ପାଠ ୬୦

ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖନ୍ତୁ

ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖନ୍ତୁ

ଏବେ ଯାଏଁ ଆପଣ ବାଇବଲରୁ ଯିହୋବାଙ୍କ ବିଷୟରେ ଅନେକ କଥା ଶିଖିଛନ୍ତି । ଆପଣ ଯାହା କିଛି ଶିଖିଛନ୍ତି, ସେଥିରୁ ଧୀରେ ଧୀରେ ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ବଢ଼ିଲା । ହୁଏତ ଆପଣ ତାଙ୍କୁ ନିଜ ଜୀବନ ସମର୍ପଣ କରି ବାପ୍ତିସ୍ମ ନେଇ ସାରିଛନ୍ତି । ଯଦି ନେଇ ନାହାନ୍ତି, ତାହେଲେ ହୁଏତ ଆପଣ ଆଗକୁ ଯାଇ ଏପରି କରିବା ପାଇଁ ଭାବୁଥିବେ । କିନ୍ତୁ ବାପ୍ତିସ୍ମ କେବଳ ଏକ ଆରମ୍ଭ ଅଟେ । ଆଗକୁ ମଧ୍ୟ ଆପଣ ସାରା ଜୀବନ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖିପାରିବେ । ତାʼପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ଆସନ୍ତୁ ଜାଣିବା ।

୧. ଆପଣଙ୍କୁ କାହିଁକି ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖିବା ଉଚିତ୍‌ ?

ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍‌ କରିବା ପାଇଁ ଆପଣ ଯେଉଁ ଚେଷ୍ଟା କରନ୍ତି, ତାହା ଜାରି ରଖନ୍ତୁ । କାରଣ ଏପରି କଲେ ଆପଣ “ଜୀବନ୍ତ ଈଶ୍ୱରଙ୍କଠାରୁ ବିମୁଖକାରୀ” ହେବେ ନାହିଁ । (ଏବ୍ରୀ ୩:୧୨) ଆପଣ ହୃଦୟର ସହ ଯିହୋବାଙ୍କ ସେବା ଜାରି ରଖିବା ପାଇଁ କʼଣ କରିପାରିବେ ? ଆପଣ ପ୍ରଚାର କାମରେ ଲାଗି ରହିପାରିବେ ଏବଂ ଭାବିପାରିବେ ଯେ ଆପଣ ଯିହୋବାଙ୍କ ସେବାରେ ଆଉ କʼଣ କʼଣ କରିପାରିବେ । (ଫିଲିପ୍‌ପୀୟ ୩:୧୬ ପଢ଼ନ୍ତୁ ।) ଆପଣ ସାରା ଜୀବନ ଯିହୋବାଙ୍କର ସେବା କରିବେ, ଏହାଠାରୁ ଭଲ କଥା ଆଉ କʼଣ ହୋଇପାରିବ !​—ଗୀତସଂହିତା ୮୪:୧୦.

୨. ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଆହୁରି ମଜବୁତ୍‌ କରିବା ପାଇଁ ଆପଣଙ୍କୁ ଆଉ କʼଣ କରିବା ଉଚିତ୍‌ ?

ଏହି ବହିରୁ ଆମେ ଯେଉଁ ଚର୍ଚ୍ଚା କରୁଛୁ, ତାହା ଖୁବ୍‌ ଶୀଘ୍ର ଶେଷ ହୋଇଯିବ । କିନ୍ତୁ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ । ବାଇବଲରେ ଲେଖାଅଛି ଯେ ଜଣେ ବ୍ୟକ୍ତିକୁ ‘ନୂତନ ସ୍ୱଭାବ ପରିଧାନ’ କରିବା ଉଚିତ୍‌ । (ଏଫିସୀୟ ୪:୨୩, ୨୪) ଆପଣ ଆଗକୁ ମଧ୍ୟ ଯେତେବେଳେ ବାଇବଲ ଅଧ୍ୟୟନ କରିବେ ଓ ସଭାଗୁଡ଼ିକୁ ଯିବା ଜାରି ରଖିବେ, ସେତେବେଳେ ଆପଣ ଯିହୋବାଙ୍କ ବିଷୟରେ ଆହୁରି ନୂଆ ନୂଆ କଥା ଶିଖିବେ ଏବଂ ତାଙ୍କ ଗୁଣଗୁଡ଼ିକ ବିଷୟରେ ଆହୁରି ଭଲ ଭାବେ ଜାଣିପାରିବେ । ତାʼପରେ ଭାବନ୍ତୁ ଯେ ଆପଣ କିପରି ଯିହୋବାଙ୍କ ଭଳି ଗୁଣ ନିଜ ଭିତରେ ଆହୁରି ବଢ଼ାଇପାରିବେ । ଯିହୋବାଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ଯାହା ବି ପରିବର୍ତ୍ତନ କରିବାକୁ ପଡ଼େ, ତାହା କରିବା ଜାରି ରଖନ୍ତୁ ।

୩. ଯିହୋବାଙ୍କ ସହ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ ସେ କିପରି ଆପଣଙ୍କୁ ସାହାଯ୍ୟ କରିବେ ?

ବାଇବଲରେ ଲେଖାଅଛି, ‘ଈଶ୍ୱର ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ ।’ (୧ ପିତର ୫:୧୦) ଆମ ସମସ୍ତଙ୍କ ଉପରେ ଖରାପ କାମ କରିବାର ଚାପ ଆସିଥାଏ । କିନ୍ତୁ ଖରାପ କାମଗୁଡ଼ିକରୁ ଦୂରେଇ ରହିବା ପାଇଁ ଆମକୁ ଯାହା ବି ସାହାଯ୍ୟ ଦରକାର, ତାହା ଯିହୋବା ଆମକୁ ଦେଇଥାʼନ୍ତି । (ଗୀତସଂହିତା ୧୩୯:୨୩, ୨୪) ସେ ପ୍ରତିଜ୍ଞା କରିଛନ୍ତି ଯେ ତାଙ୍କ ସେବା ଜାରି ରଖିବା ପାଇଁ ସେ ଆମକୁ ଇଚ୍ଛା ବି ଦେବେ ଓ ଶକ୍ତି ବି ଦେବେ ।​—ଫିଲିପ୍‌ପୀୟ ୨:୧୩ ପଢ଼ନ୍ତୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆପଣ କିପରି ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖିପାରିବେ ଏବଂ ଯିହୋବା ଆପଣଙ୍କୁ କʼଣ କʼଣ ଆଶିଷ ଦେବେ ।

୪. ନିଜର ସବୁଠୁ ଭଲ ସାଙ୍ଗ ଯିହୋବାଙ୍କ ସହ କଥା ହୁଅନ୍ତୁ ଓ ତାଙ୍କ କଥା ଶୁଣନ୍ତୁ

ପ୍ରାର୍ଥନା କରିବା ଓ ବାଇବଲ ଅଧ୍ୟୟନ କରିବା ଦ୍ୱାରା ଆପଣ ଯିହୋବାଙ୍କର ସାଙ୍ଗ ହୋଇପାରିଛନ୍ତି । ଏହି କାମଗୁଡ଼ିକ କିପରି ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍‌ କରିବା ପାଇଁ ସାହାଯ୍ୟ କରିପାରେ ?

ଗୀତସଂହିତା ୬୨:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ ଆହୁରି ଭଲ ଭାବେ ପ୍ରାର୍ଥନା କିପରି କରିପାରିବେ, ଯାହାଫଳରେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ୍‌ ହେବ ?

ଗୀତସଂହିତା ୧:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ ଆହୁରି ଭଲ ଭାବେ ବାଇବଲ ପଢ଼ିବା ପାଇଁ କʼଣ କରିପାରିବେ, ଯାହାଫଳରେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ୍‌ ହେବ ?

ବ୍ୟକ୍ତିଗତ ବାଇବଲ ଅଧ୍ୟୟନରୁ ପୂରା ଲାଭ ପାଇବା ପାଇଁ ଆପଣ କʼଣ କରିପାରିବେ ? ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଆପଣ ଭିଡିଓରେ କୁହାଯାଇଥିବା କେଉଁ ପରାମର୍ଶକୁ ଆପଣାଇବାକୁ ଚାହିଁବେ ?

  • ଆପଣ କେଉଁ ବିଷୟଗୁଡ଼ିକ ଉପରେ ଅଧ୍ୟୟନ କରିବାକୁ ଚାହିଁବେ ?

୫. ଈଶ୍ୱରଙ୍କ ସେବାରେ ଲକ୍ଷ୍ୟ ରଖନ୍ତୁ

ଈଶ୍ୱରଙ୍କ ସେବାରେ ଲକ୍ଷ୍ୟ ରଖିଲେ ଆମେ ତାଙ୍କ ସହ ନିଜ ସମ୍ପର୍କକୁ ଆହୁରି ମଜବୁତ୍‌ କରିପାରିବା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଈଶ୍ୱରଙ୍କ ସେବାରେ ଲକ୍ଷ୍ୟ ରଖିବା ଦ୍ୱାରା ଭଉଣୀ କ୍ୟାମେରନ୍‌ଙ୍କୁ କʼଣ ଲାଭ ହେଲା ?

ଆମେ ସମସ୍ତେ ଅନ୍ୟ ଦେଶକୁ ଯାଇ ପ୍ରଚାର କରିପାରିବା ନାହିଁ । କିନ୍ତୁ ଆମେ ଏପରି ଲକ୍ଷ୍ୟ ରଖିପାରିବା, ଯାହା ଆମେ ହାସଲ କରିପାରିବା । ହିତୋପଦେଶ ୨୧:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ମଣ୍ଡଳୀରେ ସେବା କରିବା ପାଇଁ ଆପଣ କେଉଁ କେଉଁ ଲକ୍ଷ୍ୟ ରଖିପାରିବେ ?

  • ଆପଣ ପ୍ରଚାରରେ କେଉଁ କେଉଁ ଲକ୍ଷ୍ୟ ରଖିପାରିବେ ?

ଏହି ପଦରେ ଦିଆଯାଇଥିବା ସିଦ୍ଧାନ୍ତ କିପରି ଆପଣଙ୍କୁ ଏପରି ଲକ୍ଷ୍ୟ ରଖିବା ପାଇଁ ସାହାଯ୍ୟ କରିବ, ଯାହା ଆପଣ ହାସଲ କରିପାରିବେ ?

କିଛି ଲକ୍ଷ୍ୟ

  • ଆହୁରି ଭଲ ଭାବେ ପ୍ରାର୍ଥନା କରନ୍ତୁ ।

  • ପୂରା ବାଇବଲ ପଢ଼ନ୍ତୁ ।

  • ମଣ୍ଡଳୀରେ ସମସ୍ତଙ୍କୁ ଭଲ ଭାବେ ଜାଣନ୍ତୁ ।

  • କାହାରି ସହ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ ।

  • ସହଯୋଗୀ ଅଗ୍ରଦୂତ ସେବା ବା ଅଗ୍ରଦୂତ ସେବା କରନ୍ତୁ ।

  • ଯଦି ଆପଣ ଜଣେ ଭାଇ ଅଟନ୍ତି, ତାହେଲେ ସହାୟକ ସେବକ ହେବା ପାଇଁ ଆଗକୁ ବଢ଼ନ୍ତୁ ।

୬. ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !

ଗୀତସଂହିତା ୨୨:୨୬; ୩୭:୧୧, ୨୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ ଆଜି ଓ ଭବିଷ୍ୟତରେ ସବୁଦିନ ପାଇଁ ଖୁସିରେ ରହିବା ପାଇଁ କʼଣ କରିପାରିବେ ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଜାରି ରଖନ୍ତୁ ଏବଂ ତାଙ୍କ ସେବାରେ ଆହୁରି ଅଧିକ କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଏପରି କଲେ ଆପଣ ଆଜି ଓ ଭବିଷ୍ୟତରେ ସବୁଦିନ ପାଇଁ ଖୁସିରେ ରହିପାରିବେ ।

ଆପଣ କʼଣ କହିବେ ?

  • ଆପଣ କାହିଁକି ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ତାଙ୍କ ସେବା ଜାରି ରଖିବା ପାଇଁ ସାହାଯ୍ୟ କରିବେ ?

  • ଆପଣ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ପାଇଁ କʼଣ କରିପାରିବେ ?

  • ଯିହୋବାଙ୍କ ସେବାରେ ଲକ୍ଷ୍ୟ ରଖିଲେ କିପରି ତାଙ୍କ ସହ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହୋଇପାରେ ?

ଆଗକୁ ଗୋଟିଏ ବର୍ଷ ପାଇଁ ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଯିହୋବାଙ୍କ ପାଇଁ କʼଣ ସବୁଠୁ ବେଶି ମହତ୍ତ୍ୱ ରଖେ, ଥରେ ଭଲ ଭାବେ ନିଜ ବିଶ୍ୱସ୍ତତାର ପ୍ରମାଣ ଦେବା ନା ସାରା ଜୀବନ ସବୁବେଳେ ତାଙ୍କର ବିଶ୍ୱସ୍ତ ରହିବା ?

ଅବ୍ରହାମଙ୍କ ଭଳି ବିଶ୍ୱସ୍ତ ରହନ୍ତୁ (୯:୨୦)

ଯିହୋବାଙ୍କର ବିଶ୍ୱସ୍ତ ସେବକମାନଙ୍କର ମଧ୍ୟ ଖୁସି ଚାଲିଯାଇପାରେ । ଆସନ୍ତୁ ଜାଣିବା ଯେ ଜଣେ ଖ୍ରୀଷ୍ଟିୟାନ ଯିହୋବାଙ୍କ ସେବାରେ ନିଜ ଖୁସି କିପରି ପୁଣିଥରେ ପାଇପାରିବ ।

ହରାଇଥିବା ଖୁସିକୁ ଅଧ୍ୟୟନ ଓ ଚିନ୍ତନ ଦ୍ୱାରା ପୁଣି ପାଆନ୍ତୁ (୫:୨୫)

ଜାଣନ୍ତୁ ଯେ ଆପଣ ଈଶ୍ୱରଙ୍କ ସେବାରେ କେଉଁ କେଉଁ ଲକ୍ଷ୍ୟ ରଖିପାରିବେ ଏବଂ ତାକୁ ପୂରା କରିବା ପାଇଁ କʼଣ କରିପାରିବେ ।

“ଆଧ୍ୟାତ୍ମିକ ଲକ୍ଷ୍ୟ ରଖିବା ଦ୍ୱାରା ନିଜ ସୃଷ୍ଟିକର୍ତ୍ତାଙ୍କର ମହିମା କରନ୍ତୁ” (ପ୍ରହରୀଦୁର୍ଗ-ହି, ୧୫ ଜୁଲାଇ, ୨୦୦୪)

ଜଣେ ଖ୍ରୀଷ୍ଟିୟାନକୁ ପ୍ରୌଢ଼ ହେବା କାହିଁକି ଜରୁରୀ ଏବଂ ଆପଣ କିପରି ପ୍ରୌଢ଼ ହୋଇପାରିବେ ?

“ପୂରା ଶକ୍ତି ଲଗାଇ ପ୍ରୌଢ଼ତାର ଲକ୍ଷ୍ୟ ଯାଏଁ ଆଗକୁ ବଢ଼ନ୍ତୁ​—‘ଯିହୋବାଙ୍କ ମହାଦିନ ନିକଟବର୍ତ୍ତୀ’” (ପ୍ରହରୀଦୁର୍ଗ-ହି, ୧୫ ମେ, ୨୦୦୯)