତ. ୪୦:୮) କେବଳ ଏତିକି ନୁହେଁ, ଯେବେ ଆମେ ତାଙ୍କ ଇଚ୍ଛା ପୂରା କରୁ ଓ ତାଙ୍କ ପୁତ୍ରଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ, ତେବେ ଆମକୁ “ବିଶ୍ରାମ” [“ସତେଜତା,” NWT] ମିଳେ ।—ମାଥି. ୧୧:୨୮-୩୦.

(ପାରାଗ୍ରାଫ ୪-୫)

୫. ସମର୍ପଣର ପ୍ରତିଜ୍ଞା ପୂରା କରିବା ପାଇଁ ଆପଣ କʼଣ କରିପାରିବେ ? (୧ ଯୋହନ ୫:୩)

ଆପଣ ଏହି ବୋଝ କିପରି ଉଠାଇପାରିବେ ? ତାʼପାଇଁ ଆପଣଙ୍କୁ ଦୁଇଟି କଥା ସାହାଯ୍ୟ କରିବ । ପ୍ରଥମ କଥା, ଯିହୋବାଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାନ୍ତୁ । ଆପଣ ଏହା କିପରି କରିପାରିବେ ? ଏବିଷୟରେ ଭାବନ୍ତୁ ଯେ ଯିହୋବା ଏବେ ଯାଏ ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି ଓ ଆଗକୁ ଯାଇ ସେ ଆପଣଙ୍କୁ କେଉଁ ଆଶିଷଗୁଡ଼ିକ ଦେବେ । ଆପଣ ଯେତେ ଅଧିକ ଯିହୋବାଙ୍କୁ ପ୍ରେମ କରିବେ, ସେତେ ଅଧିକ ଆପଣଙ୍କୁ ତାଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା ସହଜ ଲାଗିବ । ତାଙ୍କ ଆଜ୍ଞାଗୁଡ଼ିକ ବୋଝ ନୁହେଁ, ଯାହା ଆପଣ ଉଠାଇପାରିବେନି । (୧ ଯୋହନ ୫:୩ ପଢ଼ନ୍ତୁ ।) ଦ୍ୱିତୀୟ କଥା, ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତୁ । ଯୀଶୁ ଯିହୋବାଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ଓ ସେହି ପୁରସ୍କାର ଉପରେ ଧ୍ୟାନ ଲଗାଇ ରଖିଲେ, ଯାହା ଆଗକୁ ଯାଇ ତାଙ୍କୁ ମିଳନ୍ତା, ତେଣୁ ସେ ଯିହୋବାଙ୍କ ଇଚ୍ଛା ପୂରା କରିପାରିଲେ । (ଏବ୍ରୀ ୫:୭; ୧୨:୨) ଆପଣ ବି ଯୀଶୁଙ୍କ ଭଳି ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ ଓ ଅନନ୍ତ ଜୀବନର ଆଶା ଉପରେ ଧ୍ୟାନ ଲଗାଇ ରଖନ୍ତୁ । ଯେବେ ଆମେ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବା ଓ ତାଙ୍କ ପୁତ୍ରଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା, ତେବେ ଆମେ ନିଜ ସମର୍ପଣର ପ୍ରତିଜ୍ଞା ପୂରା କରିପାରିବା ।

୬. ଏହା କାହିଁକି ଜରୁରୀ ଅଟେ ଯେ ଆମେ ନିଜ ପରିବାରର ଦାୟିତ୍ୱଗୁଡ଼ିକ ପୂରା କରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ପରିବାରର ଦାୟିତ୍ୱଗୁଡ଼ିକ । ଜୀବନର ଦୌଡ଼ରେ ଲଗାତାର ଦୌଡ଼ିବା ପାଇଁ ଏହା ବହୁତ ଜରୁରୀ ଯେ ଆମେ ନିଜ ପରିବାର ଲୋକଙ୍କଠାରୁ ବେଶି ଯିହୋବା ଓ ଯୀଶୁଙ୍କୁ ପ୍ରେମ କରୁ । (ମାଥି. ୧୦:୩୭) କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଆମେ ପରିବାରର ଦାୟିତ୍ୱଗୁଡ଼ିକ ପୂରା କରିବାନି, କାରଣ ଆମକୁ ଲାଗୁଛି ଯେ ଯିହୋବା ଓ ଯୀଶୁଙ୍କୁ ଖୁସି କରିବା ପାଇଁ ଏହି ଦାୟିତ୍ୱଗୁଡ଼ିକ ଆମକୁ ବାଧା ଦେଉଛି । ତାʼବଦଳରେ ସେମାନଙ୍କୁ ଖୁସି କରିବା ପାଇଁ ଏହା ବହୁତ ଜରୁରୀ ଯେ ଆମେ ପରିବାରର ଦାୟିତ୍ୱଗୁଡ଼ିକ ପୂରା କରୁ । (୧ ତୀମ. ୫:୪, ୮) ଆଉ ଯେବେ ଆମେ ଏପରି କରିବା, ତେବେ ଆମେ ଆହୁରି ଖୁସି ରହିବା । ଯିହୋବା ଆମକୁ ଏପରି ସୃଷ୍ଟି କରିଛନ୍ତି ଯେ ଯେବେ ଆମ ମଧ୍ୟରୁ ପ୍ରତ୍ୟେକ ଜଣ ପରିବାରରେ ନିଜ ଦାୟିତ୍ୱ ପୂରା କରନ୍ତି, ତେବେ ସମସ୍ତେ ଖୁସି ରହନ୍ତି । ଯେପରି, ଯେବେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ପ୍ରେମ କରନ୍ତି ଓ ପରସ୍ପରର ଆଦର କରନ୍ତି, ବାପାମାଆ ପିଲାମାନଙ୍କୁ ପ୍ରେମ କରନ୍ତି ଓ ସେମାନଙ୍କୁ ଶିଖାନ୍ତି ଏବଂ ପିଲାମାନେ ବାପାମାଆଙ୍କ ଆଜ୍ଞା ପାଳନ କରନ୍ତି, ତେବେ ପରିବାରରେ ଖୁସି ବଜାୟ ରହେ ।—ଏଫି. ୫:୩୩; ୬:୧, ୪.

(ପାରାଗ୍ରାଫ ୬-୭)

୭. ପରିବାରରେ ପ୍ରତ୍ୟେକ ଜଣ ନିଜ ଦାୟିତ୍ୱ କିପରି ପୂରା କରିପାରିବେ ?

ଆପଣ ଏହି ବୋଝ କିପରି ଉଠାଇପାରିବେ ? ଭରସା ରଖନ୍ତୁ ଯେ ବାଇବଲରେ ସ୍ୱାମୀ ସ୍ତ୍ରୀ, ବାପାମାଆ ଓ ପିଲାମାନଙ୍କ ପାଇଁ ଯେଉଁ ବଢ଼ିଆ ପରାମର୍ଶ ଦିଆଯାଇଛି, ସେଗୁଡ଼ିକୁ ମାନିଲେ ସବୁବେଳେ ଭଲ ହୁଏ । ଆଜି ଦୁନିଆରେ ଲୋକମାନେ ତାହା ହିଁ କରନ୍ତି, ଯାହା ତାଙ୍କୁ ଠିକ୍‌ ଲାଗେ କିମ୍ବା ଯାହା ତାଙ୍କ ଆଖପାଖର ଲୋକମାନେ କରନ୍ତି କିମ୍ବା ସେମାନେ ବଡ଼ ବଡ଼ ପରାମର୍ଶଦାତାମାନଙ୍କ କଥା ଶୁଣନ୍ତି । (ହିତୋ. ୨୪:୩, ୪) କିନ୍ତୁ ଏପରି କରିବା ପରିବର୍ତ୍ତେ ଆପଣ ବାଇବଲ ଅନୁସାରେ ଚାଲନ୍ତୁ ଓ ବାଇବଲ ଆଧାରିତ ପ୍ରକାଶନଗୁଡ଼ିକ ପଢ଼ନ୍ତୁ । ସେଥିରେ ବୁଝାଯାଏ ଯେ ଆମେ ବାଇବଲର ସିଦ୍ଧାନ୍ତଗୁଡ଼ିକ କିପରି ମାନିପାରିବା । ଯେପରି “ପରିୱାର କେ ଲିଏ ମଦଦ୍‌” ସିରିଜ୍‌ର କଥା ନିଅନ୍ତୁ । ଆଜି ସ୍ୱାମୀ ସ୍ତ୍ରୀ, ବାପାମାଆ ଓ ଯୁବାମାନଙ୍କୁ ଯେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ, ବିଶେଷ କରି ସେମାନଙ୍କୁ ଧ୍ୟାନରେ ରଖି ଏହି ସିରିଜ୍‌ରେ ଦିଆଯାଇଥିବା ଲେଖା ପ୍ରସ୍ତୁତ କରାଯାଏ ଓ ବଢ଼ିଆ ପରାମର୍ଶ ଦିଆଯାଏ । b ଯଦି ଆପଣଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବାଇବଲର ପରାମର୍ଶକୁ ମାନୁ ନାହାନ୍ତି, ତେବେ ବି ଆପଣ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ସେଗୁଡ଼ିକୁ ମାନିବେ । ସେଥିରୁ ଆପଣଙ୍କ ପୂରା ପରିବାରକୁ ଲାଭ ହେବ ଓ ଯିହୋବା ଆପଣଙ୍କୁ ଅନେକ ଆଶିଷ ଦେବେ ।—୧ ପିତ. ୩:୧, ୨.

୮. ଆମ ନିଷ୍ପତ୍ତିଗୁଡ଼ିକର ଆମ ଉପରେ କʼଣ ପ୍ରଭାବ ପଡ଼ିପାରେ ?

ନିଜ ନିଷ୍ପତ୍ତି ପାଇଁ ନିଜକୁ ଦାୟୀ ଭାବିବା । ଯିହୋବା ଆମକୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ଅନୁମତି ଦେଇଛନ୍ତି । ଆଉ ସେ ଚାହାନ୍ତି ଯେ ଆମେ ଭଲ ନିଷ୍ପତ୍ତି ନେଉ ଓ ଖୁସି ରହୁ । କିନ୍ତୁ ଯେବେ ଆମେ କୌଣସି ଭୁଲ ନିଷ୍ପତ୍ତି ନେଉ, ତେବେ ସେ ଆମକୁ ତାʼର ପରିଣାମଗୁଡ଼ିକରୁ ବଞ୍ଚାନ୍ତି ନାହିଁ । (ଗାଲା. ୬:୭, ୮) ତେଣୁ ଯଦି ଆମେ କୌଣସି ଭୁଲ ନିଷ୍ପତ୍ତି ନେଉ, କାହାରିକୁ ଓଲଟା ସିଧା କଥା କହିଦେଉ କିମ୍ବା ବିନା ଭାବିଚିନ୍ତି କିଛି କହିଦେଉ, ତେବେ ଆମେ ସ୍ୱୀକାର କରୁ ଯେ ତାʼର ପରିଣାମ ପାଇଁ ଆମେ ନିଜେ ହିଁ ଦାୟୀ ଅଟୁ । ଆମେ ଯେଉଁ ଭୁଲ କରିଛୁ, ତାʼଯୋଗୁଁ ହୁଏତ ଆମ ବିବେକ ଆମକୁ ଦୋଷୀ ଅନୁଭବ କରାଉ ଥିବ । କିନ୍ତୁ ଏପରି ଅନୁଭବ ହେବା ଭଲ କଥା ଅଟେ ଯେ ଆମ ନିଷ୍ପତ୍ତି ପାଇଁ ଆମେ ନିଜେ ଦାୟୀ ଅଟୁ, କାରଣ ତାʼଯୋଗୁଁ ହୁଏତ ଆମେ ନିଜ ଭୁଲକୁ ସ୍ୱୀକାର କରିବା, ସୁଧାର କରିବା ଓ ଚେଷ୍ଟା କରିବା ଯେ ଆମେ ସେହି ଭୁଲ ପୁଣିଥରେ କରିବାନି । ଏହି ପଦକ୍ଷେପ ନେବା ଦ୍ୱାରା ଆମେ ଜୀବନର ଦୌଡ଼ରେ ଲଗାତାର ଦୌଡ଼ିପାରିବା ।

(ପାରାଗ୍ରାଫ ୮-୯)

୯. ଯଦି ଆପଣ କୌଣସି ଭୁଲ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଆପଣ ଏହି ବୋଝ କିପରି ଉଠାଇପାରିବେ ? ଯଦି ଆପଣ କୌଣସି ଭୁଲ ନିଷ୍ପତ୍ତି ନେଇଛନ୍ତି, ତେବେ ଏହା ସ୍ୱୀକାର କରନ୍ତୁ ଯେ ଆପଣ ଅତୀତକୁ ବଦଳାଇପାରିବେନି । ଏହା ପ୍ରମାଣିତ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଯେ ଆପଣ ଯାହା କଲେ, ତାହା ଠିକ୍‌ ଥିଲା । କିମ୍ବା ନିଜକୁ ଦୋଷୀ ଅନୁଭବ କରାନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କ ଉପରେ ଦୋଷ ଲଗାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏସବୁ କରିବା ଦ୍ୱାରା ଆପଣଙ୍କ ସମୟ ବି ନଷ୍ଟ ହେବ ଓ ଆପଣ ଥକିଯିବେ । ତାʼପରିବର୍ତ୍ତେ ନିଜ ଭୁଲକୁ ମାନନ୍ତୁ ଓ ପରିସ୍ଥିତିକୁ ସୁଧାରିବା ପାଇଁ ଆପଣଙ୍କ ଦ୍ୱାରା ଯାହା ହୋଇପାରେ, ସେସବୁ କରନ୍ତୁ । ଯଦି ଆପଣ କୌଣସି ପାପ କରିଛନ୍ତି ଓ ସେବିଷୟରେ ଭାବି ଆପଣଙ୍କୁ ଖରାପ ଲାଗୁଛି, ତେବେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ତାଙ୍କ ଆଗରେ ନିଜ ପାପ ସ୍ୱୀକାର କରନ୍ତୁ ଓ କ୍ଷମା ମାଗନ୍ତୁ । (ଗୀତ. ୨୫:୧୧; ୫୧:୩, ୪) ଯଦି ଆପଣଙ୍କ ଯୋଗୁଁ କାହାରିକୁ ଆଘାତ ପହଞ୍ଚିଛି, ତେବେ ତାଙ୍କୁ କ୍ଷମା ମାଗନ୍ତୁ ଓ ଜରୁରୀ ହେଲେ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ । (ଯାକୁ. ୫:୧୪, ୧୫) ନିଜ ଭୁଲଗୁଡ଼ିକରୁ ଶିଖନ୍ତୁ ଓ ଚେଷ୍ଟା କରନ୍ତୁ ଯେ ଆପଣ ସେହି ଭୁଲଗୁଡ଼ିକୁ ପୁଣିଥରେ ଦୋହରାଇବେ ନାହିଁ । ଯଦି ଆପଣ ଏପରି କରିବେ, ତେବେ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ଉପରେ ଦୟା କରିବେ ଓ ଆପଣଙ୍କୁ ଯାହା ବି ସାହାଯ୍ୟ ଦରକାର, ତାହା ସେ ଦେବେ ।—ଗୀତ. ୧୦୩:୮-୧୩.

ଭାରି ବୋଝ ‘ପରିତ୍ୟାଗ କର’

୧୦. ଯଦି ଆମେ ନିଜଠାରୁ ଅତ୍ୟଧିକ ଆଶା କରିବାକୁ ଲାଗିବା, ତେବେ ଏହା କିପରି ଗୋଟିଏ ଭାରି ବୋଝ ହୋଇପାରେ ? (ଗାଲାତୀୟ ୬:୪)

୧୦ ନିଜଠାରୁ ଅତ୍ୟଧିକ ଆଶା କରିବା । ଯଦି ଆମେ ଅନ୍ୟମାନଙ୍କ ସହ ନିଜର ତୁଳନା କରିବାକୁ ଲାଗିବା, ତେବେ ଆମେ ନିଜଠାରୁ ଅତ୍ୟଧିକ ଆଶା କରିବାକୁ ଲାଗିବା ଓ ଏହା ଆମ ପାଇଁ ଗୋଟିଏ ଭାରି ବୋଝ ହୋଇପାରେ । (ଗାଲାତୀୟ ୬:୪ ପଢ଼ନ୍ତୁ ।) ଯଦି ଆମେ ସବୁବେଳେ ନିଜର ତୁଳନା ଅନ୍ୟମାନଙ୍କ ସହ କରିବା, ତେବେ ହୁଏତ ଆମେ ସେମାନଙ୍କୁ ଇର୍ଷା କରିବାକୁ ଲାଗିବା ଓ ଆମେ ସେମାନଙ୍କଠାରୁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା । (ଗାଲା. ୫:୨୬) ଆଉ ଯଦି ଆମେ ଅନ୍ୟମାନଙ୍କ ଦେଖାଦେଖି ଏପରି କିଛି କରିବା ପାଇଁ ଚେଷ୍ଟା କରିବା, ଯାହା ଆମେ କରିପାରିବା ନାହିଁ, ତେବେ ହୁଏତ ଆମେ ନିଜକୁ ହିଁ କ୍ଷତି ପହଞ୍ଚାଇବାକୁ ଲାଗିବା । ବାଇବଲରେ ଲେଖାଅଛି, “ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ ।” ତାହେଲେ ଭାବନ୍ତୁ ଯଦି ଆମେ ନିଜଠାରୁ ଏପରି ଆଶା କରୁଛୁ, ଯାହା ଆମେ କେବେ ବି ପୂରା କରିପାରିବାନି, ତେବେ ଆମେ ବହୁତ ଦୁଃଖି ହୋଇଯିବା । (ହିତୋ. ୧୩:୧୨) ତାʼଯୋଗୁଁ ଆମେ ଥକିଯାଇପାରୁ ଓ ଜୀବନର ଦୌଡ଼ ପୂରା କରିପାରିବାନି ।—ହିତୋ. ୨୪:୧୦.

୧୧. ଆପଣ ନିଜଠାରୁ ଅତ୍ୟଧିକ ଆଶା କରିବାରୁ କିପରି ବଞ୍ଚିପାରିବେ ?

୧୧ ଆପଣ ଏହି ଭାରି ବୋଝ କିପରି ପରିତ୍ୟାଗ କରିପାରିବେ ? ଯିହୋବା ଆପଣଙ୍କଠାରୁ କେବେ ବି ଏପରି କିଛି କରିବା ପାଇଁ ଆଶା କରନ୍ତି ନାହିଁ, ଯାହା ଆପଣ କରିପାରିବେ ନାହିଁ । ତେଣୁ ଆପଣ ବି ନିଜଠାରୁ ଏପରି କିଛି କରିବା ପାଇଁ ଆଶା କରନ୍ତୁ ନାହିଁ, ଯାହା ଆପଣ ପୂରା କରିପାରିବେନି । (୨ କରି. ୮:୧୨) ଭରସା ରଖନ୍ତୁ ଯେ ଯିହୋବା କେବେ ବି ଆପଣଙ୍କ ତୁଳନା ଅନ୍ୟମାନଙ୍କ ସହ କରନ୍ତି ନାହିଁ । (ମାଥି. ୨୫:୨୦-୨୩) ସେ ଏହା ଦେଖନ୍ତି ଯେ ଆପଣ କିପରି ମନପ୍ରାଣ ଦେଇ ତାଙ୍କ ସେବା କରୁଛନ୍ତି, ଆପଣ ତାଙ୍କର କେତେ ବିଶ୍ୱସ୍ତ ଅଛନ୍ତି ଓ ଆପଣ କିପରି ଧୈର୍ଯ୍ୟ ଧରୁଛନ୍ତି । ଏହା ବି ବୁଝନ୍ତୁ ଯେ ଆପଣଙ୍କ ବୟସ, ସ୍ୱାସ୍ଥ୍ୟ ଓ ପରିସ୍ଥିତି ଯୋଗୁଁ ଏବେ ହୁଏତ ଆପଣ ସେତେ କରିପାରୁ ନାହାନ୍ତି, ଯେତେ ଆପଣ ପୂର୍ବେ କରୁଥିଲେ । ଯଦି ଆପଣଙ୍କୁ ଲାଗେ ଯେ ଆପଣ ନିଜ ସ୍ୱାସ୍ଥ୍ୟ ଓ ବୟସ ଯୋଗୁଁ କୌଣସି ଦାୟିତ୍ୱ ପୂରା କରିପାରିବେନି, ତେବେ ବର୍ସିଲ୍ଲୟଙ୍କ ଭଳି ହୁଅନ୍ତୁ ଓ ଭାଇମାନଙ୍କୁ କହନ୍ତୁ ଯେ ଆପଣଙ୍କ ଦ୍ୱାରା ଏହା ହୋଇପାରିବ ନାହିଁ । (୨ ଶାମୁ. ୧୯:୩୫, ୩୬) ମୋଶାଙ୍କ ଭଳି ଅନ୍ୟମାନଙ୍କ ସାହାଯ୍ୟ ନିଅନ୍ତୁ ଆଉ ଯଦି ସମ୍ଭବ ତେବେ କିଛି ଦାୟିତ୍ୱ ଅନ୍ୟମାନଙ୍କୁ ଦିଅନ୍ତୁ । (ଯାତ୍ରା. ୧୮:୨୧, ୨୨) ଏପରି ଭାବେ ଯେବେ ଆପଣ ନିଜଠାରୁ ଅଧିକ ଆଶା କରିବେନି, ତେବେ ଆପଣ ଥକିବେ ନାହିଁ ଓ ଜୀବନର ଦୌଡ଼ରେ ଲଗାତାର ଦୌଡ଼ିପାରିବେ ।

୧୨. କʼଣ ଅନ୍ୟମାନଙ୍କ ଭୁଲ ନିଷ୍ପତ୍ତିଗୁଡ଼ିକ ପାଇଁ ଆମେ ନିଜକୁ ଦୋଷ ଦେବା ଉଚିତ୍‌ ? ବୁଝାନ୍ତୁ ।

୧୨ ଅନ୍ୟମାନଙ୍କ ଭୁଲଗୁଡ଼ିକ ପାଇଁ ନିଜକୁ ଦୋଷୀ ଭାବିବା । ଆମେ ଅନ୍ୟମାନଙ୍କ ପାଇଁ ନିଷ୍ପତ୍ତି ନେଇପାରିବାନି । ଆଉ ଯେବେ ସେମାନେ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତି, ତେବେ ଆମେ ସବୁବେଳେ ତାଙ୍କ ଖରାପ ପରିଣାମରୁ ସେମାନଙ୍କୁ ବଞ୍ଚାଇପାରିବାନି । ଯେପରି ହୋଇପାରେ, ଜଣେ ପିଲା ଯିହୋବାଙ୍କ ସେବା କରିବା ଛାଡ଼ିଦିଏ । ଏପରି ସମୟରେ ତାଙ୍କ ବାପାମାଆଙ୍କୁ ଯେତେ ଦୁଃଖ ହୁଏ, ତାହା ଆମେ ବୁଝିପାରିବାନି । କିନ୍ତୁ ଯେଉଁ ବାପାମାଆ ନିଜ ପିଲାମାନଙ୍କ ଭୁଲ ନିଷ୍ପତ୍ତି ପାଇଁ ନିଜକୁ ଦୋଷ ଦିଅନ୍ତି, ସେମାନେ ଗୋଟିଏ ଭାରି ବୋଝ ନେଇ ଦୌଡ଼ୁଥାନ୍ତି । ଆଉ ଯିହୋବା ଚାହାନ୍ତିନି ଯେ ସେମାନେ ଏହି ଭାରି ବୋଝ ଉଠାନ୍ତୁ ।—ରୋମୀ. ୧୪:୧୨.

୧୩. ଯଦି କାହାରି ପୁଅ କିମ୍ବା ଝିଅ କୌଣସି ଭୁଲ ନିଷ୍ପତ୍ତି ନିଏ, ତେବେ ତାʼ ବାପାମାଆ କʼଣ କରିପାରିବେ ?

୧୩ ଆପଣ ଏହି ଭାରି ବୋଝ କିପରି ପରିତ୍ୟାଗ କରିପାରିବେ ? ମନେରଖନ୍ତୁ ଯେ ଯିହୋବା ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି । ତେଣୁ ପ୍ରତ୍ୟେକ ଜଣ ନିଜେ ନିଷ୍ପତ୍ତି ନେଇପାରିବେ ଯେ ସେ ଯିହୋବାଙ୍କ ସେବା କରିବା ପାଇଁ ଚାହାନ୍ତି ନା ନାହିଁ । ବାପାମାଆମାନେ, ଯିହୋବା ଜାଣନ୍ତି ଯେ ଆପଣ ଅପରିପୂର୍ଣ୍ଣ ଅଟନ୍ତି ଓ ପିଲାମାନଙ୍କ ଲାଳନପାଳନ କରିବାରେ ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ସେ କେବଳ ଏହା ଚାହାନ୍ତି ଯେ ଆପଣଙ୍କ ଦ୍ୱାରା ଯାହା ହୋଇପାରିବ, ଆପଣ ତାହା କରନ୍ତୁ । ଆପଣଙ୍କ ପୁଅ କିମ୍ବା ଝିଅ ଯାହା ବି ନିଷ୍ପତ୍ତି ନିଏ, ତାʼପାଇଁ ସେ ନିଜେ ଦାୟୀ ଅଟେ, ଆପଣ ନୁହେଁ । (ହିତୋ. ୨୦:୧୧) ତଥାପି ହୋଇପାରେ ଯେ ଆପଣଙ୍କ ଦ୍ୱାରା ଯେଉଁ ଭୁଲଗୁଡ଼ିକ ହୋଇଛି, ସେବିଷୟରେ ଭାବି ଆପଣ ନିଜକୁ ଦୋଷ ଦେଉଛନ୍ତି । ଯଦି ଏପରି ଅଟେ, ତେବେ ଯିହୋବାଙ୍କୁ କହନ୍ତୁ ଯେ ଆପଣ କିପରି ଅନୁଭବ କରୁଛନ୍ତି ଓ ତାଙ୍କୁ କ୍ଷମା ମାଗନ୍ତୁ । ଯିହୋବା ଜାଣନ୍ତି ଯେ ଆପଣ ନିଜର ଅତୀତକୁ ବଦଳାଇପାରିବେ ନାହିଁ । କିନ୍ତୁ ସେ ଏହା ବି ଚାହାନ୍ତି ନାହିଁ ଯେ ଆପଣ ନିଜ ପିଲାକୁ ତାʼର ଭୁଲଗୁଡ଼ିକର ପରିଣାମରୁ ବଞ୍ଚାନ୍ତୁ । ଜଣେ ମନୁଷ୍ୟ ଯାହା ବୁଣିବ, ତାହା ହିଁ କାଟିବ । କିନ୍ତୁ ହଁ, ଯଦି ଆପଣଙ୍କ ପୁଅ କିମ୍ବା ଝିଅ ଯିହୋବାଙ୍କ ପାଖରେ ଫେରିବା ପାଇଁ ଟିକେ ବି ପରିଶ୍ରମ କରେ, ତେବେ ଯିହୋବା ତାକୁ ଖୁସି ଖୁସି ଆପଣାଇ ନେବେ ।—ଲୂକ ୧୫:୧୮-୨୦.

୧୪. ନିଜ ଭୁଲଗୁଡ଼ିକ ବିଷୟରେ ଭାବି ଅତ୍ୟଧିକ ଦୁଃଖି ହେବା କାହିଁକି ଗୋଟିଏ ଭାରି ବୋଝ ଅଟେ ?

୧୪ ନିଜ ଭୁଲ ବିଷୟରେ ଭାବି ବହୁତ ବେଶି ଦୁଃଖି ହେବା । ଯଦି ଆମେ କୌଣସି ପାପ କରି ଦେଇଛୁ ଓ ଦୋଷୀ ଅନୁଭବ କରୁଛୁ, ତେବେ ଏହା ଭୁଲ ନୁହେଁ । କିନ୍ତୁ ଯଦି ଆମେ ସେବିଷୟରେ ଭାବି ଅତ୍ୟଧିକ ଦୁଃଖି ହୋଇଯାଉ, ତେବେ ଏହା ଏପରି ହେବ ଯେପରି ଆମେ ଗୋଟିଏ ଭାରି ବୋଝ ଉଠାଇଛୁ । ଆମକୁ ଏହି ବୋଝ ପରିତ୍ୟାଗ କରିବା ଉଚିତ୍‌ । ଯେବେ ଆମେ ନିଜ ପାପ ସ୍ୱୀକାର କରୁ, ଅନୁତାପ କରୁ ଓ ଚେଷ୍ଟା କରୁ ଯେ ନିଜର ସେହି ଭୁଲକୁ ପୁଣିଥରେ ଦୋହରାଇବା ନାହିଁ, ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରିଦେଇଛନ୍ତି । (ପ୍ରେରି. ୩:୧୯) ଯଦି ଆମେ ଏହି ପଦକ୍ଷେପ ନେଉ, ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଚାହାନ୍ତି ନାହିଁ ଯେ ଆମେ ନିଜ ଭୁଲ ପାଇଁ ଏବେ ବି ନିଜକୁ ଦୋଷୀ ଭାବୁ । ସେ ଜାଣନ୍ତି ଯେ ଏପରି କରିବା ଦ୍ୱାରା ଆମର ହିଁ କ୍ଷତି ହେବ । (ଗୀତ. ୩୧:୧୦) ଯଦି ଆମେ ଅତ୍ୟଧିକ ନିରାଶ ହୋଇଯିବା, ତେବେ ହୁଏତ ଆମର ସାହସ ଭାଙ୍ଗିପାରେ ଓ ଆମେ ଜୀବନର ଦୌଡ଼ ପୂରା କରିପାରିବା ନାହିଁ ।—୨ କରି. ୨:୭.

ଯେବେ ଆମେ ନିଜ ଭୁଲ ପାଇଁ ହୃଦୟରୁ ଅନୁତାପ କରୁ, ତେବେ ଯିହୋବା ଆମ ପାପ ବିଷୟରେ ସବୁବେଳେ ଭାବୁ ନ ଥାନ୍ତି ଓ ଆମକୁ ମଧ୍ୟ ଏପରି କରିବା ଉଚିତ୍‌ ନୁହେଁ (ପାରାଗ୍ରାଫ ୧୫)

୧୫. ଯଦି ଆପଣ ନିଜ ଭୁଲ ଯୋଗୁଁ ବହୁତ ବେଶି ଦୁଃଖ ଅନୁଭବ କରୁଛନ୍ତି, ତେବେ ଆପଣ କʼଣ କରିପାରିବେ ? (୧ ଯୋହନ ୩:୧୯, ୨୦) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଆପଣ ଏହି ଭାରି ବୋଝ କିପରି ପରିତ୍ୟାଗ କରିପାରିବେ ? ଯେବେ ବି ଆପଣ ନିଜ ଭୁଲ ପାଇଁ ବହୁତ ବେଶି ଦୋଷୀ ଅନୁଭବ କରନ୍ତି, ତେବେ ମନେରଖନ୍ତୁ ଯେ ଯିହୋବା ଆମକୁ ପୂରାପୂରି “କ୍ଷମା” କରିଦିଅନ୍ତି । (ଗୀତ. ୧୩୦:୪) ଯେଉଁ ଲୋକମାନେ ହୃଦୟରୁ ଅନୁତାପ କରନ୍ତି, ଯିହୋବା ସେମାନଙ୍କୁ କ୍ଷମା କରିଦିଅନ୍ତି ଓ ସେମାନଙ୍କୁ ପ୍ରତିଜ୍ଞା କରନ୍ତି, ‘ଆମ୍ଭେ ସେମାନଙ୍କର ପାପ ଆଉ ସ୍ମରଣ କରିବା ନାହିଁ ।’ (ଯିରି. ୩୧:୩୪) ତାʼଅର୍ଥ ଯଦି ଯିହୋବା ଆମକୁ ଥରେ କ୍ଷମା କରିଦିଅନ୍ତି, ତେବେ ସେ ଆମର ସେହି ପାପ ଭୁଲି ଯାନ୍ତି ଓ ସେବିଷୟରେ ପୁଣିଥରେ ଭାବନ୍ତି ନାହିଁ । ତେଣୁ ଯଦି ଆପଣଙ୍କୁ ନିଜ ପାପର ପରିଣାମ ଭୋଗିବାକୁ ପଡ଼େ, ତେବେ ଏପରି ଭାବନ୍ତୁ ନାହିଁ ଯେ ଯିହୋବା ଆପଣଙ୍କୁ କ୍ଷମା କରିନାହାନ୍ତି ଓ ସେ ଆପଣଙ୍କୁ ଦଣ୍ଡ ଦେଉଛନ୍ତି । କିମ୍ବା ଯଦି ନିଜ ଭୁଲ ଯୋଗୁଁ ଏବେ ଆପଣ ଯିହୋବାଙ୍କ ସେବା ସେତେ କରିପାରୁ ନାହାନ୍ତି, ଯେତେ ଆପଣ ପୂର୍ବେ କରୁଥିଲେ, ତେବେ ନିଜକୁ ଦୋଷୀ ଭାବନ୍ତୁ ନାହିଁ । ଯିହୋବା ଆପଣଙ୍କ ଭୁଲଗୁଡ଼ିକ ବିଷୟରେ ସବୁବେଳେ ଭାବୁ ନ ଥାନ୍ତି ଓ ଆପଣଙ୍କୁ ବି ଏପରି କରିବା ଉଚିତ୍‌ ନୁହେଁ ।୧ ଯୋହନ ୩:୧୯, ୨୦ ପଢ଼ନ୍ତୁ ।

ପୁରସ୍କାର ପାଇବା ପାଇଁ ଦୌଡ଼ନ୍ତୁ

୧୬. ଜୀବନର ଦୌଡ଼ରେ ଲଗାତାର ଦୌଡ଼ିବା ପାଇଁ ଆମକୁ କʼଣ ଚିହ୍ନିବାକୁ ପଡ଼ିବ ?

୧୬ ‘ତୁମ୍ଭେମାନେ ଯେପରି ପୁରସ୍କାର ପାଇବ, ଏଥିପାଇଁ’ ଜୀବନର ଦୌଡ଼ରେ ଦୌଡ଼ । (୧ କରି. ୯:୨୪) କିନ୍ତୁ ତାʼପାଇଁ ଆମକୁ ଚିହ୍ନିବାକୁ ପଡ଼ିବ ଯେ କେଉଁ କଥାଗୁଡ଼ିକ ଏପରି ବୋଝ ଅଟେ, ଯାହା ଆମକୁ ଉଠାଇ ଦୌଡ଼ିବାର ଅଛି ଓ କେଉଁ କଥାଗୁଡ଼ିକ ଏପରି ଭାରି ବୋଝ ଅଟେ, ଯାହାକୁ ପରିତ୍ୟାଗ କରିବାର ଅଛି । ଏହି ଲେଖାରେ ଆମେ ଏପରି ହିଁ କିଛି ବୋଝ ଓ ଭାରି ବୋଝ ବିଷୟରେ ଜାଣିଲୁ । କିନ୍ତୁ ଏପରି ଆହୁରି ଅନେକ ଭାରି ବୋଝ ହୋଇପାରେ ଯାହାକୁ ହୁଏତ ଆମେ ଉଠାଇ ଥିବା । ଯେପରି ଯୀଶୁ କହିଥିଲେ, ‘କାଳେ ତୁମ୍ଭମାନଙ୍କର ହୃଦୟ ଖାଇବା-ପିଇବା ଓ ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ନ ହୁଏ ।’ (ଲୂକ ୨୧:୩୪) ଏପରି ପଦଗୁଡ଼ିକ ଉପରେ ଧ୍ୟାନ ଦେବା ଯୋଗୁଁ ଆମେ ବୁଝିପାରିବା ଯେ ଆମକୁ କେଉଁଠି ସୁଧାର କରିବାର ଆବଶ୍ୟକ ଅଛି, ଯାହାଦ୍ୱାରା ଆମେ ଜୀବନର ଦୌଡ଼ ପୂରା କରିପାରିବା ।

୧୭. ଆମେ କାହିଁକି ଭରସା ରଖିପାରିବା ଯେ ଆମେ ଜୀବନର ଦୌଡ଼ରେ ଜିତିପାରିବା ?

୧୭ ଆମେ ଜୀବନର ଦୌଡ଼ରେ ଜିତିପାରିବା, କାରଣ ଯଦି ଆମେ ଥକିଯାଉ, ତେବେ ଯିହୋବା ଆମକୁ ଶକ୍ତି ଦେବେ । (ଯିଶା. ୪୦:୨୯-୩୧) ତେଣୁ ଧୀର ହୁଅନ୍ତୁ ନାହିଁ ! ପ୍ରେରିତ ପାଉଲଙ୍କ ଭଳି ହୁଅନ୍ତୁ ଯେ ପୁରସ୍କାର ପାଇବା ପାଇଁ ନିଜର ମନପ୍ରାଣ ଲଗାଇ ଦେଇଥିଲେ । (ଫିଲିପ୍‌. ୩:୧୩, ୧୪) ଏହି ଦୌଡ଼ ଆପଣଙ୍କୁ ହିଁ ପୂରା କରିବାକୁ ପଡ଼ିବ, ଅନ୍ୟ କେହି ଆପଣଙ୍କ ପାଇଁ ଦୌଡ଼ିପାରିବେ ନାହିଁ । କିନ୍ତୁ ଯିହୋବାଙ୍କ ସାହାଯ୍ୟରୁ ଆପଣ ଏହା ପୂରା କରିପାରିବେ । ତାଙ୍କ ସାହାଯ୍ୟରୁ ଆପଣ ନିଜ ବୋଝ ଉଠାଇପାରିବେ ଓ ଭାରି ବୋଝ ପରିତ୍ୟାଗ କରିପାରିବେ । (ଗୀତ. ୬୮:୧୯) ଯିହୋବା ଆପଣଙ୍କ ସାଙ୍ଗରେ ଅଛନ୍ତି, ତାହେଲେ ଭରସା ରଖନ୍ତୁ ଯେ ଆପଣ ଧୈର୍ଯ୍ୟର ସହ ଜୀବନର ଏହି ଦୌଡ଼ରେ ଦୌଡ଼ିପାରିବେ ଓ ପୁରସ୍କାର ପାଇପାରିବେ ।

ଗୀତ ୬୫ ଆଗେ ବଢ଼ !

a ଏହି ଲେଖାରେ ଆମେ ଜାଣିବା ଯେ ଜୀବନର ଦୌଡ଼ରେ ଆମେ କିପରି ଭଲଭାବେ ଦୌଡ଼ିପାରିବା । ଆମ ସମସ୍ତଙ୍କୁ କିଛି ବୋଝ କିମ୍ବା ଦାୟିତ୍ୱଗୁଡ଼ିକ ନେଇ ଦୌଡ଼ିବାର ଅଛି । ଯେପରି, ଆମକୁ ସମର୍ପଣର ପ୍ରତିଜ୍ଞା ପୂରା କରିବା, ପରିବାରର ଦାୟିତ୍ୱ ଓ ଆମେ ଯେଉଁ ନିଷ୍ପତ୍ତି ନେଉ, ତାହା ବି ପୂରା କରିବାର ଥାଏ । କିନ୍ତୁ ହୁଏତ ଆମେ କୌଣସି ଅଯଥା ବୋଝ ନେଇ ବି ଦୌଡ଼ୁଥିବା, ଯାହାଦ୍ୱାରା ଆମେ ଥକିପାରୁ । ତେଣୁ ଆମକୁ ଏପରି ବୋଝ ନେଇ ଦୌଡ଼ିବା ଉଚିତ୍‌ ନୁହେଁ । ଏହି ଲେଖାରେ ଆମେ ଜାଣିବା ଯେ ଏହି ଭାରି ବୋଝ କʼଣ ଅଟେ ।

b ଆପଣ jw.org ୱେବସାଇଟ୍‌ରେ “ପରିୱାର କେ ଲିଏ ମଦଦ୍‌” ସିରିଜ୍‌ରେ ଦିଆଯାଇଥିବା ଲେଖା ପଢ଼ିପାରିବେ, ଯେପରି ସ୍ୱାମୀ ସ୍ତ୍ରୀମାନଙ୍କ ପାଇଁ, “ଅପ୍‌ନେ ସାଥି କି ଖାମିୟୋଁ ମେ ଢୁଢ଼େଁ ଖୁବିୟାଁ” ଓ “ଜତାଇଏ କି ଆପକୋ ଅପ୍‌ନେ ସାଥି କି କଦର୍‌ ହୈ”; ବାପାମାଆଙ୍କ ପାଇଁ, “ବଚ୍ଚୋ କୋ ଖୁଦ୍‌ ପର୍‌ କାବୁ ରଖ୍‌ନା ଶିଖାଇଏ” ଓ “ଅପ୍‌ନେ କିଶୋର ବଚ୍ଚେ ସେ କୈଶେ ବାତ୍‌ କରେଁ”; ଏବଂ ଯୁବାମାନଙ୍କ ପାଇଁ, “ଲୁଭାନେୱାଲେ ହାଲାତ୍‌ କା ୱିରୋଧ୍‌ କୈଶେ କରେଁ?” ଆଉ “ଅକେଲେପନ୍‌ କୋ କୈଶେ ଦୁର କରେଁ ।” ଏହି ସିରିଜ୍‌ରେ ଏପରି ହିଁ ଆହୁରି ଅନେକ ଲେଖା ଅଛି ।